Ghodahada Dam Reservoir: ଶୁଖିଗଲା ଜଳଭଣ୍ଡାର ଗାଁ ମୁହାଁ କୁମ୍ଭୀର; ଚିନ୍ତାରେ ଜନସାଧାରଣ
Crocodile Terror Grips Villages Near Ghodahada Dam: ଜଳଭଣ୍ଡାର ଶୁଖିଯିବା ପରେ ଏବେ ଗାଁ ମୁହାଁ ହୋଇଛନ୍ତି କୁମ୍ଭୀର। ଯାହାକୁ ନେଇ ଜଳଭଣ୍ଡାର ନିକଟସ୍ଥ ଗ୍ରାମରେ ଖେଳିଯାଇଛି ଆତଙ୍କ।
Crocodile Menace Rise in Ghodahada Dam: ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ଠାରୁ ପ୍ରାୟ ୧୭ କିଲୋମିଟର ଦୂରରେ ଅବସ୍ଥିତ ଖମାରିଗାଁ। ଯାହା ନିକଟରେ ରହିଛି ଘୋଡ଼ାହାଡ଼ ଡ୍ୟାମ। ଏହି ଡ୍ୟାମ୍ କୁମ୍ଭୀରଙ୍କ ଆଶ୍ରୟସ୍ଥଳୀ ଭାବେ ପରିଚିତ। ଯେଉଁଠାରେ ପ୍ରାୟ ୬୪ କୁମ୍ଭୀର ରହିଥିବା ବେଳେ ନିକଟସ୍ଥ ଗ୍ରାମର ଜଳାଶୟରେ ୧୭ କୁମ୍ଭୀର ରହିଥିବାର ଜଣାପଡ଼ିଛି। ଘୋଡ଼ାହାଡ଼ ଡ୍ୟାମ ଜଳସ୍ତର ମାତ୍ରାଧିକ ହ୍ରାସ ପାଇଛି। ଚଳିତ ବର୍ଷ କମ ପରିମାଣରେ ବର୍ଷା ହୋଇଥିବାରୁ ଖରିଫ ଧାନଚାଷ ଲାଗି ଜଳସେଚନ ପାଇଁ କେନାଲ ଯୋଗେ ପାଣି ଛଡ଼ାଯାଇଥିଲା। ଯାହାଫଳରେ ସ୍ଥାନେ ସ୍ଥାନେ ଡ୍ୟାମ ଶୁଖିଲା ରହିଥିବାର ଦେଖିବାକୁ ମିଳିଛି। ଯାହା ଫଳରେ ରକ୍ଷଣା ବେକ୍ଷଣ ସହ ଖାଦ୍ୟର ଅଭାବ, ମାଛ ଧରାଳି ମାନଙ୍କ ଜାଲ ଏବଂ ଡ଼ଙ୍ଗା ମାଡ଼ କାରଣରୁ କୁମ୍ଭୀର ଜନବସତି ଆଡ଼କୁ ଗତି କରୁଛନ୍ତି।
ମୁଖ୍ୟତଃ ଡ୍ୟାମ ତଳିଆ ଗ୍ରାମ ଖମାରିଗାଁ ଗ୍ରାମର ଜଳାଶୟକୁ କୁମ୍ଭୀର ନିଜ ସୁରକ୍ଷିତ ସ୍ଥାନ ଭାବେ ବାଛି ନେଇଛନ୍ତି। ଏହି ଜଳାଶୟରେ ରହିଥିବା କୁମ୍ଭୀର ଅନେକ ଧନଜୀବନ ନଷ୍ଟ କରିଥିବା ନଜର ରହିଛି l କୁମ୍ଭୀର ଆକ୍ରମଣରେ ହତାହତ ହେଉଥିବା ଲୋକଙ୍କ ହିସାବ ବନବିଭାଗ ନିକଟରେ ରହିଛି। ମାତ୍ର ଗାଈ, ବାଛୁରୀ, ଛେଳି କିମ୍ବା ଅନ୍ୟକୌଣସି ଗୃହପାଳିତ ପଶୁ ମଧ୍ୟ କୁମ୍ଭୀର ଆକ୍ରମଣର ଶୀକାର ହୋଇଥିବାର ଜଣାପଡିଛି। ପୂର୍ବରୁ ଏହି ଗାଁ ମୁଁହା ହେଉଥିବା ପ୍ରଜାତିର କୁମ୍ଭୀର ହିଂସ୍ର ନଥିଲେ। ବିଗତ କିଛି ବର୍ଷ ହେଲା ସେମାନେ ହିଂସ୍ର ପାଲଟି ଯାଇଛନ୍ତିl କୁମ୍ଭୀରଙ୍କ ଗତବିଧି ସମ୍ପର୍କରେ ସନ୍ଧାନ ପାଇବା ପରେ ବନବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ଲୋକଙ୍କୁ ସଚେତନତା କରାଯାଉଛି। ହେଲେ ତଥାପି ଭୟରେ ରହୁଛନ୍ତି ଗ୍ରାମବାସୀ। ଏବେ ମଧ୍ୟ କିଛି ଗ୍ରାମରେ ସଞ୍ଜ ନଇଁଲେ ତାଟି କବାଟ ବନ୍ଦ କରିଦେବା ସହ ଘର ବାହାରକୁ ବାହାରୁ ନାହାଁନ୍ତି ଲୋକେ। ଚାଷୀ ନିଜ ଜମିକୁ ଯିବା ପାଇଁ ଭୟ କରୁଛନ୍ତି। ଏପରିକି ମହିଳା ଅଥବା ଶିଶୁ ଏକୁଟିଆ ପୋଖରୀକୁ ଗାଧୋଇ ଯିବା ପାଇଁ ଭୟ କରୁଛନ୍ତି।
Also Read: ଶୁଖିଗଲା ଘୋଡ଼ାହାଡ଼ ଡ୍ୟାମ; ପାଲଟିଗଲା କ୍ରିକେଟ ଷ୍ଟାଡିୟମ୍
ଘୋଡ଼ାହାଡ଼ ଡ୍ୟାମ ମାଧ୍ୟମରେ ୧୯୭୬ ମସିହାରେ ଜଳସେଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସେହି ସମୟରେ ଶ୍ରୀ ଉଜ୍ବଳେଶ୍ୱର ମହାଦେବ ପୀଠ ପୋଖରୀରେ ପ୍ରାୟ ୫-୬ କୁମ୍ଭୀର ରହିଥିଲେ। ହେଲେ ବିଗତ ୧୦ ବର୍ଷ ମଧ୍ୟରେ କୁମ୍ଭୀର ବଂଶ ବୃଦ୍ଧି ପାଇବା କାରଣରୁ ସେମାନଙ୍କ ରକ୍ଷଣାବେକ୍ଷଣ ନେଇ ସନ୍ଦେହ ସୃଷ୍ଟି ହେଉଛି। କୁମ୍ଭୀର ଏଠାକାର ଲୋକଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। କୁମ୍ଭୀରଙ୍କ ଲାଗି ସରକାରୀ ସ୍ତରରେ କୌଣସି ନିର୍ଦ୍ଧିଷ୍ଟ ବ୍ୟବସ୍ଥା କରାଯାଇ ନାହିଁ। କୁମ୍ଭୀର ସଂରକ୍ଷଣ ଏବଂ ଖାଦ୍ୟପେୟ ସକାଶେ ଉଚିତ ବ୍ୟବସ୍ଥା ମଧ୍ୟ କରାଯାଇ ନାହିଁ। ଡ୍ୟାମ ଚତୁଃପାର୍ଶ୍ଵରେ ତାରଜାଲିର ଆବଶ୍ୟକତା ରହିଛି। କୁମ୍ଭୀରଙ୍କ ରକ୍ଷଣାବେକ୍ଷଣ ଦାୟିତ୍ୱ ପାଇଁ ତାଲିମ ପ୍ରାପ୍ତ କର୍ମଚାରୀ ନିଯୁକ୍ତି ଆବଶ୍ୟକ ଏବଂ ମାଛ ଧରାଳିଙ୍କ ପାଇଁ ନିର୍ଦ୍ଧିଷ୍ଟ ସ୍ଥାନ ଏବଂ ନିୟମାବଳୀ ରହିବା ଆବଶ୍ୟକ ବୋଲି ଡ୍ୟାମ ନିକଟସ୍ଥ ଗ୍ରାମବାସୀ କହିଛନ୍ତି।