Odisha Election 2024: ସ୍କୁଲ ନାହିଁ ତ ଭୋଟ ନାହିଁ। ଏଭଳି କହିଛନ୍ତି ଏକ ଗାଁର ହରିଜନ ସମ୍ପ୍ରଦାୟର ଭୋଟର ମାନେ । ଦୀର୍ଘ ୪୦ବର୍ଷ ଧରି ଗାଁରେ ଥିବା ଏମି ସ୍କୁଲକୁ ହଠାତ ସରକାରଙ୍କ ନିର୍ଦ୍ଦେଶ ପରେ ବନ୍ଦ କରି ଦିଆଯାଇଛି । ଯାହାକୁ ଖୋଲିବାକୁ ନେଇ ଗ୍ରାମବାସୀ ଏ ଅଫିସରୁ ସେ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହେଲାଣି । ଶେଷରେ ଗାଁ ଦାଣ୍ଡରେ ସାମ୍ବାଦିକ ସମ୍ମିଳନୀ କରି ଚଳିତ ନିର୍ବାଚନରେ ଭୋଟ ବର୍ଜନ କରିବାର ସମୂହ ନିଷ୍ପତ୍ତି ନେଇଛନ୍ତି। ଖାଲି ସେତିକି ନୁହେଁ ସ୍କୁଲ ନ ଖୋଲି ନିର୍ବାଚନ ପ୍ରଚାରରେ ନେତା ଗାଁକୁ ଆସିଲେ ଝାଡୁ ପ୍ରହାର ଦେଇ ବିଦା କରିବାର ଦମ୍ଭୋକ୍ତି କରିଛନ୍ତି ଗ୍ରାମବାସୀ। ଏଭଳି କିଛି ଚିତ୍ର ଆସିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରୁ।


COMMERCIAL BREAK
SCROLL TO CONTINUE READING

୧୯୮୬ ମସିହାରେ ପ୍ରତିଷ୍ଠା ହୋଇଥିଲା ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକ ଅଧୀନ କଣ୍ଟାବଣି ନେତ୍ର ମୋହନ ମଇ ବିଦ୍ୟାଳୟ। ସେତେ ବେଳେ ପାଖା ପାଖି ୫୦ଜଣ ପିଲାଙ୍କୁ ନେଇ ଆରମ୍ଭ ହୋଇଥିଲା ବିଦ୍ୟାଳୟ। ତେବେ ଏହା ଏକ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଭାବରେ ଏହା ମଧ୍ୟରେ ୪୦ବର୍ଷ ବିତିଗଲାଣି । ଚଳିତ ବର୍ଷ ହଠାତ ସରକାର ବନ୍ଦ କରିବାର ନିଷ୍ପତ୍ତି ନେଇ ଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି । ଯାହାକୁ ନେଇ ସମୁହ ଗ୍ରାମବାସୀ କଡା ବିରୋଧ କରିଛନ୍ତି । ଚଳିତ ବର୍ଷ ଷଷ୍ଠ ଶ୍ରେଣୀ ରେ ୨୪ ଜଣ ଓ ସପ୍ତମ ଶ୍ରେଣୀ ରେ ୧୭ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ। କିନ୍ତୁ ସ୍କୁଲଟି ଅନୁଦାନ ପ୍ରାପ୍ତ ହୋଇଥିବା ଯୋଗୁଁ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ଅବସର ନେବା ପରେ ୨ଜଣ ଶିକ୍ଷକଙ୍କୁ ଡେପୁଟେସନରେ ଦେଇ ଶିକ୍ଷା ଦାନ କରାଯାଉଥିଲା । ଏବେ ସରକାର ଏହି ସ୍କୁଲ ଟି ବନ୍ଦ କରିବା ପରେ ଗ୍ରାମର ଛାତ୍ରଛାତ୍ରୀ ମାନେ ଦୀର୍ଘ ୩ କିଲୋମିଟର ରାସ୍ତା ପାର ହୋଇ ଅନ୍ୟ ସ୍କୁଲ ଯିବା ପାଇଁ ନାରାଜ ହେଉଛନ୍ତି। ଏମିତିକି ଅନ୍ୟ ସ୍କୁଲକୁ ଯିବାକୁ ହେଲେ ଏକ ରାଜ ରାସ୍ତା ପାର ହେବାକୁ ପଡ଼ିବ । ଯୋଉଥିରେ ଦୁର୍ଘଟଣା ଆଶଙ୍କା କରି ଅଭିଭାବକ ମାନେ ଚିନ୍ତା ପ୍ରକାଶ କରିଛନ୍ତି । ଉକ୍ତ ସ୍କୁଲକୁ ଖୋଲିବା ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ପରେ ଏବେ ଭୋଟ ବର୍ଜନ କରିବେ ବୋଲି ଗାଁର ଲୋକେ ନିଷ୍ପତ୍ତି ନେଇଛନ୍ତି ।


ସ୍କୁଲଟିକୁ ଖୋଲିବାକୁ ନେଇ ଗତ ୮ତାରିଖ ଦିନ ଗ୍ରାମବାସୀ ମାନେ ଗେଟରେ ତାଲା ପକାଇ ଆମରନ ଅନଶନ କରିଥିଲେ । ହେଲେ ଏଥିରେ କୌଣସି ସୁଫଳ ନମିଳିବାରୁ ହାଇକୋର୍ଟରେ ଏକ ମାମଲା ଦାୟର କରିଥିଲେ। ଯାହାକୁ ନେଇ ଆସାନ୍ତା ୨ ତାରିଖ ସୁଧା ବ୍ଲକ ଶିକ୍ଷା ଅଧିକାରୀ କୋର୍ଟ ପାଖରେ ତଥ୍ୟ ରଖିବାକୁ ନୋଟିସ କରିଛନ୍ତି । ଏ ସମ୍ପର୍କରେ ଭୋଗରାଇ ଗୋଷ୍ଠୀ ଶିକ୍ଷା ଅଧିକାରୀ କହିଛନ୍ତି କୋର୍ଟର ମାମଲା ବିଚାରଧୀନ ରହିଛି ଆସନ୍ତା ୨ ତାରିଖ ରେ ତଥ୍ୟ ପ୍ରଦାନ ପରେ ୬ ତାରିଖରେ କୋର୍ଟର ରାୟ ଆସିଲେ ସ୍କୁଲ ଖୋଲା ଯିବ କି ନାହିଁ ନିଷ୍ପତ୍ତି ନିଆଯିବ। ସେପଟେ ଗ୍ରାମବାସୀ କହିଛନ୍ତି ତୁରନ୍ତ ସରକାର ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନକଲେ ଗ୍ରାମର ୬ଶହ ଭୋଟର ଭୋଟ ବର୍ଜନ କରିବା ସହିତ ଉକ୍ତ ସ୍କୁଲରେ ଭୋଟ ପାଇଁ ବୁଥ କେନ୍ଦ୍ର କରାଇଦେବୁ ନାହିଁ । ଖାଲି ସେତିକି ନୁହେଁ ଚଳିତ ବର୍ଷ ନିର୍ବାଚନ ଥିବାରୁ ଗାଁକୁ ନେତା ଆସିଲେ ପ୍ରବେଶ କରାଇ ଦେବୁ ନାହିଁ ଓଲଟା ଝାଡୁ ପାହାର ଦେଇ ବିଦାକରି ଦେବୁ ବୋଲି କହିଛନ୍ତି।