Habisiyali Looted by Dalal in Puri: କାର୍ତ୍ତିକ ମାସ ଆରମ୍ଭ ଯିବା ପରେ ହବିଷ କରିବା ପାଇଁ ପୁରୀରେ ପହଞ୍ଚିବାରେ ଲାଗିଛନ୍ତି ହବିଷ୍ଯାଳୀ। କାର୍ତ୍ତିକ ମାସରେ ପୁରୀକୁ ହବିଷ୍ଯାଳୀଙ୍କ ଆଗମନ ପରେ ସକ୍ରିୟ ହେବାରେ ଲାଗିଛନ୍ତି ଦଲାଲ। ସରକାରୀ ହବିଷ୍ଯାଳୀ ଶିବିରରେ ରଖାଇ ଦେବାକୁ କହି ହବିଷ୍ଯାଳୀଙ୍କ ହଜାର ହଜାର ଟଙ୍କା ଲୁଟ କରୁଛନ୍ତି ଦଲାଲ। ମଙ୍ଗଳବାର ଅକ୍ଷୟ ପାତ୍ର ସରକାରୀ ହବିଷ୍ଯାଳୀ ଶିବିରରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା। 


COMMERCIAL BREAK
SCROLL TO CONTINUE READING

କାର୍ତ୍ତିକ ବ୍ରତ ପାଇଁ କିଛି ହବିଷ୍ଯାଳୀ ଅନଲାଇନ ପଞ୍ଜୀକରଣ ନକରି ପୁରୀରେ ପହଞ୍ଚିଥିଲେ। ମାତ୍ର ବ୍ରହ୍ମଗିରି ଅଞ୍ଚଳର ପରିଚୟ ଦେଇ କିଛି ଦଲାଲ ହବିଷ୍ଯାଳୀଙ୍କ ଠାରୁ ଟଙ୍କା ଲୁଟିବାକୁ ଉଦ୍ଯମ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲାର ବାଣପୁର ଅଞ୍ଚଳରୁ ୮ ଜଣ ହବିଷ୍ଯାଳୀ ହବିଷ କରିବାକୁ ପୁରୀ ଆସିଥିଲେ। ସରକାରୀ ଶିବିରରେ ରହିବା ପାଇଁ ବାହାରେ ପଚରାଉଚରା କରୁଥିଲେ। ଏହି ସମୟରେ କିଛି ଦଲାଲ ପହଞ୍ଚି ୧୨ ହଜାର ଟଙ୍କା ଦେଲେ ସରକାରୀ ଶିବିରରେ ରଖାଇ ଦେବାକୁ ପ୍ରତିଶୃତି ଦେଇଥିଲେ। ସେମାନଙ୍କ ଫୋନ ନମ୍ବର ନେଇଯାଇଥିଲେ। ମାତ୍ର ନାଟକୀୟ ଢଙ୍ଗରେ ଆଜି ପଇସା ନେଉଥିବା ସମୟରେ ଜଣେ ଦଲାଲକୁ କାବୁ କରିଥିଲେ ପୁଲିସ ଏବଂ ସ୍ଥାନୀୟ ଲୋକେ। ହେଲେ ଆଉ ଦୁଇ ଜଣ ଦଲାଲ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି। 


ସେପଟେ ସମ୍ପୃକ୍ତ ଦଲାଲ ଦାବି ମୁତାବକ ଟଙ୍କା ନେବା ପାଇଁ ସମ୍ପୃକ୍ତ ହବିଷ୍ଯାଳୀଙ୍କୁ ନରେନ୍ଦ୍ରକୋଣ ବୃନ୍ଦାବତି ନିବାସ ନିକଟକୁ ଫୋନ କରି ଡାକିଥିଲା। ସେଠାରେ ମୁହଁରେ ନାଲି ଗାମୁଛା ପିନ୍ଧିଥିବା ଜଣେ ବ୍ଯକ୍ତି ମଟର ସାଇକେଲ ଯୋଗେ ବୃନ୍ଦାବତି ନିବାସ ନିକଟରେ ପଞ୍ଚିବ। ତାଙ୍କୁ ଡକ୍ଯୁମେଣ୍ଟ ଏବଂ ପଇସା ଦେବା ପାଇଁ ହବିଷ୍ଯାଳୀଙ୍କୁ ଦଲାଲ ବୁଝାଇ ଦେଇଥିଲେ। ଦଲାଲ କହିବା ମୁତାବକ ତାହାର ଜଣେ ସହଯୋଗୀ ମୁହଁରେ ନାଲି ଗାମୁଛା ବାନ୍ଧି ପହଞ୍ଚିଥିଲା। ସେଠାରେ ହବିଷ୍ଯାଳୀଙ୍କ ନିକଟରୁ ଟଙ୍କା ସହ ଡକ୍ଯୁମେଣ୍ଟ ନେବାକୁ ଉଦ୍ଯମ କରିବା ସମୟରେ ପୁଲିସ ଓ ସ୍ଥାନୀୟ ଲୋକେ ତାକୁ ମାଡି ବସିଥିଲେ। 


ମାତ୍ର ଦଲାଲ ଜଣଙ୍କ ଧକ୍କା ମାରି ବସ୍ ଯୋଗେ ଫେରାର ହେଇଯିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ।। ସମ୍ପୃକ୍ତ ଦଲାଲକୁ କାବୁକରି କୁମ୍ଭାରପଡା ଥାନାକୁ ହସ୍ତାନ୍ତର କରିଛନ୍ତି ସ୍ଥାନୀୟ ଲୋକେ। ପୋଲିସ ଜଣେ ଦଲାଲକୁ ଅଟକ ରଖି ପଚରା ଉଚରା କରୁଥିବା ବେଳେ ଅନ୍ୟ ଦୁଇଜଣ ଫେରାର ଥିବା ଜଣାପଡିଛି। ବାଣପୁର ଖଜୁରୀଆର ହବିଷ୍ଯାଳୀ କୈଳାସ ପ୍ରଧାନଙ୍କ ଏତଲା କ୍ରମେ ମାମଲା ଦାଏର କରାଯାଇଛି। ସମ୍ପୃକ୍ତ ଦଲାଲର ମୋଟର ସାଇକେଲ ଜବତ ହୋଇଛି। ପୁଲିସ ଘଟଣାର ଛାନବିନ ଆରମ୍ଭ କରିଛି। ସରକାରୀ ଶିବିରରେ ରହି ହବିଷ କରିବାକୁ ଆସିଥିବା ହବିଷ୍ଯାଳୀ ଠକାମୀର ଶିକାର ହେଉଥିବା ଜଣାପଡିବା ପରେ ଏବେ ସକ୍ରିୟ ହୋଇପଡିଛି ପୁରୀ ପୁଲିସ। ପ୍ରତି ସରକାରୀ ହବିଷ୍ଯାଳୀ ସେଣ୍ଟର ଅଞ୍ଚଳରେ ପୁଲିସ ସହିତ ସାଧା ପୋଷାକଧାରୀ ପୁଲିସ ମଧ୍ୟ ମୁତୟନ ହୋଇଛନ୍ତି। ପୋଲିସ ବେଶ୍ ସଜାଗ ଥିବା କହିଛନ୍ତି ପୁରୀ ଏସପି।