Odisha News: ଭୁବନେଶ୍ୱର: ଏଣିକି ବଡ଼ ଓ ସ୍ପଷ୍ଟ ଅକ୍ଷରରେ ପ୍ରେସକ୍ରିପସନ ଲେଖିବେ ଡାକ୍ତର। ସାଧାରଣ ଲୋକ ଯେପରି ସହଜରେ ପ୍ରେସକ୍ରିପସନ ଓ ରିପୋର୍ଟ ପଢିପାରିବେ ସେଭଳି ଲେଖିବେ ଡାକ୍ତର। ଏନେଇ ଗତକାଲି ନିର୍ଦ୍ଦେଶନାମା ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ। ଡାକ୍ତରଙ୍କ ଜିଗଜାଗ ହ୍ୟାଣ୍ଡରାଇଟିଂକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ହାଇକୋର୍ଟ ଏକ ନିର୍ଦ୍ଦେଶ ଦେଇଥିଲେ। ଯେଉଁଥିରେ କୁହାଯାଇଥିଲା କି ପ୍ରେସକ୍ରିପସନ ଓ ରିପୋର୍ଟକୁ ସ୍ପଷ୍ଟ ଓ ବଡ଼ ଅକ୍ଷରରେ ଲେଖିବାକୁ। ଏନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି। ଜିଗଜାଗ୍ ହ୍ୟାଣ୍ଡରାଇଟିଂରେ ଲେଖିବା ଡାକ୍ତରଙ୍କ ଅଭ୍ୟାସ କିନ୍ତୁ ସାଧାରଣ ଲୋକଙ୍କ ପକ୍ଷରେ ଏହା ବୁଝିବା ହୋଇଥାଏ ଅସମ୍ଭବ । ଡାକ୍ତର ରୋଗ ବିଷୟରେ କିମ୍ବା କଣ ମେଡିସିନ୍ ଲେଖିଲେ ତାହା କେବଳ ମେଡିସିନ୍ ଦୋକାନୀ ହିଁ ବୁଝନ୍ତି। ଯାହାକୁ ନେଇ ଗତ କିଛି ଦିନ ତଳେ ଓଡିଶା ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଥିଲେ।


COMMERCIAL BREAK
SCROLL TO CONTINUE READING

ଏହି ନିର୍ଦ୍ଦେଶକ୍ରମେ ଗତକାଲି ରାଜ୍ୟର ଡାକ୍ତରମାନଙ୍କୁ ସ୍ପଷ୍ଟ ଅକ୍ଷରରେ ଲେଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା। ମେଡିକାଲ ପ୍ରେସକ୍ରିପସନ, ଶବ ବ୍ୟବଛେଦ ରିପୋର୍ଟ ସ୍ପଷ୍ଟ ଓ ବଡ଼ ଅକ୍ଷରରେ ଲେଖିବାକୁ କୁହାଯାଇଛି। ଏପରି ଲେଖାଯିବା ଦ୍ୱାରା ଯେମିତି କୌଣସି ଲୋକ ଏହାକୁ ବୁଝିବାରେ କୌଣସି ସମସ୍ୟା ହେବନାହିଁ। ଏପରିକି ସ୍ପଷ୍ଟ ଅକ୍ଷରରେ ଲେଖିବା ଦ୍ୱାରା ନ୍ୟାୟିକ ପ୍ରକ୍ରିୟାରେ ସୁବିଧା ହେବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି। ଏହା ସହିତ ଲେଖା ଏମିତି ହେବା ଦରକାର, ଯାହା କୌଣସି ସନ୍ଦେହ ସୃଷ୍ଟି କରୁନଥିବ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି। ଏହାକୁ ନେଇ ସମସ୍ତ ମେଡିକାଲ ସେଣ୍ଟର, ପ୍ରାଇଭେଟ କ୍ଲିନିକ, ମେଡିକାଲ କଲେଜ ଓ ହସ୍ପିଟାଲକୁ ନିର୍ଦ୍ଦେଶ ମଧ୍ୟ ଜାରି କରାଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଆଧାର କରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଏଭଳି ନିର୍ଦ୍ଦେଶନାମା ଜାରି କରିଛି।