Music Director S. Jayant: ଲାଲ ସ୍କୁଟି ଧରି ଆସୁଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ଏସ୍.ଜୟନ୍ତ। ପେଶା ହେଉଛି ତାଙ୍କର ପାରାଦୀପ ସହରରେ ବୁଲିବୁଲି ବିଏସ୍ଏନ୍ଏଲ୍ ସିମକାର୍ଡ ବିକ୍ରି କରିବା। ହେଲେ ତାଙ୍କର ନିଶା ହେଉଛି ଜଣେ ଭଲ ସଙ୍ଗୀତ ନିର୍ଦ୍ଦେଶକ ହେବା। ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅଧିନସ୍ଥ ସରବା ଗ୍ରାମର ବାସିନ୍ଦା ହେଉଛନ୍ତି ଏସ୍.ଜୟନ୍ତ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ମହାବିଦ୍ୟାଳୟରେ ପାଠ ପଢୁଥିବା ସମୟରେ କ୍ୟାସେଟ୍ ଦୋକାନରେ ଗୀତ ଶୁଣିଶୁଣି ସଂଗୀତ ପ୍ରତି ତାଙ୍କର ଆଗ୍ରହ ବଢିଥିଲା। 


COMMERCIAL BREAK
SCROLL TO CONTINUE READING

କଲେଜ ପାଠ ପଢା ସରିବା ପରେ ସଂଗୀତ ନିର୍ଦ୍ଦେଶନା ଦେବା ପାଇଁ ସେ ଅନେକ ପ୍ରଯୋଜନା ସଂସ୍ଥାକୁ ଯାଇ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ବାରମ୍ବାର ନିରାଶ ହୋଇ ଫେରିବାକୁ ପଡୁଥିଲା। ହେଲେ ଏସ୍.ଜୟନ୍ତଙ୍କ (Music Director S. Jayant) ସଙ୍ଗୀତ (Odia Music) ପ୍ରତି ତାଙ୍କର ମନୋବଳ ଭାଙ୍ଗି ନଥିଲା। ତାଙ୍କୁ ସଙ୍ଗୀତର ନିଶା ଏଭଳି ଘାରି ଥିଲା ଯେ ତାଙ୍କୁ ଅର୍ଥ ପାଇଁ ସେ ଦିନ ମଜୁରିଆ ଭାବେ ବିଭିନ୍ନ ସ୍ଥାନରେ କାର୍ଯ୍ୟ କରିବାକୁ ପଡ଼ିଥିଲା। ଏପିରିକି ରାଜ୍ୟ ବାହାରକୁ ଯାଇ ତାଙ୍କୁ କାର୍ଯ୍ୟ କରିବାକୁ ପଡ଼ିଥିଲା। 


କାମ କରି ଯାହା କିଛି ଅର୍ଥ ରୋଜଗାର କରନ୍ତି ତାହାକୁ ନିଜ କ୍ୟାସେଟ୍ ପ୍ରଯୋଜନା ସଂସ୍ଥାରେ (S. Jayant Cassette Production House) ବିନିଯୋଗ କରିଥାନ୍ତି ସଙ୍ଗୀତଜ୍ଞ ଏସ.ଜୟନ୍ତ। ବର୍ତ୍ତମାନ ପର୍ଯ୍ୟନ୍ତ ଜୟନ୍ତ ୨ ଶହରୁ ଉର୍ଦ୍ଧ୍ବ ଗୀତରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ରାଜ୍ୟର ଆଗ ଧାଡିର କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ଅସୀମା ପଣ୍ଡା, କୁମାର ବାପି, ସ୍ବୟଂ ପାଢୀ, ଶ୍ରୀଚରଣ, ଅମ୍ରିତା ନାୟକଙ୍କ ସମେତ ଅନେକ କଣ୍ଠଶିଳ୍ପୀ ତାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ କଣ୍ଠଦାନ କରିଛନ୍ତି। ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ନଥିଲେ ମଧ୍ୟ ଏବେ ସେ ଗୀତ ଲେଖିବା ସହିତ ସଙ୍ଗୀତ ନିର୍ଦ୍ଦେଶନା ଦେବା, ନିଜ ଅର୍ଥରେ ନିଜର ନୂତନ ପ୍ରଡକ୍ସନ ସଂସ୍ଥାରେ ନୂତନ ଗୀତ ଦର୍ଶକଙ୍କୁ ଭେଟି ଦେଉଛନ୍ତି। 



ଏସ.ବି ଧୂମ ନାମରେ ନିଜର ଏକ ନାମରେ ନିଜର ଏକ ୟୁଟୁବ ଚ୍ୟାନେଲ (S.B.DHOOM YouTube Chanel) ଖୋଲିଥିବା ବେଳେ ସେ ମଧ୍ୟ ଅନେକ ଗୀତରେ କଣ୍ଠଦାନ କରିଛନ୍ତି। ହେଲେ ସଙ୍ଗୀତ ତାଙ୍କର ନିଶା ହୋଇଥିବା ବେଳେ ପରିବାର ପ୍ରତିପୋଷଣ କରିବା ପାଇଁ ପ୍ରତ୍ୟେକ ଦିନ ଜୟନ୍ତ କୁଜଙ୍ଗ ଠାରୁ ପ୍ରାୟ ୨୦ କିଲୋମିଟର ପାରାଦୀପ ଆସି ଖରା,ବର୍ଷା, ଶୀତ କାକରରେ ବିଭିନ୍ନ ସ୍ଥାନରେ ରାସ୍ତା କଡରେ ଛିଡା ହୋଇ ବିଏସ୍ଏନ୍ଏଲ୍ ସିମକାର୍ଡ ବିକ୍ରି କରିଥାନ୍ତି। ହେଲେ ସଙ୍ଗତ ତାଙ୍କ ଜୀବନ। ଯେତେ ବାଧା ବିଘ୍ନ ଆସିଲେ ମଧ୍ୟ ସେ ସଙ୍ଗୀତକୁ ଛାଡି ରହି ପାରିବେନି ବୋଲି କହିଛନ୍ତି। ସଙ୍ଗୀତ ପାଇଁ ଆଜି ମଧ୍ୟ ତାଙ୍କର ସଂଘର୍ଷ ଜାରି ରହିଛି। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ଏସ୍.ଜୟନ୍ତଙ୍କ ନିଜ କଣ୍ଠରେ ଏକ ଲୋକଗୀତ ବେଶ୍ ଆଦୃତ ହୋଇଛି।