Odisha News: ଘୋଡ଼ା ଚଢା ଠାରୁ ସମ୍ପତ୍ତି ନାହିଁ ଘରପୋଡି ଠାରୁ ବଡ଼ ବିପତ୍ତି ନାହିଁ। ନିଆଁର ଆଁ ରେ ଜଳି ପୋଡ଼ି ପାଉଁଶ ହୋଇଗଲା ୯ଟି ପରିବାର ର ୧୨ ବଖରା । ବାହାଘର ପାଇଁ ସଞ୍ଚୟ କରିଥିବା କଷ୍ଟ ଅର୍ଜିତ ଟଙ୍କା ଏବଂ ସୁନା ଅଳଙ୍କାର ପୋଡ଼ି ଛାରଖାର ହୋଇଗଲା ।  ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଶାଳବଣୀ ପଞ୍ଚାୟତର ପଣ୍ଡୁଆ ଗାଁରେ। 


COMMERCIAL BREAK
SCROLL TO CONTINUE READING

ଗ୍ରାମର ନାଇକ ସାହିରେ ଗତକାଲି ରାତିରେ ହଠାତ୍ ଫୁଲ ନାୟକ ରୋଷେଇ କରୁଥିବା ବେଳେ ଘର ଛପରରେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ । ନିଆଁ ଲିଭାଇବାକୁ ଚିତ୍କାର କରିବା ସହ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ଫୁଲଙ୍କ ପରିବାର ଲୋକେ । ନିଆଁ ଆୟତ ହେବା ପରିବର୍ତ୍ତେ ଲାଗି ଥିବା ଚାଳଛପର ଘରର ବଖରା ପରେ ବଖରା ଘରକୁ ମାଡି ଯାଇଥିଲା ନିଆଁ । ଏଥିରେ ୯ ଟି ପରିବାର ର ୧୨ ବଖରା ଘର ସଂପୂର୍ଣ୍ଣ ଜଳିଯାଇଥିଲା । ନିଆଁ ଏତେ ଭୟଙ୍କର ଥିଲା ଯେ ଘର ଭିତରକୁ ଯାଇ କୌଣସି ଜିନିଷ ଉଦ୍ଧାର କରିବା ଅସମ୍ଭବ ଥିଲା । ଦମକଳ ବାହିନୀ ପହଞ୍ଚିବା ବେଳକୁ ଘର ର ସମସ୍ତ ଜିନିଷ ପାଉଁଶ ହୋଇଯାଇଥିଲା।


ଆସନ୍ତା ୨୮ ତାରିଖରେ ଦାମୋଦର ନାଏକଙ୍କ ବିବାହ ସ୍ଥିର ହୋଇଥିଲା । ବାହାଘରରେ ଖର୍ଚ୍ଚ କରିବା ପାଇଁ ପରିଶ୍ରମ କରି ଦେଢ଼ ଲକ୍ଷ ଟଙ୍କା ସଞ୍ଚୟ କରି ଘରେ ରଖିଥିଲେ । ଏହି ଅଗ୍ନିକାଣ୍ଡ ରେ ସମସ୍ତ ଟଙ୍କା ସହ ବହୁ ଆସବାବପତ୍ର ପୋଡ଼ି ଯାଇଥିବା ବେଳେ କେମିତି ବିବାହ କରିବେ ସେଥିପାଇଁ ଚିନ୍ତାରେ ଅଛନ୍ତି । ସେହିପରି ପରି ଗ୍ରାମର ରଥିଆ ନାଏକ ନିଜ ର ଝିଅ ବାହାଘର ପାଇଁ ସୁନା ଅଳଙ୍କାର ସହ ନୂଆ ଆସବାବପତ୍ର କିଣି ରଖିଥିବା ବେଳେ ଅଗ୍ନିକାଣ୍ଡ ରେ ସୁନା ଅଳଙ୍କାର ସହ ସମସ୍ତ ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି ।


ଅନ୍ୟ ପରିବାର ଲୋକଙ୍କର ମଧ୍ୟ ଲକ୍ଷାଧିକ ଟଙ୍କା ସହ ସମସ୍ତ ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ହୋଇଥିବା ସମସ୍ତ ପରିବାର ଗରିବ ଶ୍ରେଣୀର ହୋଇ ଥିବାରୁ ସେମାନଙ୍କୁ ତୁରନ୍ତ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି । ଅନ୍ୟପକ୍ଷରେ ଆନନ୍ଦପୁର ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ପ୍ରତ୍ୟେକ ପରିବାର କୁ ୫ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବା ସହ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ସମ୍ପୁର୍ଣ୍ଣ ଘର ପୋଡି ଯାଇଥିବା ପରିବାରକୁ ଲକ୍ଷେ କୋଡ଼ିଏ ହଜାର ଟଙ୍କା ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଭୟାବହ ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ହୋଇଥିବା ୯ ଟି ପରିବାର କୁ ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତା କରିବା ପାଇଁ ସାଧାରଣରେ ଦାବି ହେଉଛି ।