Odisha News: ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ପାନୀୟ ଜଳର ବ୍ୟବସ୍ଥା କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଆଜିଠାରୁ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା ଆରମ୍ଭ କରିଛନ୍ତି। ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନାର ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ମିଶନର ୩ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଓଡିଶାର ୫ଟି ସହର ସମେତ ଅନ୍ୟ ୧୩ଟି ସହରର ୧୪୯ଟି ୱାର୍ଡରେ ୨୪ ଘଣ୍ଟିଆ ଜଳ ଯୋଗାଣ ସୁବିଧାର ଶୁଭାରମ୍ଭ କରିଛନ୍ତି। ସୂଚନାଯୋଗ୍ୟ ଯେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ କାର୍ଯ୍ୟକ୍ରମରେ ଜନସାଧାରଣ ଟ୍ୟାପରୁ ସିଧାସଳଖ ବିଶୁଦ୍ଧ ପିଇବା ପାଣି ପାଇପାରୁଛନ୍ତି। ଏଥିରେ ଟ୍ୟାପ ପାଣିକୁ ଫିଲ୍‌ଟର କରିବାର ଆବଶ୍ୟକ ନାହିଁ। ରାଇରଙ୍ଗପୁର, ବୀରମିତ୍ରପୁର, ରାଜଗାଙ୍ଗପୁର, ଚମ୍ପୁଆ ଓ ନିମାପଡ଼ାର ସମଗ୍ର ସହରକୁ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଛି।


COMMERCIAL BREAK
SCROLL TO CONTINUE READING

ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନ୍‌ଭେନ୍‌ସନ୍  ସେଣ୍ଟରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଜଳ ଅମୂଲ୍ୟ। ପ୍ରତିଟି ଜଳବିନ୍ଦୁରେ ରହିଛି ଜୀବନ। ତେଣୁ ସମସ୍ତଙ୍କୁ ଭଲ ପିଇବା ପାଣି ଯୋଗାଇବା ଆମ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନାର ଲକ୍ଷ୍ୟ। ଓଡିଶା ଆଜି ରୂପାନ୍ତର ପଥରେ ସଫଳତା ସହ ଆଗେଇ ଚାଲିଛି। 5T ଉପକ୍ରମ ପ୍ରୟୋଗରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନା ଆଜି ସାରା ଦେଶ ପାଇଁ ଓଡିଶା ଏକ ମଡେଲ ହୋଇଛି। ଆମ ଜଳସାଥୀ ମା’ ମାନଙ୍କ ସଫଳତା ମଧ୍ୟ ଆଜି ଅନ୍ୟମାନଙ୍କ ପାଇଁ ମଡେଲ ହୋଇଛି। ପ୍ରେରଣାଦାୟୀ ସଫଳ କାହାଣୀ ହୋଇଛି। ସହରାଞ୍ଚଳ ଜଳଯୋଗାଣ କ୍ଷେତ୍ରରେ ଆମ ମିଶନ ଶକ୍ତି ମା’ ମାନେ, ଜଳସାଥୀମାନେ ବହୁତ ଭଲ କାମ କରୁଛନ୍ତି। ଆହୁରି ମଧ୍ୟ ୱାଟକୋ ତା’ର ଉତ୍ସର୍ଗିକୃତ ଉଦ୍ୟମ ବଳରେ ଓଡିଶାର ଜଳଯୋଗାଣ କ୍ଷେତ୍ରରେ ବ୍ୟାପକ ରୂପାନ୍ତର ଆଣି ଆମ ଦେଶ ତଥା ଅନ୍ୟାନ୍ୟ ପ୍ରଗତିଶୀଳ ଦେଶମାନଙ୍କ ମଧ୍ୟରେ ପାନୀୟ ଜଳଯୋଗାଣ କ୍ଷେତ୍ରରେ ଏକ ନୂତନ ବେଞ୍ଚମାର୍କ ସ୍ଥାପନ ପାଇଁ କାର୍ଯ୍ୟ ଜାରି ରଖି ରାଜ୍ୟକୁ ଗୌରାବନ୍ୱିତ କରୁଥିବାରୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ।


ସୂଚନାଯୋଗ୍ୟ ଯେ ଆଜି ମୁଖ୍ୟମନ୍ତ୍ରୀ ୫ଟି ସହର ଯଥା- ରାଇରଙ୍ଗପୁର, ଚମ୍ପୁଆ, ବୀରମିତ୍ରପୁର, ରାଜଗାଙ୍ଗପୁର ଓ ନିମାପଡାକୁ ୨୪ ଘଣ୍ଟିଆ ପାନୀୟ ଜଳଯୋଗାଣ ସୁବିଧାର ଶୁଭାରମ୍ଭ କରିଛନ୍ତି। ଏସବୁ ସହରଗୁଡିକର ପ୍ରାୟ ୩୦ ହଜାର ପରିବାରର ୧.୮୦ ଲକ୍ଷ ଲୋକ  ଏହା ଦ୍ୱାରା ଉପକୃତ ହେବେ । ସେହିପରି ୧୩ଟି ପୌରାଞ୍ଚଳ ଯଥା- ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସୁନ୍ଦରଗଡ, କେନ୍ଦୁଝର, ବ୍ୟାସନଗର, ଖୋର୍ଦ୍ଧା, ଜଟଣୀ, ଆନନ୍ଦପୁର, ଯୋଡା, ବଡବିଲ ଏବଂ ହିଞ୍ଜଳିକାଟୁର ୧୪୯ଟି ୱାର୍ଡ ପାଇଁ ଏହି ସୁବିଧା ଆରମ୍ଭ କରାଯାଇଛି। ଏସବୁ ୱାର୍ଡର ପ୍ରାୟ ୧୦.୫୦ ଲକ୍ଷ ଜନସାଧାରଣ ଏହା ଦ୍ୱାରା ଉପକୃତ ହେବେ। ୨ ଲକ୍ଷରୁ ଉର୍ଦ୍ଧ୍ୱ ପରିବାରଙ୍କୁ ବିଶୁଦ୍ଧ ପାନୀୟ ଜଳଯୋଗାଣ ସୁବିଧା ମିଳିବ। ଏହି ୧୩ଟି ପୌରାଞ୍ଚଳର ଅବଶିଷ୍ଟ ୱାର୍ଡମାନଙ୍କୁ ଜଳଯୋଗାଣ ପାଇଁ କାର୍ଯ୍ୟ ଜାରି ରହିଛି ଏବଂ ଖୁବ୍ ଶୀଘ୍ର ଏସବୁ ୱାର୍ଡବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳଯୋଗାଣ ସୁବିଧା ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।


ଏହାଛଡ଼ା ଅନ୍ୟ ୧୩ ସହରର ୧୪୯ଟି ଓ୍ବାର୍ଡରେ ଜଳଯୋଗାଣ ସୁବିଧା କରାଯାଇଛି। ବ୍ରହ୍ମପୁରର ୩୭, ଭୁବନେଶ୍ବରର ୨୭, କଟକର ୨୧, ରାଉରକେଲାର ୨୦, ସୁନ୍ଦରଗଡ଼ର ୧୭, ବ୍ୟାସନଗରର ୬, ଖୋର୍ଦ୍ଧାର ୪, ଜଟଣୀର ୩, କେନ୍ଦୁଝର ଓ ଆନନ୍ଦପୁରର ୪ଟି ଲେଖାଏଁ, ହିଞ୍ଜିଳିକାଟୁର ୩, ବଡ଼ବିଲର ୨ ଓ ଯୋଡ଼ାର ଗୋଟିଏ ଓ୍ବାର୍ଡ ଏହି ଯୋଜନାରେ ଯୋଡ଼ିହେବ। ଏହାଦ୍ବାରା ୧୨ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ।ତେବେ ଏହି ପର୍ଯ୍ୟାୟରେ ଭୁବନେଶ୍ୱରରୁ ସର୍ବାଧିକ ୩୮୨୫୦୦ ଲକ୍ଷ ଲୋକ ଉପକୃତ ହେବେ। ସେହିପରି ଯୋଡ଼ାରେ ୪୦୦୦ ଲୋକ ଉପକୃତ ହେବେ ବୋଲି ଆଜି ସରକାର ଏ ନେଇ ସୂଚନା ପ୍ରଦାନ କରିଛନ୍ତି। 


ଯୁକ୍ତରାଜ୍ୟ ଇଂଲଣ୍ଡର ଆନ୍ତର୍ଜାତିକ ଜଳସଂଘ (International Water Association)ର Executive Director Dr. Kalanithy Vairavmoorthy ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କହିଲେ ଯେ ଓଡିଶାରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ କାର୍ଯ୍ୟକ୍ରମ ଏକ ଅନନ୍ୟ ଉଦାହରଣ। ତାଙ୍କ ଜୀବନକାଳ ମଧ୍ୟରେ ଭାରତରେ ଏଭଳି ବ୍ୟବସ୍ଥା ହୋଇପାରିବ ବୋଲି ସେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ। ଏହା କେବଳ ମୁଖ୍ୟମନ୍ତ୍ରୀଙ୍କ ଦୃଢ ରାଜନୈତିକ ଓ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଯୋଗୁ ସମ୍ଭବ ହୋଇପାରିଛି ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଟେକ୍‌ନଲୋଜିର ପ୍ରୟୋଗଯୋଗୁ ଏହା ଅଧିକ ସଫଳ ହୋଇପାରିଛି ବୋଲି ମତଦେଇ ସେ କହିଲେ ଯେ ଓଡିଶାର ସଫଳତା କାହାଣୀ ବିଷୟରେ ଅନ୍ୟ ରାଜ୍ୟର, ଅନ୍ୟ ଦେଶର ଲୋକ ଜାଣିବାର ବହୁତ ଆବଶ୍ୟକତା ରହିଛି। 


ମୟୂରଭଞ୍ଜର ରାଇରଙ୍ଗପୁର ଓ ସୁନ୍ଦରଗଡର ବୀରମିତ୍ରପୁର ସହରର ଜଳସାଥୀ ଇନ୍ଦୁମତୀ ମହାନ୍ତ ଓ ରଶ୍ମୀତା ସାହୁ ପ୍ରମୁଖ ଭିଡିଓ କନ୍‌ଫରେନ୍ସ ଜରିଆରେ କାର୍ଯ୍ୟକ୍ରମରେ ଯୋଗଦେଇ ସେମାନଙ୍କର ଅନୁଭୂତି ବର୍ଣ୍ଣନା କରିଥିଲେ। ସେମାନେ କହିଥିଲେ ଯେ ପୂର୍ବରୁ ଦିନକୁ ମାତ୍ର ୨ଥର ପାଣି ଆସୁଥିବା ବେଳେ ବର୍ତ୍ତମାନ ୨୪ ଘଣ୍ଟିଆ ବିଶୁଦ୍ଧ ପାଣି ସମସ୍ତଙ୍କ ମୁହଁରେ ହସ ଆଣି ଦେଇଛି। 


କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ସଚିବ ଶ୍ରୀ ଜି. ମାଥି ଭାଥାନନ୍ ସ୍ୱାଗତ ଭାଷଣ ଦେଇଥିଲେ। ୱାଟକୋର Chief Executive Officer ଧନ୍ୟବାଦ ଅର୍ପଣ କରିଥିଲେ। ବିଭିନ୍ନ ଜିଲ୍ଲାରେ ମନ୍ତ୍ରୀ, ସାଂସଦ, ବିଧାୟକ ତଥା ଜିଲ୍ଲାପାଳମାନେ କାର୍ଯକ୍ରମରେ ଆଭାସୀ ମାଧ୍ୟମରେ ଉପସ୍ଥିତ ଥିଲେ।


Also Read: Odisha Weather: ରାଜ୍ୟକୁ ଆଉ ନାହିଁ ବର୍ଷାର ଭୟ, ଫେରିଯିବ ମୌସୁମୀ


Also Read: Shahrukh Khan: ଶାହରୁଖଙ୍କୁ ହତ୍ୟା ଧମକ, ମିଳିଲା Y+ ସୁରକ୍ଷା କବଚ


Also Read: Bus Strike: ଆଲୋଚନା ପରେ ବି ଶୁଣିଲେନି ସରକାର, ମଙ୍ଗଳବାର ଠାରୁ ସାରା ରାଜ୍ୟରେ ବସ ଧର୍ମଘଟ