Odisha News: ବିଧାନସଭା ହେଉଛି ସରକାରଙ୍କ ଉତ୍ତର ଦାୟିତ୍ୱକୁ ସାଧାରଣଙ୍କ ସାମ୍ନାକୁ ଆଣିବାର ଏକ ପରମ୍ପରା। ବିରୋଧୀ ଦଳ ଏହାର ଏକ ମାଧ୍ୟମ ହୋଇଥାଆନ୍ତି। ଗଣତନ୍ତ୍ରରେ ଏହି ପରମ୍ପରାର ଯଥେଷ୍ଟ ଆବଶ୍ୟକତା ଥିଲେ ମଧ୍ୟ ଗଲା କିଛି ବର୍ଷ ହେଲା ବିଧାନସଭାର କାର୍ଯ୍ୟ ଦିବସକୁ ହ୍ରାସ କରିବା, କାରସାଦି କରି ବିଧାୟକଙ୍କୁ ଠିକ୍‍ ଉତ୍ତର ନଦେବା, କେବଳ ସରକାରୀ କାର୍ଯ୍ୟ ଶେଷ କରି ଗୃହ କାର୍ଯ୍ୟକୁ ମନ ଇଚ୍ଛା ବନ୍ଦ କରିବା ଆଦି ପରମ୍ପରା ଓଡ଼ିଶା ଦେଖି ଆସୁଛି। ଏଣୁ ଅତିକମରେ ବର୍ଷକୁ ୬୦ ଦିନ ବି ବିଧାନସଭା ବସିବା ସମ୍ଭବ ହେଉ ନାହିଁ। ପୁଣି ଯେଉଁ କିଛିଦିନ ଅଧିବେଶନ ବସୁଛି ସେଥିରେ ପ୍ରଥମ ଏକ ଘଣ୍ଟା ପ୍ରଶ୍ନ କାଳକୁ ମଧ୍ୟ ସରକାର ଠିକଣା ଭାବେ ପଳନ କରୁ ନାହାନ୍ତି। 


COMMERCIAL BREAK
SCROLL TO CONTINUE READING

ନିୟମ ଓ ପରମ୍ପରା ଅନୁସାରେ ବିଧାନସଭାରେ ମନ୍ତ୍ରୀଙ୍କୁ ପଚରା ଯାଇଥିବା ପ୍ରଶ୍ନ ସଠିକ୍‍ ରହିବା ଆବଶ୍ୟକ ଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ କାରସାଦି ଯୋଗୁ ତଥ୍ୟ ଲୋକଙ୍କ ସାମ୍ନାକୁ ଆସିପାରୁ ନାହିଁ। ଏହି ପରମ୍ପରା ସରକାର ବଦଳିଲା ପରେ ବି ଜାରି ରହିଥିବା ଅଭିଯୋଗ ହୋଇଛି। ଏପରିକି ଗୃହ ମଧ୍ୟରେ ବିଧାୟକମାନେ ଏହି ଅଭିଯୋଗ ଆଣିଛନ୍ତି। ମନ୍ତ୍ରୀଙ୍କୁ ଅନ୍ଧକାରରେ ରଖିବାକୁ ସଚିବ ତଥା ସମ୍ପୃକ୍ତ ଅଧିକାରୀମାନେ ଚାହୁଁଛନ୍ତି ବୋଲି ସେମାନେ କହିଛନ୍ତି। ଏହାଦ୍ୱାରା ମନ୍ତ୍ରୀ ହେଉଛନ୍ତି ଅପଦସ୍ତ।


ଏମିତି ଏକ ଉଦାହରଣ ଭାବେ ଶୁକ୍ରବାରକୁ ନିଆଯାଇପାରେ। ଏହି ଦିନ ବିଧାନସଭାରେ ଶିଳ୍ପବିଭାଗ ଉପରେ ପ୍ରଶ୍ନୋତ୍ତର ଥିଲା। ସେ ଦିନ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ଓ ନିଯୁକ୍ତି ନେଇ ବିଭାଗୀୟ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଯେଉଁ ଉତ୍ତର ରଖିଥିଲେ ତାକୁ ନେଇ ପ୍ରଶ୍ନକର୍ତ୍ତା କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କ୍ଷୋଭ ପ୍ରକାଶ କରିବା ସହିତ ଅସନ୍ତୋଷ ବ୍ୟକ୍ତ କରିଥିଲେ। ବିଧାୟକ ଶ୍ରୀ ବାହିନୀପତି କହିଥିଲେ ଯେ ମନ୍ତ୍ରୀ ଯେଉଁ ତଥ୍ୟ ରଖିଛନ୍ତି ତାହାକୁ ଯୁବମନ୍ତ୍ରୀ ପ୍ରସ୍ତୁତ କରିନାହାନ୍ତି । ସେହି ତଥ୍ୟକୁ ବିଭାଗୀୟ ସଚିବ ଲେଖିଛନ୍ତି । ବିଭାଗୀୟ ସଚିବ ବିଧାନସଭାକୁ ଅନ୍ଧକାରରେ ରଖିଛନ୍ତି । ବିଧାୟକମାନେ ପଚାରୁଥିବା ପ୍ରଶ୍ନର ସଠିକ୍ ଉତ୍ତର ନ ଦେବା ସଚିବମାନଙ୍କର ଦୀର୍ଘ ବର୍ଷ ହେଲା ଅଭ୍ୟାସରେ ପରିଣତ ହୋଇଛି। ବିଭାଗୀୟ ସଚିବମାନଙ୍କର ତଥ୍ୟ ଲୁଚାଇବା ଅଭ୍ୟାସ ଯୋଗୁ ଅତୀତରେ ଅନେକ ବିଜେଡି ମନ୍ତ୍ରୀ ମଧ୍ୟ ବିଧାନସଭାରେ ଅପଦସ୍ତ ହୋଇଥିବାର ନଜୀର୍ ରହିଛି । ଏବେ ସେହିଧାରାକୁ ସଚିବମାନେ ବିଜେପି ସରକାରରେ ଚଳାଇବାକୁ ଅପଚେଷ୍ଠା ଆରମ୍ଭ କରିଛନ୍ତି। ଯଦି ବିଜେପି ମନ୍ତ୍ରୀମାନେ ବେଳହୁଁ ସାବଧାନ ନ ହେବେ ସେମାନେ ମଧ୍ୟ ବିଜଦ ମନ୍ତ୍ରୀମାନଙ୍କ ଭଳି ବିଧାନସଭା ତଥା ଅନ୍ୟାନ୍ୟ କ୍ଷେତ୍ରରେ ଅପଦସ୍ତ ହେବାରୁ କେହି ବଞ୍ଚାଇ ପାରବେ ନାହିଁ ବୋଲି ରାଜନୈତିକ ମହଲରେ ଆଲୋଚନା ହେଲାଣି ।


ବିଧାନସଭାରେ ସମାନ ଦୃଶ୍ୟ ବାରମ୍ବାର ଦେଖିବାକୁ ମିଳୁଛି। ଦଳକଳ କେନ୍ଦ୍ର ପ୍ରତିଷ୍ଠା ନେଇ ବିଜେପି ବିଧାୟକ ପଦ୍ମଲୋଚନା ପଣ୍ଡା ମଧ୍ୟ ମନ୍ତ୍ରୀଙ୍କ ଉତ୍ତର ସନ୍ତୋଷଜନକ ନୁହେଁ ବୋଲି କହିବା ସହିତ ଅଫିସରଙ୍କ ମୁଣ୍ଡ ଉପରେ ଦୋଷ ଲଦିଥିଲେ । ମନ୍ତ୍ରୀ ଯେଉଁ ଉତ୍ତର ଦେଉଛନ୍ତି ତାହା ଅଫିସରଙ୍କ ଉପରଠାଉରିଆ ବୋଲି କହି ଅସନ୍ତୋଷ ବ୍ୟକ୍ତ କରିଥିଲେ