Konark Festival 2023: ଅନ୍ତର୍ଜାତିୟ ବାଲୁକା କଳା ମହୋତ୍ସବ ଏବଂ କୋଣାର୍କ ମହୋତ୍ସବର (Konark Dance Festival and International Sand Art Festival) ଦ୍ୱିତୀୟ ଦିନରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ପ୍ରଥମ ଦିନ ଅପେକ୍ଷା ଦ୍ବିତୀୟ ଦିନରେ ବି ଗହଳି ଜମିଥିଲା। ଏଥିରେ ଆନ୍ତର୍ଜାତୀୟ ଶିଳ୍ପୀ ମାନେ ଇକୋ ଟୁରିଜମ୍ ଓ ପରିବେଶକୁ ନେଇ ବାଲୁକାକୃତିରେ ଅନେକ କଳାକୃତି ଦେଖାଇଥିଲେ। ସେପଟେ ସାଂସ୍କୃତିକ ସଂନ୍ଧ୍ୟାରେ କୁଚୁପୁଡି ନୃତ୍ୟଶିଳ୍ପୀଙ୍କ ନୂପୁରର ତାଳେ ତାଳେ ମନ୍ତ୍ରମୁଗ୍ଧ ହୋଇ ଝୁମିଥିଲେ ଦର୍ଶକ। 


COMMERCIAL BREAK
SCROLL TO CONTINUE READING

 କୋଣାର୍କ ମହୋତ୍ସବର ଦ୍ୱିତୀୟ ସଂନ୍ଧ୍ୟା ଥିଲା ବେଶ୍ ଆକର୍ଷଣ। ସନ୍ଧ୍ୟାର ପ୍ରଥମ ଅର୍ଘ୍ୟରେ ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରଖ୍ୟାତ ନୃତ୍ୟ ଶିଳ୍ପୀ ପଦ୍ମଶ୍ରୀ ଗୁରୁ ଜୟରାମା ରାଓ ଓ କୁଚୁପୁଡି ଡ୍ୟାନ୍ସ ଏକାଡେମୀର ଶିଳ୍ପୀ ମାନେ ନିଖୁଣ ନୃତ୍ୟ କଳା ଦେଖାଇଛନ୍ତି । ପ୍ରଥମ ପ୍ରସ୍ତୁତିରେ "ଓଁ କାର" ପରେ ପରବର୍ତ୍ତୀ ପ୍ରସ୍ତୁତିରେ "ଶ୍ରୀ ଗୀତ ଗୋବିନ୍ଦ ଅଷ୍ଟପଦୀରେ ଦଶ ଅବତାର" ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଛି । ପରେ ଦ୍ବିତୀୟ ଅର୍ଘ୍ୟରେ ପରିବେଷିତ ହୋଇଥିଲା "ଦୁର୍ଗା ତରଙ୍ଗମ" ଓ "ତିଲାନା"। 


କୁଚୁପୁଡି ନୃତ୍ୟ ଶିଳ୍ପୀଙ୍କ ନୂପୁରର ତାଳେ ତାଳେ ମନ୍ତ୍ରମୁଗ୍ଧ ହୋଇ ଝୁମି ଉଠିଥିଲେ ଦର୍ଶକ। ପରେ ଦ୍ବିତୀୟ ଚରଣରେ ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟର ନିଖୁଣ ଉପସ୍ଥାପନାକୁ ନେଇ ମଞ୍ଚ ପ୍ରବେଷଣ କରିଥିଲେ ଖ୍ୟାତି ନାମା ଓଡିଶୀ ନୃତ୍ୟ ବିଦୁଷି ପଦ୍ମଶ୍ରୀ ରଞ୍ଜନା ଗୌହର ଏବଂ ଉତ୍ସବ ସମାଜ ନୂଆଦିଲ୍ଲୀର ଶିଳ୍ପୀ । ପ୍ରଥମ ପ୍ରସ୍ତୁତିରେ "ସାକ୍ଷାତକାର" ଖୁବ ମନମୁଗ୍ଧ ଥିଲା। ପରେ ପରିବେଷିତ ହୋଇଥିଲା ରାଧା-କୃଷ୍ଣ ପ୍ରୀତି ବିଳାସର ଭାବ ଓ ଆବେଗର "ରାଧାରାଣୀ ସଙ୍ଗେ ନାଚେ ମୁରଲୀପାଣି" ଓ "ଶୁଦ୍ଧ ନୃତ୍ୟ ପଲ୍ଲବୀ"। ଯାହା ମୁକ୍ତାକାଶର ଖୋଲା ଆକାଶ ତଳେ ସୃଷ୍ଟି କରିଥିଲା ଏକ ସୁନ୍ଦର ଏବଂ ଆଧ୍ୟାତ୍ମିକ ପରିବେଶ। 



ସେପଟେ ଦ୍ବିତୀୟ ଦିନରେ ପହଁଚିଛି ୧୩ ତମ ଆନ୍ତର୍ଜାତିୟ ବାଲୁକା କଳା ମହୋତ୍ସବ। ମହୋତ୍ସବର ପ୍ରଥମ ଦିବସରେ ହେରିଟେଜକୁ ନେଇ ବାଲୁକାକୃତି ପ୍ରଦର୍ଶିତ ହୋଇଥିବା ବେଳେ ଦ୍ୱିତୀୟ ଦିବସରେ ଇକୋ ଟୁରିଜମ୍ ଏବଂ ଏନଭର୍ନମେଣ୍ଟକୁ ନେଇ ବାଲୁକାକଳା ମହୋତ୍ସବରେ ଦେଖିବାକୁ ମିଳିଛି ଆକର୍ଷଣୀୟ ବାଲୁକାକୃତି। ଏହି ଆନ୍ତର୍ଜାତିୟ ବାଲୁକା କଳା ମହୋତ୍ସବରେ ଭାରତ ସହିତ ଶ୍ରୀଲଙ୍କା, ଅଷ୍ଟ୍ରେଲିଆ, ଚିକାସ୍ଲୋଭାକିଆ,ରୁଷିଆ,ୟୁଏସଏ ଆଦି ବିଭିନ୍ନ ଦେଶର ପ୍ରାୟ ୧୧୪ଜଣ ପ୍ରତିଯୋଗୀ ସାମିଲ ହୋଇଛନ୍ତି। ଏବଂ ୩୫ଟି ଷ୍ଟଲ କରାଯାଇଛି। ପ୍ରତିଷ୍ଟଲରେ ପ୍ରାୟ ୪ଜଣ ଲେଖାଏଁ ପ୍ରତିଯୋଗି ମିଳିତ ଭାବେ ବାଲୁକାକୃତି ପ୍ରଦର୍ଶିତ କରୁଛନ୍ତି। 


ତେବେ  ଶ୍ରୀଲଙ୍କାର ଜଣେ ଶିଳ୍ପୀ ଭାରତୀୟ ମହିଳାଙ୍କ ପ୍ରତିକୃତି ଗଢିଥିବା ବେଳେ ଅନ୍ଯ ଜଣେ ସାମୁକା ଗଢିଥିଲେ। ତେବେ ଏହି ବାଲୁକା ପ୍ରକୁ ଦେଖିବା ପାଇଁ ବେଶ ଭିଡ ଜମିଥିଲେ। ତେବେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା ବିଦେଶୀ ବାଲୁକାଶିଳ୍ପୀଙ୍କ ସାମୁକା କଳାକୃତି। ଅନ୍ତର୍ଜାତୀୟ ସ୍ତରରୁ ମୋଟ ୬ ଟି ଦେଶ ଅଷ୍ଟ୍ରେଲିଆ, କେଚ ରିପବ୍ଲିକ, ଶ୍ରୀଲଙ୍କା, ରୁଷିଆ, ବେଲାରୁସ, ୟୁ.ଏସ.ଏ ଏଥିରେ ଅଂଶ ଗ୍ରହଣ କରିଥିଲେ। ଜାତୀୟ ସ୍ତରରୁ ୬ଟି ରାଜ୍ୟ ବିହାର, ଆସାମ, ପଶ୍ଚିମବଙ୍ଗ, ଗୁଜୁରାଟ, ତେଲେଙ୍ଗାନା ଏବଂ ତାମିଲନାଡୁରୁ ବାଲୁକାଶିଳ୍ପୀ ଅଂଶଗ୍ରହଣ କରିଥିଲେ। ସେହିଭଳି ରାଜ୍ୟ ର ବିଭିନ୍ନ ଜିଲ୍ଲାର ଅନେକ ବାଲୁକାଶିଳ୍ପୀ ଏଥିରେ ଅଂଶ ଗ୍ରହଣ କରିଥିଲେ।ଦ୍ବିତୀୟ ଦିନର ବିଷୟ ରହିଥିଲା ଇକୋ ଟୁରିଜିମ ଏବଂ ଏନଭାରମେଣ୍ଟ। ଯାହାକୁ ନେଇ ଚନ୍ଦ୍ରଭଗାର ବିସ୍ତୀର୍ଣ୍ଣ ବେଳାଭୂମିରେ ବାଲୁକାଶିଳ୍ପୀ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲ। 


ଏହାକୁ ଦେଖିବାକୁ ଦେଶ ବିଦେଶର ପର୍ଯ୍ୟଟକମାନଙ୍କର ଭିଡ ଦେଖିବାକୁ ମିଳିଛି।। କୋଣାର୍କ ମହୋତ୍ସବରେ ମୀନା ବଜାର ଏବେ ସମସ୍ତଙ୍କ ଆକର୍ଷଣ ।  ତେବେ ଦ୍ବିତୀୟ ସନ୍ଧ୍ୟାକୁ ଉଦଘାଟନ କରିଥିଲେ ମୁଖ୍ୟ ଅତିଥି ରାଜ୍ୟ ପୋଲିସ ବିଭାଗର ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ। ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ଯାଦବ, ଓଡିଶା ସଙ୍ଗୀତ ନାଟ୍ୟ ଏକାଡେମୀର ଅଧ୍ୟକ୍ଷା ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କ ସହ ବହୁ ଅତିଥି ଯୋଗ ଦେଇଥିଲେ।