ଭୁବନେଶ୍ୱର: ରାଜ୍ୟର ପ୍ରମୁଖ ନ୍ୟୁଜ୍‍ ଓ ମନୋରଞ୍ଜନ ଟିଭି ଚ୍ୟାନେଲ ଓଟିଭି ନେଟ୍‍ଓ୍ୱାର୍କର ଏକ ଷ୍ଟୁଡିଓରେ ନିଆଁ ଲାଗିଛି। ଖୋର୍ଦ୍ଧାର ସାରୁଅଠାରେ ଥିବା  ଏହି ଷ୍ଟୁଡିଓକୁ ନେଟ୍‍ଓ୍ୱର୍କର ସବୁଠାରୁ ବଡ଼ ଷ୍ଟୁଡିଓ ଭାବେ ଗଣାଯାଏ। ଆଜି ସକାଳେ ହଠାତ୍‍ ଅଗ୍ନିକାଣ୍ଡ ଘଟି ଏଠାରେ ଥିବା ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ କିନ୍ତୁ ସର୍ଟ ସର୍କିଟ କାରଣରୁ ଏହି ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଗତକାଲି ଷ୍ଟୁଡିଓରେ ଶୁଟିଂ ଥିଲା। ଶୁଟିଂ ସରିବା ପରେ ରାତିରେ ସମସ୍ତେ ସେଠାରୁ ଚାଲି ଯାଇଥିବା ବେଳେ ଷ୍ଟୁଡିଓ ଗେଟ୍‌ରେ ତାଲା ପଡ଼ିଥିଲା। ମାତ୍ର ବିଳମ୍ବିତ ପାହାନ୍ତା ବେଳକୁ ଏହି ନିଆଁ ଲାଗିଥିବା ଅନୁମାନ କରାଯାଉଛି।

 


 

ଭୋର ସମୟରେ ସ୍ଥାନୀୟ ଲୋକେ ଷ୍ଟୁଡିଓ ଭିତରୁ ଧୂଆଁ ଓ ନିଆଁ ଉଠୁଥିବା ନେଇ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗର ୪ଟି ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ବହୁ ସମୟ ପରିଶ୍ରମ କରିବା ପରେ ସେମାନେ ନିଆଁକୁ ଆୟତ୍ତ କରିଥିବା ଜଣାଯାଇଛି। ବିଦ୍ୟୁତ୍‌ ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଏହି ଅଗ୍ନିକାଣ୍ଡ ଯୋଗୁ ଷ୍ଟୁଡିଓ ଭିତରେ ଥିବା ବହୁ ଆସବାବପତ୍ର ଜଳି ପୋଡ଼ି ପାଉଁଶ ହୋଇଯାଉଛି । ତେବେ ଏହି ସମୟରେ ଷ୍ଟୁଡିଓ ଭିତରେ କେହି କର୍ମଚାରୀ ନ ଥିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।