odisha news : ଭୁବନେଶ୍ଵର : ଓଡ଼ିଶାର "ମୋ ସ୍କୁଲ ଅଭିଆନ" ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଦିଲ୍ଲୀର ସମ୍ବିଧାନ କ୍ଲବରେ ଶିକ୍ଷାବର୍ଗ ଅଧୀନରେ ସମ୍ମାନଜନକ ସ୍କଚ୍ ପୁରସ୍କାରରେ ଶନିବାର ଦିନ ସମ୍ମାନିତ ହୋଇଛି। ମୋ ସ୍କୁଲ୍ ଅଭିଆନର "ପୁରାତନ ଛାତ୍ର ସଂଯୋଗ କାର୍ଯ୍ୟକ୍ରମ" ଏବଂ "୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ" ମାନ୍ୟତା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଓଡ଼ିଶାର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ଜାତୀୟସ୍ତରର ଅଗ୍ରଣୀ ଶିକ୍ଷାନୁଷ୍ଠାନର ସୁବିଧା ଯୋଗାଇଛି ୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମ । ଉଚ୍ଚ ବିଦ୍ୟାଳୟର ଭିଭିଭୂମି ସୁଦୃଢ଼ ହୋଇଛି। ଉନ୍ନ‌ତ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାକୁ ପ୍ରାଥମିକତା ଦିଆଯାଉଛି। ଶ୍ରେଷ୍ଠ ଶିକ୍ଷା ବ୍ୟବସ୍ଥା ସହ ଶୈକ୍ଷିକ ବାତାବରଣ ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଏହି କ୍ରମରେ ୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧିନରେ ପର୍ଯ୍ୟାୟକ୍ରମେ ରାଜ୍ୟର ମୋଟ୍ ୮୬୭୭ଟି ହାଇସ୍କୁଲ ରୂପାନ୍ତରିତ ହୋଇଛି। ରୂପାନ୍ତରିତ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ସଫଳ ଭବିଷ୍ୟତ ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି। ତେବେ ଆଜିର ପିଲାମାନେ ଆଗାମୀ ଦିନରେ ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶା ଗଠନ କରିବେ।


COMMERCIAL BREAK
SCROLL TO CONTINUE READING

 



 ଶିକ୍ଷା ହିଁ ଆମ ସମାଜର ସାମୂହିକ ଚିନ୍ତାଧାରକୁ ଉଚ୍ଚ ସ୍ତରକୁ ନେଇଥାଏ । ବର୍ତ୍ତମାନର ଛାତ୍ରଛାତ୍ରୀମାନେ ୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ ମାଧ୍ୟମରେ ନୂଆ ନୂଆ ବୈଷୟିକ ଜ୍ଞାନକୌଶଳ ବିଷୟରେ ଜାଣିବାକୁ ସକ୍ଷମ ହୋଇପାରୁଛନ୍ତି। କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଉତ୍ତମ ପ୍ରଦର୍ଶନ କରୁଛନ୍ତି।   ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକର ଗାରିମା ବୃଦ୍ଧି ଘଟିଛି। ଏହି ରୂପାନ୍ତରୀକରଣ ମାଧ୍ୟମରେ  ପିଲାମାନଙ୍କୁ  ବଡ଼ ସ୍ଵପ୍ନ ଦେଖ‌ିବା ପାଇଁ ସାହାସ ମିଳୁଛି। ଏଥିପାଇଁ ସୁଯୋଗ ସୃଷ୍ଟି ହୋଇଛି ।


ସେହିପରି, ୨୦୧୭ ମସିହା ନଭେମ୍ବର ମାସ ୧୪ ତାରିଖ, ଶିଶୁ ଦିବସରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ ଆରମ୍ଭ ହୋଇଥିଲା ଏକ ଯୁଗାନ୍ତକାରୀ ଅଭିନବ ପ୍ରୟାସ । ପୁରାତନ ଛାତ୍ରଛାତ୍ରୀଙ୍କୁ ସେମାନେ ପଢ଼ିଥିବା ବିଦ୍ୟାଳୟ ସହ ସମ୍ପୃକ୍ତ କରି ରାଜ୍ୟରେ ଥିବା ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ କରିବାକୁ ଅଙ୍କା ହୋଇଥିଲା ନକ୍ସା । ଅରମ୍ଭ ହୋଇଥିଲା ‘ମୋ ସ୍କୁଲ୍ ଅଭିଯାନ' । ରାଜ୍ୟର ଜନସାଧାରଣ ଏବଂ ସରକାରଙ୍କ ମଧ୍ୟରେ ସହଭାଗୀତା ରକ୍ଷା କରି ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକର ସର୍ବାଙ୍ଗୀନ ବିକାଶ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ ଥିଲା । ବିଦ୍ୟାଳୟ ବିକାଶ ପ୍ରକ୍ରିୟାରେ ପୁରାତନ ଛାତ୍ରଛାତ୍ରୀଙ୍କୁ ସିଧାସଳଖ ଭାବରେ ଅନ୍ତର୍ଭୁକ୍ତ କରିବାକୁ ‘ମୋ ସ୍କୁଲ୍‌' ଏକ ସର୍ବୋତ୍କୃଷ୍ଟ ମଞ୍ଚ । ଏକ ଛୋଟ କାର୍ଯ୍ୟକ୍ରମ ଭାବରେ ଆରମ୍ଭ ହୋଇଥିବା ଏହି ଅଭିଯାନ ଇତିମଧ୍ୟରେ ୬ବର୍ଷ ପୂରଣ କରି ୭ବର୍ଷରେ ପଦାର୍ପଣ କରିଛି । ମାତ୍ର ସ୍ୱଳ୍ପ ସମୟ ମଧ୍ୟରେ ଏକ ଅଭିଯାନରୁ ଏକ ଆନ୍ଦୋଳନରେ ପରିଣତ ହୋଇଛି ‘ମୋ ସ୍କୁଲ୍ ଅଭିଯାନ' ।