Utkal Divas: ଭୁବନେଶ୍ୱର: ଆଜି ଉତ୍କଳ ଦିବସ। ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏହା ଗର୍ବ ଓ ଗୌରବର ଦିନ। ୧୯୩୬ ମସିହା, ଏପ୍ରିଲ ୧ ତାରିଖରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ମାନ୍ୟତା ପାଇଥିଲା। ଏହାରି ଭିତରେ ୮୮ ବର୍ଷ ବିତିସାରିଛି। ଆଜିର ଦିନରେ ହିଁ ଓଡିଶା ପାଇଥିଲା ନିଜର ସ୍ୱତନ୍ତ୍ର ପରିଚୟ। ପୂର୍ବରୁ ବିହାରର ଏକ ଅଂଶ ହୋଇ ରହିଥିବା ବେଳେ ୧୯୩୬ ମସିହା ଏପ୍ରିଲ ୧ରେ ନୂତନ ପ୍ରଦେଶ ଭାବରେ ପ୍ରତିଷ୍ଠା ହୋଇଥିଲା ଓଡିଶା। ତେବେ ସେହି ସମୟରେ ରାଜ୍ୟର ନାମ ରହିଥିଲା ଉତ୍କଳ। ତେଣୁ ଏହାକୁ ଉତ୍କଳ ଦିବସ ଭାବରେ ପାଳନ କରାଯାଏ। ସ୍ୱତନ୍ତ୍ର ପ୍ରଦେଶ ଭାବେ ଓଡ଼ିଶାକୁ ମିଳିଥିବା ମାନ୍ୟତାକୁ ଅତ୍ୟନ୍ତ ଆନନ୍ଦ ଉଲ୍ଲାସ ସହ ଉତ୍କଳ ଦିବସ ଭାବେ ପାଳନ କରାଯାଉଛି। 


COMMERCIAL BREAK
SCROLL TO CONTINUE READING

ବିହାର ଅଧୀନରେ ଥିବା ଏହି ପ୍ରଦେଶକୁ ଏକ ସ୍ୱତନ୍ତ୍ର ପରିଚୟ ଦେବାରେ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ସହିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ପଣ୍ଡିତ ନୀଳକଣ୍ଠ ଦାସ, ଫକୀର ମୋହନ ସେନାପତି, ଗଙ୍ଗାଧର ମେହେର, ସାର୍ ବାସୁଦେବ ସୁଧଳଦେବ, ରାଧାନାଥ ରାୟ, ଭୂବନାନନ୍ଦ ଦାସ, ଏ.ପି ପାତ୍ର ଏବଂ ଆହୁରି ଅନେକ ବୀର ପୁରୁଷ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ନୂତନ ରାଜ୍ୟ ଭାବେ ଗଢି ଉଠିଥିବା ଓଡିଶା 6 ଜିଲ୍ଲାକୁ ନେଇ ଗଠନ କରାଯାଇଥିଲା । ଏହି ଜିଲ୍ଲାଗୁଡିକ ଥିଲା କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଏବଂ ଗଞ୍ଜାମ। ତେବେ ସେହି ସମୟରେ କଟକ ରାଜ୍ୟର ରାଜଧାନୀ ରହିଥିଲା।