Sensation Revelation in Ganjam Double Murder: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ପୋଲିସ ଏକ ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ କରିଛି। ହତ୍ୟାକାଣ୍ଡରୁ ନିଜକୁ ବଞ୍ଚାଇବା ପାଇଁ ବିରାଟ ବଡ ଷଡ଼ଯନ୍ତ୍ର ରଚିଥିଲା ଅଭିଯୁକ୍ତ। ଶେଷରେ ଦେଢ ମାସ ପରେ ଘଟଣାର ପର୍ଦ୍ଦାଫାଶ କରିଛନ୍ତି କବିସୂର୍ଯ୍ୟନଗର ଥାନା ଅଧିକାରୀ ପ୍ରଭାତ ସାହୁ ଏବଂ ତାଙ୍କ ଟିମ୍। ପତ୍ନୀର ଚରିତ୍ରକୁ ସନ୍ଦେହ କରି ସ୍ବାମୀ ନିଜ ସ୍ତ୍ରୀ ଏବଂ ଦୁଇ ବର୍ଷର କୁନି ଝିଅକୁ ବିଷଧର ସାପର ବ୍ୟବହାର କରି ହତ୍ୟା କରିଥିଲା। ଶେଷରେ ପୋଲିସ ତଦନ୍ତରୁ ଖସି ପାରିଲା ନାହିଁ ଅଭିଯୁକ୍ତ। ଗୁରୁବାର ଏହି ମାମଲାରେ କବିସୂର୍ଯ୍ୟନଗର ଥାନା ଅଢେଇ ବରଗାଁର ଅଭିଯୁକ୍ତ ସ୍ବାମୀ କେ.ଗଣେଶ ପାତ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। 


COMMERCIAL BREAK
SCROLL TO CONTINUE READING

ଅଢେଇ ବରଗାଁର ବି.ଖଲି ପାତ୍ରଙ୍କ ଦ୍ଵିତୀୟ ଝିଅ ବାସନ୍ତୀ ପାତ୍ରକୁ ଉକ୍ତ ଗ୍ରାମର କେ.ଧନୁ ପାତ୍ରଙ୍କ ସାନ ପୁଅ କେ.ଗଣେଶ ପାତ୍ର ୩ ବର୍ଷ ତଳେ ବିବାହ କରିଥିଲେ। ଗତ ବର୍ଷ ଉଭୟଙ୍କ ମଧ୍ୟରେ ଝଗଡ଼ା ହେବାରୁ ବାସନ୍ତୀ ନିଜ ସ୍ବାମୀ ଗଣେଶଙ୍କ ବିରୋରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଉକ୍ତ ମାମଲାରେ ଗଣେଶ ଥାନାକୁ ଲିଖିତ ପ୍ରତିଶୃତି ଦେବା ସହ ଜାମିନରେ ଆସିଥିଲେ। ଏହାପରେ ଉଭୟ ଗତ କିଛି ମାସ ହେଲା ପୁଣି ଏକାଠି ଗଣେଶଙ୍କ ଘରେ ମିଶି ରହୁଥିଲେ। ବିଭିନ୍ନ ସମୟରେ ଗଣେଶ ସେହି ମାମଲାକୁ ପ୍ରତ୍ୟାହାର କରିବା ପାଇଁ ବାସନ୍ତୀଙ୍କ ଉପରେ ଚାପ ପକାଇବ ସହ ତାଙ୍କୁ ଏବଂ ତାଙ୍କର ୨ ବର୍ଷର ଝିଅକୁ ଜୀବନରୁ ମାରିଦେବାକୁ ଧମକ ଦେଉଥିଲେ।


ଗତ ଅକ୍ଟୋବର ୭ ତାରିଖ ଭୋର ୫:୦୦ ସମୟରେ ଗଣେଶ ଜୋରରେ ନିଜ ଘରେ ପାଟି କରିବାରୁ ସମସ୍ତ ସାହି ବାସିନ୍ଦା ତାଙ୍କ ଘର ସାମ୍ନାରେ ଏକାଠି ହୋଇଥିଲେ। ଏହି ସମୟରେ ବାସନ୍ତୀଙ୍କ ବାପା ଖଲି ପାତ୍ର ଘର ଭିତରକୁ ଯାଇ ଦେଖିବା ସମୟରେ ଗଣେଶ ହାତରେ ବାଡ଼ି ଧରି ଗୋଟିଏ ବିଷଧର ନାଗ ସାପକୁ ବାଡଉଛନ୍ତି। ଯେଉଁଠି ତାଙ୍କ ଝିଅ ଏବଂ ନାତୁଣୀ ଶୋଇ ରହିଛନ୍ତି। ଉଭୟଙ୍କୁ ବିଷଧର ସାପ କାମୁଡିଛି ବୋଲି କୁହାଯାଇଥିଲା। ପରେ ସଙ୍ଗେ ସଙ୍ଗେ ୧୦୮ ଜରିଆରେ ଉଭୟଙ୍କୁ ଚିକିତ୍ସା ଲାଗି ହିଞ୍ଜିଳିକାଟୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିବା ସହ ଥାନାକୁ ଖବର ଦେଇଥିଲେ। 


ପୋଲିସ ସେଠାରେ ପହଞ୍ଚି ଶବକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲା। ଏହାର କିଛି ଦିନ ପରେ ୧୨ ତାରିଖ ଦିନ ମୃତକଙ୍କ ବାପା ଖଲି ପାତ୍ର ନିଜ ଝିଅ ଏବଂ ନାତୁଣୀକୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ୬୧୫/୨୩ ଆଧାରରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। 


ତଦନ୍ତ ସମୟରେ ଅଭିଯୁକ୍ତ ଜଣଙ୍କ ନିଜ ପତ୍ନୀର ଅନ୍ୟ ଜଣେ ପୁରୁଷ ସହ ପ୍ରେମ ସମ୍ପର୍କ ରହିଥିବାର ସନ୍ଦେହ କରୁଥିଲେ। ସେହି କାରଣରୁ ସେ ପୋଲସରା ଥାନା ଅନ୍ତର୍ଗତ ମୂକ୍ତାମାଳଦେଇପୁର ଶାସନରୁ ଜଣେ ସାପ ଧରାଳି ଠାରୁ ସାପ ଆଣି ନିଜ ପତ୍ନୀ ଏବଂ ୨ ବର୍ଷର ଶିଶୁ କନ୍ୟାକୁ କାମୁଡେଇ ଦେଇ ମାରି ଦେଇଥିବାର ସ୍ବୀକାର କରିଥିଲା। ଥାନା ଅଧିକାରୀ ପ୍ରଭାତ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଏହି ଘଟଣାର ତଦନ୍ତ ପାଇଁ ପୋଲିସ ସ୍ନେକ ହେଲ୍ପ ଲାଇନ ସହାୟତା ନେଇଥିଲେ। ଗତ ରବିବାର ଦିନ ସ୍ନେକ ହେଲ୍ପ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ, ଦକ୍ଷିଣ ଓଡ଼ିଶା ସଂଯୋଜକ ସ୍ଵାଧୀନ କୁମାର ସାହୁ ସମେତ ୫ ଜଣିଆ ଟିମ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଫେରିଥିଲେ। ଏହାପରେ ଏକ ମାସ ଧରି ଶିଥିଳ ପଡିଥିବା ଏହି ମାମଲା ଆଗକୁ ବଢିଥିଲା। ଗୁରୁବାର ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କେ.ଗଣେଶ ପାତ୍ରକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସେହିପରି ସ୍ନେକ ହେଲ୍ପ ଲାଇନ ସବୁବେଳେ ଆଇନକୁ ସମ୍ମାନ ଦେଉଛି ଏବଂ ଆଇନର ସହାୟତା କରିବାକୁ ପ୍ରସ୍ତୁତ ରହିଥିବା ସ୍ନେକ ହେଲ୍ପ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ସୂଚନା ଦେଇଛନ୍ତି।