HSRP Number Plate Odisha: ରାଜ୍ୟରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ନେଇ ନିଆଯାଇଛି ଏକ ବଡ଼ ନିଷ୍ପତ୍ତି। ଏନେଇ ଓଡ଼ିଶା ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଜୁନ୍ ୨୩ ତାରିଖରେ ଏକ ସ୍ୱତନ୍ତ୍ର ଅଭିଯାନ କାର୍ଯ୍ୟକାରୀ କରାଯିବ। ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ବିନା ଯାନବାହାନ ଚଳାଇବା ଉପରେ ସତର୍କ ନଜର ରଖିଛି ରାଜ୍ୟ ପରିହନ ପ୍ରାଧିକରଣ। ଏନେଇ ପରିବହନ କର୍ତ୍ତୃପକ୍ଷ ଏପରି ନମ୍ବର ପ୍ଲେଟ ନଥିବା ଗାଡିର ମାଲିକଙ୍କ ଠାରୁ ଜରିମାନା ଆଦାୟ କରିପାରନ୍ତି ବୋଲି ସୂତ୍ରରୁ ପ୍ରକାଶ।


COMMERCIAL BREAK
SCROLL TO CONTINUE READING

ଏନେଇ ଜଣେ ଅଧିକାରୀ କହିଛନ୍ତି ଯେ, ୨୦୧୯ ଅପ୍ରେଲ ୧ ତାରିଖ ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଯାନବାହନରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ (High Security Registration Plate) ଏଚଆରଏସପି (HSRP) ଲଗାଇବାର ଶେଷ ତାରିଖ ଚଳିତ ବର୍ଷ ଫେବୃଆରୀ ୨୮ ତାରିଖରେ ଶେଷ ହୋଇଥିଲା। ଏହା ଦେଖାଯାଉଛି ଯେ କେତେକ ଗାଡିରେ ବିନା ଏଚଆରଏସପି ନମ୍ବର ପ୍ଲେଟ (HSRP Number Plate) ଲଗାଇ ରାସ୍ତାରେ ଯାତାୟତ କରୁଛନ୍ତି। ଏନେଇ ଓଡ଼ିଶା ରାଜ୍ୟ ପରିବହନ ପ୍ରାଧିକରଣ (Odisha State Transport Authority) ଆସନ୍ତା ୨୩ ତାରିଖରୁ ଏଚଆରଏସପି ନମ୍ବର ପ୍ଲେଟ ବିନା ଚାଲୁଥିବା ଏହି ଗାଡିକୁ ଚିହ୍ନଟ କରିବା ଏବଂ ସେମାନଙ୍କ ମାଲିକଙ୍କ ଉପରେ ଦଣ୍ଡବିଧାନ ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ କାର୍ଯ୍ୟକାରୀ କରିବ।


ଚଳିତ ବର୍ଷ ଜୁନ ୭ ତାରିଖ ପର୍ଯ୍ୟନ୍ତ ମୋଟ ୪୦ ଲକ୍ଷ ୯୩ ହଜାର ୬୦୮ ଜଣ ଗାଡ଼ି ମାଲିକ ଏଚଆରଏସପି ସ୍ଲଟ୍ ବୁକ୍ କରିଛନ୍ତି। ଏହା ମଧ୍ୟରୁ ୩୫ ଲକ୍ଷ ୮୭ ହଜାର ୫୭୭ ଗାଡିରେ ଏଚଆରଏସପି ନମ୍ବର ପ୍ଲେଟ ଲଗାଯାଇଛି। ଦଣ୍ଡବିଧାନରୁ ରକ୍ଷା ପାଇବା ପାଇଁ ଗାଡ଼ି ମାଲିକଙ୍କୁ ଯଥାଶୀଘ୍ର ଏଚଆରଏସପି ନମ୍ବର ପ୍ଲେଟ ଲଗାଇବାକୁ ପରାମର୍ଶ ଦିଆଯାଇଛି। ଏହି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ବିଭାଗର ଅତିରିକ୍ତ ପରିବହନ କମିଶନର (ସଡକ ସୁରକ୍ଷା ଏବଂ କାର୍ଯ୍ୟାନୁଷ୍ଠାନ) ଲାଲମୋହନ ସେଠୀ।


ଅତିରିକ୍ତ ପରିବହନ କମିଶନର ଆହୁରି ମଧ୍ୟ କହିଛନ୍ତି ଯେ ଏଚଆରଏସପି ନମ୍ବର ପ୍ଲେଟ ବିନା ଚଳାଚଳ କରୁଥିବା ଗାଡ଼ି ମାଲିକଙ୍କ ଠାରୁ ମୋଟର ଯାନ ୧୯୮୮ (Motor Vehicle Act 1988) ଧାରା ୧୯୨ ଅନୁଯାୟୀ ୫୦୦୦ ଟଙ୍କା କିମ୍ବା ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇପାରେ।