Sunabeda HAL Rehabilitation Colony:ଏବେ ଅସାମାଜିକ ଲୋକଙ୍କ ଆଡ୍ଡା ସ୍ଥଳୀ ପାଲଟିଛି କୋରାପୁଟ ଜିଲ୍ଲାର ସୁନାବେଡ଼ା ସ୍ଥିତ ପୁନର୍ବାସ ଥଇଥାନ କଲୋନୀ। ଯାହାକୁ ହିନ୍ଦୁସ୍ତାନ ଏରୋନୋଟିକ ଲିମିଟେଡ୍ (ହାଲ) ଦ୍ୱାରା ନିର୍ମାଣ କରାଯାଇଥିଲା। ଗତ ୨୦୧୫ ବର୍ଷରେ ହାଲ ବିସ୍ଥାପିତ ହୋଇ ମଧ୍ୟ ହାଲ ସୀମା ନିକଟରେ ରହୁଥିବା ୩ ଗ୍ରାମର ଲୋକଙ୍କ ପାଇଁ ସୁନାବେଡ଼ା ଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଏକ ପାହାଡ ଉପରେ ନିର୍ମିତ ହୋଇଥିଲା ପୁନର୍ବାସ ଥଇଥାନ କଲୋନୀ। ବିସ୍ଥାପିତ ହୋଇଥିବା ୮୨ ପରିବାରଙ୍କ ପାଇଁ କଲୋନୀ ମଧ୍ୟରେ ନିର୍ମିତ ହୋଇଛି ୮୨ ବାସଗୃହ। କେବଳ ଗୃହ ନିର୍ମାଣ କରାଯାଇ ନଥିଲା ବରଂ ପାନୀୟ ଜଳ ବ୍ୟବସ୍ଥା ସହ ପିଇବା ପାଣି ପାଇଁ ପ୍ରତ୍ୟେକ ଘରେ ସିମଟେକ୍ ବ୍ୟବସ୍ଥା, ବିଦ୍ୟୁତ୍ ସଂଯୋଗ ମଧ୍ୟ ପ୍ରଦାନ କରାଯାଇଥିଲା। ଗତ ୨୦୧୫ ବର୍ଷରେ  କଲୋନୀ ନିର୍ମାଣ କାମ ଆରମ୍ଭ ହୋଇଥିବା ବେଳେ ୨୦୧୭ ବର୍ଷରେ ଶେଷ ହୋଇଥିଲା। 


COMMERCIAL BREAK
SCROLL TO CONTINUE READING

ନିର୍ମାଣ ଶେଷ ପର ଠାରୁ ଏହାର ରକ୍ଷଣାବେକ୍ଷଣ ପାଇଁ ଦାୟିତ୍ବ କେହି ନ ନେବାରୁ ଏହି କଲୋନୀ ଏବେ ଭୂତ କୋଠୀରେ ପରିଣତ ହୋଇଛି। ଏଠାରେ ନିର୍ମିତ ଗୃହରେ ଲଗା ଯାଇଥିବା ପାଣି ଟାଙ୍କି, ବିଦ୍ୟୁତ୍ ସାମଗ୍ରୀ ସମେତ କବାଟ, ଝରକା ଆଦି ଚୋରି ହୋଇଗଲାଣି। ଏପରିକି ଅନାବନା ଘାସ, ଲତା ବୁଦାରେ ପରିପୂର୍ଣ୍ଣ ହୋଇ ଯାଇଛି ଏହି ଅଞ୍ଚଳ। ଯଦିଓ ଏହି କଲୋନୀ ନିର୍ମାଣ କରାଗଲା ହେଲେ ଏଠାକୁ ଯିବା ଆସିବା କରିବା ପାଇଁ ରାସ୍ତା ନିର୍ମାଣ କରାଗଲା ନାହିଁ। ଯାହା ଫଳରେ ଯେଉଁମାନଙ୍କ ପାଇଁ କଲୋନୀ  ନିର୍ମାଣ କରାଯାଇଛି ସେହି ବିସ୍ଥାପିତ ପରିବାର ଏଠାକୁ ଆସିବାକୁ ରାଜି ନ ହେବାରୁ ବର୍ତ୍ତମାନ ଏପରି ଅବସ୍ଥା ସୃଷ୍ଟି ହୋଇଛି।


ପ୍ରାୟ ୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ଥଇଥାନ କଲୋନୀ ବିସ୍ଥାପିତ ପରିବାର ପ୍ରତ୍ୟାଖାନ କରିଛନ୍ତି। ଦୀର୍ଘ ବର୍ଷ ଧରି ହାଲ ବିସ୍ଥାପିତ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ବାରମ୍ବାର ଆନ୍ଦୋଳନ କରାଯିବା ସହିତ ହାଲ ଅଧିକୃତ ଜମିରେ ହଳ ବୁଲାଇବା ଭଳି ଘଟଣା ଘଟିଛି। ହେଲେ ତଥାପି ବିସ୍ଥାପିତଙ୍କ ଦାବି ପୂରଣ ହୋଇ ପାରି ନାହିଁ। ଅନ୍ୟ ପକ୍ଷରେ ହାଲ ଅଧିକୃତ ଜମି ମଧ୍ୟରେ ଏବେ ମଧ୍ୟ ତିନୋଟି ବିସ୍ଥାପିତ ଗ୍ରାମ ରହିଛି। ପାଙ୍ଗିଗୁଡ଼ା, ଥାଲାପୁଟ ଏବଂ ସିନ୍ଧିପୁଟ। 


ଏହି ତିନୋଟି ଗ୍ରାମର ଲୋକଙ୍କୁ ପୁନଃ ବିସ୍ଥାପିତ କରିବା ପାଇଁ ହାଲ କରିଥିବା ପ୍ରୟାସ ଫେଲ ମାରିଛି। ଏହି ଗ୍ରାମବାସୀଙ୍କ ଏକା ଜିଦ୍। ମାରିବୁ ପଛେ ଭିଟା ମାଟି ଛାଡ଼ିବୁ ନାହିଁ। ଥଇଥାନ କଲୋନୀ ଠାରେ ଚାଷ ଜମି ନାହିଁ କିମ୍ବା ସେମାନଙ୍କୁ ଜମି ପ୍ରଦାନ କରାଯାଇ ନାହିଁ। ଏପରି କ୍ଷେତ୍ରରେ ଚାଷ କରି ଜୀବନ ଜୀବିକା ନିର୍ବାହ କରୁଥିବା ବିସ୍ଥାପିତ ପରିବାରବର୍ଗ ଚାଷ ନ କରି ପରିବାର ପ୍ରତିପୋଷଣ କରିବେ କିପରି? ସେଥିପାଇଁ ସେମାନେ ଥଇଥାନ କଲୋ ଯିବା ପାଇଁ ରାଜି ନାହାଁନ୍ତି।


ବିସ୍ଥାପନ ସହ ଜଡ଼ିତ ମାମଲା ହାଇକୋର୍ଟ ଠାରେ ପହଞ୍ଚିଛି। ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ବିଚାରାଧୀନ ରହିଥିବା ବେଳେ ହାଲ ନିକଟରେ ହାଲ ପ୍ରବେଶ ପଥରେ ଏକ ଫାଟକ ନିର୍ମାଣ କରୁଥିବା ଅଭିଯୋଗ ନେଇ ବିସ୍ଥାପିତ ସଂଘ ପକ୍ଷରୁ ଘେରାଉ କରାଯାଇ କାମ ବନ୍ଦ କରା ଯାଇଥିଲା। ସୁନାବେଡ଼ା ହାଲ ଦେଇଥିବା ଅର୍ଥରେ ଜିଲ୍ଲା ଗ୍ରାମ୍ୟ ଉନୟନ ସଂସ୍ଥା ପକ୍ଷରୁ ପୁନର୍ବାସ ଥଇଥାନ କଲୋନୀ ନିର୍ମାଣ କରା ଯାଇଥିଲା। ନିର୍ମାଣ ହେବା ପର ଠାରୁ ନାଁ ହାଲ ନାଁ କୋରାପୁଟ ଜିଲ୍ଲା ପ୍ରଶାସନ ଏହାର ଦାୟିତ୍ବ ନେଇଛି। ଯାହା ଫଳରେ ହିନ୍ଦୁସ୍ତାନ ଏରୋନୋଟିକ ଲିମିଟେଡ୍ ଦ୍ୱାରା ସୁନାବେଡ଼ା ସ୍ଥିତ ପୁନର୍ବାସ ଥଇଥାନ କଲୋନୀ ଏହା ସମ୍ପୂର୍ଣ ନଷ୍ଟ ହୋଇଗଲାଣି।