Newborn Baby Sale: ଭୁବନେଶ୍ୱର; ଓଡିଶାର ବାଲେଶ୍ୱର ଜିଲ୍ଲାର ଭୋଗରାଇ ଅଞ୍ଚଳର ଏକ ଦମ୍ପତି ନବଜାତ ଶିଶୁ କନ୍ୟାକୁ ମୟୂରଭଞ୍ଜର ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ନିକଟରେ ବିକ୍ରି (Sale) କରିଥିବା ଅଭିଯୋଗ ହୋଇଛି। ଭୋଗରାଇ ବ୍ଲକ ଅନ୍ତର୍ଗତ ତାଲାଡି ଗାଁର ମନୋଜ ଦାସ ଏବଂ ସୁଷମା ଦାସ ଏହି ନବଜାତ ଶିଶୁ କନ୍ୟାକୁ ବିକ୍ରି କରି ୧୦,୦୦୦ ଟଙ୍କା (10 thousand rupees) ପାଇଥିଲେ। ସୂଚନାନୁସାରେ, ସୁଷମା ଜୁଲାଇ ୩୧ରେ ଜଳେଶ୍ୱରପୁର କମ୍ୟୁନିଟି ହେଲଥ ସେଣ୍ଟର (CHC) ରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ଶିଶୁ କନ୍ୟାକୁ ମୟୂରଭଞ୍ଜର ଜଣେ ବ୍ୟକ୍ତିଙ୍କ ନିକଟରେ ବିକ୍ରି ହୋଇଥିବାର ଅଭିଯୋଗ ହୋଇଛି।


COMMERCIAL BREAK
SCROLL TO CONTINUE READING

ସେପଟେ ସ୍ଥାନୀୟ ଲୋକ ଏହି ଘଟଣାରେ CHC ର କିଛି କର୍ମଚାରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଛନ୍ତି। “ଏହି ଘଟଣାରେ CHC ର କିଛି କର୍ମଚାରୀ ସମ୍ପୃକ୍ତ ଥିଲେ।ସୂଚନା ଅନୁଯାୟୀ, ସେମାନେ ଶିଶୁକୁ ୨.୫ ଲକ୍ଷ ଟଙ୍କାରେ ବିକ୍ରି କରିବାକୁ ଏକ ଚୁକ୍ତି କରିଥିଲେ। ଡାକ୍ତରଖାନାର କର୍ମଚାରୀମାନେ ଏହି ଦମ୍ପତିଙ୍କୁ ମାତ୍ର ୧୦,୦୦୦ ଟଙ୍କା ପ୍ରଦାନ କରିଛନ୍ତି ବୋଲି ସ୍ଥାନୀୟ ପଞ୍ଚାୟତ ସମିତିର ପୂର୍ବତନ ସଦସ୍ୟ ଅର୍ଜୁନ କୁମାର ପ୍ରହରାଜ କହିଛନ୍ତି।


ତେବେ ଏହି ଦମ୍ପତି (Couple) ଦାବି କରିଛନ୍ତି ଯେ ସେମାନେ ନିଜ ଶିଶୁକୁ ବିକ୍ରି କରିନାହାଁନ୍ତି। ମନୋଜ କହିଛନ୍ତି, “ଆମେ ଆମ ଶିଶୁକୁ ମୟୂରଭଞ୍ଜର ଜଣେ ବ୍ୟକ୍ତିଙ୍କୁ ହସ୍ତାନ୍ତର କରିଛୁ କାରଣ ପାରିବାରିକ ସମସ୍ୟା ହେତୁ ଆମେ ତା'ର ଠିକ୍ ଭାବରେ ପ୍ରତିପୋଷଣ କରିପାରିବୁ ନାହିଁ। ନବଜାତ ଶିଶୁକୁ ବିକ୍ରି କରି ସେମାନେ ୧୦,୦୦୦ ଟଙ୍କା ପାଇବା କଥା ସୁଷମା ମଧ୍ୟ ଅସ୍ୱୀକାର କରିଛନ୍ତି।  ସେ କହିଛନ୍ତି, “ଆମର ଏକ ପାଞ୍ଚ ବର୍ଷର ଝିଅ ଅଛି। ମୋର ଦ୍ୱିତୀୟ ଗର୍ଭଧାରଣ (Pregnancy) ରୋକିବାକୁ ମୁଁ ଅନେକ ଥର ଡାକ୍ତରଖାନା (Hospital) ଯାଇଥିଲି  କିନ୍ତୁ, ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀମାନେ ଏ ବାବଦରେ ଆମକୁ ସାହାଯ୍ୟ କରିନଥିଲେ । ଆମେ ବର୍ତ୍ତମାନ ଅନ୍ୟ ଏକ ଶିଶୁର ପ୍ରତିପୋଷଣ କରିବାକୁ ଅସମର୍ଥ (Unable) । ତେଣୁ ଆମେ ଆମ ଶିଶୁକୁ ମୟୂରଭଞ୍ଜର ଜଣଙ୍କୁ ଦେଇଥିଲୁ ବୋଲି ସେ କହିଛନ୍ତି। ତେବେ ଏହି ଦମ୍ପତି ସ୍ବୀକାର କରିଛନ୍ତି ଯେ, ସେମାନେ ଜଳେଶ୍ୱରପୁର CHC ରେ କାର୍ଯ୍ୟ କରୁଥିବା ନନ୍ଦୁ ନାମକ ଜଣେ ବ୍ୟକ୍ତିଙ୍କ ମାଧ୍ୟମରେ ମୟୂରଭଞ୍ଜର ବ୍ୟକ୍ତିଙ୍କୁ ଦେଇଛନ୍ତି।


ତେବେ ଏହି ଘଟଣା ନୂଆ ନୁହେଁ, ପୂର୍ବରୁ ମଧ୍ୟ ପିଲା ବିକ୍ରୟ ନେଇ ଅନେକ ଅଭିଯୋଗ ଆସିଛି । କେଉଁଠି ପିଲାକୁ ଲାଳନ ପାଳନ କରିବାକୁ ଅସମର୍ଥ ଦମ୍ପତି ଅନ୍ୟ ହାତରେ ନିଜ ପିଲାକୁ ଟେକି ଦଉଛନ୍ତି ପୁଣି କେଉଁଠି ପିଲା ବିକ୍ରୟର ଏକ ବଡ଼ ଧରଣର ରାକେଟ ଚାଲୁଥିବା ଅଭିଯୋଗ ଆସୁଛି । ତେବେ ଏନେଇ ଲୋକଙ୍କୁ ସଚେତନ କରାଯିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀମାନେ ଦାବି କରିଛନ୍ତି । ଏପରି ଘଟଣା ଯେପରି ଆଗକୁ ନହେଉ ସେଥିପ୍ରତି ପ୍ରଶାସନିକ ସ୍ତରରେ ସମସ୍ତ ପ୍ରକାରର ଉଦ୍ୟମ ହେବା ଆବଶ୍ୟକ ବୋଲି କୁହାଯାଉଛି । ଏଥିସହ ମହିଳାଙ୍କୁ ପିଲା ହେବା ପରେ କିପରି ସଠିକ ଭାବରେ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରାଯାଇପାରିବ ସେନେଇ ମଧ୍ୟ ସାଧାରଣରେ ସଚେତନତାର ଆବଶ୍ୟକ ଅଛି ବୋଲି କିଛି ଲୋକ ମତ ଦେଇଛନ୍ତି । ତେଣୁ ସରକାରୀ ସ୍ତରରେ ଉଦ୍ୟମ ହେବା ସହ ଲୋକଙ୍କୁ ସଚେତନ କରିବା ଆବଶ୍ୟକ । ଏଥିସହ ଯଦି କୌଣସି ବଡ଼ ଧରଣର ରାକେଟ୍ କାମ କରୁଥାଏ ତାହା ଲୋକଲୋଚନକୁ ଅଣାଯିବା ଆବଶ୍ୟକ ବୋଲି ସଚେତନ ନାଗରିକଙ୍କର ମତ ଆସିଛି ।


Also Read- Snapchat Love: ଧନୀ ପ୍ରେମିକଙ୍କୁ ଭେଟିବା ପାଇଁ ୯ଶହ କିମି ଚାଲିଲେ ବିବାହିତା