ମାର୍କେଟରୁ ଆଳୁ ଉଭାନ, କିଲୋ ୬୦ ଛୁଇଁଲା
Potato prices: ଗୋଟିଏ ଦିନରେ ଆଳୁ କେଜି ୨୦ ରୁ ୨୫ କେଜି ବଡିଥିବା ବେଳେ ଦଳ ଏବେ ୬୦ ଛୁଇଁଛି। ମୁଖ୍ୟତଃ ପଶ୍ଚିମବଙ୍ଗ ଏବେବି ଆଳୁ ଗାଡ଼ି ଓଡ଼ିଶାକୁ ଛାଡ଼ୁ ନ ଥିବା ବେଳେ ଉତ୍ତରପ୍ରଦେଶ ଆଳୁର ଦାମ ଅଧିକ ଥିବା ବେଳେ ଚାହିଦା ନାହିଁ।
ଭୁବନେଶ୍ବର: ଗତ କିଛି ଦିନ ହେବ ଆଳୁ ଦର ସ୍ବାଭାବିକ ଥିବା ବେଳେ ଏବେ ପୁଣି ବଜାରରେ ତେଜିଛି ଆଳୁ ନିଆଁ। ବିଶେଷ କରି ଆଳୁ ଦର ବୃଦ୍ଧି ହେବା ସହ ମାର୍କେଟରୁ ଆଳୁ ଉଭାନ ହୋଇଗଲାଣି। ଗୋଟିଏ ପଟେ ପଶ୍ଚିମବଙ୍ଗ ଆଳୁ ଦେଉନଥିବା ବେଳେ ୟୁପିରୁ ଆଳୁ ଆସିବା ଆଶା ଏବେ ମଉଳି ପଡିଛି । ଯାହା ଓଡିଶା ବଜାରରେ ଆଳୁ ଉପରେ ମହଙ୍ଗା ମାଡ କରିଛି। ଗୋଟିଏ ଦିନରେ ଆଳୁ କେଜି ୨୦ ରୁ ୨୫ କେଜି ବଡିଥିବା ବେଳେ ଦଳ ଏବେ ୬୦ ଛୁଇଁଛି। ମୁଖ୍ୟତଃ ପଶ୍ଚିମବଙ୍ଗ ଏବେବି ଆଳୁ ଗାଡ଼ି ଓଡ଼ିଶାକୁ ଛାଡ଼ୁ ନ ଥିବା ବେଳେ ଉତ୍ତରପ୍ରଦେଶ ଆଳୁର ଦାମ ଅଧିକ ଥିବା ବେଳେ ଚାହିଦା ନାହିଁ। ଏଥିସହ ଉତ୍ତରପ୍ରଦେଶରୁ ଆବଶ୍ୟକ ମୁତାବକ ଆଳୁ ଗାଡ଼ି ରାଜ୍ୟରେ ଠିକ୍ ସମୟରେ ପହଞ୍ଚି ପାରୁନି। ଏହାର ସିଧା ପ୍ରଭାବ ଓଡ଼ିଶା ବଜାର ଉପରେ ପଡ଼ିଛି। ଫଳରେ ଗତ ୩ ଦିନ ହେଲାଣି ଓଡ଼ିଶାରେ ଆଳୁ ଗାଡ଼ି ପହଞ୍ଚି ନ ଥିବାରୁ କଟକ ଓ ଭୁବନେଶ୍ୱରରେ ଥିବା ଆଳୁ ଗୋଦାମ ଖାଲି। ତେଣୁ କେଉଁଠି ୫୦ ତ କେଉଁଠି ୬୦ରେ ପହଞ୍ଚିଲାଣି ଆଳୁ ଦର।
ଉତ୍ତରପ୍ରଦେଶରୁ ରାଜ୍ୟକୁ ଆଳୁ ଆଣିବାର ନିଷ୍ପତ୍ତି ହେବାପରେ କିଛିଦିନ ପୂର୍ବରୁ ସେଠାରୁ କିଛି ଟ୍ରକ ଭର୍ତ୍ତି ଆଳୁ ଆସି ଓଡିଶାରେ ପହଞ୍ଚିଥିଲା। ଏହାପରେ ବଜାରରେ ମଧ୍ୟ ଆଳୁଦର ସ୍ବାଭାବିକ ରହିଥିଲା । ହେଲେ ଏବେ ଉତ୍ତରପ୍ରଦେଶ ସରକାର ବି ଓଡିଶା ଆବଶ୍ୟକ କରୁଥିବା ଆଳୁ ଯୋଗାଇ ପାରିନାହାନ୍ତି। ଯାହାଫଳରେ ଓଡିଶାରେ ପୁଣି ଆଳୁ ସଙ୍କଟ ଦେଖାଯାଇଛି। ଆଳୁ ଗୋଦାମକୁ ଆଳୁ ନଆସିବାରୁ ବଜାରରେ ଆଳୁ ନିଆଣ୍ଟିଆ ପରିସ୍ଥିତି ସୃଷ୍ଟି ହେବାରୁ ଏବେ ପୁଣି ଆଳୁ ନେଇ ଖାଉଟିଙ୍କ ମୁଣ୍ଡରେ ଚଡକ ପଡିଛି। ଗତକାଲି ଯେଉଁଠି ଆଳୁ ୩୫ ରୁ ୪୦ ଟଙ୍କାରେ ଲୋକେ କିଣୁଥିଲେ ଆଜି ସକାଳୁ ସକାଳୁ ୫୦ ରୁ ୬୦ ଟଙ୍କାରେ କିଣିଥିବା ଦେଖିବାକୁ ମିଳିଛି।