Puri Jagannath Temple: ଶ୍ରୀମନ୍ଦିର ନାଟମଣ୍ତପ ମରାମତି କାର୍ଯ୍ୟ ଆସନ୍ତା ଅକ୍ଟୋବର ମାସରୁ ଆରମ୍ଭ କରିବା ନେଇ ନିଷ୍ପତି ନିଆଯାଇଛି । ଏହା ପୂର୍ବରୁ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗକୁ ଆସନ୍ତା ୨୮ ତାରିଖ ସୁଦ୍ଧା ଆବଶ୍ୟକ ମରାମତି ନେଇ ଏକ ବିସ୍ତୃତ ରିପୋର୍ଟ ଦେବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ, ଶ୍ରୀମନ୍ଦିର ନାଟମଣ୍ତପ ଓ ଅନ୍ୟାନ୍ୟ ମରାମତି ନେଇ ଶ୍ରୀମନ୍ଦିର ପ୍ରଶାସନ ସହ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନେଇ ସୋମବାର ଦିନ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା ।


COMMERCIAL BREAK
SCROLL TO CONTINUE READING

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଏହି ବୈଠକର ଅଧ୍ଯକ୍ଷତା କରିଥିଲେ । ଏଥିରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଭୁବନେଶ୍ବର ମଣ୍ତଳ ଅଧୀକ୍ଷକ ଡଃ ଡି଼.ବି ଗଡ଼ନାୟକ, ସହକାରୀ ଅଧୀକ୍ଷକ ଚିତ୍ତରଞ୍ଜନ ଦାସ, ପ୍ରତ୍ନତତ୍ତ୍ବ ବିଭାଗ ନିର୍ଦ୍ଦେଶକ ଭୀମ ଆଜମିରା, ବରିଷ୍ଠ ସଂରକ୍ଷକଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନର ବୈଷୟିକ ଦଳ ଉପସ୍ଥିତ ରହିଥିଲେ । ଏନେଇ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଭୁବନେଶ୍ବର ମଣ୍ତଳ ଅଧୀକ୍ଷକ କହିଛନ୍ତି ଯେ, ଚଳିତ ରଥଯାତ୍ରା ସମୟରେ ଶ୍ରୀମନ୍ଦିରରେ କେଉଁ ସବୁ ମରାମତି କାମ କରାଯାଇଥିଲା ଓ କେଉଁ ସବୁ କାମ ଏବେ ସୁଦ୍ଧା ବାକି ରହିଛି ଏନେଇ ବୈଠକରେ ସମୀକ୍ଷା କରାଯାଇଛି । ଏହାସହ ଶ୍ରୀମନ୍ଦିର ନାଟମଣ୍ତପରେ (Nata Mandap)। ଫାଟ ରହିଛି, ଯାହାର ବିଗତ ୫ ବର୍ଷ ହେବ ଅନୁଧ୍ୟାନ କରାଯାଉଛି । ବର୍ତ୍ତମାନ ଏହି ଫାଟ ଅଧିକ ବଢିନାହିଁ ତେଣୁ ଭୟଭୀତ ହେବାର ନାହିଁ । ନାଟମଣ୍ତପର ମରାମତି ନେଇ ଚିନ୍ତା କରାଯାଉଛି । ଷ୍ଟ୍ରକଚର ଡ଼ିଜାଇନ ଅନୁମୋଦନ ପରେ ଏହାର ମରାମତି କାମ ଆରମ୍ଭ କରାଯିବ । ଏହାସହ ଜଗମୋହନ (Jagmohan) ସମ୍ମୁଖ ଭାଗର ବିଭିନ୍ନ ସ୍ଥାନ ଓ ଗରୁଡ଼ ସ୍ତମ୍ଭ ଉପରେ ଫାଟ ରହିଛି । ଜଗମୋହନ ଭିତର ପାର୍ଶ୍ବକୁ ଯେଭଳି ଭାବେ ମରାମତି କରାଯାଇଥିଲା, ନାଟମଣ୍ଡପକୁ ମଧ୍ଯ ସେଭଳି ମରାମତି କରାଯିବ। ଅନ୍ୟପଟେ, ଉତ୍ତରଦ୍ବାର ଗୁମୁଟ ଦେଇ ଦିବ୍ୟାଙ୍ଗମାନେ ସୁବିଧାର ଦର୍ଶନ କରିବା ନେଇ ପଥରର ସ୍ଥାୟୀ ରାମ୍ପ୍ କରାଯିବ ବୋଲି ଏହି ବୈଠକରେ ନିଷ୍ପତି ନିଆଯାଇଛି। ଏନେଇ ନୂତନ ଭାବେ ଗଠିତ ହୋଇଥିବା କୋର କମିଟିର ପରାମର୍ଶ ନିଆଯିବ । ଏହାସହ ଆଇଆଇଟି ଖଡ଼ଗପୁର, ଅନ୍ୟ ବୈଷୟିକ ଜ୍ଞାନ ଥିବା ବ୍ୟକ୍ତି ବିଶେଷଙ୍କ ଆବଶ୍ୟକ ପରାମର୍ଶ ନେଇ ମରାମତି କାର୍ଯ୍ୟ ହେବ। ଷ୍ଟ୍ରକଚରାଲ୍‌ ଡିଜାଇନ୍‌ ଅନୁମୋଦନ ପରେ ମରାମତି କାମ ଆରମ୍ଭ ହେବ ବୋଲି ସେ ମତ ଦେଇଛନ୍ତି।


Also Read-Horoscope Today: ଆଜି ୬ଟି ରାଶି ଉପରେ ହେବ ଧନ ବର୍ଷା, ୩ ରାଶି ପାଇଁ ରହିଛି ବିପଦ!


ପ୍ରକାଶ ଥାଉ କି, ୨୦୧୮ ମସିହାରେ ନାଟମଣ୍ଡପରେ (Nata Mandap) ଫାଟ ଥିବା କଥା ଜଣାପଡ଼ିବା ପରେ ଏଏସଆଇ (ASI) ଓ ଉଚ୍ଚ ସ୍ତରୀୟ କମିଟି ଯାଞ୍ଚ କରି ମରାମତି କାର୍ଯ୍ୟ ଆରମ୍ଭ କରିଥିଲା । ନାଟମଣ୍ଡପରେ କ୍ରାକ୍ ମିଟର୍ ଜରିଆରେ ରିଡିଂ କରି ଫାଟର ତର୍ଜମା କରାଯାଇଥିଲା। ଗତବର୍ଷ ସେପ୍ଟେମ୍ବର ମାସ ୧୭ ତାରିଖରେ ହାଇକୋର୍ଟଙ୍କ (High court) ନିର୍ଦ୍ଦେଶକ୍ରମେ ଆମିକସକ୍ୟୁରି ଏନ୍.କେ.ମହାନ୍ତି ନାଟମଣ୍ଡପ ସ୍ଥିତି ଅନୁଧ୍ୟାନ କରିଥିଲେ। ୨୦୨୩ ମାର୍ଚ୍ଚ ସୁଦ୍ଧା ନାଟମଣ୍ଡପର ମରାମତି କାର୍ଯ୍ୟ ସାରିବା ନେଇ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ନିକଟରେ ଆମିକସକ୍ୟୁରୀଙ୍କ ଏକ ଉଦବେଗଜନକ ରିପୋର୍ଟ ସାମ୍ନାକୁ ଆସିଥିଲା ଯେଉଁଥିରେ ନାଟମଣ୍ତପ (Nata Mandap) ପ୍ରତି ବିପଦ ଥିବା ସହ ଯେକୌଣସି ମୁହୂର୍ତ୍ତରେ ଶ୍ରୀମନ୍ଦିରରେ ଅଘଟଣ ଘଟିବା ନେଇ ଏଏସଆଇ (ASI) ଓ ଶ୍ରୀମନ୍ଦିର ପ୍ରଶାସନକୁ ଚେତାଇଥିଲେ ଆମିକସକ୍ୟୁରୀ ଏନ.କେ. ମହାନ୍ତି । ନାଟମଣ୍ତପର ମୁଖ୍ୟ ବିମ୍ କୌଣସି ମୁହୂର୍ତ୍ତରେ ଦୁର୍ଘଟଣାର କାରଣ ହୋଇପାରେ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଥିଲା ।