Rath Yatra 2023: ପୁରୀ: ପୁରୀରେ ପହଞ୍ଚିଲା ରଥଯାତ୍ରା ପାଇଁ ରଥ ଦଉଡ଼ି। ରଥଟଣା ସହ ଇନର, ଆଉଟଡୋର ଓ ଜେନେରାଲ୍ କର୍ଡନ୍ ପାଇଁ ସମୁଦାୟ ୨୬ଟି ରଥ ଦଉଡ଼ି ଆସି ପହଞ୍ଚିଛି ଶ୍ରୀମନ୍ଦିର କାର୍ଯ୍ୟାଳୟରେ। ପୁରୀ ବୀରପ୍ରତାପପୁରରେ ଥିବା ଓଡ଼ିଶା ସମବାୟ କତା ନିଗମ ପକ୍ଷରୁ ପ୍ରସ୍ତୁତ ହୋଇ ଆସିଛି ଏହି ଦଉଡ଼ି। ରାଜ୍ୟ କତା ନିଗମ ପକ୍ଷରୁ ରଥଯାତ୍ରା ପାଇଁ ଏହି ଦଉଡି ପ୍ରସ୍ତୁତ କରାଯାଇଥିବା ବେଳେ ଆଜି ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଛି। 


COMMERCIAL BREAK
SCROLL TO CONTINUE READING

୨୬ଟି ଦଉଡି ପ୍ରଦାନ କରାଯାଇଥିବା ବେଳେ ସେଥିରେ ୧୪ଟି ରଥ ଟଣା ପାଇଁ ଦଉଡି ରହିଅଛି।ସେହିପରି ୩ଟି କର୍ଡନ ଦଉଡି ସମେତ ଘେର ଦଉଡି ପ୍ରଦାନ କରାଯାଇଛି।ରଥ ଯାତ୍ରାରେ ଏହି ଦଉଡି ବ୍ୟବହାର ନେଇ ଓଡିଶା କତା ନିଗମ ପକ୍ଷରୁ ଏହାକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି। ତେବେ ରଥ ଦଉଡିର କିମ୍ବଦନ୍ତୀ ବେଶ୍ ବିଚିତ୍ର। ବଡଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ଵଜ ରଥ ଦଉଡିର ନାମ ହେଉଛି ବାସୁକି। ୨୫୦ଫୁଟ ଲମ୍ବ ଓ ୮ଇଞ୍ଚ ମୋଟେଇ । ସେହିଭଳି ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଦଉଡିର ନାମ ହେଉଛି ସ୍ୱର୍ଣ୍ଣଚୁଡ।


ତାହାର ଲମ୍ବ ୨୫୦ଫୁଟ ରହିଥିବା ବେଳେ ମୋଟେଇ ୮ଇଞ୍ଚ ରହିଛି। ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଦଉଡିର ନାମ ହେଉଛି ଶଙ୍ଖଚୁଡ। ଦଉଡିର ଲମ୍ବ ହେଉଛି ୨୫୦ଫୁଟ ଓ ମୋଟେଇ ୮ଇଞ୍ଚ। ବିଶ୍ୱାସ ରହିଛି ରଥଦଉଡି ଉପରେ କେବଳ ହାତ ପକାଇଦେଲେ ମହାପ୍ରଭୁଙ୍କ ରଥ ଆପେଆପେ ଗଡିଚାଲେ। ସାରଥୀ ଆଉ ଘୋଡା ଭଳି ରଥଦଉଡିର ଭୁମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ।


ସେପଟେ ମହାପ୍ରଭୁଙ୍କ ରଥ ଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ରଥ ଖଳା। ରଥ ନିର୍ମାଣ କାର୍ଯ୍ୟକୁ ଆଗେଇ ନେଉଛନ୍ତି ରଥ ନିର୍ମାଣକାରୀ ସେବକ। ତିନି ରଥର 'ପ୍ରଥମ ଭୂଇଁ' ନିର୍ମାଣ ମହାରଣା ସେବକଙ୍କ ଦ୍ୱାରା ଶେଷ ହେବା ପରେ ତିନି ରଥ ପ୍ରଥମ ଭୂଇଁର ଅଂଶର ନମ୍ବରିଂ କରାଯାଇଛି। ନମ୍ବରିଂ ପରେ ପ୍ରଥମ ଭୂଇଁକୁ ଖୋଲାଯାଇ ରଥଖଳା ଠାରେ ଭୋଇ ସେବକ ସାଇତି ରଖିଥିଲେ। ତିନି ରଥର ଚାରିନାହାକାରେ ପ୍ରଥମ ଭୂଇଁ ଚଉତା ବା ଛକାଠ ସେଟିଙ୍ଗ ହୋଇ ମହାରଣା ଏବଂ ଭୋଇ ସେବକଙ୍କ ଦ୍ୱାରା କଣ୍ଟା ବାଡ଼ିଆ କାର୍ଯ୍ୟ ଶେଷ ହୋଇଅଛି।


ତିନି ରଥର ଚଉଦ ନାହାକା ଉଠିବା ପରେ ପ୍ରଥମ ଭୂଇଁର ବାକି ଅଂଶ ଯଥା ୪ ଖମ୍ବୀ, ୨୪ ପାଖୁଡା, ୧୬ ଛିଆଣ, ପାଖୁଡାକୁ ଧରିରଖିବା ପାଇଁ ଭୂଇଁ ଖମ୍ବୀ ଆଦି ସଂଯୋଗ ହେବ। କରତି ସେବକ ୬ ଫୁଟ ମାପର ନଡ଼ିଆ ଗର ଅର୍ଥାତ 'ଖଦି ଓରା' ଗଡକରି ତିନି ରଥ ମହାରଣା ସେବକଙ୍କୁ ଯୋଗାଇ ଦିଆଯାଇଥିଲା। ମହାରଣା ସେବକ ଖଦି ଓରାରେ କାପ ଏବଂ ବିନ୍ଧ କରି ତିନି ରଥର ଦଣ୍ଡାରେ ଆଡ କରି ଫିଟିଙ୍ଗ କରିଛନ୍ତି। ଖଦିଓରାରେ ଚଉଦ ନାହାକା ସଂଯୋଗ ହୋଇ ଉଠିଲା ପରେ ଏହି କାର୍ଯ୍ୟ ଶେଷ ହୋଇଛି। ପ୍ରଥମ ଭୂଇଁର ବାକି ଅଂଶ ଚଉଦ ନାହାକା ସଂଯୁକ୍ତ ହେବ।


ମହାରଣା ସେବକ ରଥ ଖଳାରେ ଦ୍ୱିତୀୟ ଭୂଇଁର ଫ୍ରେମ ନିର୍ମାଣ ଜାରି ରଖିଛନ୍ତି। ରୂପକାର ସେବକ ତିନି ରଥର ନାଟ ଗୋଡ଼ରେ କନ୍ଦର୍ପ ରୂପ ଖୋଦେଇ ସହ ତିନି ରଥ ଧୂଳି ଦଣ୍ଡାରେ ପଦ୍ମ ପାଖୁଡା ଡାଳିକତା ଖୋଦେଇ ଜାରି ରଖିଛନ୍ତି। ଦୋଳବେଦୀ କମାର ଶାଳରେ ଓଝା ସେବକ ତିନି ରଥର ପ୍ରଥମ ଭୂଇଁ କଣ୍ଟା, ତାଗ କଣ୍ଟା, କତରା କଣ୍ଟା ଏବଂ ଡମକ କଣ୍ଟା ନିର୍ମାଣ ଜାରି ରଖିଛନ୍ତି। ଚିତ୍ରକର ସେବାକାରୀ ତିନିରଥର ପାର୍ଶ୍ୱ ଦେବା ଦେବୀ, ଶଖି ଏବଂ ଶିଖର ଡମ୍ବରୁ ଆଦିରେ ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି। 


ଅନ୍ୟପଟେ ଆସନ୍ତା ୨୦ ତାରିଖରେ ପାଳିତ ହେବାକୁ ଯାଉଛି ବିଶ୍ୱ ନିୟନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ହେଲେ ଏହା ପୂର୍ବରୁ ଜୁନ ୪ ତାରିଖରେ ଶ୍ରକ୍ଷେତ୍ରରେ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି ମହାପ୍ରଭୁଙ୍କ ସ୍ନାନ ଯାତ୍ରା। ଚନ୍ଦନ ଯାତ୍ରା, ସ୍ନାନ ଯାତ୍ରା ପରେ ଏବେ ରଥଯାତ୍ରା ପାଇଁ ଭକ୍ତଙ୍କ ଲାଗି ଚଳଚଞ୍ଚଳ ହୋଇଉଠିଛି ଶୀକ୍ଷେତ୍ର।