Rukuna Rath Yatra 2024: ଆଜି ପବିତ୍ର ଅଶୋକାଷ୍ଟମୀ । ଏହି ଅବସରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ରୁକୁଣା ରଥରେ ବିଜେ କରି ରାମେଶ୍ବର ମନ୍ଦିର ଅଭିମୁଖେ ଯାତ୍ରା କରିବେ । ସାଙ୍ଗରେ ଦୋଳଗୋବିନ୍ଦ ଓ ଭଉଣୀ ରୁକୁଣୀ ମଧ୍ଯ ବିରାଜମାନ କରିବେ । ପ୍ରଭୁଙ୍କ ରଥ ଟାଣି ଜନ୍ମ ଜନ୍ମର ପାପ ଧୋଇବା ସହ କିଛି ପୂଣ୍ୟ ଅର୍ଜନ କରିବା ପାଇଁ ଏହି ଦିନକୁ ଅପେକ୍ଷା କରିଥାଆନ୍ତି ଶ୍ରଦ୍ଧାଳୁ । ଆଉ ଆଜି ଲୋକମାନଙ୍କ ଦୁଃଖ ବୁଝିବା ପାଇଁ ମନ୍ଦିରରୁ ବାହାରିବେ ପ୍ରଭୁ ଶ୍ରୀ ଲିଙ୍ଗରାଜ ।


COMMERCIAL BREAK
SCROLL TO CONTINUE READING

ଚୈତ୍ରମାସ ଶୁକ୍ଲ ଅଷ୍ଟମୀ ତିଥିରେ ଅଶୋକାଷ୍ଟମୀ ପଡ଼ିଥାଏ। ଏହି ଦିନ ଲିଙ୍ଗରାଜଙ୍କର ବିଜେ ପ୍ରତିମା ଚନ୍ଦ୍ରଶେଖରଙ୍କ ସହ ବାସୁଦେବ ଓ ରୁକ୍ମିଣୀଙ୍କୁ ରଥରେ ବସାଇ ରାମେଶ୍ୱର ମନ୍ଦିର ଯାଏଁ ନିଆଯାଏ। ଏହି ରଥର ନାମ ‘ରୁକୁଣା ରଥ’। ରୁକୁଣା ରଥକୁ ‘ଅଣଲେଉଟା ରଥ’ ବୋଲି କୁହାଯାଏ। ଏ ରଥକୁ ଏପରି କହିବାର ଅର୍ଥ ଏହା ଯେ, ଏହାର ବାହୁଡ଼ା ଯାତ୍ରା ବେଳେ ରଥକୁ ବୁଲାଇ ମୋଡ଼ାଯାଏ ନାହିଁ। କେବଳ ରଥର ସମ୍ମୁଖ ଭାଗକୁ ବନ୍ଦ କରାଯାଇ ରଥ ଉପରେ ଥିବା ସିଂହାସନକୁ ପଛକୁ ଘୁରାଇ ଦିଆଯାଏ ଯାହାକି ସମ୍ମୁଖ ପାର୍ଶ୍ୱ ରୂପେ କାର୍ଯ୍ୟ କରେ ।


ଅଶୋକାଷ୍ଟମୀ ପରଦିନ ରାମ ନବମୀ ପାଳନ କରାଯାଏ। ରାମ ନବମୀ ପୂର୍ବଦିନ ଅଶୋକ ନାମ ଯୋଡ଼ି ହୋଇ ଥିବାରୁ ରାମାୟଣର ଅଶୋକବନ କଥା ମନକୁ ଆସେ । ଏହି ଦିନ ସୀତା ଅଶୋକ ଜଳପାନ କରି ଦୁଃଖ ଭୁଲିଯାଇଥିବାରୁ ସେହିଦିନଠାରୁ ଏହି ଦିନଟି ପ୍ରସିଦ୍ଧ ହୋଇଛି ବୋଲି କୁହାଯାଏ ।


କାହିଁକି ରଥର ନାଁ ରୁକୁଣା ରଥ ?


ପ୍ରତ୍ୟେକ ବର୍ଷ ଚୈତ୍ର ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ରାମେଶ୍ୱର ପୀଠକୁ ଆସି ପୂଜା ଗ୍ରହଣ କରିବା ପାଇଁ ରାମଚନ୍ଦ୍ରଙ୍କ ଅନୁରୋଧ ରକ୍ଷା କରିବାକୁ ବଚନବଦ୍ଧ ହୋଇଥିବାରୁ, ପ୍ରଭୁ ଲିଙ୍ଗରାଜ ଏହିଦିନ ରଥଯାତ୍ରାରେ ରାମେଶ୍ୱର ମନ୍ଦିର ଆସି ପୁରୁଷୋତ୍ତମ ରାମଚନ୍ଦ୍ର ଓ ତାଙ୍କ ଭାଇମାନଙ୍କ ପୂଜା ଆତିଥ୍ୟ ଗ୍ରହଣ କରିଥାନ୍ତି। ଲିଙ୍ଗରାଜ ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା ଚନ୍ଦ୍ରଶେଖରଙ୍କ ସହିତ ବାସୁଦେବ ଓ ଲକ୍ଷ୍ମୀରୂପୀ ରୁକ୍ମିଣୀ ରଥଯାତ୍ରାରେ ଯାଉଥିବା ହେତୁ ରୁକ୍ମିଣୀଙ୍କ ନାମରେ ଏହି ରଥକୁ ‘ରୁକୁଣା ରଥ’ ବୋଲି କୁହାଯାଏ।

 


ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା ପାଇଁ ପ୍ରସ୍ତୁତ ରହିଛି ରଥ ପଥ । ଏହାକୁ ଦୃଷ୍ଟିରେ ରଖି ଏକାମ୍ରକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ଯ କଡାକଡି କରିବା ସହ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥାର ଆୟୋଜନ କରିଛି ପ୍ରଶାସନ । ସେହିପରି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ କରଯାଇଥିବା ବେଳେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ପ୍ରସ୍ତୁତ ରହିଛନ୍ତି କର୍ମୀ ଓ ସମାଜସେବୀ ସଂଗଠନ । ତେବେ ଏକାମ୍ର କ୍ଷେତ୍ରରେ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସମସ୍ତ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯାଇଛି । ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଥିବା ବେଳେ ଅନ୍ୟାନ୍ୟ ରୀତିନୀତି ମଧ୍ୟ ସମାପନ ହେବା ଉପରେ ପ୍ରସ୍ତୁତି ଶେଷ ହୋଇଛି ।


ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ କ୍ଷେତ୍ରରୁ ରୁକୁଣା ରଥ ବାହାରି ମାଉସୀ ମା’ ମନ୍ଦିର ଅଭିମୁଖେ ଯାତ୍ରା କରିବାର ବିଧି ରହିଛି । ଏହି ପବିତ୍ର ରଥଯାତ୍ରା ସମୟରେ ଭକ୍ତମାନଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଇଛି । ମହାପ୍ରଭୁ ଶ୍ରୀଲିଙ୍ଗରାଜ, ଦୋଳଗୋବିନ୍ଦ ଓ ଭଗ୍ନୀ ରୁକ୍ମଣୀ ରଥରେ ବିରାଜିତ ହେବେ । ମାଉସୀ ମା’ଙ୍କ ପୀଠରେ ୪ ଦିନ ଅବସ୍ଥାନ କରି ପୁଣି ଦ୍ୱାଦଶୀରେ ବାହୁଡ଼ିବେ ।