Odisha News: ରାଜ୍ୟକୁ ଦୁର୍ନୀତି ମୁକ୍ତ କରିବା ଉଦ୍ଦେଶ୍ୟରେ ସରକାର ସମସ୍ତ ସରକାରି ଦପ୍ତରରେ ଜନସାଧାରଣଙ୍କ ସୁବିଧା କୁ ଦୃଷ୍ଟିରେ ରଖି ଅତି ସହଜେ କାର୍ଯ୍ୟ ହାସଲ କରିପାରିବା ଏବଂ ଦଲାଲ ମୁକ୍ତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା କୁହାଯାଉଥିବା ବେଳେ ଅଧିକାଂଶ ସରକାରୀ କାର୍ଯ୍ୟାଳୟ ଏବେ ବି ଦଲାଲଙ୍କ କବଜାରେ ରହିଛି। ଯାହାର ଉଦାହରଣ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସଦରମହକୁମାରେ। ଆଜି ପାରଳାଖେମୁଣ୍ଡି ରେଜିଷ୍ଟର କାର୍ଯ୍ୟଳୟରେ ଅପ୍ରିତିକର ପରିସ୍ଥିତି ପାଇଁ କାର୍ଯ୍ୟାଳୟରେ ୧୪୪ ଧାରା ଜାରି କରାଯାଇଛି। କାର୍ଯ୍ୟାଳୟ ଭିତରେ ପସି ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହ କାର୍ଯ୍ୟ ରତ ଅଧିକାରୀଙ୍କୁ ଆକ୍ରମଣ କରିଥିବା ନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଏକ ମାମଲା ରୁଜୁ ହୋଇଛି । ଅଭିଯୋଗ ଆଧାରରେ ୭ ଜଣଙ୍କ ନାମରେ ସଙ୍ଗୀନ ଅଭିଯୋଗ ନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ନୋଟିସ ଜାରି କରିଥିବାର ଜଣାପଡିଛି।


COMMERCIAL BREAK
SCROLL TO CONTINUE READING

ଉକ୍ତ କାର୍ଯ୍ୟାଳୟର ନିବନ୍ଧକ ଈଶ୍ୱର ଚନ୍ଦ୍ର ସାହୁଙ୍କ ଅଭିଯୋଗ ପ୍ରକାରେ ସରକାରୀ ଦପ୍ତର ମଧ୍ୟରେ ପଶି ଆକ୍ରମଣ, ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା, କାର୍ଯ୍ୟରତ ଅଧିକାରୀଙ୍କୁ ଆକ୍ରମଣ ଭଳି ଏକାଧିକ ଦଫାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ଆକ୍ରମଣ ରେ ସାମିଲ ଥିବା ଓ ଘଟଣା ସମୟରେ ଉପସ୍ଥିତ ଥିବା କିଛି ଦଲାଲକୁ ଡାକି ପଚରା ଉଚରା କରୁଛି ପୋଲିସ । ଘଟଣା ପରେ ସରକାରୀ ସମ୍ପତ୍ତିର ସୁରକ୍ଷା ସହ ନିଜକୁ ଅସୁରକ୍ଷିତ ମନେ କରିବା ସହ ଦୁର୍ବୃତ୍ତ ମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ ସହ ପ୍ରଶାସନ କୁ ନିବେଦନ କରାଯାଇଥିବା ଜଣାପଡିଛି । ଏହା ସହ ପ୍ରଶାସନ ମଧ୍ୟ ଘଟଣାକୁ ଗୁରୁତର ସହ ନେଇ ରେଜିଷ୍ଟେର କାର୍ଯ୍ୟଳୟକୁ ଦଲାଲ ମୁକ୍ତ କରିବା ପାଇଁ ପଦକ୍ଷେପ ନିଆଯାଇଥିବାର ରେଜିଷ୍ଟ୍ରାର କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି । କାର୍ଯ୍ୟଳୟ ପରିସରରେ ପୋଲିସ ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରିବା ସହ କାର୍ଯ୍ୟାଳୟ ପରିସର ମଧ୍ୟକୁ ନୋଟିସ୍ ଜାରି ହୋଇଥିବା ୭ ଜଣଙ୍କ ନିମନ୍ତେ ୧୪୪ ଧାରା ଜାରୀ କରାଯାଇଛି । ସିସି ଟିଭି ଓ ଭିଡିଓ ଆଧାରରେ ଅନ୍ୟ ମାନଙ୍କୁ ଚିହ୍ନଟ କରିବା ସହ ତଦନ୍ତ ଜାରି ରଖିଛି ପୋଲିସ ।


ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ ଭୂପତି କହିଛନ୍ତି ଯେ, ଯେଉଁ ୭ଜଣଙ୍କ ନାମରେ ନୋଟିସ୍ ଜାରୀ କରାଯାଇଛି ସେମାନେ ବ୍ୟକ୍ତିଗତ କାର୍ଯ୍ୟରେ ରେଜିଷ୍ଟ୍ରାର କାର୍ଯ୍ୟାଳୟକୁ ଯାଇପାରିବେ କିନ୍ତୁ ସାମୁହିକ କାମରେ ଯାଇପାରିବେ ନାହିଁ। ଏହି ୭ ଜଣଙ୍କ ନିମନ୍ତେ ଆଗାମୀ ୧୦ ଦିନ ଯାଏଁ ୧୪୪ ଧାରା ବଳବତ୍ତର ରହିବ ବୋଲି ସୂଚନା ଦେଇଛନ୍ତି । ପ୍ରକାଶ ଯେ, ଗତ ପ୍ରାୟ ଏକମାସ ହେବ ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ବ୍ୟାପକ ଅନିୟମିତତା, ହାତଗୁଞ୍ଜା ଏବଂ ବେଞ୍ଚମାର୍କ ଅନୁଯାୟୀ ଫିରେ ଖିଲାପ ହେଉଥିବା ଅଭିଯୋଗ କରି ଆନ୍ଦୋଳନ ହେଉଥିଲା । ହେଲେ ଚଳିତ ମାସ ଦୁଇ ତାରିଖରେ ଦିନ କିଛି ଆନ୍ଦୋଳନକାରୀ ଧାରଣା ଦେବାସହ ଅଫିସ ଭିତରେ ପଶି ହୋହାଲ୍ଲା କରିଥିଲେ । ଯାହାକୁ ନେଇ ନିବନ୍ଧକ ଥାନାର ଦ୍ବାରସ୍ତ ହୋଇଛନ୍ତି ।