ପୁରୀ: ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ରୋକିବା ପାଇଁ ପ୍ରଶାସନ ଆରମ୍ଭ କରିଛି ପ୍ରୟାସ। ପଣା ସଂକ୍ରାନ୍ତିଠାରୁ ସକାଳେ ଓ ସଂଧ୍ୟାବେଳେ ଦୁଇଦୁଇ ଜଣ ଲେଖାଏଁ ପ୍ରତିହାରୀ ସେବାୟତ ସିଂହଦ୍ଵାରରେ ମୁତୟନ ରହିବେ। ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା ପରେ ଏହି ବ୍ୟବସ୍ଥା ଆରମ୍ଭ ହେବ ବୋଲି କୁହାଯାଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ଚାରି ଦୁଆରେ ପ୍ରତିହାରୀ ସେବାୟତ ମୁତୟନ ରହି ଅଣହିନ୍ଦୁ ମାନଙ୍କ ପ୍ରବେଶକୁ ରୋକିବାରେ ସହାୟକ ହେବ କହିଛନ୍ତି ବରିଷ୍ଠ ସେବାୟତ। ତେବେ ରେକର୍ଡ ଅଫ ରାଇଟସ୍ ଅନୁଯାୟୀ ପୂର୍ବରୁ ପ୍ରତିହାରୀ ସେବାୟତ ମାନେ ଶ୍ରୀମନ୍ଦିର ଚାରିଦୁଆର ମୁତୟନ ରହୁଥିବା ବେଳେ ପୋଲିସ ଆଉ ଜେଟିପି ମାନେ ଜଗୁଆଳି ଭାବେ ଡ୍ଯୁଟି କରୁଥିବା ହେତୁ କିଛିଦିନ ହେବ ସେ ବ୍ୟବସ୍ଥା ବନ୍ଦ ରହିଥିଲା। ତେବେ ପୁର୍ନବାର ପ୍ରତିହାରୀ ସେବାୟତମାନେ ସିଂହଦ୍ଵାର ଫିଟିବା ସମୟରେ ଓ ସଂଧ୍ୟାଧୂପ ପରେ ସେଠାରେ ମୁତୟନ ରହିବେ ବୋଲି ନିଯୋଗ ପକ୍ଷରୁ କୁହାଯାଇଛି। 


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ମାସରେ ସୁରକ୍ଷାବଳୟ ଭାଙ୍ଗି ଦୁଇଦୁଇ ଜଣ ବିଦେଶୀ ପର୍ଯ୍ୟଟକ ଶ୍ରୀମନ୍ଦିର ଭିତରେ ଅବାଧରେ ପ୍ରବେଶ କରିଥିଲେ। ସେବାୟତ ମାନେ ସେମାନଙ୍କୁ ଚିହ୍ନଟ କରି ସିଂହଦ୍ଵାର ଥାନାର ଜିମା ଦେଇଥିଲେ। ସେପଟେ ଦାୟିତ୍ବରେ ଥିବା ସୁରକ୍ଷାକର୍ମୀଙ୍କ ଅବହେଳା ଯୋଗୁଁ ଏଭଳି ବାରମ୍ବାର ଶ୍ରୀମନ୍ଦିର ଭିତରେ ଅଣହିନ୍ଦୁ ପ୍ରବେଶ କରୁଥିବା ଅଭିଯୋଗ ହେଵାପରେ ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ତେବେ ପ୍ରତିହାରୀ ସେବାୟତ ସିଂହଦ୍ଵାରରେ ଓ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ସମସ୍ତ ତିନିଦୁଆରରେ ମୁତୟନ ରହିଲେ ଅଣହିନ୍ଦୁ ପ୍ରବେଶ ଉପରେ ରୋକ୍ ଲାଗିବ ବୋଲି କହିଛନ୍ତି ପରିଚାଳନା କମିଟିରସଦସ୍ୟ।


ପୂର୍ବରୁ ଶ୍ରୀଜିଉଙ୍କ ଭୋଗ ସ୍ଥାନାନ୍ତର ସମେତ ପହଣ୍ଡି ସମୟରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ସୁରକ୍ଷା ଦେବା ଓ ଶ୍ରୀଜିଉଙ୍କ ଦର୍ଶନ ନିମନ୍ତେ ଆସୁଥିବା ଶ୍ରଦ୍ଧାଳୁଙ୍କ ସୁରକ୍ଷା ମଧ୍ୟ ପ୍ରତିହାରୀଙ୍କ ଉପରେ ନ୍ୟସ୍ତ ଥିଲା। ଏପରିକି ମୂଷା ନଦୀ, ମାଳିନୀ ନଦୀ, ଲୋକନାଥ ଘାଟ ପ୍ରଭୃତି ସ୍ଥାନରେ ମଧ୍ଯ ଘାଟଘର ପ୍ରତିହାରୀନିୟୋଜିତ ରହି ଯାତ୍ରୀକର ଆଦାୟ ଓ ସୁରକ୍ଷା ବ୍ୟବସ୍ଥା ତଦାରଖ କରାଯାଉଥିଲା । ଯାହାକି ଶ୍ରୀପୁରୁଷୋତ୍ତମ କର୍ମାଙ୍ଗୀ ପୁସ୍ତକରେ ମଧ୍ୟ ପ୍ରତିହାରୀଙ୍କ ସେବା ନେଇ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ହେଲେ ୧୮୫୬ରେ ଶ୍ରୀମନ୍ଦିର ଓ ଘାଟ ଜଗୁଥିବା ପଢ଼ିଆରୀଙ୍କୁ ହଟାଇ ଜେଟିପି ବା ବରଖନ୍ଦା ନିୟୋଜିତ କରାଯାଇଥିଲା। ୧୮୫୮ରେ ପଢ଼ିଆରୀଙ୍କ କାର୍ଯ୍ୟ ପୋଲିସକୁ ଦିଆଯାଇଥିଲା। ମାତ୍ର ଏବେ ବାରମ୍ବାର ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ କରୁଥିବାରୁ ଶ୍ରୀମନ୍ଦିରର ସୁରକ୍ଷା ବିପଦରେ ରହିଥିବା ଅନୁଭବ କରି ପ୍ରତିହାରୀ ପୁନଃ ପୂର୍ବଭଳି ସେବା ଆରମ୍ଭ କରିବାକୁ ନିଷ୍ପଭି ନେଇଛନ୍ତି। ଏବେ ପ୍ରାୟ ୩୫୦ ଜଣ ପଢ଼ିଆରୀ ସେବାୟତ ଥିବାବେଳେ ପ୍ରତିଦିନ ପ୍ରାୟ ୫୭ ଜଣ ପଢ଼ିଆରୀ ସେବାୟତ ଶ୍ରୀମନ୍ଦିର ଭିତରେ ବିଭିନ୍ନ ସ୍ଥାନରେ ସେବା ଦେଉଛନ୍ତି। ନୂଆ ନିଷ୍ପତ୍ତି କାର୍ଯ୍ୟକାରୀ ନେଇ ଶ୍ରୀମନ୍ଦିର ପ୍ରଶାସନ ଅନୁମତି ଦେଇଥିବା କହିଛନ୍ତି ଦୁର୍ଗାଦାସ ମହାପାତ୍ର।


Also Read- ବରିଷ୍ଠ ଅଭିନେତା ଦଲିପ ତାହିଲଙ୍କୁ ନେଇ ବିଜ୍ଞାପନ ସୁଟ୍ କଲେ ଦୟାନିଧି ଦାହିମା


Also Read- Mangal Gochar 2024 April: ବୃହସ୍ପତିଙ୍କ ଘରେ ମଙ୍ଗଳ ପ୍ରବେଶ, ୬ ଟି ରାଶିର ଲୋକଙ୍କୁ ମିଳିବ ଲାଭ