subhadra yojana: ରାଜ୍ୟରେ ଆରମ୍ଭ ହେବାକୁ ଯାଉଥିବା ‘ସୁଭଦ୍ରା’ ଯୋଜନାକୁ ନେଇ ଲୋକଙ୍କ ମନରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। କେବେ ଆରମ୍ଭ ହେବ ‘ସୁଭଦ୍ରା’ ଯୋଜନା, କାହାକୁ ମିଳିବ ଯୋଜନାରୁ ଲାଭ, ଏମିତି ଅନେକ ପ୍ରଶ୍ନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମିଶନ ଶକ୍ତି, ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ପ୍ରଭାତୀ ପରିଡ଼ା।


COMMERCIAL BREAK
SCROLL TO CONTINUE READING

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ହେବ। ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଯୋଜନାର ଉଦଘାଟନ କରିବେ।


ସରକାରକୁ ଆସିଲେ ଓଡ଼ିଶାର ମହିଳାମାନଙ୍କ ପାଇଁ ସୁଭଦ୍ରା ଯୋଜନା ଲାଗୁ କରିବାକୁ ବିଜେପି ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲା। ବିଜେପି ସରକାର ପ୍ରଥମ ବଜେଟରେ ‘ସୁଭଦ୍ରା’ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ୧୦ ହଜାର କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି।


ଉପମୁଖ୍ୟମନ୍ତ୍ରୀ କହିଛନ୍ତି, “ସୁଭଦ୍ରା ଯୋଜନା ପାଇଁ ଏସଓପି ପ୍ରସ୍ତୁତ କରାଯାଉଛି। କେବେଠାରୁ ଆବେଦନ କରାଯିବ ଏବଂ କେଉଁମାନେ ଆବେଦନ କରିବେ ଖୁବଶୀଘ୍ର ତାହା ସ୍ପଷ୍ଟ ହୋଇଯିବ। ବର୍ତ୍ତମାନ ସୁଦ୍ଧା ‘ସୁଭଦ୍ରା’ ଯୋଜନାରେ ଆବେଦନ କରିବା ଲାଗି ସରକାରଙ୍କ ପକ୍ଷରୁ କୌଣସି ଫର୍ମ ଜାରି କରାଯାଇ ନାହଁ।  ଏହି ଯୋଜନାକୁ ନେଇ ଔପଚାରିକ ଭାବେ ମଧ୍ୟ କୌଣସି ବିଜ୍ଞପ୍ତି ପ୍ରକାଶ କରାଯାଇ ନାହିଁ।”


ଉପମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଆଗାମୀ ଅଗଷ୍ଟ ୧୫ ତାରିଖ ସୁଦ୍ଧା ବୁଦ୍ଧିଜୀବୀ, ମହିଳା ଏବଂ ବିଭିନ୍ନ ବର୍ଗରଠାରୁ ଏସମ୍ପର୍କରେ ମତାମତ ନିଆଯାଇ ଏସଓପି ପ୍ରସ୍ତୁତ କରାଯିବ।


‘ସୁଭଦ୍ରା’ ଯୋଜନା ସମ୍ପର୍କରେ ରାଜ୍ୟସରକାର ସମସ୍ତଙ୍କ ଅବଗତି ନିମନ୍ତେ ବିଧିବଦ୍ଧ ଘୋଷଣା କରିବେ। ଏହି ଯୋଜାନାରେ ଆବେଦନ କରିବା ପାଇଁ ସରକାରଙ୍କ ପକ୍ଷରୁ କୌଣସି ଫର୍ମ ଜାରି କରାଯାଇ ନାହିଁ କିମ୍ବା କୌଣସି ଓ୍ଵେବସାଇଟ ଖୋଲାଯାଇ ନାହିଁ। ଏହାକୁ ନେଇ ଭ୍ରମିତ ନହେବାକୁ ଲୋକଙ୍କ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।