Road Accident: ଭୁବନେଶ୍ଵର, ସହିଦ ନଗର ଥାନା ଅନ୍ତର୍ଗତ ସତସଙ୍ଗ ବିହାର ନିକଟରେ ଆଜି ପୂର୍ବାହ୍ନରେ ସିରିଜ ଦୁର୍ଘଟଣା ଘଟିଛି। ଫଳରେ ୩ଟି କାର୍ ଭାଙ୍ଗି ଚୁରମାର ହୋଇଯାଇଛି। ଏଥିସହ ପ୍ରଥମେ ଦୁର୍ଘଟଣାଗ୍ରସ୍ତ ହୋଇଥିବା କାରର ଚାଳକ ଗୁରୁତର ହୋଇଛନ୍ତି। ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଘଟଣାସ୍ଥଳରେ ସହିଦ ନଗର ପୁଲିସ ପହଞ୍ଚି କ୍ରେନ୍ ସାହାଯ୍ୟରେ ଗାଡ଼ି ଗୁଡ଼ିକୁ ରାସ୍ତା କଡ଼କୁ ଆଣିଥିଲା। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କେତେଜଣ ଆହତ ହୋଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ଦୁର୍ଘଟଣା କାରଣରୁ ବାଣୀବିହାରରୁ ପଳାସୁଣି ପର୍ଯ୍ୟନ୍ତ ରାସ୍ତା ଜାମ ରହିଛି। 


COMMERCIAL BREAK
SCROLL TO CONTINUE READING

ଘଟଣାନୁଯାୟୀ, ଆଜି ପୂର୍ବାହ୍ନ ୯ଟା ବେଳେ ସତସଙ୍ଗ ବିହାର ନିକଟ ରାସ୍ତାରେ ଜଣେ ବୋଲେରୋ ଚାଳକ ଓ ଜଣେ ବାଇକ୍ ଚାଳକ ରାସ୍ତାରେ ଗାଡ଼ି ଛିଡ଼ା କରି କଥାବାର୍ତ୍ତା ହେଉଥିଲେ। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଶ୍ରୀ ଗୋପୀନାଥ  ବସ୍ ହଠାତ୍ ବ୍ରେକ୍ ମାରିବାରୁ ସେହି ଦିଗରେ ଆସୁଥିବା ଏକ କାର ସହ ଯାଇ ଧକ୍କା ହୋଇଥିଲା। ପରେ ଉକ୍ତ କାର ଯାଇ ଅନ୍ୟ କାର ସହ ଧକ୍କା ହୋଇଥିଲା। ଫଳରେ ଦୁର୍ଘଟଣାରେ କାର ଚାଳକ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ କାର ଚାଳକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସହାୟତାରେ ହସ୍ପିଟାଲ୍ ପଠାଇଛନ୍ତି। ତେବେ ଅନ୍ୟ ଗୋଟିଏ କାରର ସାମାନ୍ୟ କ୍ଷତି ହୋଇଥିବା ବେଳେ ବସରେ ଯାତ୍ରା କରୁଥିବା ଯାତ୍ରୀମାନେ ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି। ତେବେ ଏହି ଦୁର୍ଘଟଣା ଯୋଗୁଁ ବାନ୍ ବାଣୀବିହାର ଠାରୁ ରସୁଲଗଡ଼ ଓ ପଳାଶୁଣି ଯାଏଁ ଟ୍ରାଫିକ୍ ଜାମ୍ ହୋଇଥିଲା। 


ଅନ୍ୟପଟେ ସତସଙ୍ଗ ବିହାର ବସ ଷ୍ଟପରେ ପ୍ରତିଦିନ ଲୋକଙ୍କ ଭିଡ଼ ରହୁଛି। ବିଶେଷ କରି ବଡ଼ ବଡ଼ ବସ ଗୁଡ଼ିକ ପଛକୁ ପଛ ହୋଇ ଛିଡ଼ା ହେବାରୁ ଅନ୍ୟ ଗାଡ଼ି ଗୁଡିକ ପାସ କରିପାରୁ ନାହିଁ। ଫଳରେ ରାସ୍ତା ଜାମ ହେବା ସହ ଉକ୍ତ ସ୍ଥାନରେ ଗାଡ଼ି ଅଟକି ରହୁଛି। ଯାହାକୁ ନେଇ ଏହା ପୁର୍ବରୁ ଅନେକ ଥର ଦୁର୍ଘଟଣା ଘଟି ଅନେକ ନିରୀହ ଜୀବନ ଚାଲିଯାଇଛି। ପୁଲିସ ଏହି ସମସ୍ୟା ଉପରେ ଅଧିକ ନଜର ଦେବାକୁ ସାଧାରଣରେ ଦାବି ହୋଇଛି।


Written by Debabrata