Odisha News: ମାସେ ବାର ଦିନ ପୁରିଗଲା। ଏବେବି ଶୀତ କାକର ରେ ଭିଜି ଭିଜି ଧାରଣା ଜାରି ରଖିଛନ୍ତି ଶ୍ରମିକ । ପାରାଦୀପ ତୈଳ ବିଶୋଧନାଗାର ସାଉଥ ଗେଟ ୬ ନମ୍ବର ଫାଟକ ଆଗରେ ଜାନୁଆରୀ ପହିଲାରୁ ଆରମ୍ଭ ହୋଇଥିବା ପାଇପ ଲାଇନ ଡିଭିଜନର ଶ୍ରମିକମାନଙ୍କ ଧାରଣା ଧୀରେ ଧୀରେ ଉଗ୍ର ରୂପ ନେବାରେ ଲାଗିଛି । ଯଦି ବାର ଘଣ୍ଟା ମଧ୍ୟରେ ଶ୍ରମିକଙ୍କ ଦାବି କମ୍ପାନୀ କର୍ତ୍ତୃପକ୍ଷ ନମାନନ୍ତି ତେବେ ଆସନ୍ତା କାଲି ସକାଳ ଠାରୁ ଶ୍ରମିକ ମାନେ ଆମରଣ ଅନଶନ କରିବାକୁ ମଧ୍ଯ ଚେତାବନୀ ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ସୂଚନାନୁସାରେ ଏହି ଶ୍ରମିକ ମାନଙ୍କୁ ୨୦୧୬ ମସିହା ଠାରୁ ଅନ୍ୟାନ୍ୟ ଭତ୍ତା ବାବଦକୁ ଦୈନିକ ୧୪୦ ଟଙ୍କା ପାଇପ ଲାଇନ ଡିଭିଜନ ପ୍ରଦାନ କରୁଥିଲା। କିନ୍ତୁ ୨୦୧୮ ଠାରୁ ଏହାକୁ ବନ୍ଦ କରିଥିବା ବେଳେ ଶ୍ରମିକ ମାନେ ଏନେଇ ଜିଦରେ ଅଡି ବସିଛନ୍ତି | ଏହା ସାଙ୍ଗକୁ ଅନ୍ୟାନ୍ୟ ମୌଳିକ ସୁବିଧା ଆଦି ଯୋଗାଇବା ଦାବି ନେଇ ଶ୍ରମିକ ମାନେ ନିଜ ପରିବାର ସହିତ ଧାରଣା ଦେଇଥିବା ବେଳେ ବାରମ୍ବାର ଆଲୋଚନା ମଧ୍ଯ ବିଫଳ ହୋଇଛି।କାଲି ଠାରୁ ଶ୍ରମିକ ମାନଙ୍କ ଆମରଣ ଅନଶନ ଚେତାବନୀ ଏବେ ସମସ୍ତଙ୍କୁ ବେଶ ଚିନ୍ତାରେ ପକାଉଛି ବୋଲି କୁହାଯାଉଛି।


ପାରାଦୀପ ତୈଳ ବିଶୋଧନାଗାର ର ''ପାରାଦୀପ ହଳଦିଆ ବରୁଉଣୀ ପାଇପ୍ ଲାଇନ୍'' ଡିଭିଜନ ରେ ଦିର୍ଘ ୧୫ ବର୍ଷ ହେବ କାର୍ଯ୍ୟ କରୁଥିବା ଶ୍ରମିକ ଆଜି ନିଜ ନାର୍ଯ୍ୟ ଦାବିରେ ଆଠ ଦଫା ଦାବି ନେଇ ଧାରଣାରେ ବସିଛନ୍ତି। ୨୦୧୬ ମସିହା ସେଟେଲମେଣ୍ଟ ଅନୁଯାୟୀ ଦିନ ପିଛା ଅନ୍ୟାନ୍ୟ ଭତ୍ତା ବାବଦକୁ ୧୪୦ ଟଙ୍କା ପ୍ରଦାନ କରିବାକୁ ଚୁକ୍ତି ହୋଇଥିଲେ ମଧ୍ୟ ଚୁକ୍ତି ଖିଲାପ କରି ଚୁପଚାପ ବସି ରହିଛି କମ୍ପାନୀ।


ଏନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ କିଛି ଶୁଣୁ ନଥିବା ଓ ପରବର୍ତ୍ତୀ ସେଟେଲମେଣ୍ଟ କରୁନଥିବା ଅଭିଯୋଗ ହୋଇଛି। ଏହି ପରି ଶ୍ରମିକମାନଙ୍କ ବିଭିନ୍ନ ୮ ଦଫା ଦାବିକୁ ନେଇ ବିଶୋଧନାଗାର ସାଉଥ ଗେଟ ନିକଟରେ ଶତାଧିକ ଶ୍ରମିକ ମୁଣ୍ଡରେ କଳା ପଟି ବାନ୍ଧି ଶାନ୍ତପୂର୍ଣ୍ଣ ଭାବେ ଧାରଣାରେ ବସି ରହିଛନ୍ତି। ଏହା ଫଳରେ ପାରାଦୀପ ପାଇପ ଲାଇନ ସମେତ ବାଲେଶ୍ଵର ପର୍ଯ୍ୟନ୍ତ ସମସ୍ତ ପାଇପ ଲାଇନର ମେଣ୍ଟନାନ୍ସ କାର୍ଯ୍ୟ ଠପ ହୋଇ ଯାଇଛି। ତେବେ ଶ୍ରମିକମାନଙ୍କ ଦାବୀକୁ ଯଦିଓ କମ୍ପାନୀ କର୍ତ୍ତୃପକ୍ଷ ମାନି ନ ନିଏ, ତେବେ ଏହି ଧାରଣା ତୀବ୍ରତର ହେବ ବୋଲି ଶ୍ରମିକମାନେ ଚେତାବନୀ ଦେଇଛନ୍ତି।