Odisha News: (ନାରାୟଣ ବେହେରା) ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ''ସୁରଭି ''ଓ ଓଡିଶା ମିଲେଟ ପ୍ରତିଯୋଗିତା ୨୦୨୪ ଜଗତସିଂହପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ଶିଶୁ ମାନଙ୍କ ଦକ୍ଷତା ଓ ପ୍ରତିଭାକୁ ପ୍ରସ୍ଫୁଟିତ କରିବା ପାଇଁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରା ଙ୍କ ଅଧ୍ୟକ୍ଷତାରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଜଗତସିଂହପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ୍ ଯୋଗଦେଇ ପ୍ରତିଯୋଗିତା ରେ ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ହାର ଜିତକୁ ଭୁଲି ପ୍ରତ୍ୟେକ ପ୍ରତିଯୋଗିତାରୁ ଜୀବନର ଶିକ୍ଷା ଗ୍ରହଣ କରିବାକୁ ଉପଦେଶ ଦେଇଥିଲେ। 


COMMERCIAL BREAK
SCROLL TO CONTINUE READING

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ପ୍ରତିଟି ପିଲା ନିଜର ଦକ୍ଷତା ଓ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇଥାନ୍ତି ତେଣୁ କୌଣସି ସଙ୍କୋଚ ବା ଭୟ ନ କରି ଆଗକୁ ବଢ଼ି ସମସ୍ତେ ପ୍ରତିଯୋଗିତା ରେ ଭାଗ ନେବାପାଇଁ ବିଧାୟକ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ଶିଶୁମାନେ ନରମ ମାଟି ସଦୃଶ, ତେଣୁ ସେମାନଙ୍କୁ ଉଚିତ୍ ଭାବରେ ଗଢିତୋଳିବାର ଦାୟିତ୍ଵ ଶିକ୍ଷକ ଓ ଅଭିଭାବକ ମାନଙ୍କର ବୋଲି କହିବା ସହିତ ଉପସ୍ଥିତ ସମସ୍ତ ଶିକ୍ଷକ ମାନଙ୍କୁ ସେ କୃତଜ୍ଞତା ଜଣାଇଥିଲେ। ସଭାପତି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ସମଗ୍ର ଶିକ୍ଷାର ଜିଲ୍ଲା ପ୍ରକଳ୍ପ ସଂଯୋଜକ ନିରଞ୍ଜନ ବେହେରା ''ସୁରଭି ''କୁ ପିଲାମାନଙ୍କ ପାଇଁ ଦୁନିଆ ଦେଖିବାର ବଡ ଝରକା ବୋଲି ସମ୍ବୋଧନ କରି ଏଥିରେ ଅୟୋଜିତ ବିଭିନ୍ନ ପ୍ରତିଯୋଗୀତାରେ ଭାଗନେଇ ଜୀବନ ରେ ଉନ୍ନତି କରିବା ପାଇଁ କହିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଜ୍ୟଶ୍ରୀ ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପରେଶ୍ ପାତ୍ର, ଜଗତସିଂହପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମିହିର କୁମାର ପାଲ ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ।


ଚଳିତ ବର୍ଷ ଏହି ଶିଶୁ ମହୋତ୍ସବରେ ଜିଲ୍ଲା ର ବିଭିନ୍ନ ବିଦ୍ୟାଳୟର ୨୮୦ ଜଣ ପ୍ରତିଯୋଗୀ, ଯେଉଁମାନେ ପ୍ରଥମେ କ୍ଲଷ୍ଟର,ପରେ ବ୍ଲକ ସ୍ତରରେ ମନୋନୀତ ହୋଇ ଆଜି ଜିଲ୍ଲା ସ୍ତରରେ ଭାଗ ନେଇଛନ୍ତି।ଏଠାରେ ଉନ୍ନୀତ କୃତୀ ଛାତ୍ରଛାତ୍ରୀ ରାଜ୍ଯ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ।ଏହି ଅବସରରେ ସୁରଭି ଅନ୍ତର୍ଗତ ତର୍କ, ପ୍ରବନ୍ଧ, କୁଇଜ୍, ସୃଜନାତ୍ମକ ଲେଖନୀ, ଚିତ୍ରାଙ୍କନ, ସଙ୍ଗୀତ, ଇଲୋକ୍ୟୁସନ,ଏମ ଡି ଏମ ଆର୍ଟ ଆଣ୍ଡ କ୍ରାଫ୍ଟ, ସାଂସ୍କୃତିକ ନୃତ୍ଯ ପ୍ରତିଯୋଗିତା ଗୁଡିକ ଅନୁଷ୍ଠିତ ହୋଇଥିଲା। ପରିଶେଷରେ ଜିଲ୍ଲା ଶିକ୍ଷା ଅଧିକାରୀ ସମସ୍ତ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ଏଥିରେ ସରକାରୀ ବାଳିକା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ବ୍ଲକ ଶିକ୍ଷା ଅଧିକାରୀ, ସି ଆର୍ ସି ସି ତଥା ଶିକ୍ଷା ବିଭାଗର କର୍ମଚାରୀମାନେ ସହାୟତା କରିଥିଲେ।