Bangladeshi: ରାଜ୍ୟରେ ଆରମ୍ଭ ହୋଇଛି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପ୍ରକ୍ରିୟା। ଏଥିଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଭାବେ ଚିହ୍ନଟ ଅଭିଯାନ ଆରମ୍ଭ କରିବାକୁ କୁହାଯାଇଛି। ଏନେଇ ସମସ୍ତ ଜିଲ୍ଲାପାଳ ଏବଂ ଏସ୍‍ପିଙ୍କୁ ନିର୍ଦ୍ଦେଶନାମା ପଠାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବିଧାନସଭାରେ କହିଛନ୍ତି। 

ସେ କହିଛନ୍ତି, ୨୦୨୧ ମସିହା ସୁଦ୍ଧା ରାଜ୍ୟରେ ସମୁଦାୟ ୩୭୪୦ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ବେଆଇନ ଭାବେ ରାଜ୍ୟରେ ବସବାସ କରୁଛନ୍ତି । ବିଭିନ୍ନ ଜିଲ୍ଲା ଯଥା ବରଗଡରେ  ୨ ଜଣ ଅନୁପ୍ରବେଶକାରୀ ଥିବାବେଳେ ଭଦ୍ରକରେ ୧୯୯ ଜଣ, କେନ୍ଦ୍ରାପଡ଼ାରେ ୧୬୪୯ ଜଣ, ଭୁବନେଶ୍ଵର ୧୭ ଜଣ, ଜଗତସିଂପୁରରେ ୧୧୧୨ ଜଣ ମାଲକାନଗିରିରେ ୬୫୫ ଜଣ ଓ ନବରଙ୍ଗପୁର ଜିଲ୍ଲାରେ ୧୦୬ ଜଣ  ବାଂଲାଦେଶୀ ଅନୁପ୍ରବେଶକାରୀ ବସବାସ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ଏକ ଅଣତାରକା ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ମାଝି କହିଛନ୍ତି, ତହସିଲ,ବ୍ଲକ, ଥାନା ସ୍ତରରେ କମିଟି ଗଠନ କରି ବେଆଇନ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବାକୁ କୁହାଯାଇଛି। ଏହି କମିଟି ରାଜ୍ୟର ଅନ୍ୟ ଅଞ୍ଚଳ ବ୍ୟତୀତ ଭୁବନେଶ୍ୱର,କେନ୍ଦ୍ରାପଡା ଓ ପୁରୀରେ ଥିବା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବାକୁ କୁହାଯାଇଛି ।  ବିଧାନସଭାରେ ବିଧାୟକ ଭାସ୍କର ମଢ଼େଇ ଏହି ପ୍ରଶ୍ନ ପଚାରିଥିଲେ। 

ନିକଟରେ ବାଂଲାଦେଶରେ ସୃଷ୍ଟି ହୋଇଥିବା ରାଜନୀତିକ ଅସ୍ଥିରତାକୁ ଦେଖି ଭାରତକୁ ଅନେକ ନାଗରିକ ଅନୁପ୍ରବେଶ କରିଥିବା ଆଶଙ୍କା କରାଯାଇଛି। ଏପରିକି ଜଳପଥ ବାଟ ଦେଇ ଓଡ଼ିଶାକୁ ମଧ୍ୟ କିଛି ବାଂଲାଦେଶୀ ଅନୁପ୍ରବେଶ କରିଥିବା ଆଶଙ୍କା କରାଯାଇଛି। ପୂର୍ବରୁ ଏ ବାବଦରେ ସତର୍କ ରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟମାନଙ୍କୁ ଅବଗତ କରାଯାଇଥିଲା। ଏପରିକି ରାଜ୍ୟର ସାମୁଦ୍ରିକ ଥାନାଗୁଡ଼ିକୁ ଏ ବାବଦରେ ସତର୍କ କରାଯାଇଥିଲା। ତଥାପି ଛଦ୍ମ ବେଶରେ କିଛି ବାଂଲା ନାଗରିକ ରାଜ୍ୟ ଭିତରକୁ ଅନୁପ୍ରବେଶ କରିଥିବା ସନ୍ଦେହ କରି ରାଜ୍ର ସରକାରଙ୍କ ପକ୍ଷରୁ ଏପରି କମିଟି ଗଠନ କରାଯାଇଛି।