Odisha Politics: ଭୁବନେଶ୍ୱର:  ବିଜେଡି ରାଜନୀତିରେ ନେତାମାନେ ନିଜକୁ ସଙ୍କୁଚିତ ମନେ କରୁଥିବା ବେଳେ ରାଜ୍ୟରେ କାର୍ଯ୍ୟକରୁଥିବା ଅଫିସରଙ୍କ ନେତା ହେବାର ନିଶା ବଢୁଛି। ପୁଣି ଏହା ପରୋକ୍ଷ ନୁହେଁ ପ୍ରତ୍ୟକ୍ଷ ଭାବେ। ବିଭିନ୍ନ ପ୍ରଶାସନିକ ସେବାରେ ନିଜର ସ୍ଥିତି ଓ ପାରିବାରିକ ବ୍ୟବସ୍ଥାକୁ ସୁଧାରିଲା ପରେ ଏବେ ସେମାନେ ଆଉ ଅଧିକାରୀ ହୋଇ ରହିବାକୁ ଚାହୁଁ ନାହାନ୍ତି, ବରଂ ଭିଆର୍‍ଏସ୍‍ ନେଇ ନେତା ହେବା ଲାଗି ପ୍ରୟାସରତ। ଏ ପ୍ରୟାସରେ ଖାଲି ଯେ ଭିକେ ପାଣ୍ଡିଆନ୍‍ ଅଛନ୍ତି ତା’ ନୁହେଁ ଅନେକ ଅଧିକାରୀ ତାଙ୍କ ପୂର୍ବରୁ ଓ ପରେ ସେ ଦେଖାଇଥିବା ରାସ୍ତା ଆପଣାଇବାକୁ ଅପେକ୍ଷା କରିଛନ୍ତି। ଆସନ୍ତୁ ସେ ତାଲିକା ଉପରେ ଟିକେ ନଜର ପକାଇବା। 


COMMERCIAL BREAK
SCROLL TO CONTINUE READING

ଆରମ୍ଭ କରିବା ବିଜେଡିର ଆଭ୍ୟନ୍ତରୀଣ ଗୁଇନ୍ଦା ରିପୋର୍ଟକୁ ନେଇ, ଯାହା ଏହି ଆଲୋଚନାର ମୁଖ୍ୟ ପୃଷ୍ଠପୋଷକ। ଏହି ରିପୋର୍ଟ ଅନୁସାରେ ରାଜ୍ୟର ୬୫ଟି ନିର୍ବାଚନ ମଣ୍ଡଳୀରେ ବିଜେଡି ତା’ର ପୂର୍ବ ପ୍ରାର୍ଥୀଙ୍କୁ ବଦଳାଇ ନୂଆ ପ୍ରାର୍ଥୀଙ୍କ ମାଧ୍ୟମରେ ଲୋକଙ୍କୁ ସାମ୍ନା କରିବ ବୋଲି  ଚର୍ଚ୍ଚା ହେଉଛି। ଯଦି ବିଜେପି ସହ ମେଣ୍ଟ ହୁଏ ତେବେ ଏଥିରୁ କିଛି ଆସନ ବିଜେପି ହାତକୁ ଯାଇପାରେ। ନହେଲେ ରାଜ୍ୟ ରଣନୀତିକାରଙ୍କ ପକ୍ଷରୁ ଏଠାରେ କିଛି ନେତାଙ୍କୁ ବଦଳାଇ ଭାବମୂର୍ତ୍ତି ଭଲ ରଖିଥିବା ଅଧିକାରୀଙ୍କୁ ନିର୍ବାଚନ ଲଢ଼ିବାର ସୁଯୋଗ ମିଳିପାରେ। ଏଥିଲାଗି କିଛି ଅଧିକାରୀଙ୍କ ନାଁ ନିଶ୍ଚିତ ବି କରାଯାଇଛି। ସେ ଭିତରେ ଯେଉଁ ଅଧିକାରୀମାନଙ୍କ ନାଁ ସାମ୍ନାକୁ ଆସୁଛି ସେ ଭିତରେ ଆଗରେ ଅଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ତଥା ଏବେକାର ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କାର୍ତ୍ତିକେୟ ପାଣ୍ଡିଆନ୍‍। ୨୩ ତାରିଖ ଦିନ ତାଙ୍କର ଇସ୍ତଫାପତ୍ର ଗ୍ରହଣ ପରେ ୨୪ ତାରିଖ ଦଶହରାରେ ତାଙ୍କୁ କ୍ୟାବିନେଟ୍‍ ମନ୍ତ୍ରୀପାହ୍ୟା ଦେଇ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ଅବସ୍ଥାପିତ କରାଯାଇଛି। 


ତାଙ୍କୁ କେନ୍ଦ୍ର କରି ସାମାଜିକ ଗଣମାଧ୍ୟମ ସହ ମୁଖ୍ୟସ୍ରୋତ ଗଣମାଧ୍ୟମ ବି ବିଶେଷ ମୁଖର ହୋଇଛନ୍ତି। କିଏ ‘ଗୋବିନ୍ଦ ବିଦ୍ୟାଧର’, ‘କଳାପାହାଡ଼’ ‘ଚୋଡ଼ଗଙ୍ଗଦେବ’ଙ୍କ ସହ ତୁଳନା କରି ସମାଲୋଚନା କରୁଛନ୍ତି ଆଉକିଛି ରାଜ୍ୟ ‘ରୂପାନ୍ତରଣ’ର ସାରଥି କହି ତାଙ୍କୁ ପ୍ରଶଂସା ମୁକୁଟ ପିନ୍ଧାଉଛନ୍ତି। ଏପ୍ରସଙ୍ଗକୁ କେନ୍ଦ୍ରୀଭୂତ ନକରି ଆମେ ତାଙ୍କର ନିର୍ବାଚନ ଲଢ଼ିବା ବିଷୟକୁ ଆଲୋଚନା ପରିସରକୁ ନେବା। ଗଞ୍ଜାମ ଜିଲ୍ଲାପାଳ ସମୟରେ ମୁଖ୍ୟମନ୍ତ୍ରୀଙ୍କ ନିକଟତର ହୋଇଥିବା  ୨୦୦୦ ବ୍ୟାଚ୍‍ର  ଆଇଏଏସ୍‍ ଅଧିକାରୀ ଶ୍ରୀ ପାଣ୍ଡିଆନ୍‍  ଏଥର ଗଞ୍ଜାମର କୌଣସି ଏକ ନିର୍ବାଚନ ମଣ୍ଡଳୀରୁ ବିଧାନସଭା ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।  ଏପରିକି ସେ ପ୍ରାର୍ଥୀ ହେଲେ ବିଜେଡି ସଂଗଠନ ତାଙ୍କୁ ପୂର୍ଣ୍ଣ ସହାୟତା ଅଜାଡ଼ି ଦେବ ବୋଲି ବିଜେଡିର ନେତାମାନେ କହିଛନ୍ତି। ନିଜ କଥାବାର୍ତ୍ତା, ଭାଷା, ଚାଲିଚଳଣରେ ଦକ୍ଷିଣ ଓଡ଼ିଶାର ଛାପ ବହନ କରୁଥିବା ଶ୍ରୀ ପାଣ୍ଡିଆନ୍‍ ବ୍ରହ୍ମପୁରରୁ ବିଜେଡି ପାଇଁ ସୁରକ୍ଷିତ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଯଦିଓ ଗୋପାଳପୁର ବିଜେଡିର ସବୁଠାରୁ ଚର୍ଚ୍ଚିତ ଆସନ କିନ୍ତୁ ଏହିଠାରୁ ସେ ପ୍ରାର୍ଥୀ ହୋଇ ନପାରନ୍ତି।


ଯଦି ଗଞ୍ଜାମ ବିବାଦକୁ ସେ ଗ୍ରହଣ ନକରନ୍ତି ତେବେ ରଣନୀତିକ ଦୃଷ୍ଟିକୋଣରୁ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ତାଙ୍କ ପାଇଁ ସୁରକ୍ଷିତ ରହିବ। ଯଦିଓ  ଏ ନିର୍ବାଚନ ମଣ୍ଡଳୀକୁ ବର୍ତ୍ତମାନର ମନ୍ତ୍ରୀ ଅତନୁ ସବ୍ୟସାଚୀ ପ୍ରତିନିଧିତ୍ୱ କରୁନ୍ତି କିନ୍ତୁ ସେ ନିଜର ବର୍ତ୍ତମାନର ରାଜନୀତିକ ସୁରକ୍ଷା ଲାଗି ଏ ଆସନକୁ ଉତ୍ସର୍ଗ କରିପାରନ୍ତି। ପାଣ୍ଡିଆନ୍‍ଙ୍କ ପରେ ଯେଉଁ ଅଧିକାରୀ ଚାକିରି ଛାଡ଼ି ପୁଣିଥରେ ସରକାରଙ୍କ ଦ୍ୱାରା ଚାକିରିରେ ଥଇଥାନ ହୋଇଛନ୍ତି ସେ ହେଲେ ମନୋଜ ମିଶ୍ର। ଭାରତୀୟ ରେଳବାଇ ସେବା  ଚାକିରି ଛାଡ଼ି ସେ ଏବେ ପ୍ରଯୁକ୍ତି ବିଦ୍ୟା ବିଭାଗରେ ସଚିବ ପାହ୍ୟାରେ ଅବସ୍ଥାପିତ। ରାଜ୍ୟ ସରକାରଙ୍କ ସୋଶାଲ୍‍ ମିଡିଆ କ୍ୟାମ୍ପେନର ସେ ପ୍ରମୁଖ ବ୍ୟକ୍ତି। ସେ ଢେଙ୍କାନାଳରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। 


ବର୍ତ୍ତମାନ ଉନ୍ନୟନ କମିଶନ ଥିବା ସତ୍ୟବ୍ରତ ସାହୁଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ସେ ଖୁବ୍‍ ଶୀଘ୍ର ଚାକିରିରୁ ଅବ୍ୟାହତି ନେଇ ରାଜନୀତିରେ ଯୋଗ ଦେଇପାରନ୍ତି।  ଢେଙ୍କାନାଳ ଜିଲ୍ଲାର  ‘କାମାକ୍ଷା ନଗର’ ଆସନ ପାଇଁ ସେ ଆଶା ରଖିଥିବା କୁହାଯାଉଛି। 
ଖବରକାଗଜର ଚର୍ଚ୍ଚା ଅନୁସାରେ ଢେଙ୍କାନାର ଜିଲ୍ଲାପାଳ ପଦବୀରୁ ନିକଟରେ ଅବ୍ୟାହତି ନେଇଥିବା ସରୋଜ କୁମାର ସେଠୀଙ୍କୁ ବି ରାଜନୀତିକ ମଇଦାନରେ ଦେଖିବାକୁ ମିଳିପାରେ। କୁହାଯାଉଛି ସେ ବି ଚାକିରି ଜୀବନରୁ ସନ୍ୟାସ ନେବା ଲାଗି ଶ୍ରୀ ପାଣ୍ଡିଆନଙ୍କ ରାସ୍ତା ଆପଣାଇଛନ୍ତି। ରାଜ୍ୟ ସରକାରଙ୍କୁ ଭିଆରଏସ୍‍ ଲାଗି ଆବେଦନ କରିଛନ୍ତି। ସେ  ନୀଳଗିରିର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ସହ ଯୋଡ଼ା। ପୁଣି ନୀଳଗିରି ବିଧାୟକଙ୍କୁ ବିଜେଡିରୁ ବହିଷ୍କାର କରାଯିବା ପରେ ସେରାଜଙ୍କ ନାଁରେ ଲାଗୁଥିବା ପୋଷ୍ଟର, ବ୍ୟାନର ରାଜନୀତିକ ବାର୍ତ୍ତା ପ୍ରଦାନ କରୁଛି। 


ପୂର୍ବରୁ ଜଗତସିଂହପୁରର ଜିଲ୍ଲାପାଳ ଥିବା ସେହି ଜିଲ୍ଲାର ବାସିନ୍ଦା ତଥା ଏବେ ସ୍କୁଲ୍‍ ଓ ଗଣଶିକ୍ଷା ସଚିବ ଭାବେ କାର୍ଯ୍ୟରତ ସଂଗ୍ରାମ ମହାପାତ୍ର ମଧ୍ୟ ରାଜନୀତି ଆଡ଼କୁ ଢଳି ରହିଥିବା ନେଇ ଚର୍ଚ୍ଚା ହେଉଛି। ସେ ପାରାଦୀପ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବେ ବୋଲି ତାଙ୍କ ନିକଟତର ମହଲ ସୂଚନା ଦେଇଛି। ପୂର୍ବରୁ ଏ ଆଲୋଚନା ଅନେକ ରହିଥିଲା କିନ୍ତୁ କିଛିଦିନ ପୂର୍ବେ ତାଙ୍କର ଶାରିରୀକ ଅସୁସ୍ଥତା କିଛି ପରିମାଣରେ ଏହି ଆଲୋଚନାକୁ ପ୍ରଶମିତ କରିଥିଲେ ମଧ୍ୟ ତାଙ୍କ ସମର୍ଥକ ଏଥିରେ ଅସହମତ ରହିଛନ୍ତି। 


ଭୁବନେଶ୍ୱର-କଟକ ପୁଲିସ କମିଶନରେଟ୍‍ର ମୁଖ୍ୟ ତଥା ଚହଲା ପାଣିରେ ଗୋଡ଼ ରଖୁ ନଥିବା ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ମଧ୍ୟ ବିଜେଡି ପ୍ରାର୍ଥୀ କରିବା ନେଇ ଯୋଜନା କରୁଥିବା ସୂଚନା ମିଳିଛି। ତାଙ୍କର ଜନ୍ମ ଓ ଲାଳନପାଳନ ଭୁବନେଶ୍ୱରରେ ହୋଇଥିବାରୁ ଆଇପିଏସ୍‍ ସୌମେନ୍ଦ୍ରଙ୍କୁ ବିଜେଡି ଭୁବନେଶ୍ୱରରୁ ସାଂସଦ ପ୍ରାର୍ଥୀ କରିପାରେ। ଆଉ ଅଳ୍ପଦିନ ତାଙ୍କ ଚାକିରି କାଳକୁ ସେ ଏଥିଲାଗି ଉତ୍ସର୍ଗ କରିପାରନ୍ତି। ପୂର୍ବରୁ ଦଳ ଅରୂପ ପଟ୍ଟନାୟକଙ୍କୁ ବିଜେଡିରୁ ପ୍ରାର୍ଥୀ କରି ସଫଳତା ପାଇ ନଥିଲା। 


ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରୁଥିବା ସାରଦା ପ୍ରସାଦ ପଣ୍ଡା ବି ଏହି ଧାଡ଼ିରେ ଥିବା ଆଉ ଏକ ନାଁ। ଅେନକ ଦିନ ହେଲା ସେ ଏହି ଭିବାଗରେ ଅନେକ ଦାୟିତ୍ୱ ସୁଚାରୁ ରୂପେ ତୁଲାଇ ଆସୁଛନ୍ତି। ଆହାର ଯୋଜନା ଭଳି ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମକୁ ସେ ବେଶ୍‍ ଭଲ ଭାବେ ତୁଲାଇଛନ୍ତି। କୁହାଯାଉଛି ତାଙ୍କ ଅଫିସଠୁ ଘର ସବୁଆଡ଼େ କୁଆଡ଼େ ଚର୍ଚ୍ଚା ଯେ ସେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରି ନିର୍ବାଚନ ପାଇଁ ପ୍ରାର୍ଥୀ ହେଉଛନ୍ତି। ସାରଦାବାବୁ ବି  ଏ ଚର୍ଚ୍ଚାକୁ ନ ଏଡ଼ାଇ ଅଧିକ ପ୍ରଶ୍ରୟ ବି ଦେଉଛନ୍ତି। ଏେନଇ ଅନେକ ଲୋକ ତାଙ୍କୁ ଦେଖା ହେଉଥିବା ବି ଜଣାପଡ଼ିଛି।


ଏ ତ ଗଲା ଚାକିରିରେ ଥିବା ଅଧିକାରୀଙ୍କ କଥା। ପୂର୍ବରୁ ଅବସର ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଥଇଥାନ ହୋଇଥିବା ଅଧିକାରୀଙ୍କ ଭିତରେ ମଧ୍ୟ ଅନେକଙ୍କର ରାଜନୀତି ପ୍ରତି ଅହେତୁକ ଦୁର୍ବଳତା ରହିଛି। ସୁବିଧା ମିଳିଲେ ଟିକଟ ଖଣ୍ଡକ ଆପଣାଇ ରାଜନୀତି କରିବାକୁ ଆଗ୍ରହୀ ରହିଛନ୍ତି। ସେମାନଙ୍କ ଭିତରେ ଗୋପାଳପୁରରେ ବିଜେଡି ଦାୟିତ୍ୱ ସମ୍ଭାଳୁଥିବା ଗୋପବନ୍ଧୁ ଦାସ ବି ରହିଛନ୍ତି। ଅପେକ୍ଷା ହେଉଛି ଯେ, କେବେ ତାଙ୍କ କପାଳରେ ନବୀନଙ୍କ ଟୀକା ଲାଗିବ ଆଉ ସେ ଟିକଟ ପାଇବେ।