Puri International Airport: ପୁରୀରେ ଆନ୍ତର୍ଜାତିକ ବିମାନବନ୍ଦରର ଭାଗ୍ୟକୁ ରାଜ୍ୟ ଉପରେ ଛାଡ଼ିଲେ କେନ୍ଦ୍ର ସରକାର
Puri International Airport: ପୁରୀରେ ଆନ୍ତର୍ଜାତିକ ବିମାନବନ୍ଦର କେବେ ହେବ? ଭୂମି ଅଧିଗ୍ରହଣ , ବିସ୍ଥାପନ ଓ ଥଇଥାନ କିପରି ହେବ ଏବଂ ସର୍ବୋପରି ପାଣ୍ଠି କେଉଁଠୁ ଆସିବ ତାହା ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରେ ବୋଲି କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ।
Puri International Airport: ପୁରୀରେ ଆନ୍ତର୍ଜାତିକ ବିମାନବନ୍ଦର କେବେ ହେବ? ଭୂମି ଅଧିଗ୍ରହଣ , ବିସ୍ଥାପନ ଓ ଥଇଥାନ କିପରି ହେବ ଏବଂ ସର୍ବୋପରି ପାଣ୍ଠି କେଉଁଠୁ ଆସିବ ତାହା ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରେ ବୋଲି କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ। ଏକଦା ପୁରୀ ଶ୍ରୀ ଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦରକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିବା ବେଳେ ଏହାର ଭାଗ୍ୟକୁ ଏବେ ରାଜ୍ୟ ଉପରେ ନ୍ୟସ୍ତ କରି ନିଜେ ହାଲୁକା ହୋଇଛନ୍ତି କେନ୍ଦ୍ର ସରକାର।
ପୁରୀରେ ଏକ ଗ୍ରୀନ୍ ଫିଲ୍ଡ ବିମାନ ବନ୍ଦର ସ୍ଥାପନ କରିବାକୁ ତତ୍କାଳୀନ ବିଜେଡି ସରକାର ପ୍ରଥମେ ଉଦ୍ୟମ ଆରମ୍ଭ କରିଥିଲେ। ଏଥିନେଇ ଜମି ଚିହ୍ନଟ ମଧ୍ୟ କରାଯାଇଥିଲା। କେନ୍ଦ୍ରକୁ ଆବଶ୍ୟକ ପ୍ରସ୍ତାବ ପଠାଯାଇଥିଲା। କେନ୍ଦ୍ର ସରକାରଙ୍କ ସମ୍ପୃକ୍ତ ବିଭାଗ ଏନେଇ ସେପ୍ଟେମ୍ବର ୨୨, ୨୦୨୩ ମସିହାରେ ଏଥିନେଇ କ୍ଷେତ୍ର ପରିଦର୍ଶନ କରିଥିଲେ। ଏବଂ କ୍ଷେତ୍ର ପାଇଁ ସବୁଜ ସଙ୍କେତ ଦେଇଥିଲେ। ଏ ଭିତରେ ଏକ ବର୍ଷରୁ ଅଧିକ ସମୟ ଅତିବାହିତ ହୋଇଛି। ରାଜ୍ୟରେ ଗୋଟିଏ ଦଳର ସରକାର ଯାଇ ଆଉ ଗୋଟିଏ ଦଳର ସରକାର ଆସିଛନ୍ତି। ପୁରୀକୁ ନେଇ ଅନେକ ଚର୍ଚ୍ଚା ହେଉଛି କିନ୍ତୁ ପ୍ରକଳ୍ପ ପାଦେ ଆଗେଇ ପାରୁ ନାହିଁ।
ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଏନେଇ ସାଧାରଣ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଏକ ପ୍ରଶ୍ନ ପଚାରିଥିଲେ। ଆଉ ଏହାର ଉତ୍ତରରେ ବିମାନ ଚଳାଚଳ ମନ୍ତ୍ରୀ କେ ରାମ ମୋହନ ନାଇଡ଼ୁ କହିଛନ୍ତି, ଏବେ ବିମାନ ବନ୍ଦରରର ବିକାଶ ସମ୍ପୃକ୍ତ ସଂସ୍ଥା ବା ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରୁଛି। କେନ୍ଦ୍ରମନ୍ତ୍ରୀଙ୍କ ଏହି ଉକ୍ତି ଏବେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି। ନୂଆ ସରକାର ଆସିବା ପରେ ଯଦିଓ ଏହି ପ୍ରକଳ୍ପକୁ ରଦ୍ଦ କରାଯାଇ ନାହିଁ କିନ୍ତୁ ଟେଣ୍ଡର କାର୍ଯ୍ୟ ଏଯାଏ ଶେଷ ହୋଇ ନାହିଁ। ଇଡ୍କୋ ପକ୍ଷରୁ ଡିସେମ୍ବର ୨୮ ତାରିଖ ୨୦୨୪କୁ ଟେଣ୍ଡର ପ୍ରକ୍ରିୟାର ଶେଷ ତାରିଖ ଭାବେ ଗ୍ରହଣ କରାଯାଇଛି।
ଏହି ବିମାନବନ୍ଦରଟି ଘରୋଇ ଭାଗିଦାରୀରେ ନିର୍ମାଣ କରାଯିବ। ଏଥିପାଇଁ ୧୫୦୦ ଏକର ଜମି ସରକାର ଯୋଗାଇଦେବେ। ପ୍ରସ୍ତେବିତ ବିସ୍ତୃତ ପ୍ରକଳ୍ପ ବିବରଣୀ ଅନୁସାରେ ଏହି ବିମାନବନ୍ଦରରେ ୫ ହଜାର ୬୩୧ କୋଟି ଟଙ୍କା ଖର୍ଚ୍ଚ ହେବ। ବ୍ରହ୍ମଗିରି ତହସିଲରେ ନିର୍ମାଣ ହେବାକୁ ଥିବା ଏହି ବିମାନବନ୍ଦର ତିନୋଟି ପର୍ଯ୍ୟାୟରେ ଶେଷ ହେବ। ପ୍ରଥମ ପର୍ଯ୍ୟାୟରେ ୪୬ଲକ୍ଷ ଯାତ୍ରୀଙ୍କ ଯାତାୟାତ ଲାଗି ବ୍ୟବସ୍ଥା କରାଯିବ ବୋଲି ରିପୋର୍ଟରୁ ସୂଚନା ମିଳିଛି।