Zero Fatality Week: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଥିବା ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ନେଇ ସରକାର ଡି଼ସେମ୍ବର ୧ରୁ ୭ ତାରିଖ ପର୍ଯ୍ୟନ୍ତ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିରେ ଦୁର୍ଘଟଣା ହ୍ରାସ, କଡ଼ା ଚେକିଂ ଓ ଆହତଙ୍କୁ ତୁରନ୍ତ ହସ୍ପିଟାଲ କିମ୍ବା ଟ୍ରମା କେୟାର ସେଣ୍ଟରରେ ଭର୍ତ୍ତି କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ପରିବହନ ବିଭାଗ ତଥ୍ୟ ଅନୁଯାୟୀ, ଚଳିତ ମାସ ଜାନୁୟାରୀରୁ ସେପ୍ଟେମ୍ବର ମାସ ମଧ୍ଯରେ ରାଜ୍ୟରେ ମୋଟ୍ ୮୯୩୯ ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ୪୧୭୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୮୯୮ ଜଣ ଆହତ ହୋଇଥିଲେ । ଗତବର୍ଷ ତୁଳନାରେ ଚଳିତ ବର୍ଷ ୨.୮୪% ଅଧିକ ଦୁର୍ଘଟଣା ହୋଇଛି । ତେବେ ଖାଲି ଦୁର୍ଘଟଣା ବଢିଛି ତାହା ନୁହେଁ, ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ୪.୮୯%କୁ ବୃଦ୍ଧି ପାଇଛି । ଆଶ୍ଚର୍ଯ୍ୟର କଥା, ୨୦୨୧ରେ ଯେତିକି ଦୁର୍ଘଟଣା ହୋଇଥିଲା ତାହାଠାରୁ ୬.୧୯% ଅଧିକ ଦୁର୍ଘଟଣା ୨୦୨୨ରେ ହୋଇଥିବା ବେଳେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ୭.୫%କୁ ବଢିଛି । ମାତ୍ର ୨୧ ମାସରେ ସଡ଼କ ଦୁର୍ଘଟଣା ୯.୦୩% ବଢ଼ିଥିବାବେଳେ ଦୁର୍ଘଟଣା ଜନିତ ମୃତ୍ୟୁ ୧୧.୩୯% ବୃଦ୍ଧି ପାଇଛି ।


ସେପଟେ ଶୂନ୍ୟ ସପ୍ତାହ ଆରମ୍ଭରୁ ଭୟଙ୍କର ଦୁର୍ଘଟଣାରେ ଚାଲି ଯାଇଛି ୭ ଜୀବନ । ଏହି ଦୁର୍ଘଟଣାରେ ୧୦ ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଗାଁ- ୨୦ ନଂ ଜାତୀୟ ରାଜପଥ ବାଲିଜୋଡ଼ି ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି (Road Accident in Keonjhar)। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗଞ୍ଜାମରୁ କେନ୍ଦୁଝର ମା’ ତାରିଣୀଙ୍କ ଦର୍ଶନ କରିବାକୁ ଆସୁଥିବାବେଳେ ଏଭଳି ଘଟଣା ଘଟିଥିବା ଜଣାପଡି଼ଛି ।


ଏହା ବି ପଢନ୍ତୁ-Road Accident: ଅଧା ରହିଲା ତାରିଣୀ ଦର୍ଶନ, ଛାତିଥରା ଦୁର୍ଘଟଣାରେ ଚାଲିଗଲା ୭ ଜୀବନ


ପ୍ରକାଶ ଥାଉ କି, ଗତ ଏପ୍ରିଲରେ ୧ରୁ ୭ ତାରିଖ ପର୍ଯ୍ୟନ୍ତ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ ହୋଇଥିବାବେଳେ ଏଥିରେ ଗତ ବର୍ଷର ଉକ୍ତ ସପ୍ତାହ ତୁଳନାରେ ୩୩% ଦୁର୍ଘଟଣା ଓ ୧୪.୬% ଦୁର୍ଘଟଣାଜନିତ ମୃତ୍ୟୁକୁ କମାଯାଇପାରିଥିଲା। ନୟାଗଡ଼, ବୌଦ୍ଧ, ରାୟଗଡ଼ା, ସୁବର୍ଣ୍ଣପୁର, ଭଦ୍ରକ ଓ ମା‌ଲକାନଗିରି‌ ଜିଲ୍ଲାରେ କୌଣସି ଦୁର୍ଘଟଣାଜନିତ ମୃତ୍ୟୁ ହୋଇନଥିଲା। ତେଣୁ ଏଥର ଯେପରି ଅଧିକ ଜିଲ୍ଲାରେ ଏହି ସପ୍ତାହରେ ଦୁର୍ଘଟଣାରେ ଶୂନ୍ୟ ମୃତ୍ୟୁ ହେବ ସେନେଇ ଜିଲ୍ଲାପାଳମାନଙ୍କୁ ବିଶେଷ ପଦକ୍ଷେପ ନେବାକୁ କୁହାଯାଇଛି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି।