Top 10 News Headlines: ଅପରାହ୍ନର ୧୦ ବଡ଼ ଖବର
ଚୁଟକିରେ ପଢି ନିଅନ୍ତୁ ଅପରାହ୍ଣର ୧୦ ବଡ଼ ଖବର
ଲୋକାର୍ପିତ ହେଲା ପୁରୀ ପରିକ୍ରମା ପ୍ରକଳ୍ପ
ବାଦ ବିବାଦ ପରେ ଲୋକାର୍ପଣ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଗଜପତି ମହାରାଜାଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି। ଫଳକରେ ନଡ଼ିଆ ପିଟି ପରିକ୍ରମା ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଆୟୋଜିତ ଏକ ଭବ୍ୟ ସମାରୋହରେ ଶୁଭଲଗ୍ନରେ ଶ୍ରୀମନ୍ଦିର ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ପରେ ପରେ ସାଢ଼େ ଗୋଟାଏରୁ ୨ଟା ମଧ୍ୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ତିନିଦିନିଆ ଯଜ୍ଞରେ ପୂର୍ଣ୍ଣାହୂତି ଦେଇଛନ୍ତି।
ଜାଲିକାଟ୍ଟୁ ପ୍ରତିଯୋଗିତା: ୨ ମୃତ
ପୁଣି ଜାଲିକାଟ୍ଟୁ ପ୍ରତିଯୋଗିତାରେ ଅଘଟଣ। ଶଣ୍ଢକୁ ଅଟକାଇବା ସମୟରେ ଜଣେ ନାବାଳକ ସମେତ ୨ ଜଣଙ୍କର ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଛି। ତାମିଲନାଡୁର ଶିବଗଙ୍ଗା ଅଞ୍ଚଳରେ ଏହି ଦୁଃଖଦ ଘଟଣା ଘଟିଛି। ମୃତ ନାବାଳକ ଜଣକ ପ୍ରତିଯୋଗୀ ଥିବାବେଳେ ଅନ୍ୟ ଜଣେ ଦର୍ଶକ ଥିଲେ। ନାବଳକ ଜଣକ ଶଣ୍ଢକୁ ଅଟକାଇବାକୁ ଉଦ୍ୟମ କରିବା ସମୟରେ ଏହି ଅଘଟଣ ଘଟିଛି। ହଠାତ୍ ଶଣ୍ଢ ତାଙ୍କୁ ଆକ୍ରମଣ କରିବା ସହ ଦର୍ଶକଙ୍କ ଉପରେ ଚଢି ଯାଇଥିଲା। ଫଳରେ ପ୍ରତିଯୋଗୀଙ୍କ ସମେତ ଦର୍ଶକଙ୍କ ମୃତ୍ୟୁ ଘଟିଛି।
ବିଳାସପୁରରେ ରେଳ ଦୁର୍ଘଟଣା
ଛତିଶଗଡ଼ର ବିଳାସପୁରରେ ରେଳ ଦୁର୍ଘଟଣା। ବିଳାସପୁର ରେଳ ଷ୍ଟେସନରେ ଘଟିଛି ଏହି ଦୁର୍ଘଟଣା। ଗତ ମଙ୍ଗଳବାର ରାତିରେ ଛତିଶଗଡ଼ ଏକ୍ସପ୍ରେସ ସିଗନାଲ ଭାଙ୍ଗି ଷ୍ଟେସନରେ ଥିବା ଷ୍ଟପର ଉପରକୁ ଚଢି ଯାଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଯାତ୍ରୀଙ୍କ ମଧ୍ୟରେ ହୋ ହଲ୍ଲା ଦେଖାଦେଇଥିଲା। ତେବେ ରିପୋର୍ଟ ଲେଖାଯିବା ବେଳକୁ କୌଣସି ମୃତାହତ ହୋଇନଥିବା ସୂଚନା ରହିଛି। ସେପଟେ ଏହି ଦୁର୍ଘଟଣା ପରେ ରେଳବାଇ କର୍ମଚାରୀଙ୍କ ଖାମଖିଆଲି ନୀତିକୁ ଦାୟୀ କରିଛନ୍ତି। ଏହି ଦୁର୍ଘଟଣାକୁ ନେଇ କିନ୍ତୁ କୌଣସି ରେଳବାଇ କର୍ତ୍ତୃପକ୍ଷ ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି।
ମଣିପୁରରେ ପୁଣି ହିଂସା, କମାଣ୍ଡୋଙ୍କୁ ଗୁଳି କରି ହତ୍ୟା
ମଣିପୁରରେ ଥମୁନି ହିଂସା। ପୁଣି ଏଠାରେ ସୁରକ୍ଷାକର୍ମୀ ଓ ଦୁର୍ବୃତ୍ତ ମୁହାଁମୁହିଁ ହୋଇଛନ୍ତି। ମଣିପୁରର ତେଙ୍ଗନୋଉପଲ ଜିଲ୍ଲାର ସୀମାବର୍ତ୍ତ ସହର ମୋରେହରେ ସୁରକ୍ଷାକର୍ମୀ ଓ କୁକି ସମ୍ପ୍ରଦାୟର କିଛି ଦୁର୍ବୃତ୍ତ ମଧ୍ୟରେ ଗୁଳିମାଡ ହୋଇଛି। ଏନେଇ ପୁଲିସ ସୂଚନା ଦେଇଛି।
ଘର ଖାଲି କରିବାକୁ ମହୁଆଙ୍କୁ ନୋଟିସ
ତୃଣମୂଳ କଂଗ୍ରେସ (ଟିଏମ୍ସି) ନେତ୍ରୀ ମହୁଆ ମୌତ୍ରଙ୍କ ଅସୁବିଧା କମିବାର ନାଁ ଧରୁନାହିଁ। ପ୍ରଥମେ ଲାଞ୍ଚ ନେବା ଏବଂ ସଂସଦରେ ପ୍ରଶ୍ନ ପଚାରିବାରୁ ତାଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଥିଲା। ବର୍ତ୍ତମାନ ଏକ ନୋଟିସ ଜାରି କରାଯାଇ ମହୁଆଙ୍କୁ ତୁରନ୍ତ ସରକାରୀ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଟିଏମସି ନେତ୍ରୀଙ୍କୁ ପ୍ରଥମରୁ ହିଁ ବଙ୍ଗଳା ଖାଲି କରିବାକୁ କୁହାଯାଇଥିଲା। ଏହାପରେ, ଜାନୁଆରୀ ୮ ତାରିଖରେରେ ଇଷ୍ଟେଟ୍ ନିର୍ଦ୍ଦେଶାଳୟ ତାଙ୍କୁ ଏକ ନୋଟିସ୍ ଜାରି କରି ୩ ଦିନ ମଧ୍ୟରେ ବଙ୍ଗଳା ଖାଲି ନକରିବାର କାରଣ ପଚାରିଥିଲେ। ମଙ୍ଗଳବାର ଇଷ୍ଟେଟ୍ ନିର୍ଦ୍ଦେଶାଳୟ ମହୁଆଙ୍କୁ ଅନ୍ୟ ଏକ ବିଜ୍ଞପ୍ତି ଜାରି କରି ତାଙ୍କୁ ତୁରନ୍ତ ସରକାରୀ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବଙ୍ଗଳା ତାଙ୍କୁ ସାଂସଦ ଭାବରେ ବଣ୍ଟନ କରାଯାଇଥିଲା।
ବରଗଡ଼ ଧନୁଯାତ୍ରାର ଦ୍ୱିତୀୟ ଦିବସ
ଜମୁଛି ବରଗଡ ଧନୁଯାତ୍ରା। ବିଶ୍ୱ ପ୍ରସିଦ୍ଧ ଏହି ଯାତ୍ରାର ଆଜି ହେଉଛି ଦ୍ୱିତୀୟ ଦିବସ। ଦ୍ୱିତୀୟ ଦିବସରେ କାରାଗାରରେ ଶ୍ରୀକୃଷ୍ଣଙ୍କ ଜନ୍ମ ଲୀଳା ମଞ୍ଚସ୍ଥ ହୋଇଛି। କଂସଙ୍କ କୋପରୁ ଅଷ୍ଟମ ଗର୍ଭ ସନ୍ତାନକୁ ବଂଚାଇବା ପାଇଁ ଗୋପପୁର ନେଲେ ବାସୁଦେବ । ଏପଟେ କଂସ ଦରବାରରେ ନାଚଗୀତର ଆସର ଜମିଛି । ବରଗଡ଼ ଧନୁଯାତ୍ରାର ଦ୍ୱିତୀୟ ଦିବସରେ ମହାରାଜ କଂସ ନଗର ଭ୍ରମଣରେ ବାହାରିଥିବା ବେଳେ ପ୍ରଜାଙ୍କ ମନୋରଂଜନ ପାଇଁ ରଙ୍ଗମହଲର ଉଦଘାଟନ କରିଛନ୍ତି ।
ପାକିସ୍ତାନ ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼
ପାକିସ୍ତାନର ବେଲୁଚିସ୍ତାନ ଉପରେ ଇରାନ ମିଶାଇଲ ମାଡ଼ କରିଥିବା ସୂଚନା ରହିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏହି କ୍ଷେପଣାସ୍ତ୍ର ମାଡ଼ ହୋଇଥିବା ଖବର ସାମ୍ନାକୁ ଆସିଛି। ତେବେ ଏହି ଆକ୍ରମଣକୁ ନେଇ ପାକିସ୍ତାନ ପକ୍ଷରୁ ଘୋର ନିନ୍ଦା କରାଯାଇଛି। ପାକିସ୍ତାନ କହିଛି ଏହା ବେଆଇନ ଓ ଏହାର ଭୟଙ୍କର ପରିମାଣ ଇରାନକୁ ଭୋଗିବାକୁ ହେବ ବୋଲି ପାକିସ୍ତାନ ପକ୍ଷରୁ ଚେତାବନୀ ମଧ୍ୟ ଦିଆଯାଇଛି। ଏହା ସହିତ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି ଏହି ଆକ୍ରମଣରେ ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ଦିଆଯାଇଛି।
କେନ୍ଦ୍ରାପଡ଼ାରେ ଦୁଇ ଦିନ ମଦ ବନ୍ଦ
କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନର ନିଆରା ପଦକ୍ଷେପ। ଦୁଇ ଦିନ ପାଇଁ ଜିଲ୍ଲାରେ ମଦ ବନ୍ଦ କରିଛି ଜିଲ୍ଲା ପ୍ରଶାସନ। ଆଜି ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍ଘାଟନ ପାଇଁ କେନ୍ଦ୍ରାପଡ଼ାରେ ବନ୍ଦ ହୋଇଛି ମଦ ବିକ୍ରି। କେବଳ ଆଜି ନୁହେଁ ଆସନ୍ତା ୨୨ ତାରିଖରେ ରାମମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଜିଲ୍ଲାରେ ମଦ ବିକ୍ରି ବନ୍ଦ ନେଇ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ। ଜିଲ୍ଲାର ସମସ୍ତ ଠିପିଖୋଲା, ଠିପି ବନ୍ଦ, ତାଡି, ଦେଶୀ ମଦ ଦୋକାନ ବନ୍ଦ ରଖିବାକୁ ଜିଲ୍ଲାପାଳ ଅମ୍ରିତ ଋତୁରାଜ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଶ୍ରୀକ୍ଷେତ୍ରରେ ଲୋକାର୍ପିତ ହେଉଛି ପୁରୀ ପରିକ୍ରମା ପ୍ରକଳ୍ପ। ରାଜ୍ୟବାସୀଙ୍କ ପାଇଁ ସବୁଠୁ ଏକ ବଡ଼ ଦିନ। ବିଭିନ୍ନ ସ୍ଥାନରେ ଭିଡ ଓ ଆଧ୍ୟାତ୍ମିକ ସମାଗମକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା ରକ୍ଷା ସହ ଶାନ୍ତି ସୌହାର୍ଦ୍ଦ ବଜାୟ ରଖିବା ପାଇଁ ଓଡିଶା ଅବକାରୀ ଆଇନ ୨୦୦୮ର ସେକ୍ସନ ୨୬(୧) ଆଧାରରେ ମଦ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।
ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠାର ଦ୍ୱିତୀୟ ଦିବସ
ଅଯୋଧ୍ୟା ସହର ଏହାର ଦେବତାଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ। ୨୨ ଜାନୁଆରୀରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପୂର୍ବରୁ ରୀତିନୀତି ଆରମ୍ଭ ହୋଇଛି। ଆଜି ଏହି ରୀତିନୀତିର ଦ୍ୱିତୀୟ ଦିନ ଯାହା ସାତ ଦିନ ପର୍ଯ୍ୟନ୍ତ ଚାଲିବ। ବୁଧବାର ଦିନ ଅପରାହ୍ନ ୧.୨୦ ମିନିଟ ପରେ ଜଳଯାତ୍ରା, ତୀର୍ଥ ପୂଜା, ବ୍ରାହ୍ମଣ-ବାଟୁକ-କୁମାରୀ-ସୁଭାସିନି ପୂଜା, ବର୍ଦ୍ଧିନୀ ପୂଜନ, କଳସ ଯାତ୍ରା ଏବଂ ପ୍ରସାଦ କମ୍ପ୍ଲେକ୍ସରେ ଭଗବାନ ଶ୍ରୀ ରାମଲାଲାଙ୍କ ପ୍ରତିମା ପରିଭ୍ରମଣ ହେବ।
ଆଜି ତୃତୀୟ ଟି୨୦
ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ଟି୨୦ ସିରିଜର ଶେଷ ମୁକାବିଲା ଆଜି ବେଙ୍ଗାଲୁରୁର ଚିନ୍ନାସ୍ୱାମୀ କ୍ରିକେଟ ଷ୍ଟାଡ଼ିୟମରେ ଖେଳାଯିବ। ଏହି ଆଜି ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ। ତେବେ ଆଜି ଭ୍ରମଣକାରୀ ଆଫଗାନିସ୍ତାନ ଦଳ ସମ୍ମାନ ରକ୍ଷା ପାଇଁ ମୈଦାନକୁ ଓହ୍ଲାଇବ। ସେପଟେ ଘରୋଇ ଦଳ କ୍ଲିନ ସ୍ୱିପ ଲକ୍ଷ୍ୟରେ ରହିଛି। ତେବେ ଏଭଳି ସ୍ଥଳେ ବିରାଟଙ୍କର ତୁଫାନୀ ବ୍ୟାଟିଂ ଦେଖିବାକୁ ମିଳିବ। ସିରିଜର ପ୍ରଥମ ଦୁଇଟି ମ୍ୟାଚ ଭାରତ ଜିତି ସାରିଛି। ଏଭଳି ସ୍ଥଳେ ଭାରତ ତାର ଚୂଡ଼ାନ୍ତ ଏକାଦଶରେ ବଡ଼ ପରିବର୍ତ୍ତନ କରିବା ନେଇ ସମ୍ଭାବନା ରହିଛି। ତେବେ ଆଜିର ମ୍ୟାଚରୁ ୩ ଜଣ ଖେଳାଳି ବାଦ ପଡ଼ିବା ଏକ ପ୍ରକାର ସ୍ପଷ୍ଟ ହୋଇଛି।