Top 10 News Headlines in Odia | November 12 | Afternoon|  1. ଉତ୍ତରାଖଣ୍ଡରେ ୟୁସିସି: ଧର୍ମ ନିର୍ବିଶେଷରେ ସବୁ ନାଗରିକଙ୍କ ଲାଗି ସମାନ ଆଚରଣ ସଂହିତା ଲାଗୁ କରିବାକୁ ନିଷ୍ପତ୍ତି ନେଇଛି ଉତ୍ତରାଖଣ୍ଡ। ଏଥିଲାଗି ଚିଠା ପ୍ରସ୍ତାବ ପ୍ରସ୍ତୁତ କରାଯାଇଛି। ସୁପ୍ରିମ୍‍ କୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଞ୍ଜନା ପ୍ରକାଶ ଦେଶାଇଙ୍କ ତତ୍ତ୍ୱାବଧାନରେ ଏହି ଚିଠା ପ୍ରସ୍ତୁତ କରାଯାଇଛି। ଏଥିରେ ଲିଭ୍‍ଇନ୍‍ ସମ୍ପର୍କକୁ ସ୍ୱିକୃତୀ ପ୍ରଦାନ କରାଯାଇଛି। କିନ୍ତୁ ଏଥିଲାଗି ପଞ୍ଜିକରଣ କରିବାକୁ ବାଧ୍ୟତାମୂଳକ କରାଯାଇଛି।  ବହୁ ବିବାହକୁ ଏହି ଚିଠାରେ ବାରଣ କରାଯାଇଛି। ଏହି ପ୍ରସ୍ତାବ ପାରିତ ହେଲେ ଦେଶର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡରେ ୟୁସିସି ଲାଗୁ ହେବ। 

 

2. ବାଘେଲ ଆସିଲେ ବର୍ଷକୁ ୧୫ ହଜାର: ଛତିଶଗଡ଼ରେ କଂଗ୍ରେସ ଏହାର ଘୋଷଣାପତ୍ରରେ ଆଉ ଏକ ବିନ୍ଦୁ ସଂଯୋଗ କରିଛି। ଏଥିରେ କୁହାଯାଇଛି ଯେ, ଯଦି ପୁଣିଥରେ ଛତିଶଗଡ଼ରେ କଂଗ୍ରେସ ସରକାର ଆସେ ତେବେ ମହିଳାମାନଙ୍କୁ ବର୍ଷକୁ ୧୫ ହଜାର ଟଙ୍କର ସହାୟତା ରାଶି ମିଳିବ। ଏହାକୁ ଛତିଶଗଡ଼ ଗୃହଲକ୍ଷ୍ମୀ ଯୋଜନା ନାମରେ ନାମିତ କରାଯାଇଛି। ପୂର୍ବରୁ ଏହି  ପ୍ରତିଶୃତି ଉଲ୍ଲେଖ ନଥିଲା। କିନ୍ତୁ ବିଜେପି ଏହାର ଘୋଷଣାପତ୍ରରେ ବିବାହିତା ମହିଳାମାନଙ୍କୁ ବର୍ଷକୁ ୧୨ ହଜାର ଟଙ୍କା ଦେବାକୁ ଘୋଷଣା କରିବା ପରେ କଂଗ୍ରେସ ଏହାର ଜବାବରେ ଏପରି ଯୋଜନା ଘୋଷଣା କରିଛି। 

 

3. ଲେପ୍‍ଚାରେ ପ୍ରଧାନମନ୍ତ୍ରୀ:  ପ୍ରତିବର୍ଷ ପରି ଚଳିତବର୍ଷ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି । ହିମାଚଳ ପ୍ରଦେଶର ଲେପଚା ଯାଇ ସେଠାରେ ସୁରକ୍ଷାକର୍ମୀଙ୍କୁ  ଦୀପାବଳିର ଶୁଭେଚ୍ଛା ଜଣାଇବା ସହ ଉତ୍ସବ ପାଳନ କରିଛନ୍ତି ମୋଦି । ଏହି ଅବସରରେ ସେନା ଜ୍ୟାକେଟରେ ତାଙ୍କୁ ଦେଖିବାକୁ ମିଳିଥିଲା । ହିମାଚଳ ପ୍ରଦେଶରେ ପହଞ୍ଚିବା ପରେ ସୀମାନ୍ତ ଲେପଚାକୁ ଯାଇ ଯବାନଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ।

 

4. ୧୪ରେ ଲଘୁଚାପ: ଆସନ୍ତା ୧୪ ତାରିଖ ବେଳକୁ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ ଏବଂ  ପରେ ପଶ୍ଚିମ-ଉତ୍ତର-ପଶ୍ଚିମ ରେ ଗତି କରି ଆହୁରି ଘନୀଭୁତ ହେବ ବୋଲି ପାଣିପାଗ  ବିଭାଗ କହିଛି। ଏଥିଲାଗି ପାଗ ଅନୁକୂଳ ଅନୁକୂଳ ରହିଛି। ଲଘୁଚାପ ପ୍ରଭାବରେ ଆସନ୍ତା ୧୬ ତାରିଖରୁ ରାଜ୍ୟରେ ବର୍ଷା ହେବ। ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । 

 

5. ଭାରତ ବନାମ ନେଦରଲ୍ୟାଣ୍ଡ ବିଶ୍ୱକପ୍ ମ୍ୟାଚ୍: ବିଶ୍ୱକପ୍‍ କ୍ରିକେଟ୍‍ ୨୦୨୩ର ୪୫ତମ ଲିଗ୍‍ ମ୍ୟାଚ୍‍ରେ ଭାରତ ନେଦରଲ୍ୟାଣ୍ଡ ବିପକ୍ଷରେ ଖେଳୁଛି। ବାଙ୍ଗାଲୋରର ଏମ୍‍ ଚିନ୍ନାମାସ୍ୱାମୀ ଷତ୍ଟାଡିୟମ୍‍ ରେ ଏହି ମ୍ୟାଚ୍‍ ଅପରାହ୍ନ ୨ଟାରୁ ଆରମ୍ଭ ହୋଇଛି। ପ୍ରଥମରୁ ଭାରତ ଦମ୍‍ଦାର ବ୍ୟାଟିଂ କରୁଛି । ଖବର ଲେଖିବା ପର୍ଯ୍ୟନ୍ତ ୨୭ ଓଭର ଶେଷସୁଦ୍ଧା ଭରତ ୨ଟି ଓ୍ୱିକେଟ୍‍ ହରାଇ ୧୯୮ ରନ୍‍ ସଂଗ୍ରହ କରିଛି । ବିଶ୍ୱକପ୍ ୨୦୨୩ ରେ ବର୍ତ୍ତମାନ ଯାଏଁ ଭାରତ ୮ ଟିଯାକ ମ୍ୟାଚରେ ଅପରାଜେୟ ରହି ଆସିଛି । ପଏଣ୍ଟ ଟେବଲରେ ଭାରତ ୧୬ ପଏଣ୍ଟ ହାସଲ କରି ସର୍ବାଗ୍ରେ ରହିଥିବାବେଳେ ନେଦରଲ୍ୟାଣ୍ଡ ସର୍ବନିମ୍ନ ୧୦ମ ସ୍ଥାନରେ ରହିଛି ।

 

6. ଶ୍ରୀମନ୍ଦିର ଚାରିପଟେ ନୋ ଭେହିକିଲ୍‍ ଜୋନ୍‍: ଦୀପାବଳୀ ଅବସରରେ ଭିଡ଼ ନିୟନ୍ତ୍ରଣ ଲାଗି ପୁରୀ ପ୍ରଶାସନ ଶ୍ରୀମନ୍ଦିର ଚାରିପଟେ ଗାଡ଼ି ପାର୍କିଂକୁ ବାରଣ କରିଛି। ଏହାକୁ ‘ନୋ-ଭେହିକିଲ୍‍ ଜୋନ୍‍’ ଭାବେ ଘୋଷଣା କରିଛି। ଏହାସହ ଚାରିପଟେ ନିର୍ଦ୍ଧାରିତ ସ୍ଥାନରେ ବଡ଼ବଡ଼ୁଆ ଡାକ କରିବାକୁ କୁହାଯାଇଛି। ପୁରୀ ପ୍ରଶାସନ ପକ୍ଷରୁ ଏହି ସ୍ୱତନ୍ତ୍ର ସ୍ଥାନ ନିର୍ଦ୍ଧାରଣ କରାଯିବା ସହ ସ୍ୱତନ୍ତ୍ର ପୁଲିସ ଓ ଅଗ୍ନି ନିର୍ବାପକ ଟିମ୍‍ ମୁତ୍ତୟନ କରାଯାଇଛି। ସଅଳ ନୀତି ସମାପନ ଲାଗି ମଧ୍ୟ ବ୍ୟବସ୍ଥା କରାଯାଇଛି। 

 

7. ଟ୍ରେନରେ ଯିବେ ରାଷ୍ଟ୍ରପତି: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଇରଙ୍ଗପୁରକୁ ଟ୍ରେନ ଯୋଗେ ଯାତ୍ରା କରିବେ। ବାଦାମ ପାହାଡ଼ରୁ ପ୍ରାୟ ୨୦ କିଲୋମିଟର ଯାତ୍ରା ସେ ଟ୍ରେନ ଦ୍ୱାରା ସମାପନ କରିବେ ବୋଲି ସୂଚନା ମିଳିଛି। ରାଷ୍ଟ୍ରପତି ହେବା ପରେ ଶ୍ରୀମତୀ ମୁର୍ମୁଙ୍କ ଏହା ପ୍ରଥମ ଟ୍ରେନ ଯାତ୍ରା ହେବ। ଆସନ୍ତା ୨୦ ତାରିଖରୁ ୨୨ ତାରିଖ ଯାଏ ରାଷ୍ଟ୍ରପତି ଓଡ଼ିଶା ଗସ୍ତରେ ରହିବେ। 

 

8. ମୁଖ୍ୟମନ୍ତ୍ରୀଙ୍କ ଶିଷ୍ୟ ପାଣ୍ଡିଆନ୍‍: ନବୀନ ଓଡ଼ିଶା ଅଧ୍ୟକ୍ଷ ତଥା ପୂର୍ବତନ ଆଇଏଏସ୍‍ ଭି.କେ ପାଣ୍ତିଆନ୍‍ଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶିଷ୍ୟ ବୋଲି ଅଭିହିତ କରିଛନ୍ତି ବିଜେଡି ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦେସ। ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଉଦ୍‍ଘାଟନୀ ଉତ୍ସବରେ ସେ ଭାଷଣ ଦେବା ବେଳେ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦୂର ଦୃଷ୍ଟିକୁ ପ୍ରକଳ୍ପ ମାଧ୍ୟମରେ ରାଜ୍ୟବାସୀଙ୍କ ସେବାରେ ଉତ୍ସର୍ଗ କରିବାରେ ସେ ସିଦ୍ଧହସ୍ତ ବୋଲି କହିଛନ୍ତି ପ୍ରଣବ। 

 

9. କେନ୍ଦ୍ରମନ୍ତ୍ରୀଙ୍କ ସମ୍ପର୍କୀୟ କହି ୬୦ ଲକ୍ଷ ଲୁଟ୍‍, ଜଣେ ଗିରଫ: ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସହାୟକ କହି  ଲୋକଙ୍କୁ ଠକୁଥିବା ଅଭିଯୋଗରେ ସନ୍ତୋଷ ମହୁରୀ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୁଲିସ। ଚାକିରି ଦେବା ନା କହି ସେ ଲୋକଙ୍କୁ ଲୁଟୁଥିଲେ। ଏନେଇ କଟକ ସାଇବର ପୁଲିସରେ ଅଭିଯୋଗ ହେବା ପରେ ପୁଲିସ ତାହାର ତଦନ୍ତ କରି ସନ୍ତାଷଙ୍କୁ ବାଲେଶ୍ୱରରୁ ଗିରଫ କରିଛନ୍ତି। ପୂର୍ବତଟ ରେଳବାଇ  ଏବଂ ଇଣ୍ଡିଆନ୍‍ ଅଏଲ୍‍ କର୍ପୋରେସନ୍‍ରେ ଚାକିରି କରାଇଦେବା କହି ସେ ନିଜର ନେଟ୍‍ଓ୍ୱର୍କ ବିସ୍ତାର କରିଥିଲେ।  

 

10. ନୂଆ ପୁଲିସ ଡିଜି ପାଇଁ ୭ ନାଁ: ରାଜ୍ୟ ସରକାର ବିଧି ଅନୁସାରେ କେନ୍ଦ୍ର ସରକାରଙ୍କୁ ନୂଆ ପୁଲିସ ଡିଜି ନିଯୁକ୍ତି ଲାଗି ୭ ଜଣ ବରିଷ୍ଠ ଅଧିକାରୀଙ୍କ ନାଁ ସୁପାରିସି କରିଛନ୍ତି। କାର୍ମିକ ମନ୍ତ୍ରଣାଳୟ ଏହି ନାଁକୁ ଯାଞ୍ଚ କରି ବରିଷ୍ଠତା ଭିତ୍ତିରେ ନୂଆ ପୁଲିସ ଡିଜି ଘୋଷଣା କରିପାରନ୍ତି। ଡିସେମ୍ବର ୩୧ରେ ବର୍ତ୍ତମାନ ଅବସ୍ଥାପିତ ପୁଲିସ ଡିଜି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ନୂଆ ବର୍ଷରୁ ନୂଆ ଡିଜି ପାଇବ ଓଡ଼ିଶା ପୁଲିସ। ସୁପାସିସ କରାଯାଇଥିବା ନାଁଗୁଡ଼ିକ ମଧ୍ୟରେ ନିକଟରେ କେନ୍ଦ୍ରୀୟ ଡେପୁଟେସନ୍‍ ସାରି ଓଡ଼ିଶା ଫେରିଥିବା ବି ରାଧିକାଙ୍କ ନାଁ ଆଗରେ ରହିଛି। ଏହାଙ୍କ ସହ ଏଏମ୍‍ ପ୍ରସାଦ, ଓ୍ୱାଇବି ଖୁରାନିଆ, ଏସ୍‍ଏମ୍‍ ନରବାଣେ, ଅରୁଣ ରାୟ, ଅରୁଣ ଷଡ଼ଙ୍ଗୀ ଏବଂ ସୁଧାଂଶୁ ଷଡ଼ଙ୍ଗୀଙ୍କ ନାଁ ରହିଛି। ଯଦି ରାଧିକା ପୁଲିସ ଡିଜି ହୁଅନ୍ତି ସେ ହେବେ ଓଡ଼ିଶାର ପ୍ରଥମ ମହିଳା ଡିଜି ପୁଲିସ। ରାଜ୍ୟ ସରକାର ମହିଳା ସଶକ୍ତିକରଣକୁ ଗୁରୁତ୍ୱ ଦେଉଥିବାରୁ ଏହି ନିର୍ବାଚନ ଋତୁରେ ସେ ହିଁ ଓଡ଼ିଶା ପୁଲିସର ମଙ୍ଗ ସମ୍ଭାଳିପାରନ୍ତି ବୋଲି ଚର୍ଚ୍ଚା ହେଉଛି।