Top 10 News Today: 


COMMERCIAL BREAK
SCROLL TO CONTINUE READING

01- କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ କହିଛନ୍ତି ଯେ, ଭାରତୀୟମାନଙ୍କୁ ଏକ ଆଧୁନିକ ‘ଚକ୍ରବ୍ୟୁହ’ ଫାଶରେ ପକାଇଛି । ଦେଶରେ ଭୟର ବାତାବରଣ ସୃଷ୍ଟି କରିଛି। ରାହୁଲ ଅଭିଯୋଗ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଏକ 'ଚକ୍ରବ୍ୟହ' ରଚିଛନ୍ତି ଯେଉଁଥିଲେ ୬ ଜଣ ସାମିଲ ଅଛନ୍ତି ।


02- ଦିଲ୍ଲୀ ରାଜେନ୍ଦ୍ର ନଗର ଆଇଏଏସ୍ କୋଚିଂ ସେଣ୍ଟର ଟ୍ରାଜେଡିକୁ ନେଇ ରାଜନୀତି ଆରମ୍ଭ ହୋଇଛି । ଘଟଣାରେ ଦିଲ୍ଲୀ ସରକାରଙ୍କୁ ସଂପୂର୍ଣ୍ଣ ଭାବେ ଦାୟୀ କରିଛି ବିଜେପି । ଏଥିସହ ଆନ୍ଦୋଳନ ମଧ୍ୟ ତୀବ୍ର ହେବାରେ ସାଗିଛି । ଅନ୍ୟପଟେ ଘଟଣାରେ ଆଜି ଆଉ ୫ ଜଣଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ମୋଟ ଗିରଫଦାରୀ ସଂଖ୍ୟା ୭ରେ ପହଞ୍ଚିଛି । 


03- ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ନିଜ ଅଭିଭାଷଣରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ବର୍ତ୍ତମାନ ସରକାରରେ କାର୍ଯ୍ୟକାରୀ ହୋଇଥିବା ଯୋଜନା ଗୁଡିକ ୮୦%ରୁ ଅଧିକ ପୁନରାବୃତ୍ତି ହୋଇଛି ବୋଲି ନବୀନ କହିଛନ୍ତି । ଶୁଭଦ୍ରା ଯୋଜନା, ପେନସନ ଭୋଗୀ, ମାଗଣା ବିଦ୍ୟୁତ ପ୍ରସଙ୍ଗରେ ବିଜେପି ମିଛ ପ୍ରତିଶୃତି ଦେଇ ଭୋଟ ମାଗିଥିଲା ବୋଲି କହିଛନ୍ତି ବିରୋଧୀଦଳ ନେତା ।


04- ଆଜି ବିଧାନସଭାର ଷଷ୍ଠ ଦିନରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଥିଲା କଂଗ୍ରେସ । ଅଗ୍ନିବୀର ଓ ସେମାନଙ୍କ ୟୁନିଫର୍ମ ଉପରେ ସଂରକ୍ଷଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୃହରେ ପଢ଼ି ଶୁଣାଉଥିବା ବେଳେ ଗୃହରେ ଉଦବେଗ ପ୍ରକାଶ କରିଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ସେ ବାଚସ୍ପତିଙ୍କ ପ୍ରଥମେ ପୋଡ଼ିୟମ ଉପରକୁ ଚଢ଼ିବା ସହ ବହି ଫିଙ୍ଗିଥିବା ସୂଚନା ମିଳିଛି ।


05- କମିଶନରେଟ୍ ପୋଲିସକୁ ବଡ଼ ସଫଳତା ମିଳିଛି । ବନ୍ଧୁକ ସପ୍ଲାଇ ଗ୍ୟାଙ୍ଗକୁ ଧରିବା ସହ ୬ଜଣଙ୍କୁ ଗିରଫ କରିଛି ପୋଲିସ । ବାଲିଅନ୍ତା ପୋଲିସ ଏବଂ ସ୍ପେଶାଲ୍ ସ୍କ୍ୱାଡ୍‌ର ମିଳିତ ଭାବେ ଏହି ରେଡ୍‌ କରାଯାଇଥିଲା । ୬ଟି ବନ୍ଧୁକ ଜବତ କରାଯାଇଥିବା ସୂଚନା ମିଳିଛି । ଟ୍ୱିନ୍ ସିଟି ସହ କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ସକ୍ରିୟ ଥିଲେ ଅଭିଯୁକ୍ତ । ବିହାରରୁ ବନ୍ଧୁକ ଆଣି ଓଡ଼ିଶାର ବିଭିନ୍ନ ଗ୍ୟାଙ୍ଗଷ୍ଟରଙ୍କୁ ବିକ୍ରି କରୁଥିବା ସୂଚନା ରହିଛି ।


06- ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷତା କରିଥିଲେ ଜଷ୍ଟିସ ବିଶ୍ୱନାଥ ରଥ । ରତ୍ନଭଣ୍ଡାର କେବେ ମରାମତି ହେବ ଏବଂ କେବେଠାରୁ ଲେଜର ସ୍କାନିଂ କରାଯିବ ସେନେଇ ପରିଚାଳନା କମିଟି ଉପରେ ଦାୟିତ୍ଵ ନ୍ୟସ୍ତ କରିଛି ରତ୍ନଭଣ୍ଡାର ତଦାରଖ କମିଟି।


07- ୧୮ ବର୍ଷରୁ କମ ବୟସର ପିଲାଙ୍କୁ ଗାଡି ଦେଉଥିଲେ ସାବଧାନ । କାରଣ ପରିବହନ ବିଭାଗ ଏବେ ଆକ୍ସନ ମୁଡରେ । ଗାଡି ସିଜ୍ କରି  ୨୫ ହଜାର ଟଙ୍କାର ଫାଇନ ସହ ଅଭିଭାବକଙ୍କ ନାଁରେ ଏଫଆଇଆର ହେବ । ଆଜି ବିଭିନ୍ନ ସ୍ଥାନରୁ ଧରାପଡ଼ିଛନ୍ତି ୧୫୩ ଜଣ ନାବାଳକ ଗାଡି ଚାଳକ । ସେମଧ୍ୟରୁ ୬୦ଟି ଗାଡ଼ି ଜବତ କରାଯାଇଛି ।


08- ଜୁଆ ଖେଳ ସମୟରେ ପୋଲିସ ଚଢାଉ । ୯ ଜଣଙ୍କୁ ଗିରଫ କରିବା ସହ ୧୨ ଲକ୍ଷ ଟଙ୍କା ଏବଂ ୩ଟି କାର ସହ ମୋବାଇଲ ଜବତ କରିଛି । ଗିରଫ ଜୁଆଡିମାନେ କଟକ, ବାଲେଶ୍ୱର, କେନ୍ଦ୍ରାପଡା ଏବଂ ଯାଜପୁର ଅଞ୍ଚଳର ବୋଲି ଜଣାପଡିଛି । କେଶୁରା ଛକ ନିକଟରେ ଥିବା କଲ୍ୟାଣମଣ୍ଡପରେ ଚଢାଉ ପରେ ପୋଲିସକୁ ଏହି ସଫଳତା ମିଳିଛି ।


09- ଭାରତୀୟ ପୁରୁଷ ହକି ଟିମ କଡ଼ା ସଂଘର୍ଷ ମଧ୍ୟରେ ଆର୍ଜେଣ୍ଟିନା ସହ ମ୍ୟାଚ୍‌ ଡ୍ର ରଖିବାରେ ସକ୍ଷମ ହୋଇଛି। ପ୍ରଥମରୁ ୦-୧ ରେ ପଛରେ ପଡ଼ିଥିବା ଭାରତୀୟ ହକି ଟିମ୍ ଶେଷ ମିନିଟରେ ପେନାଲ୍ଟି କର୍ଣ୍ଣରକୁ ଗୋଲ ଦେବା ସହ ସ୍ଥିତି ୧-୧ କରିବାରେ ସକ୍ଷମ ହୋଇଛି । ଆଜିର ମ୍ୟାଚ ପରେ ପ୍ୟାରିସ ଅଲିମ୍ପିକ୍ସରେ ଆଗକୁ ବଢିବା ପାଇଁ ଆଶା ଉଜ୍ଜୀବିତ ରଖିଛି ଭାରତୀୟ ଟିମ୍ । ତୃତୀୟ କ୍ୱାର୍ଟର ସୁଦ୍ଧା ମ୍ୟାଚ୍‌ ଆର୍ଜେଣ୍ଟିନା ସପକ୍ଷରେ ରହିଥିଲା କିନ୍ତୁ ୪ର୍ଥ କ୍ୱାର୍ଟରରେ ଭାରତ ଗୋଲ କିପର ଶ୍ରୀଜେଶଙ୍କୁ ବାହାର କରି ଅତିରିକ୍ତ ଖେଳାଳିଙ୍କୁ ମିଡ ଫିଲ୍ଡକୁ ଛାଡ଼ି ଥିଲା। ଅଧିନାୟକ ହରମନପ୍ରୀତ ସିଂହ ୪ର୍ଥ ପ୍ରୟାସରେ ଗୋଲ କରି ଭାରତକୁ ଏକ ନିଶ୍ଚିତ ପରାଜୟରୁ ଉଦ୍ଧାର କରିଥିଲେ।


10- ମଙ୍ଗଳବାର ପ୍ରବଳ ବର୍ଷା ହେବା ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଜିଲ୍ଲା ଗୁଡିକ ମଧ୍ୟରେ ରହିଛି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର । ସତର୍କ ରହିବାକୁ ଜିଲ୍ଲା ପ୍ରଶାସନକୁ ଏସ୍‌ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି ।


Also Read- ଗାଡ଼ି ଧରି ଚମ୍ପଟ ମାରିଥିଲେ ଡାକ୍ତର ବାବୁ, ବାନ୍ଧିଲା ମଙ୍ଗଳାବାଗ ଥାନା ପୋଲିସ