Top 10 News Today: 


COMMERCIAL BREAK
SCROLL TO CONTINUE READING

01- ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଆଜି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଚିରେ ସାମିଲ୍ ହୋଇଛନ୍ତି । ୩୦ ମାର୍ଚ୍ଚରେ ବିଜେଡିରୁ ଇସ୍ତଫା ଦେବା ପରେ ଅନୁଭବ ବିଜେପିରେ ମିଶିବା ନେଇ ଅନେକ ଚର୍ଚ୍ଚା ଆଲୋଚନା ଲାଗି ରହିଥିଲା । ସୂଚନାଯୋଗ୍ୟ, ୨୦୧୯ ମସିହାରେ କେନ୍ଦ୍ରାପଡାରୁ ସାଂସଦ ଭାବେ ବିପୁଳ ବିଜୟ ହାସଲ କରି ଲୋକସଭାକୁ ଯାଇଥିଲେ ଅନୁଭବ । ସେତେବେଳେ ତାଙ୍କର ପ୍ରତିଦ୍ୱନ୍ଦୀ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡା ଆସନରୁ ଲଢିଥିଲେ । ତେବେ ବର୍ତ୍ତମାନ କେନ୍ଦ୍ରାପଡାରୁ ବୈଜୟନ୍ତଙ୍କୁ ବିଜେପି ଲୋକସଭା ପ୍ରାର୍ଥୀ କରିଛି । ଅନୁଭବ ବିଜେପିରେ ସାମିଲ ହେବା ପରେ ତାଙ୍କୁ କେଉଁ ଦାୟିତ୍ୱ ଦିଆଯିବ ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲେ ମଧ୍ୟ ଦଳ ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିନାହିଁ ।


02- ରିଜର୍ଭ ବ୍ୟାଙ୍କର ୯୦ ବର୍ଷ ପୂରଣ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଆସନ୍ତା ୧୦ ବର୍ଷ ମଧ୍ୟରେ ଭାରତ ଆର୍ଥିକ ଦୃଷ୍ଟିରୁ ଆତ୍ମନିର୍ଭରଶୀଳ ହେବା ଆବଶ୍ୟକ ଯାହା ଦ୍ୱାରା ଦେଶ ବିଶ୍ୱସ୍ତରୀୟ କାରଣରୁ ଅଧିକ ପ୍ରଭାବିତ ହେବ ନାହିଁ।  ଗତ ଦଶନ୍ଧି ମଧ୍ୟରେ ତାଙ୍କ ସରକାର ଏବଂ ଆରବିଆଇ ଦ୍ୱାରା କରାଯାଇଥିବା ଉଦ୍ୟମ ଯୋଗୁଁ ବ୍ୟାଙ୍କିଙ୍ଗ କ୍ଷେତ୍ର ବର୍ତ୍ତମାନ ଲାଭଜନକ ହୋଇଛି ଏବଂ ଋଣ ପୁସ୍ତକ ଅଭିବୃଦ୍ଧି ବୃଦ୍ଧି ପାଉଛି। ଏହା ସହିତ ସେ ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ ମୁଦ୍ରା (ସିବିଡିସି) ଏବଂ ୟୁପିଆଇର ସଫଳତା ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି।


03-  ବିଜେଡିରୁ ଇସ୍ତଫା ଦେଇଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିସନର ପୂର୍ବତନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ। ଆଜି ଏ ନେଇ ନିଜେ ସନ୍ଧ୍ୟାବତୀ ସୂଚନା ଦେଇଛନ୍ତି। ସେ ନିଜର ଇସ୍ତଫା ପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ସେ କହିଛନ୍ତି, ନବୀନ ପଟ୍ଟନାୟକଙ୍କ ପାଖରେ ଆମ କଥା କି ଅଭିଯୋଗ ପହଞ୍ଚି ପାରୁନି। ତାଙ୍କୁ ବ୍ୟକ୍ତିଗତ ସ୍ବାର୍ଥ ଲାଗି ଏକ କୋଟେରି ଗ୍ରୁପ୍ ଘେରିଛନ୍ତି।


04- ପଶ୍ଚିମବଙ୍ଗର ବିଜେପି ନେତା ସୁଭେନ୍ଦୁ ଆଦିକାରୀ ତୃଣମୁଳ କଂଗ୍ରେସ ନେତା ପୀୟୁଷ ପଣ୍ଡାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ବାସ୍ତବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଟିଏମସି ନେତା ଜାତିଆଣ ମନ୍ତବ୍ୟ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଜାତି ବିଷୟରେ ଉଲ୍ଲେଖ କରି ପଣ୍ଡା ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନକୁ ନେଇ ପ୍ରଶ୍ନ ଉଠାଇଥିଲେ। ପଶ୍ଚିମବଙ୍ଗ ବିଜେପି ନେତା ସୁଭେନ୍ଦୁ ଏହାକୁ ଓବିସି ସମ୍ପ୍ରଦାୟକୁ ଅପମାନ ବୋଲି କହି ପଣ୍ଡାଙ୍କୁ ଟାର୍ଗେଟ କରିଛନ୍ତି । ତେବେ ନିର୍ବାଚନ ସମୟରେ ଓବିସିକୁ ନେଇ ଉଠିଥିବା ଏହି ବିବାଦ ମମତା ବାନାର୍ଜୀଙ୍କ ସମସ୍ୟାକୁ ବଢାଇପାରେ । କାରଣ ବଙ୍ଗଳାରେ ପ୍ରାୟ ୧୬ ପ୍ରତିଶତ ଲୋକ ଓବିସି ସମ୍ପ୍ରଦାୟର ।


05- ଆସାମରେ ପ୍ରବଳ ବର୍ଷା ସାଙ୍ଗକୁ ଘୂର୍ଣ୍ଣିଝଡ଼ କାରଣରୁ ବ୍ରହ୍ମପୁତ୍ର ନଦୀରେ ବୁଡିଯାଇଛି ଯାତ୍ରୀବାହୀ ଡଙ୍ଗା। ୩ ଜଣଙ୍କ ମୃତ୍ୟୁ ଘଟିଛି, ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଥିବା ଜଣାପଡିଛି। ୨୦ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଟିମ୍। ସୂଚନା ଅନୁସାରେ, ଆସାମର ଦକ୍ଷିଣ-ସଲମରା ମାନକଚର ଜିଲ୍ଲା ଦେଇ ଡଙ୍ଗାଟି ଯାଉଥିଲା। ଏହି ସମୟରେ ହଠାତ୍ ପ୍ରବଳ ବର୍ଷା ସାଙ୍ଗକୁ ଘୂର୍ଣ୍ଣିଝଡ ହେବାରୁ ଡଙ୍ଗାଟି ବୁଡି ଯାଇଥିଲା। ଏଥିରେ ମହିଳା ଓ ଶିଶୁ ମଧ୍ୟ ଯାତ୍ରା କରୁଥିଲେ।


06- ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି କୋର୍ଟରେ ହାଜର କରାଯାଇଛି । ତାଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ରାଉସ୍ ଆଭେନ୍ୟୁ କୋର୍ଟରେ ମଧ୍ୟ ପହଞ୍ଚିଥିଲେ। କେଜ୍ରିୱାଲଙ୍କ ଇଡି ହେପାଜତ ଆଜି ଶେଷ ହୋଇଛି, କିନ୍ତୁ ଆଜି ତାଙ୍କର ନ୍ୟାୟିକ ହେପାଜତକୁ ବୃଦ୍ଧି କରାଯାଇଛି। ତାଙ୍କୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ହେପାଜତକୁ ପଠାଯାଇଛି, ଯେଉଁଠାରୁ ତାଙ୍କୁ ତିହାର ଜେଲକୁ ପଠାଯିବ। ପ୍ରଥମେ ଇଡି ୬ ଦିନର ହେପାଜତ, ତା’ପରେ କେଜ୍ରିୱାଲଙ୍କ ୪ ଦିନ ରିମାଣ୍ଡରେ ନେଇଥିଲା। ସେପଟେ ଅରବିନ୍ଦ କେଜରିୱାଲ କୋର୍ଟରେ ଏକ ଯାଚିକା ଦାୟର କରିଛନ୍ତି। ଏହି ଯାଚିକାରେ ସେ କିଛି ସୁବିଧା ଉବଲବ୍ଧ କରାଇବାକୁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି। ସେ ସ୍ପେଶାଲ ରାଇଟ୍ସ, ଔଷଧ, ବହି ଓ ଧାର୍ମିକ ଲକେଟ ଧାରଣ କରିବାକୁ କୋର୍ଟଙ୍କୁ ଅନୁମତି ମାଗିଛନ୍ତି। ରାମାୟଣ, ମହାଭାରତ ଓ ହାଓ ପ୍ରାଇମ ମିନିଷ୍ଟର ଡିସାଇଡ଼ ଏହି ୩ଟି ବହି ମାଗିଛନ୍ତି।


07- ନିର୍ବାଚନ ଲଢିବେ  ଲାଲୁ ଯାଦବଙ୍କ ଝିଅ । ମିସା ଭାରତୀ ଏବଂ ତେଜସ୍ୱୀ ଯାଦବଙ୍କ ପରେ ଏବେ ରୋହିଣୀ ମଧ୍ୟ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଛନ୍ତି। ରୋହିଣୀ ସରଣ ଆସନରୁ ନିର୍ବାଚନ ଲଢିପାରନ୍ତି। ସରଣ ଲାଲୁ ପରିବାରର ପାରମ୍ପାରିକ ଆସନ ରହି ଆସିଛି। ସୋନପୁରର ହରିହରନାଥ ମନ୍ଦିରରେ ପ୍ରାର୍ଥନା କରିବା ପରେ ମଙ୍ଗଳବାର ଲାଲୁଙ୍କ ଝିଅ ରୋହିଣୀଙ୍କ ଏକ ରୋଡ୍ ସୋ ହେବ। ଆସନ୍ତାକାଲି ସରନ ଲୋକସଭା ନିର୍ବାଚନମଣ୍ଡଳୀରେ ରୋହିଣୀଙ୍କ ଜନସମ୍ପର୍କ ଅଭିଯାନ ଆରମ୍ଭ ହେବ। ରୋହିଣୀଙ୍କ ସହ ଲାଲୁ ପ୍ରସାଦ ଯାଦବଙ୍କୁ ମଧ୍ୟ ଦେଖିବାକୁ ମିଳିବ।


08- ୮୯ତମ ଉତ୍କଳ ଦିବସ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅନେକ ବରିଷ୍ଠ ରାଜନେତା । ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡିଆ ମାଧ୍ୟମରେ ପ୍ରତିଟି ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।


09- ଆଜି ଚୈତ୍ର କୃଷ୍ଣ ପକ୍ଷ ସପ୍ତମୀ ତିଥି । ଆଜିର ଏହି ତିଥି ଅନୁସାରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଖସାପଡା ଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ୪ ଘଣ୍ଟା ଅର୍ଥାତ୍ ସନ୍ଧ୍ୟା ୬ ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଶ୍ରୀମନ୍ଦିରର ବିଭିନ୍ନ ପରମ୍ପରା ମଧ୍ୟରୁ ଶ୍ରୀଜିଉଙ୍କ ଖସାପଡା ନୀତି ଅନ୍ୟତମ । ଏହା ଏକ ଗୁପ୍ତ ନୀତି ହେଇଥିବାରୁ ଏହି ସମୟରେ ଦର୍ଶନରୁ ବଞ୍ଚିତ ରହିବେ ଶ୍ରଦ୍ଧାଳୁ । ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଶ୍ରୀପୟର ସୁରକ୍ଷା ପାଇଁ ଏହି ନୀତି ଅନୁଷ୍ଠିତ ହୋଇଥାଏ ।


10-  ରବିବାର ରାଜ୍ୟରେ ଅନେକ ସ୍ଥାନରେ ପାଗ ମେଘୁଆ ରହିବା ସହ ଦିନ ତାପମାତ୍ରା ୪୦ ଡିଗ୍ରୀ ତଳକୁ ଖସିଥିଲା। ଯାହା ଫଳରେ ରାଜ୍ୟବାସୀ ଅସଦ୍ୟ ତାତିରୁ ସାମାନ୍ୟ ଆଶ୍ବସ୍ତି ପାଇଥିଲେ।  ଆଗାମୀ ୨୪ ଘଣ୍ଟା ରାଜ୍ୟରେ ଅନେକ ସ୍ଥାନରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଦିନ ତାପମାତ୍ରା ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାର ୨ ଦିନ ମଧ୍ୟରେ ତାପମାତ୍ରା ପୁଣି ୪ରୁ ୫ ଡିଗ୍ରୀ ବୃଦ୍ଧି ପାଇବ। କିନ୍ତୁ ମେଘୁଆ ପାଗ ଯୋଗୁଁ ରବିବାର ତାତିରୁ ସାମାନ୍ୟ ତ୍ରାହି ମିଳିଛି। ପ୍ରବଳ ତାତି ନେଇ ୫ ଜିଲ୍ଲାକୁ ଆସନ୍ତାକାଲି ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହି ଜିଲ୍ଲା ଗୁଡିକ ହେଲା ସୋନପୁର, ବୌଦ୍ଧ, ବଲାଙ୍ଗୀର,କଳାହାଣ୍ତି ଓ ମାଲକାନଗିରି। ସେହିପରି ୩ ତାରିଖ ପାଇଁ  ୭ ଜିଲ୍ଲା ଓ ୪ ତାରିଖ ପାଇଁ ୯ ଜିଲ୍ଲାକୁ ଉଷ୍ମ ତାତି ପାଇଁ ସତର୍କ କରାଯାଇଛି। ସେହିପରି ୬ ତାରିଖ ବେଳକୁ ପଶ୍ଚିମ ଝଡ଼ ପ୍ରଭାବରେ ରାଜ୍ୟରେ ଅଧିକାଂଶ ସ୍ଥାନ ଗୁଡି଼କରେ ବର୍ଷା ହେବାର ସମ୍ଭାବନା ରହିଛି।


Also Read- Sukra Rahu Yuti: ସୂର୍ଯ୍ୟ-ରାହୁଙ୍କ ସହ ଶୁକ୍ରଙ୍କ ମିଶ୍ରଣ, ଏହି ରାଶିକୁ ବଡ଼ ଲାଭ


Also Read- Vastu Tips for Car Parking: ଏହି ସ୍ଥାନରେ କରନ୍ତୁ କାର୍ ପାର୍କିଂ, ଟଳିଯିବ ଦୁର୍ଘଟଣା !