Top 10 News Today:


COMMERCIAL BREAK
SCROLL TO CONTINUE READING

01. ବିଜେପି ଓ କଂଗ୍ରେସ ପକ୍ଷରୁ ଆଜି ପ୍ରଥମ ପର୍ଯ୍ୟାୟ  ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ବିଜେପି ଏହାର ପ୍ରଥମ ତାଲିକାରେ ୧୧୨ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ କଂଗ୍ରେସ  ତାଲିକାରେ ରହିଛି ୪୯ ନାଁ। କଂଗ୍ରେସ ପ୍ରାର୍ଥୀ ତାଲିକାରେ ଜେଏମ୍‍ଏମ୍‍, ସିପିଆଇଏମ୍‍ କୁ ଗୋଟିଏ ଲେଖାଏଁ ଆସନ ଛଡ଼ାଯାଇଛି। ଜେଏମ୍‍ଏମ୍‍ରୁ ବୀରମିତ୍ରପୁର ଏବଂ ସିପିଆଇଏମ୍‍ରୁ ଲୋଇସିଂହା ଆସନ ଲାଗି ପରବର୍ତ୍ତୀ ସମୟରେ ପ୍ରାର୍ଥୀ ଘୋଷଣା କରାଯିବ। 


02. ବିଜେପି ରାଜ୍ୟ ବିଧାନସଭା ନିର୍ବାଚନ ଲାଗି ୧୧୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏଥିରେ ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ଏବଂ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କୁ ବିଧାୟକ ଭାବେ ଲଢ଼ିବାକୁ ସୁଯୋଗ ଦିଆଯାଇଛି। ଏହାଛଡ଼ା ୧୭ ଜଣ ବର୍ତ୍ତମାନର ବିଧାୟକଙ୍କୁ ପୁଣିଥରେ ଲଢ଼ିବା ସୁଯୋଗ ମିଳିଥିବା ବେଳେ ୨ଜଣ ବିଧାୟକଙ୍କୁ ଟିକେଟ ତାଲିକାରୁ ବାଦ ଦିଆଯାଇଛି। 


03. ନିର୍ବାଚନ କାର୍ଯ୍ୟର ସୁପରିଚାଳନା ତଥା ଆଦର୍ଶ ଆଚରଣ ବିଧି ପାଳନ ଲାଗି ଆଜି ଭାରତର ନିର୍ବାଚନ କମିଶନର ୨ ଜିଲ୍ଲାପାଳ ଓ ୬ ବରିଷ୍ଠ ଆଇପିଏସ୍‍ଙ୍କ ତୁରନ୍ତ ବଦଳି ଲାଗି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ମୁଖ୍ୟ ସଚିବଙ୍କୁ  ଲେଖିଥିବା ଏକ ପତ୍ରରେ ଦର୍ଶାଯାଇଛି ଯେ ଏମାନଙ୍କୁ ନିର୍ବାଚନ ହେଉ ନଥିବା କୌଣସି ସ୍ଥାନକୁ ବଦଳି କରାଯାଉ। ଏମାନଙ୍କ ଭିତରେ ରହିଛନ୍ତି କଟକ ଜିଲ୍ଲାପାଳ ବିନିତ ଭରଦ୍ୱାଜ,  ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟ୍ଓ୍ୱାରୀ, କେନ୍ଦ୍ରୀୟ ଆଇଜି ଆଶୀଷ କୁମାର ସିଂହ, ଅନୁଗୁଳ ଏସ୍‍ପି ସୁଧାଂଶୁ ଶେଖର ମିଶ୍ର, ବ୍ରହ୍ମପୁର ଏସ୍‍ପି ସର୍ବଣା ବିବେକ, ଖୋର୍ଦ୍ଦା ଏସ୍‍ପି ଯୁଗଳ କିଶୋର ବାନୋଥ, ସୁନ୍ଦରଗଡ଼ ଏସ୍‍ପି ଡ. କୁଅଁର ବିଶାଳ ସିଂହ ଏବଂ ରାଉରକେଲା ଏସ୍‍ପି ମିତ୍ରଭାନୁ ମହାପାତ୍ର।ଏମାନଙ୍କ ପଦବୀରେ ନୂତନ ନିଯୁକ୍ତି ସିଧାସଳଖ ନକରି ପ୍ରତି ପଦବୀ ଲାଗି ତିନିଜଣ ଯୋଗ୍ୟ ଅଧିକାରୀଙ୍କ ନାଁ ସୁପାରିସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ।


04. ନବୀନ ନିବାସରେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଶହଶହ ସମର୍ଥକ ପହଞ୍ଚିଛନ୍ତି। ଯଦୁପୁରର ଶତାଧିକ ମୁସଲିମ ସମ୍ପ୍ରଦାୟର ଲୋକ ଆସି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ନିଜର ସମର୍ଥନ ଜଣାଇଛନ୍ତି। ଗତଥର ଏକାମ୍ର ନିର୍ବାଚନ ମଣ୍ଡଳୀରେ କେବଳ ତିନୋଟି ୱାର୍ଡରୁ ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ୯୨ ପ୍ରତିଶତ ଭୋଟ ମିଳିଥିଲା। ସଂଖ୍ୟାଲଘୁ ସମ୍ପ୍ରଦାୟ ସବୁବେଳେ ବିଜେଡି ସମର୍ଥନରେ ରହିଛି । ତେଣୁ, ଚଳିତ ନିର୍ବାଚନରେ ଶତପ୍ରତିଶତ ଭୋଟ ଦେବୁ ବୋଲି କହିଛନ୍ତି ସମର୍ଥକ। ଏହା ସହ ସେ କରିଥିବା ବିକାଶ ପାଇଁ ଧନ୍ୟବାଦ ଦେଇଛନ୍ତି।


05- ବିଜେଡିରେ ମିଶିଲେ ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀର ନୂଆଗଡ଼ର ପଞ୍ଚାୟତ ପ୍ରତିନିଧି। ସେମାନେ ବିଜେପି ଓ କଂଗ୍ରେସ ଛାଡିଛନ୍ତି। ଜିଲ୍ଲା ପରିଷଦ ସଭ୍ୟ ରାଜୀବ ଦୋରା, ନିଖୀମା ରାଇତ, ଜୟସେନ ଦୋରା, ଜୋସେଫ ଗମାଙ୍ଗ, ଅବେନା ଗମାଙ୍ଗ, ସୁରତ ରଇତ, ରାଜେନ୍ଦ୍ର ଦଳବେହେରା, ରାଜେଶ ମଣ୍ଡଳ, ନନ୍ଦିନୀ ସାମଲ, ହରି ଚନ୍ଦ୍ର, ପଫୁଲ୍ଲ ରଇତ, ଆୟୁଷ୍ମାନ ପାରିଛା, ମୋହନ ଗୌଡ଼ଙ୍କ ସମେତ ଅନେକ ନେତା ବିଜେଡିରେ ଯୋଗ ଦେଇଛନ୍ତି।


06- ଗଜପତି ଜିଲ୍ଲା ଦୁର୍ଗମ ଅଞ୍ଚଳରେ ଥିବା ବାଲିଗଣ୍ଡା ଓ କାମରାଖାଳି ଗାଁ ଲୋକେ ଭୋଟ ବର୍ଜନ ନିଷ୍ପତି ନେଇଛନ୍ତି। ଗାଁର ୧୦୦ରୁ ଅଧିକ ଘର ରହିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତା, ପାନୀୟ ଜଳ ଓ ବିଜୁଳି ସାତ ସପନ। ବିଦ୍ୟାଳୟ ରହିଛି ହେଲେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଗୋଟିଏ ଶ୍ରେଣୀ ଗୃହରେ ପାଠ ପଢୁଛନ୍ତି। ଏନେଇ ବାରମ୍ବାର ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ନେତା ମନ୍ତ୍ରୀଙ୍କୁ ଲିଖିତ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ତେଣୁ କେହି ଅଧିକାରୀ କିମ୍ବା ରାଜନେତାଙ୍କୁ ଗାଁକୁ ପୂରାଇ ନଦେବାକୁ ନିଷ୍ପତି ନେଇଛନ୍ତି। ଏପରିକି ଗାଁର ମହିଳାମାନେ ମାରଣାସ୍ତ୍ର ଧରି ଜଗି ରହିବେ ବୋଲି ଚେତାବନୀ ଦେଇଛନ୍ତି।


07- ଚିଲିକା ମଝିରେ ଏକ ଯାତ୍ରୀବାହୀ ଡଙ୍ଗା ଫସିବା ଫରେ ନାକେଦମ ହୋଇଥିଲେ ୨୫ରୁ ଉର୍ଦ୍ଧ ଯାତ୍ରୀ । ସାତପଡାରୁ ଚିଲିକା ଦେଇ ଜହ୍ନିକୁଦା ଘାଟ ନିକଟକୁ ଯାତ୍ରୀଙ୍କୁ ନେଇ ଆସୁଥିଲା ଡଙ୍ଗା। ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବା ଫଳରେ ଚିଲିକା ମଝିରେ ଫସି ରହିଥିଲା। ଖବର ପାଇ ଉଦ୍ଧାର ପାଇଁ ଉଦ୍ୟମ ଚଳାଇଥିଲେ ସ୍ଥାନୀୟ କର୍ତୃପକ୍ଷ। 


08- ‘ପଦ୍ମଶ୍ରୀ’ ପୁରସ୍କାରପ୍ରାପ୍ତ କେନ୍ଦୁଝର ଜିଲ୍ଲାର କଣ୍ଢେଇ ନୃତ୍ୟଶିଳ୍ପୀ ମାଗୁଣୀ ଚରଣ କୁଅଁର ଅସୁସ୍ଥ ହୋଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ମେଡିସିନ ଓ୍ବାର୍ଡ ୩୫ ନମ୍ବର ଶଯ୍ୟାରେ ତାଙ୍କର ଚିକିତ୍ସା କରାଯାଉଛି। ଉଲ୍ଲେଖ ଥାଉ କି କେନ୍ଦୁଝର ସହରର ବୈଦ୍ୟରାଜ ସାହିରେ ୧୯୩୭ ମସିହା ଫେବ୍ରୁଆରି ୧୨ ତାରିଖରେ ଶ୍ରୀ କୁଅଁର ଜନ୍ମଗ୍ରହଣ କରିଥିଲେ।


09- ରାଜ୍ୟରେ ଆରମ୍ଭ ହୋଇଥିବା ପ୍ରଚଣ୍ତ ଗ୍ରୀଷ୍ମ ଲହରକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ପରେ ଅଙ୍ଗନବାଡି଼ କେନ୍ଦ୍ରର ସମୟରେ ରାଜ୍ୟ ସରକାର ପରିବର୍ତ୍ତନ କରିଛନ୍ତି। ଆଜିଠାରୁ ସକାଳୁଆ ହୋଇଛି ଅଙ୍ଗନବାଡି କେନ୍ଦ୍ର। ସକାଳ ୭ଟାରୁ ଦିନ ୧୧ଟା ୩୦ ପର୍ଯ୍ୟନ୍ତ ଅଙ୍ଗନବାଡି଼ ଖୋଲା ରହିବ। ଖରାକୁ ଦୃଷ୍ଟିରେ ରଖି  ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସୋମବାର ମାର୍ଗ ଦର୍ଶିକା ମଧ୍ୟ ଜାରି କରାଯାଇଛି। ଶୁଦ୍ଧ ପିଇବା ପାଣି, ଓଆରଏସ୍ ମହଜୁଦ୍ ରଖିବା ସହ ଆନୁସଙ୍ଗିକ  ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଗ୍ରୀଷ୍ମ ପ୍ରବାହ ମୁକାବିଲା କରିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ପରେ ଏହି ନିସ୍ପତି ନିଆଯାଇଛି।


10- ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଆଖି ଆଗରେ ରଖି ଦିନ ୧୧ଟାରୁ ଅପରାହ୍ଣ  ୩ଟା ପର୍ଯ୍ୟନ୍ତ ଲୋକମାନେ ବାହାରେ ନ ବୁଲିବାକୁ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏନେଇ ଅଧିକ ତଥ୍ୟ ଦେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି, ଗତ ୨୪ ଘଣ୍ଟାରେ ରାଜ୍ୟରେ ଅନେକ ସ୍ଥାନରେ ତାପମାତ୍ରା ରେକର୍ଡ କରାଯାଇଛି। ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ୪୦.୪, ତାଳଚେରରେ ୪୦.୪ ଡିଗ୍ରି ଛୁଇଁଥିଲା ତାପମାତ୍ରା ଆହୁରି ଛଅଟି ସହରରେ ପାରଦ ବଢିଛି। ଆଜି ଅନୁମାନ କରାଯାଉଛି, ଦୁଇଦିନ ଏଭଳି ତାପମାତ୍ରା ରହିବ। ପଶ୍ଚିମାଝଡ଼ର ପ୍ରକୋପ ରହିବ। ତେଣୁ ଜଳୀୟବାଷ୍ପ ରାଜ୍ୟ ଭିତରକୁ ପ୍ରବାହ କରିବ। ଆସନ୍ତା ୪ରୁ ୬ ତାରିଖ ପର୍ଯ୍ୟନ୍ତ କିଛି କିଛି ସ୍ଥାନରେ ଆହୁରି ୨ରୁ ୩ ଡିଗ୍ରି ତାପମାତ୍ରା ବୃଦ୍ଧି ପାଇବ। ଗ୍ରୀଷ୍ମ ପ୍ରବାହ ସ୍ଥିତି ପାଇଁ ୟେଲୋ ୱାର୍ଣିଂ ଜାରି କରାଯାଇଛି। ମୁଖ୍ୟତଃ ରାଜ୍ୟରେ ଉଷ୍ମ ଆଦ୍ର ପାଣିପାଗ ସ୍ଥିତି ଉପୁଜିବ। ରାତି ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହୁଛି। ତେଣୁ ଉଷ୍ମ ରାତି ଚେତାବନୀ ଜାରିହୋଇଛି।


Also Read- ବିଜେପିର ପ୍ରଥମ ତାଲିକାରେ ୧୭ ବିଧାୟକଙ୍କ ଉପରେ ଆସ୍ଥା, ୨ଜଣଙ୍କୁ କୋଣ ଠେସା