H1. ଖୋଲିଲା ଶ୍ରୀମନ୍ଦିରର ୪ ଦ୍ୱାର
ସବୁ ପ୍ରତିକ୍ଷାର ଘଟିଲା ଅନ୍ତ, ଯାହାକୁ ଏ ଆଖି ଦେଖିବାକୁ ଚାହୁଁଥିଲା, ଯାହାକୁ କୋଟି କୋଟି ଓଡ଼ିଆ ଅପେକ୍ଷା କରିଥିଲେ ସେଇ ମୁହୂର୍ତ୍ତ ଆସି ପହଞ୍ଚିଛି। ଖୋଲିଲା ଶ୍ରୀମନ୍ଦିର ୪ ଦ୍ୱାର । ନୂତନ ମନ୍ତ୍ରିପରିଷଦର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଖୋଲିଲା ଦ୍ବାର । ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ପ୍ରତିବନ୍ଧକ ହଟିଲା । ସକାଳ ମଙ୍ଗଳ ଆଳତି ସମୟରେ ୪ ଦ୍ବାର ଖୋଲିଲା । ବିନା ବାଧାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଭକ୍ତ ।


COMMERCIAL BREAK
SCROLL TO CONTINUE READING

H2. ଶ୍ରୀମନ୍ଦିରର ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ
ରୁବାର ସକାଳେ ଶ୍ରୀମନ୍ଦିରର ୪ ଦ୍ବାରା ଖୋଲାଯିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। । ମଙ୍ଗଳ ଆଳତୀ ପରେ ସେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ଦର୍ଶନ ପରେ ସେ ଶ୍ରୀମନ୍ଦିର ଚାରିପାଖ ପରିକ୍ରମା କରିଛନ୍ତି। ଏଥିସହ ଶ୍ରୀମନ୍ଦିର ଚତୁର୍ପାର୍ଶ୍ବର ସ୍ଥିତି ମଧ୍ୟ ପରଖିଛନ୍ତି। ଅନେକ ପ୍ରତୀକ୍ଷାର ଅନ୍ତ ଘଟିବା ସହ ଭକ୍ତଙ୍କ ଇଚ୍ଛା ପୂରଣ ହେଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଗୁରୁବାର ପ୍ରତ୍ୟୁଷରୁ ମୁଖ୍ୟମନ୍ତ୍ରୀ  ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ରାଜ୍ୟ ବାସୀଙ୍କ କଲ୍ୟାଣ କାମନା କରିଥିଲେ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନ କରି ସେ ଚାରି ଦ୍ଵାର ପ୍ରଦକ୍ଷିଣ କରିଥିଲେ। ଏହା ସହିତ ସବୁ ଦ୍ଵାର ଖୋଲା ଯାଇଥିଲା।


H3. ଶପଥ ନେଲେ ମୁଖ୍ୟମନ୍ତ୍ରୀ ଓ କ୍ୟାବିନେଟ ମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀଙ୍କ ଏହି ପଦ ଓ ଗୋପନୀୟତାର ଶପଥ ପାଠ ସହ ରାଜ୍ୟରେ ଆରମ୍ଭ ହୋଇଛି ବିଜେପି ସରକାର। ଲେଖା ହୋଇଛି ନୂଆ ଇତିହାସ, ଆରମ୍ଭ ହୋଇଛି ରାଜ୍ୟ ରାଜନୀତିର ନୂଆ ଅଧ୍ୟାୟ। ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ରାଜ୍ୟ ଓଡ଼ିଶାର ପଂଚଦଶ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି କେନ୍ଦୁଝରର ଲୋକପ୍ରିୟ ଆଦିବାସୀ ଚେହେରା। ରାଜନୀତିରେ ଅଭିଜ୍ଞ ଓ ଅନୁଭବୀ ନେତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଓଡ଼ିଶାର ମଙ୍ଗ ଧରିଛନ୍ତି ମୋହନ। ଓଡ଼ିଶା ସରକାରରେ ମୋହନଙ୍କ ସାଥୀ ଭାବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ପ୍ରଭାତୀ ପରିଡା ବି ନେଇଛନ୍ତି ପଦ ଓ ଗୋପନୀୟତାର ଶପଥ।


H4. ସୁରମା ପାଢୀ ହୋଇପାରନ୍ତି ବାଚସ୍ପତି
ରାଜ୍ୟରେ ବିଜେପି ଶାସନର ପ୍ରଥମ ବାଚସ୍ପତି ହୋଇପାରନ୍ତି ରଣପୁର ବିଧାୟିକା ସୁରମା ପାଢୀ । ଏନେଇ ସୁରମାଙ୍କୁ କଲ୍ ଯାଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, ମେଣ୍ଟ ସରକାର ସମୟରେ ଅନେକ ଦାୟିତ୍ୱ ସମ୍ଭାଳିଥିଲେ ସୁରମା । ବିଜେପି ସରକାର ପ୍ରଥମ କରି ସରକାର ଗଢିବା ସମୟରେ ଜଣେ ମହିଳାଙ୍କୁ ବାଚସ୍ପତି ଭାବେ ଗୃହକାର୍ଯ୍ୟ ପାଇଁ ଦାୟିତ୍ୱ ଦେବା ଏହା ଦର୍ଶାଉଛି ଯେ, ମହିଳାଙ୍କ ପ୍ରତି ନୂଆ ସରକାରଙ୍କର ମଧ୍ୟ ସମ୍ମାନ ରହିଛି । ସୁରମା ଅତ୍ୟନ୍ତ ଅନୁଭବି, ଗୃହକାର୍ଯ୍ୟ ସମ୍ଭାଳିବା ପାଇଁ ସେ ସକ୍ଷମ ବୋଲି ଚର୍ଚ୍ଚା ହେଉଛି ।


H5. କୁଏତରେ ଅଗ୍ନିକାଣ୍ଡ, ୪୯ ଭାରତୀୟଙ୍କ ମୃତ୍ୟୁ
କୁଏତର ଦକ୍ଷିଣ ଅଞ୍ଚଳରେ ଥିବା ଏକ ଅଟ୍ଟାଳିକାରେ ଅଗ୍ନିକାଣ୍ଡ ଘଟି ୪୯ ଜଣ ଭାରତୀୟଙ୍କର ମୃତ୍ୟୁ ଘଟିଛି। ବୁଧବାର ଦିନ ସ୍ଥାନୀୟ ସମୟ ପ୍ରାୟ ୪ଟା ସମୟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ଯେଉଁଠାରେ ଅଗ୍ନିକାଣ୍ଡ ଘଟିଥିଲା ​​ସେହି ବିଲ୍ଡିଂରେ ବହୁ ସଂଖ୍ୟକ ଭାରତୀୟ ଶ୍ରମିକ ରହୁଥିଲେ। ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଅଧିକାରୀ କହିଛନ୍ତି।


H6. ଡୋଡା ଆକ୍ରମଣ: ୪ ଆତଙ୍କବାଦୀଙ୍କ ସ୍କେଚ୍‌ ଜାରି
ଗୋଟିଏ ପଟେ ନୂଆ ସରକାର ଗଠନ ହୋଇଥିବା ଆଉ ଗୋଟିଏ ପଟେ ଆତଙ୍କୀଙ୍କ ଉତ୍ପାତ ବଢ଼ି ଚାଲିଛି। ଜମ୍ମୁ-କଶ୍ମୀରରେ ତିନି ଦିନରେ ତିନି ଥର ଆତଙ୍କବାଦୀ ଆକ୍ରମଣ ଘଟଣା ଏବେ ଚିନ୍ତାର ବିଷୟ ପାଲଟିଛି। ରିୟାସି, କଠୁଆ ଓ ଡୋଡାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଏବେ ପୁଲିସ ଘାଟିରେ ରେଡ୍‌ ଆଲର୍ଟ ଜାରି କରିଛି। ଏଥିସହ ୪ ଜଣ ଆତଙ୍କବାଦୀଙ୍କ ସ୍କେଚ୍‌ ଜାରି ହୋଇଛି


H7. ମଙ୍ଗଳରେ ହେଲିକପ୍ଟର୍‌ ଉଡ଼ାଇବ ଇସ୍ରୋ!
ଆମଠାରୁ ପ୍ରାୟ ସାଢ଼େ ୨୨ କୋଟି କି.ମି. ଦୂରରେ ଅବସ୍ଥିତ ମଙ୍ଗଳ ଗ୍ରହକୁ ଭାରତର ପ୍ରଥମ ମଙ୍ଗଳ ଅଭିଯାନ ‘ମଙ୍ଗଳାୟନ’ର ଐତିହାସିକ ସଫଳତା ପରେ ଏବେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପୁଣି ଥରେ ଏକ ବିରାଟ, ଦୃଢ଼ ତଥା ସାହସୀ ଅଭିଯାନ ପାଇଁ ପ୍ରସ୍ତୁତି ଚଳାଇଛି। ଏହାର ଦ୍ବିତୀୟ ମଙ୍ଗଳ ଅଭିଯାନ ‘ମଙ୍ଗଳାୟନ-୨’ରେ ମଙ୍ଗଳ ପୃଷ୍ଠରେ ଏକ ରୋଭର ଓ ହେଲିକପ୍ଟର ଅବତରଣ କରାଇବା ପାଇଁ ଇସ୍ରୋ ଲକ୍ଷ୍ୟ ରଖିଛି। ଏହି ଅଭିଯାନର ସଫଳତା ସହ ଭାରତ ମଙ୍ଗଳ ପୃଷ୍ଠରେ ଏକ ହେଲିକପ୍ଟର ଅବତରଣ କରାଇବାରେ ଆମେରିକା ଓ ଚୀନ୍ ପରେ ବିଶ୍ବର ତୃତୀୟ ଦେଶ ହେବାର ସୌଭାଗ୍ୟ ଲାଭ କରିବ।


H8. ମହାପ୍ରଭୁଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ
ଶ୍ରୀମନ୍ଦିରରେ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ। ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ପରେ ମୁଖ୍ୟମନ୍ତ୍ରୀମାନେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି। ଏଥିପାଇଁ ଶ୍ରୀକ୍ଷେତ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶପଥ ଗ୍ରହଣ ଉତ୍ସବ ସରିବା ପରେ କଡ଼ା ସୁରକ୍ଷା ବଳୟ ଭିତରେ ହରିଆଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନୀ ଓ ତାଙ୍କ ପତ୍ନୀ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଓ ତାଙ୍କ ପତ୍ନୀ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହା, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ, କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ଯାଦବ ପ୍ରମୁଖ ଶ୍ରୀକ୍ଷେତ୍ରରେ ପହଞ୍ଚିଥିଲା। ସେଠାରେ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିଥିଙ୍କୁ ସ୍ୱାଗତ କରାଯାଇଥିଲା। ତା’ପରେ ଅତିଥିମାନେ କଡ଼ା ସୁରକ୍ଷା ଭିତରେ ଶ୍ରୀମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ।


H9. ଇଟାଲୀ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ରମାଗତ ତୃତୀୟ କାର୍ଯ୍ୟକାଳ ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କର ପ୍ରଥମ ବୈଦେଶିକ ଗସ୍ତରେ ବାର୍ଷିକ ଜି୭ ସମ୍ମିଳନୀରେ ଯୋଗଦେବା ପାଇଁ ଜୁନ୍ ୧୩ ଅର୍ଥାତ ଗୁରୁବାର ଦିନ ଇଟାଲୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ବୈଦେଶିକ ସଚିବ ବିନୟ ମୋହନ କ୍ୱାଟ୍ରା କହିଛନ୍ତି, ଜୁନ ୧୪ ରେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୦ ତମ ଜି୭ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ।


H10. ଆମେରିକାକୁ ୭ ୱିକେଟ୍‌ରେ ହରାଇଲା ଭାରତ 
ଅର୍ଶଦୀପଙ୍କ ଘାତକ ବୋଲିଂ ଆଗରେ ମାଟି କାମୁଡ଼ି ପଡ଼ିଲା ଆମେରିକା। ଆମେରିକାକୁ ୭ ୱିକେଟ୍‌ରେ ହରାଇଲା ଭାରତ। ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ହ୍ୟାଟ୍ରିକ୍ ବିଜୟ ହାସଲ କରିଛି । ତା’ ସହିତ ସୁପର-୮ରେ ସ୍ଥାନ ସୁରକ୍ଷିତ କରି ନେଇଛି। ଗ୍ରୁପ୍‌-ଏରେ ଭାରତ ତିନିଟି ମ୍ୟାଚ୍‌ରୁ ତୃତୀୟ ବିଜୟ ପାଇ ପୂରା ୬ ପଏଣ୍ଟ୍‌ ସହ ଶୀର୍ଷ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ଆମେରିକା ପ୍ରଥମ ପରାଜୟ ବରଣ କରିଛି। ଆମେରିକା ବୁଧବାର ଭାରତକୁ ୧୧୧ ରନ୍‌ର ଲକ୍ଷ୍ୟ ଦେଇଥିଲା । ଯାହାକୁ ଟିମ୍ ଇଣ୍ଡିଆ ପ୍ରାରମ୍ଭିକ ଝଟ୍‌କା ସତ୍ତ୍ବେ ୩ ୱିକେଟ୍ ହରାଇ ହାସଲ କରି ନେଇଥିଲା ।