ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼
ଚାରିଦ୍ବାର ଫିଟିବା ପରେ ଭକ୍ତଙ୍କ ଭିଡ଼ରେ ଫାଟିପଡ଼ୁଛି ଶ୍ରୀମନ୍ଦିର। ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଛନ୍ତି ହଜାର ହଜାର ଲୋକ। ମନ୍ଦିର ବାହାରେ ଲାଗୁଥିବା ଲାଇନରୁ ଆଶ୍ବସ୍ତି ମିଳିଥିଲେ ବି ମନ୍ଦିର ଭିତରେ ଭିଡ଼ ସମ୍ଭାଳିବା ମୁସ୍କିଲ ହୋଇପଡ଼ିଛି । ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ଆଶାନୁରୂପ ବିଶେଷ ବ୍ୟବସ୍ଥା ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଶ୍ରଦ୍ଧାଳୁ। ମନ୍ଦିର ପରିସରରେ ସମୟ ବିତାଇବାର ସୁଯୋଗ ସୃଷ୍ଟି ହୋଇଥିଲେ ବି, ମହାପ୍ରଭୁଙ୍କ ଦର୍ଶନ ସୁଚାରୁ ରୂପେ ହୋଇପାରୁନଥିବା ସେମାନେ ଅଭିଯୋଗ କରିଛନ୍ତି।ଅନ୍ୟପକ୍ଷରେ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି ଏବଂ ଆଗକୁ ଏହା ଅଧିକ ସୁଚାରୁ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବ।  


COMMERCIAL BREAK
SCROLL TO CONTINUE READING

ସହଜ ଦର୍ଶନ ପାଇଁ ହେବ କମିଟି ଗଠନ
ଶ୍ରୀମନ୍ଦିରରେ ଚାରି ଦ୍ୱାର ଖୋଲାଯିବା ପରେ ଭକ୍ତଙ୍କ ଭିଡ଼ ଜମିବାରେ ଲାଗିଛି। ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ଖୁବ ଶୀଘ୍ର ଏକ ମ୍ୟାନେଜିଂ କମିଟି ଗଠନ କରାଯିବଯ ଏ ସଂକ୍ରାନ୍ତରେ ସ୍ୱତନ୍ତ୍ର କମିଟି ମଧ୍ୟ ଗଠନ ହେବ ବୋଲି ପୁରୀ ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି। ସମସ୍ତଙ୍କ ସହିତ ଆଲୋଚନା ପରେ ଶ୍ରୀମନ୍ଦିର ଭିତରେ କିପରି ଦର୍ଶନ ବ୍ୟବସ୍ଥାକୁ ନିୟନ୍ତ୍ରଣ କରାଯାଇପାରିବ ସେ ନେଇ ପଦକ୍ଷେପ ନିଆଯିବ ସେ ନେଇ ଜିଲ୍ଲାପାଳ ସୂଚନା ପ୍ରଦାନ କରିଥିଲେ। ସେହିପରି ପୁରୀ ଏସପି ସୂଚନା ଦେଇଛନ୍ତି କି ଶ୍ରୀକ୍ଷେତ୍ରରେ ଦୁଇଗୁଣା ଭକ୍ତଙ୍କ ସମାଗମ ଘଟିଛି। ଶ୍ରୀମନ୍ଦିରର ଚତୁଃପାର୍ଶ୍ୱ ସହ ଟ୍ରାଫିକ ବ୍ୟବସ୍ଥାରେ ସମସ୍ୟା ମଧ୍ୟ ସୃଷ୍ଟି ହୋଇଛି। ନୂତନ ନିର୍ଦ୍ଦେଶନାମା ଅନୁସାରେ ଦର୍ଶନ ବ୍ୟବସ୍ଥାରେ ଶୃଙ୍ଖଳିତ ହେବାକୁ ଆଉ କିଛି ଦିନ ସମୟ ଲାଗିବ। 


ହାତେ ଜମି ପାଇଁ ରକ୍ତାକ୍ତ ସଂଘର୍ଷ!
ହାତେ ଜମି ପାଇଁ ରକ୍ତାକ୍ତ ସଂଘର୍ଷ! ବାପାଙ୍କ ଆଗରେ ବଡ଼ ପୁଅକୁ ହାଣି ମାରିଦେଲେ। ଆଉ ସାନ ପୁଅକୁ ରକ୍ତାକ୍ତ କରିଦେଲେ। ଏବେ ମେଡ଼ିକାଲ୍‌ ବେଡ୍‌ରେ ଜୀବନ ସହ ସଂଘର୍ଷ କରୁଛନ୍ତି ବାପା ଓ ପୁଅ। ଆଜି ଅପରାହ୍ନରେ ଏପରି ବୀଭତ୍ସ ହତ୍ୟାକାଣ୍ଡ ନୟାଗଡ଼ ଜିଲ୍ଲାରେ ଘଟିଛି। 


କାଲିଠୁ ଖୋଲିବ ସ୍କୁଲ
ଚାଲିଛି ଖରାଛୁଟି। ଖରାଛୁଟି ସରିବା ପରେ ଖୋଲିବାକୁ ଯାଉଛି ସ୍କୁଲ। ଆସନ୍ତା ମଙ୍ଗଳବାର ୧୮ ଜୁନ ୨୦୨୪ ଠାରୁ ଖୋଲିବାକୁ ଯାଉଛି ସ୍କୁଲ। ଏନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି। ସ୍କୁଲ ଖୋଲିବା ପୂର୍ବରୁ ସମ୍ପୂର୍ଣ୍ଣ ଭାବେ ସ୍କୁଲର ସମସ୍ତ ଶ୍ରେଣୀ ଗୃହଠାରୁ ଆରମ୍ଭ କରି କ୍ୟାମ୍ପସ ସବୁ ସ୍ଥାନକୁ ଯାଞ୍ଚ କରାଯିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଅନୁଯାୟୀ ଆସନ୍ତା କାଲି ଶିକ୍ଷକ, ପାଚିକା ଓ ସହାୟିକା ସ୍କୁଲ ଆସିବେ। ରୋଷେଇଶାଳାକୁ ଯାଞ୍ଚ କରିବେ। ରୋଷେଇ ସାମଗ୍ରୀକୁ ମଧ୍ୟ ଯାଞ୍ଚ କରିବେ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ ପକ୍ଷରୁ ଆଗୁଆ ସ୍କୁଲ ଛୁଟି କରାଯାଇଥିଲା। 


ଆଜି ବକ୍ରି ଇଦ
ଆଜି ଇସଲାମ୍ ଧର୍ମାବଲମ୍ବୀଙ୍କ ପବିତ୍ର ପର୍ବ ଇଦ୍-ଉଲ-ଆଦା ବା ବକ୍ରିଇଦ୍‌ । ସାରା ବିଶ୍ୱରେ ଆଜି ଏହି ପର୍ବ ପାଳନ ହେଉଛି । ଏହି ଅବସରରେ ମସ୍‌ଜିଦ୍ ଗୁଡ଼ିକରେ ସମୂହ ନମାଜପାଠ କରାଯାଇଛି । ଏହାସହ ପରସ୍ପରକୁ ଆଲିଙ୍ଗନ କରି ବକ୍ରିଇଦ୍‌ ଶୁଭେଚ୍ଛା ଆଦାନ ପ୍ରଦାନ କରିଛନ୍ତି । ଇସଲାମ୍ ଧର୍ମାବଲମ୍ବୀ ମୁଖ୍ୟ ପର୍ବ ଇଦ ଉଲ୍ ଫିତରର ୭୦ ଦିନ ପରେ ଏହି ପର୍ବ ପାଳନ କରାଯାଇଥାଏ । ଆଲ୍ଲାଙ୍କ ପ୍ରତି ପ୍ରଫେଟ୍ ଇବ୍ରାହିମ୍‌ଙ୍କ ଆନୁଗତ୍ୟ ସ୍ମୃତିରେ ଏହି ପର୍ବ ପାଳନ କରାଯାଇଥାଏ । 


ବାଚସ୍ପତି ନିର୍ବାଚନ ଅଡ଼ୁଆ 
ଜୁନ୍ ୨୬ରେ ଲୋକସଭା ବାଚସ୍ପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହାକୁ ନେଇ ରାଜନୀତି ସରଗରମ ହୋଇଉଠିଛି। ବିଜେପି ନେତୃତ୍ବାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ର ସହଯୋଗୀ ଦଳକୁ ବ‌ାଚସ୍ପତି ପଦ ଦିଆଯିବା ଉଚିତ ବୋଲି ଇଣ୍ଡି ମେଣ୍ଟ ନେତାମାନେ ମତ ରଖି ଅଡ଼ୁଆ ବଢ଼ାଇଛନ୍ତି। ଏହି ପ୍ରସଙ୍ଗରେ ନୀତୀଶ କୁମାରଙ୍କ ଜନତା ଦଳ (ୟୁ) ଏବଂ ଚନ୍ଦ୍ରବାବୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଭିନ୍ନ ଭିନ୍ନ ମତ ରଖିଥିବାରୁ ବିଜେପିର ଚିନ୍ତା ବଢ଼ିଛି। ଜେଡିୟୁ ବିଜେପିର ନିଷ୍ପତ୍ତିକୁ ସମର୍ଥନ କରିବ ବୋଲି କହିଥିବା ବେଳେ ଟିଡିପି କହିଛି ଯେ ଶାସକ ମେଣ୍ଟର ସହଯୋଗୀମାନେ ସର୍ବସମ୍ମତ ପ୍ରାର୍ଥୀ ଚୂଡ଼ାନ୍ତ କରିବା ଦରକାର।


ଦୋଷୀକୁ ଛଡ଼ାଯିବ ନାହିଁ: କେନ୍ଦ୍ରମନ୍ତ୍ରୀ
ରବିବାର NEET UG 2024 ର ଫଳାଫଳରେ ଅନିୟମିତତା ଅଭିଯୋଗ ମଧ୍ୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏନଟିଆକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, "NEET ପ୍ରସଙ୍ଗରେ କୌଣସି ପ୍ରକାର ଭୁଲ କରୁଥିବା ବ୍ୟକ୍ତିଙ୍କୁ ରକ୍ଷା କରାଯିବ ନାହିଁ। ପିଲାମାନଙ୍କର ଭବିଷ୍ୟତ ସହିତ ଖେଳିବା ସହ୍ୟ କରାଯିବ ନାହିଁ।" ଶିକ୍ଷା ମନ୍ତ୍ରୀ ମଧ୍ୟ ଏନଟିଆର ଉପରେ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ ଯଦି ଏନଟିଆରେ କେହି ଦୋଷୀ, ତେବେ ତାଙ୍କୁ ମଧ୍ୟ ରକ୍ଷା କରାଯିବ ନାହିଁ।


ଲୁଚକାଳି ଖେଳୁଛି ମୌସୂମୀ
ସପ୍ତାହେରୁ ଅଧିକ ଦିନ ତଳୁ ଓଡ଼ିଶା ଛୁଇଁ ସାରିଲାଣି ମୌସୁମୀ ବାୟୁ। ଏହା ମାଲକାନଗିରି ଜିଲ୍ଲାରେ ପ୍ରବେଶ କରିବା ସହିତ ଓଡ଼ିଶା ଛୁଇଁଥିଲା। ତେଣୁ ଲୋକେ ଭାବିଥିଲେ ପ୍ରଚଣ୍ଡ ଖରା, ଗରମ ଓ ଗୁଳୁଗୁଳିରୁ ତ୍ରାହି ମିଳିବ। କିନ୍ତୁ ଏଯାଏଁ ରାଜ୍ୟରେ ମୌସୁମୀ ବାୟୁର ସେମିତି କିଛି ପ୍ରଭାବ ଦେଖିବାକୁ ମିଳିନାହିଁ। ଖରା, ଗରମ ଓ ଗୁଳୁଗୁଳି ଜାରି ରହିଛି। ଓଡ଼ିଶା ଛୁଇଁବା ପରେ ଆଉ ଆଗକୁ ଅଗ୍ରସର ହେଉନି ମୌସୁମୀ ବାୟୁ। ଏମିତି ସ୍ଥିତି ଆଉ ଦୁଇ ଦିନ ଲାଗି ରହିବ। ଆସନ୍ତା ୧୮ ତାରିଖ ଯାଏ ପାଗରେ କୌଣସି ବଡ଼ ଧରଣର ପରିବର୍ତ୍ତନ ସମ୍ଭାବନା ନାହିଁ। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଅଧିକ ଗୁଳୁଗୁଳି ଅନୁଭୂତ ହେବ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। 


ଟଳି ପଡ଼ିଲା ଦନ୍ତା
ସମ୍ବଲପୁର ସଦର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ବସିଆପଡ଼ା ଗାଁର ଡାଲଖାଇପଡ଼ାରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି। ଆଜି ଭୋରରେ ଘଟିଛି ଏହି ଘଟଣା। ଦନ୍ତା ହାତୀଟି ଧାନ-ଚାଉଳ ଖାଇବା ଉଦ୍ଦେଶ୍ୟରେ ଗାଁକୁ ପଶିଥିବା ବେଳେ ଜଣଙ୍କର ଘର ଭାଙ୍ଗିବାକୁ ଉଦ୍ୟମ କରୁଥିବା ସମୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯିବାରୁ ତା’ର ମୃତ୍ୟୁ ଘଟିଥିବା କୁହାଯାଉଛି। ତେବେ ହାତୀଟିର ମୃତ୍ୟର ପ୍ରକୃତ କାରଣ ଜଣାପଡ଼ିନାହିଁ। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। 


ମହିଳା କ୍ରିକେଟ: ଦକ୍ଷିଣ ଆଫ୍ରିକାକୁ ପରାସ୍ତ କଲା ଭାରତ
ଭାରତୀୟ ମହିଳା କ୍ରିକେଟ୍ ଦଳ ପ୍ରଥମ ଦିନିକିଆ ମ୍ୟାଚରେ ଏକପାଖିଆ ଖେଳ ପ୍ରଦର୍ଶନ କରି ୧୪୩ ରନ୍ ବ୍ୟବଧାନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ସମ୍ପୂର୍ଣ୍ଣ ଭାବେ ପ୍ରାଧାନ୍ୟ ବିସ୍ତାର କରିଥିଲା। ପ୍ରଥମେ ସ୍ମୃତି ମଣ୍ଡନା ବ୍ୟାଟ୍ ସହିତ ଚମତ୍କାର କରିଥିଲେ ଓ ଏକ ଶତକୀୟ ଇନିଂସ ଖେଳିଥିଲେ ଏବଂ ପରେ ଲେଗ୍ ସ୍ପିନର ଆଶା ଶୋଭାନା ତାଙ୍କର ପ୍ରଥମ ମ୍ୟାଚ୍ ଖେଳି ଚମତ୍କାର କରିଥିଲେ ଓ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା।