H1. ଉପବାସ କରି ପଶ୍ଚାତାପ କରିବେ ସମ୍ବିତ
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ବିଜେପି ନେତା ସମ୍ବିତ ପାତ୍ର ନିଜ ସୋସିଆଲ ମିଡିଆ X ରେ କ୍ଷମା ମାଗିବାର ଭିଡିଓ ସେୟାର କରିଛନ୍ତି। ଏହା ସହିତ ସେ ଲେଖିଛନ୍ତି, ମହାପ୍ରଭୂ ଶ୍ରୀ ଜଗନ୍ନାଥ ଜୀଙ୍କ ବିଷୟରେ ମୁଁ କରିଥିବା ଭୁଲ ବିଷୟରେ ଆଜି ମୋର ବିବେକ ଅତ୍ୟଧିକ ଯନ୍ତ୍ରଣା ଅନୁଭବ କରୁଛି। ମୁଁ ମହାପ୍ରଭୂ ଶ୍ରୀ ଜଗନ୍ନାଥ ଜୀଙ୍କ ପାଦତଳେ ମୁଣ୍ଡ ନୁଆଁଇ କ୍ଷମା ପ୍ରାର୍ଥନା କରୁଛି। ମୋର ଭୁଲକୁ ସଂଶୋଧନ କରିବା ପାଇଁ ମୁଁ ଆଗାମୀ ୩ ଦିନ ଉପବାସ କରିବି।


COMMERCIAL BREAK
SCROLL TO CONTINUE READING

H2. ଆଜି ଓଡ଼ିଶା ଆସିବେ ଅମିତ ଶାହ
ଆଜି ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ୪ଟି ସ୍ଥାନରେ ଶାହ କରିବେ ଜୋରଦାର ପ୍ରଚାର। ଦିନ ସାଢେ ୧୧ଟାରେ ସେ ସମ୍ବଲପୁର ଯିବେ। ସେଠାରେ ରେମେଡ ଗ୍ରାଉଣ୍ଡରେ ଆୟୋଜିତ ବିରାଟ ଜନସଭାକୁ ସମ୍ବୋଧନ କରିବେ। ସମ୍ବଲପୁର ସଭାରେ ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସାଂସଦ ପ୍ରତାପ ଷଡ଼ଙ୍ଗୀ, ଅପରାଜିତା ଷଡ଼ଙ୍ଗୀ ଓ ସମ୍ବଲପୁର ବିଧାୟକ ପ୍ରାର୍ଥୀ ଜୟନାରାୟଣ ମିଶ୍ର ଉପସ୍ଥିତ ରହିବେ।


H3. ଏକାମ୍ରରେ ନବୀନଙ୍କ ରୋଡ୍‌ ଶୋ’
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପୁଣି ଥରେ ପ୍ରଚାରକୁ ଓହ୍ଲାଇଛନ୍ତି। ସୋମବାର ଭୁବନେଶ୍ବର ଏକାମ୍ର ନିର୍ବାଚନମଣ୍ଡଳୀରେ ବିଶାଳ ରୋଡ୍‌ ସୋ କରି ବିଜେଡି ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଜିତାଇବାକୁ ଜନତାଙ୍କୁ ନିବେଦନ କରିଛନ୍ତି। ସନ୍ଧ୍ୟାରେ ଏକ ସ୍ବତନ୍ତ୍ର ବସ୍‌ରେ ମୁଖ୍ୟମନ୍ତ୍ରୀ ପୁନମାଗେଟ୍‌ ଠାରୁ ରୋଡ୍‌ ସୋ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କୁ ସମ୍ବୋଧନ କରିଥିଲେ।


H4. ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ମୋଦୀ
ଓଡ଼ିଶା ପରି ସମୃଦ୍ଧ ରାଜ୍ୟରେ ଗରିବୀ ବହୁତ କଷ୍ଟଦାୟକ। ଏଥିପାଇଁ ଭ୍ରଷ୍ଟାଚାରୀ ବିଜେଡି ସରକାର ଦାୟୀ। ଏବେ ସରକାର ଭ୍ରଷ୍ଟ‌ାଚାରୀଙ୍କ କବ୍‌ଜାରେ ରହିଛି। ଏହା ଓଡ଼ିଶାକୁ ବରବାଦ୍‌ କରିଦେଇଛି। ଅନୁଗୁଳରେ ନିର୍ବାଚନୀ ପ୍ରଚାର ବେଳେ ରାଜ୍ୟ ସରକାରଙ୍କୁ ଏମିତି ସିଧା ସିଧା ଆକ୍ରମଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଅତ୍ୟନ୍ତ ସ୍ପଷ୍ଟ ଭାବେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଓ ମୁଖ୍ୟମନ୍ତ୍ରୀଙ୍କ ଆବାସକୁ କିଛି ଭ୍ରଷ୍ଟାଚାରୀ ନିଜ ଅକ୍ତିଆରରେ ରଖିଛନ୍ତି। କଟକ ସଭାରେ ଆଉ ପାଦେ ଆଗେଇ ଯାଇ ମୋଦୀ କହିଥିଲେ, ଓଡ଼ିଶାର ସଂସ୍କୃତିକୁ ଜାଣି ନଥିବା ବ୍ୟକ୍ତି ଏବେ ଏହାକୁ ଶାସନ କରୁଛନ୍ତି। ବିଜେଡି ସରକାରକୁ ୨୪ ବର୍ଷ ଦେଇ କି ଦେଖିଛନ୍ତି, ଏବେ ଆସନ୍ତା ୨୫ ବର୍ଷ ଓଡ଼ିଶାର ବିକାଶ ପାଇଁ ବିଜେପିକୁ ଭୋଟ ଦେବାକୁ ସେ ନିବେଦନ କରିଛନ୍ତି।


H5. ସିଲ୍‌ ହେଲା ୩୦୫ ପ୍ରାର୍ଥୀଙ୍କ ଭାଗ୍ୟ
ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ରାଜ୍ୟର ବରଗଡ଼, ବଲାଙ୍ଗୀର, କନ୍ଧାମଳ, ଆସ୍କା ଓ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ର ସମେତ ଏହା ଅଧୀନରେ ଥିବା ୩୫ଟି ବିଧାନସଭା ଆସନରେ ଆଜି ମତଦାନ ହୋଇଥିଲା। ୩୦୫ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଛି। ୫ଟି ଲୋକସଭା ଆସନରେ ୪୦ଜଣ ପ୍ରାର୍ଥୀ ଓ ୩୫ଟି ବିଧାନସଭା ଆସନ ପାଇଁ ୨୬୫ଜଣ ଏଥର ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ମୁଖ୍ୟମନ୍ତ୍ରୀ ଦୁଇଟି ଆସନରୁ ନିର୍ବାଚନ ଲଢ଼ୁଥିବା ବେଳେ ତାଙ୍କ ବାଦ୍ ଅନେକ ହାଇପ୍ରୋଫାଇଲ ନେତା ଆଜି ପରୀକ୍ଷା ଦେଇଛନ୍ତି। ଆସନ୍ତା ମାସ ଜୁନ୍‌ ୪ ତାରିଖରେ ମତଦାନର ଫଳାଫଳ ଆସିବ।


H6. ୩୫ରୁ ୩୦ ଆସନରେ ବିଜେଡି: ସସ୍ମିତ
ଦ୍ୱିତୀୟ ପର୍ଯ୍ୟାୟ ଭୋଟରେ ବିଜେଡିକୁ ସଫଳତା ମିଳିବ ବୋଲି ବୟାନ ଦେଇଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ୩୫ରୁ ୩୦ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ବିଜୟୀ ହେବେ ବୋଲି ସେ କହିଛନ୍ତି। ଏହି ପର୍ଯ୍ୟାୟରେ ୫ଟି ଲୋକସଭା ଓ ୩୫ଟି ବିଧାନସଭା ପାଇଁ ଭୋଟଗ୍ରହଣ କରାଯାଇଥିଲା।  ଏହି ସଂସଦୀୟ ନିର୍ବାନ ମଣ୍ଡଳୀଗୁଡ଼ିକ ହେଉଛି ସୁନ୍ଦରଗଡ଼, ଆସ୍କା, କନ୍ଧମାଳ, ବରଗଡ଼ ଏବଂ ବଲାଙ୍ଗୀର।  ଏଥିରେ ଭଲ ପ୍ରଦାର୍ଶନ କରିଛି ବୋଲି କହିଥିଲେ ମଧ୍ୟ ଦଳ କେତେ ଆସନ ଜିତିବ ତାହା କହି ନାହାନ୍ତି ସସ୍ମିତ।


H7. ସମୀରଙ୍କୁ ବଡ଼ ଦାୟିତ୍ୱ
ବିଜେଡି ଛାଡ଼ି ଗତକାଲି ବିଜେପିରେ ସାମିଲ ହୋଇଥିବା ବରିଷ୍ଠ ନେତା ସମୀର ରଞ୍ଜନ ଦାଶଙ୍କୁ ଆଜି ଦଳ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନ୍ୟସ୍ତ ହୋଇଛି। ଦଳ ପକ୍ଷରୁ ଜାରି ସୂଚନା ଅନୁସାରେ, ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ରାଜ୍ୟ ମୁଖପାତ୍ର ଭାବେ ନିଯୁକ୍ତି ମିଳିଛି। ଦଳର ମିଡିଆ ସେଲକୁ ଅଧିକ ସୁଦୃଢ଼ କରିବା ପାଇଁ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନରେ ରାଜ୍ୟ ମୁଖପାତ୍ର ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ତାଙ୍କୁ କାକଟପୁର, ନିମାପଡ଼ା, ପିପିଲି ଓ ସତ୍ୟବାଦୀ ବିଧାନସଭା ଆସନର ନିର୍ବାଚନ ପରିଚାଳନା ପର୍ଯ୍ୟବେକ୍ଷକ ଦାୟିତ୍ୱ ବିଶେଷ ଭାବେ ପ୍ରଦାନ କରାଯାଇଛି।


H8. ଖାରବେଳ ଦଳରୁ ବହିଷ୍କୃତ
ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁଙ୍କୁ ଦଳବିରୋଧୀ କାର୍ଯ୍ୟ ପାଇଁ ବିଜେପି ଆଜି ଦଳରୁ ବହିଷ୍କାର କରିଛି । ଏନେଇ ଦଳ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ଖାରବେଳ ବାଲେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହେବାକୁ ଆଶାୟୀ ରହିଥିଲେ। ମାତ୍ର ଦଳ ତାଙ୍କୁ ଟିକଟ ଦେଇନଥିଲା। ଦଳୀୟ ନିଷ୍ପତ୍ତି ବିରୁଦ୍ଧରେ ଯାଇ ପ୍ରାର୍ଥୀ ହୋଇଥିବା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁଙ୍କୁ ଆଜି ଦଳବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବହିଷ୍କାର କରାଯାଇଛି । ଶ୍ରୀ ସ୍ୱାଇଁଙ୍କ ସମେତ ରେମୁଣାର ବିଜୟ କୁମାର ସେଠୀ, ଜଳେଶ୍ୱରର ଦିବ୍ୟକାମ ମହାନ୍ତି, ଉଦଳାର କାଳୀଚରଣ ପାତ୍ର, କରଞ୍ଜିଆର ଯୁଗଳ କିଶୋର ନାୟକ ଓ ବରିର କବିର ଦାସଙ୍କୁ ଦଳରୁ ବହିଷ୍କାର କରାଯାଇଛି ବୋଲି ଜଣାପଡ଼ିଛି ।


H9. କାଲିଠୁ ହାଇକୋର୍ଟର ଗ୍ରୀଷ୍ମ ଅବକାଶ
ଓଡ଼ିଶା ହାଇକୋର୍ଟର ଆସନ୍ତା କାଲି ଅର୍ଥାତ ମଇ ୨୨ ତାରିଖରୁ ଗ୍ରୀଷ୍ମ ଅବକାଶ ଆରମ୍ଭ ହେଉଛି। ମେ ୨୨ ତାରିଖରୁ ଜୁନ ୧୭ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଅବକାଶ ରହିବ। ଜୁନ ୧୮ ତାରିଖରେ କୋର୍ଟ ଖୋଲିବ। ଅବକାଶ ସମୟରେ ମେ ୨୩,୨୮,୩୦ ଓ ଜୁନ ୪, ୬, ୧୧ ଏବଂ ୧୨ରେ ଅବକାଶକାଳୀନ ଖଣ୍ଡପୀଠ ବସିବ ବୋଲି ମେ ୨୦ ତାରିଖରେ ହାଇକୋର୍ଟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। 


H10. ଓଡ଼ିଶାକୁ ବାତ୍ୟା ଭୟ
ଆସନ୍ତା ୨୨ ତାରିଖ ସୁଦ୍ଧା ଦକ୍ଷିଶ ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହେବା ସହ ଉତ୍ତର-ପୂର୍ବ ଦିଗରେ ଗତି କରିବ ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଅବପାତର ରୂପରେଖ କ’ଣ ରହିବ ସେନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୌଣସି ପୂର୍ବାନୁମାନ କରାଯାଇ ନାହିଁ।