H1. ଦୁଇ ଦିନ ରଥଯାତ୍ରା ଛୁଟି
ଆସନ୍ତା ରଥଯାତ୍ରା ପାଇଁ ଦୁଇ ଦିନ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଚଳିତ ବର୍ଷ ରଥଯାତ୍ରା ଦୁଇ ଦିନ ପାଳିତ ହେବାକୁ ଥିବା ବେଳେ ରାଜ୍ୟ ସରକାର ଦୁଇ ଦିନ ଛୁଟି ଘୋଷଣା କରିଛନ୍ତି। ପୁରୀରେ ରଥଯାତ୍ରା ପରିଚାଳନା ନେଇ ଆଜି ସମୀକ୍ଷା କରିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ। ଛୁଟି ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ରଥଯାତ୍ରା ପରିଚାଳନା ନେଇ ସମସ୍ତଙ୍କର ସହଯୋଗ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ। ତୃଟିଶୂନ୍ୟ ଓ ଶୃଙ୍ଖଳିତ ରଥଯାତ୍ରା ପାଇଁ ସହଯୋଗ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ। 


COMMERCIAL BREAK
SCROLL TO CONTINUE READING

H2. ଶୃଙ୍ଖଳିତ ରଥଯାତ୍ରା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ଟାଉନ ହଲଠାରେ ରଥଯାତ୍ରା ରାଜ୍ୟସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ରଥଯାତ୍ରାର ସୁପରିଚାଳନା ପାଇଁ ସମସ୍ତ ସେବାୟତଗଣ, ପ୍ରଶାସନ, ବିଭିନ୍ନ ସାମାଜିକ ସଂଗଠନ ଓ ସ୍ଥାନୀୟ ଲୋକମାନଙ୍କର ସହଯୋଗ କାମନା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହାପ୍ରଭୁ ଜଗନ୍ନାଥଙ୍କ ମୂଳ ସେବକ ହେଉଛନ୍ତି ଆଦିବାସୀ। ଜଣେ ଆଦିବାସୀ ଭାବେ ମୁଁ ନିଜକୁ ଜଗନ୍ନାଥଙ୍କ ନିକଟରେ ସମ୍ପୂର୍ଣ୍ଣ ଭାବେ ସମର୍ପିତ କରିଛି।


H3. ୩୦୦୦ ଟଙ୍କା ହେବ ଭତ୍ତା! 
ବଢିବ ଭତ୍ତା ଟଙ୍କା। ଭତ୍ତା ଟଙ୍କାକୁ ୩୦୦୦ ଟଙ୍କାକୁ ବୃଦ୍ଧି କରାଯିବ। ଏନେଇ ଘୋଷଣା କରିଛନ୍ତି ସାମଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ତେବେ କେଉଁ ବର୍ଗର ଭତ୍ତା ବଢାଯିବ ସେନେଇ କୌଣସି ନିର୍ଦ୍ଦଷ୍ଟ ସୂଚନା ମିଳିନାହିଁ। ତେବେ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତାକୁ ଗୁରୁତ୍ୱ ଦିଆଯିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ। ବିଭିନ୍ନ ବର୍ଗର ଭତ୍ତା ବଢାଇବାକୁ ସରକାର ଚିନ୍ତା କରୁଛନ୍ତି। ବିଭିନ୍ନ ବିଭାଗ ଅଧିକାରୀଙ୍କ ସହ ଏନେଇ ସହ ଆଲୋଚନା ଜାରି ରହିଛି। ଆଲୋଚନା ପରେ କେଉଁ ବର୍ଗର ଭତ୍ତାକୁ ବୃଦ୍ଧି କରାଯିବ ସେନେଇ ସ୍ପଷ୍ଟ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ତେବେ ନିର୍ବାଚନ ପୂର୍ବରୁ ବିଜେପି ଭତ୍ତା ବୃଦ୍ଧି କରିବାକୁ ଯେଉଁ ମାନିଫେଷ୍ଟା ଦେଇଥିଲା ତାକୁ ପୂରଣ କରିବାକୁ ଯାଉଛି ବୋଲି କୁହାଯାଉଛି।


H4. ବଦଳିଗଲା ଲକ୍ଷ୍ମୀ ବସର ରଙ୍ଗ
ଗମନାଗମନ ପାଇଁ ବିଜେଡି ସରକାର ଦ୍ୱାରା ଆରମ୍ଭ ହୋଇଥିବା ଲକ୍ଷ୍ମୀବସ୍‌ ଯୋଜନା ସବୁଜରୁ ସବୁଜରୁ ଗେରୁଆକୁ ରୂପାନ୍ତରିତ କରାଯାଉଛି। ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପାଇଁ ନବୀନ ସରକାର ଦ୍ୱାରା ଚାଲୁଥିବା ଲକ୍ଷ୍ମୀ ବସକୁ ବିଜେପି ସରକାର ରଙ୍ଗ ବଦଳାଇ ନୂଆ ରୁପ ଦେବାରେ ଲାଗିଛି। ଏପର୍ଯ୍ୟନ୍ତ ପାଖାପାଖି ୨୮ ଲକ୍ଷ୍ମୀବସରୁ ଅଧିକ ବସକୁ ଏହିପରି ଗେରୁଆ ରଙ୍ଗ କରାଯାଉଛି। ନିର୍ବାଚନରେ ବିଜେଡି ପରାଜିତ ହେବା ପରେ ରାତାରାତି ଲକ୍ଷ୍ମୀବସ୍‌ଗୁଡ଼ିକରୁ ‘ଶଙ୍ଖ’ ଲୋଗୋ ଷ୍ଟିକର ହଟାଇ ଦିଆଯାଇଥିବା ଦେଖିବାକୁ ମିଳିଥିଲା। ଢେଙ୍କାନାଳ ବସ‌ଷ୍ଟାଣ୍ଡରେ ରହୁଥିବା ବସ୍‌ଗୁଡ଼ିକୁ ଗେରୁଆ ରଙ୍ଗ କରାଯାଉଥିବା ଦେଖାଯାଇଛି। ସୋମବାର ୩ଟି ବସ୍‌ର ରଙ୍ଗ ବଦଳା ଯାଇଛି। ଏସଂପର୍କରେ ଆର୍‌ଟିଓଙ୍କ ପାଖରେ କୌଣସି ସୂଚନା ନାହିଁ। ଦାୟିତ୍ୱରେ ରହିଥିବା ଓଏସ୍‌ଆର୍‌ଟିସି ମ୍ୟାନେଜର୍‌ଙ୍କ ପାଖରେ ବି କୌଣସି ସୂଚନା ନାହିଁ।


H5. ବିଜୟ ମାଲ୍ୟାଙ୍କ ବିରୋଧରେ ଏନ୍‌ବିଡବ୍ଲ୍ୟୁ ଜାରି
ବ୍ୟାଙ୍କ ଋଣ ମାମଲାରେ ପଳାତକ ବିଜୟ ମାଲ୍ୟାଙ୍କ ବିରୋଧରେ ଏନ୍‌ବିଡବ୍ଲ୍ୟୁ ଜାରି କରାଯାଇଛି। ମୁମ୍ବାଇର ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି। ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରୁ ୧୮୦ କୋଟି ଋଣ ମାମଲାରେ ଏହି ଏନ୍‌ବିଡବ୍ଲ୍ୟୁ ଜାରି କରାଯାଇଛି।


H6. ଆସାମ-ଅରୁଣାଚଳରେ ବନ୍ୟା ପରିସ୍ଥିତି ଅଣାୟତ
ଆସାମ ଏବଂ ଅରୁଣାଚଳ ପ୍ରଦେଶରେ ବନ୍ୟା ପରିସ୍ଥିତି ଜଟିଳ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଆସାମରେ ପ୍ରାୟ ଚାରି ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହେଲେଣି। ଏଥିସହ ଏକାଧିକ ସ୍ଥାନରେ ଭୂସ୍ଖଳନ କାରଣରୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ASDMA) ରିପୋର୍ଟ କରିଛି ଯେ, ରାଜ୍ୟରେ ବନ୍ୟା ପ୍ରଭାବିତ ଜିଲ୍ଲା ସଂଖ୍ୟା ୧୨ରୁ ୧୯କୁ ବୃଦ୍ଧି ପାଇଛି ଏବଂ ଏଥିରେ ପ୍ରଭାବିତ ଲୋକଙ୍କ ସଂଖ୍ୟା ୬ ଲକ୍ଷ ୪୪ ହଜାରରେ ପହଞ୍ଚିଛି।


H7. ବଦଳିଲେ ନବୀନଙ୍କ ବ୍ୟକ୍ତିଗତ ସଚିବ
ବଦଳିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ। ପୂର୍ବରୁ ଭିକେ ପାଣ୍ଡିଆନ୍ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଥିବା ବେଳେ ବର୍ତ୍ତମାନ ତାଙ୍କ ଜାଗାରେ ନୂତନ ସଚିବଙ୍କୁ ନିଯୁକ୍ତ କରାଯାଇଛି। ବର୍ତ୍ତମାନ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି ଆଦିତ୍ୟ ମହାପାତ୍ର। ପୂର୍ବରୁ ନବୀନଙ୍କ ଅତିରିକ୍ତ ସଚିବ ଥିଲେ ଆଦିତ୍ୟ। ଏବେ ସେ ତାଙ୍କର ବ୍ୟକ୍ତିଗତ ସଚିବ ହୋଇଛନ୍ତି।


H8. ହଟିଲା ରାହୁଲଙ୍କ ବିବାଦୀୟ ବୟାନ
ସୋମବାର ସଂସଦରେ ବିରୋଧୀ ନେତା ରାହୁଲ ଗାନ୍ଧି ଦେଇଥିବା ଅଭିଭାଷଣରେ ବିବାଦୀୟ ମନ୍ତବ୍ୟକୁ ସଂସଦ ରେକର୍ଡରୁ କାଟିଦିଆଯାଇଛି । ପ୍ରଥମ ଥର ବିରୋଧୀ ନେତା ଭାବେ ସଂସଦରେ ନିଜର ମନ୍ତବ୍ୟ ରଖି ବିଜେପିକୁ ଘେରିଥିଲେ ରାହୁଲ । ଏହାରି ଭିତରେ ହିନ୍ଦୁତ୍ବ, ସଂଖ୍ୟାଲଘୁ, ଅଗ୍ନିବୀର ଯୋଜନା, ଆଦାନୀ-ଅମ୍ବାନୀ ପ୍ରସଙ୍ଗକୁ ନେଇ ବିଜେପି ଉପରେ ଖୁବ୍ ବର୍ଷିଥିଲେ ରାହୁଲ । ହେଲେ ସେଗୁଡିକୁ ସଂସଦର ରେକର୍ଡ ପାର୍ଟରୁ ହଟାଇ ଦିଆଯାଇଛି ।


H9. ରାଜ୍ୟରେ ଖୋଲିବ ୪ ସିଭିଲ କୋର୍ଟ
ରାଜ୍ୟରେ ଖୋଲିବ ୪ ସିଭିଲ୍‍ କୋର୍ଟ। ବରିଷ୍ଠ ଜଜ୍‍ ବର୍ଗରେ ଏହି କୋର୍ଟ ଖୋଲାଯିବ। ୫ ତାରିଖ ଠାରୁ ଏହି କୋର୍ଟ କାର୍ଯ୍ୟ କରିବା ଆରମ୍ଭ କରିବ। ପାରଳାଖମୁଣ୍ଡି, ଦେବଗଡ଼, ସୋନପୁର, ଏବଂ ବଲାଙ୍ଗୀରରେ ଏହି କୋର୍ଟ ଖୋଲାଯିବ ବୋଲି ଓଡ଼ିଶା ସରକାରଙ୍କ ବିଧି ବିଭାଗ ସ୍ପଷ୍ଟ କରିଛି।


H10. ଓଡ଼ିଆ ବୋହୂଙ୍କୁ ଗୁରୁ ଦାୟିତ୍ୱ
ଓଡ଼ିଆ ବୋହୂଙ୍କୁ ମିଳିଛି ରିଜର୍ଭ ବ୍ୟାଙ୍କରେ ବଡ଼ ପଦବୀ। ପ୍ରଥମ ଓଡ଼ିଆ ମହିଳା ଭାବେ ଚାରୁଲତା କର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଦାୟିତ୍ୱ ନେବେ। ଆଜିଠାରୁ ତାଙ୍କ କାର୍ଯ୍ୟକାଳ ଆରମ୍ଭ ହେବ। ଚାରୁଲତାଙ୍କ ଘର ସମ୍ବଲପୁରରେ। ସେ ରିଜର୍ଭ ବ୍ୟାଙ୍କର ପୂର୍ବତନ ପ୍ରଧାନ ମହାପ୍ରବନ୍ଧକ ଡ. ସୁଶାନ୍ତ କରଙ୍କ ପତ୍ନୀ।