1.୪୧ ରାଷ୍ଟ୍ରଦୂତ ପ୍ରତ୍ୟାହୃତ: ଭାରତର ନିର୍ଦ୍ଦେଶ ଅନୁସାରେ କାନାଡ଼ା ଏହାର ୪୧ ରାଷ୍ଟ୍ରଦୂତଙ୍କୁ ପ୍ରତ୍ୟାହୃତ କରିଛି। କାନାଡ଼ାରେ ଜଣେ ଶିଖ୍‍ ବିଛିନ୍ନତାବାଦୀଙ୍କ ହତ୍ୟା ପରେ ଦୁଇ ଦେଇ ଭିତରେ କୂଟନୀତିକ ସମ୍ପର୍କ ଚର୍ଚ୍ଚାକୁ ଆସିଥିଲା। କାନାଡ଼ା ପ୍ରଥମେ ଭାରତର ଜଣେ ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରି ଭାରତ ଉପରେ ଚାପ ପ୍ରୟୋଗ କରିବାକୁ ଚେଷ୍ଟା କରିଥିଲେ। ଜବାବରେ ଭାରତ କାନାଡ଼ାର ରାଷ୍ଟ୍ରଦୂତଙ୍କୁ ଏଠାରୁ ବହିଷ୍କାର କରିବା ସହ ଏଠାରେ କାନାଡ଼ା କୂଟନୀତିଜ୍ଞମାନେ ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରୁଛନ୍ତି ବୋଲି ଅଭିଯୋଗ କରିଥିଲା। ଏହାସହ ୪୧ ଜଣ ରାଷ୍ଟ୍ରଦୂତ ଏଠାରେ ଅଧିକ ରହିଛନ୍ତି ବୋଲି ଦର୍ଶାଇ ସେମାନଙ୍କୁ ପ୍ରତ୍ୟାହାର କରିବାକୁ କହିଥିଲା। 

 

2.ଭାରତର ବିଜୟଯାତ୍ରା ଜାରି: ବାଂଲାଦେଶ ବିପକ୍ଷରେ ଭାରତ ଗୁରୁବାର ମ୍ୟାଚି ଜିତିଛି। ମହାରାଷ୍ଟ୍ରରେ ଖେଳାଯାଇଥିବା ଏହି ମ୍ୟାଚ୍‍ ବାଂଲାଦେଶର ବ୍ୟାଟିଂରୁ ଆରମ୍ଭ ହୋଇଥିଲା। ପ୍ରଥମରୁ ଭଲ ଖେଳ ପ୍ରଦର୍ଶନ କରୁଥିବା ବାଂଲାଦେଶ ଟିମ୍‍ ୮ ଓ୍ୱିକେଟ ବିନିମୟରେ ୨୫୬ ରନ୍‍ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତ ୪୧.୩ ଓଭରରେ ୩ ଓ୍ୱକେଟ ବିନିମୟରେ ୨୫୬ ରନ୍‍ ସଂଗ୍ରହ କରି ମ୍ୟାଜ ବିଜୟୀ ହୋଇଥିଲା। ଭାରତର ଏହି ବିଜୟ ଦ୍ୱାରା ବିଶ୍ୱକପ୍‍ ପଏଣ୍ଟ ତାଲିକାରେ ୮ ପଏଣ୍ଟ ହାସଲ କରିଛି। 

 

3.ଆଜିଠୁ ବସ୍‍ ବନ୍ଦ: ଘେରାଇ ବସ୍‍ ମାଲିକ ସଂଘ ଏବଂ ସରକାରଙ୍କ ଭିତରେ ବୁଝାମଣା ତୁଟିପାରି ନଥିବାରୁ ଆଜି ସକାଳୁ ବସ୍‍ ଚଳାଚଳ ବନ୍ଦ ରଖିଛନ୍ତି ଘରୋଇ ବସ୍‍ ମାଲିକ ସଂଘ। ସରକାର ଲିଖିତ ପ୍ରତିଶୃତି ଦେଉ ନାହାନ୍ତି କି ପ୍ରତିଶୃତି ଦେଲେ କାର୍ଯ୍ୟକାରୀ କରୁନାହାନ୍ତି ବୋଲି ସଂଘ ଅଭିଯୋଗ କରିଛି। ଗତକାଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ବସ୍‍ ମାଲିକ ସଂଘର ଆଲୋଚନା ହୋଇଥିଲା। ଲକ୍ଷ୍ମୀ ବସ୍‍ ସେବା ଓ ମୋ ବସ୍‍ ସେବାରେ ଘରୋଇ ବସ୍‍ ମାଲିକଙ୍କୁ ପ୍ରତାରଣ କରାଯାଇଥିବା ଅଭିଯୋଗ ହୋଇଛି। 

 

4.  ଧର୍ମଘଟକୁ ନେଇ ପରିବହନ ମନ୍ତ୍ରୀ ଟୁକୁନି ସାହୁ  ପ୍ରତିକ୍ରିୟା ରଖିଛନ୍ତି ।  ବସ ଧର୍ମଘଟ ନ କରିବାକୁ ଘରୋଇ ବସ ମାଲିକ ସଂଘକୁ ଅନୁରୋଧ କରିଛନ୍ତି ମନ୍ତ୍ରୀ । ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପାର୍ବଣ ସମୟରେ ବସ ଧର୍ମଘଟ ନ କରିବାକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି । ବସ ମାଲିକ ସଂଘର ଏଭଳି ଏକତରଫା ନିଷ୍ପତ୍ତି ଦ୍ବାରା ଯାତ୍ରୀ ଅସୁବିଧାରେ ପଡ଼ିବେ ବୋଲି ସେ କହିଛନ୍ତି। ଆସନ୍ତା ୨୬ ତାରିଖରେ ପୁଣିଥରେ ସରକାରଙ୍କ ସହ ବସ୍ ମାଲିକ ସଂଘ ଆଲୋଚନା ରହିଛି ବୋଲି ସୂଚନା ରହିଛି। 

 

5.ଭୁବନେଶ୍ୱରରେ ପୁଣି ଏକ ନୂଆ ଘରୋଇ ବିଶ୍ୱବିଦ୍ୟାଳୟ:  ଶ୍ରୀ ଭିଲେପାର୍ଲେ କଲାନି ମଣ୍ଡଳ ( ଏସଭିକେଏମ୍‍) ଦ୍ୱାରା  ଭୁବନେଶ୍ୱରରେ  ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଲାଗି ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ରାଜ୍ୟ କ୍ୟାବିନେଟ୍‍।  ପ୍ରତିଷ୍ଠା ହେବାକୁ ଥିବା ଏହି ନୂତନ ବିଶ୍ୱବିଦ୍ୟାଳୟର ନାଁ ରହିବ ଏନ୍‍ଏମ୍‍ଆଇଏମ୍‍ଏସ୍‍ ବିଶ୍ୱବିଦ୍ୟାଳୟ। ଏଥିଲାଗି ରାଜ୍ୟ ସରକାର ୪୦ ଏକର ଜାଗା ଦେବେ। ଜଟଣୀର ଗଡ଼ କାଶୀପୁରଠାରେ ଏହି ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯିବ। ଏହାର ପ୍ରତି ବଦଳରେ ବିଶ୍ୱବିଶଦ୍ୟାଳୟ ପକ୍ଷରୁ ୩୦- ପ୍ରତିଶତ ଆସନ ଓଡ଼ିଶାର ଛାତ୍ରମାନଙ୍କ ପାଇଁ ସଂରକ୍ଷିତ ରହିବ।  ଏହି ବିଶ୍ୱବିଦ୍ୟାଳୟକୁ ମିଶାଇ ରାଜ୍ୟରେ ଘରୋଇ ବିଶ୍ୱବିଦ୍ୟାଳୟ ସଂଖ୍ୟା ୧୩ରେ ପହଞ୍ଚିଛି। 

 

6.ମୁଣ୍ଡାରୀ ଭାଷାକୁ ସାମ୍ବିଧାନିକ ମାନ୍ୟତା ଦାବି:  ମୁଣ୍ଡାରି ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ୍‍ କରିବାକୁ  ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯିବ। ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‍ ଅନୁମୋଦନ କରିଛନ୍ତି। ଏହି ସାମ୍ବିଧାନିକ ମର୍ଯ୍ୟାଦା ଦ୍ୱାରା ମୁଣ୍ଡାରୀ କହୁଥିବା ଲୋକେ ଅନ୍ୟ ଭାଷାକୁ ସ୍ଥାନାନ୍ତର ହେବେ ନାହିଁ। ଏ ଭାଷା ବାବଦରେ ଏକ ଗବେଷଣା କାର୍ଯ୍ୟକ୍ରମ ପାଇଁ ଅନୁରୋଧ କରିବା ସହ ଏଥିରେ ୬ ଲକ୍ଷ ଲୋକ ଉପକୃତ ହେବେ ବୋଲି କ୍ୟାବିନେଟ୍‍ ପ୍ରସ୍ତାବରେ କୁହାଯାଇଛି। 

 

7.ସଂଗ୍ରାହକ ଓ ପ୍ରତ୍ନତାତ୍ତ୍ୱିକ କ୍ୟାଡର: ୨୦୨୦ ମସିହାରେ ବସିଥିବା ରାଜ୍ୟ ଐତିହ୍ୟ କ୍ୟାବିନେଟ୍‍ର ଏକ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ଯାଇ ରାଜ୍ୟ ସରକାର ସଂଗ୍ରାହକ ଓ ପ୍ରତ୍ନତାତ୍ତ୍ୱିକ କ୍ୟାଡର ସୃଷ୍ଟି ପାଇଁ କ୍ୟାବିନେଟ୍‍ ନିଷ୍ପତ୍ତି ନେଇଇନ୍ତି। ଦୁଇ ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ ସଂସ୍କୃତି ଓ ପ୍ରତ୍ତ୍ନତାତ୍ତ୍ୱିକ ନିର୍ଦ୍ଦେଶାଳୟ ସହ ଏଥିଲାଗି ଆବଶ୍ୟକୀୟ ଅମଲା ଓ ବୈଷୟିକ ପଦବୀ ସୃଷ୍ଟି କରିବାକୁ ଆଜି କ୍ୟାବିନେଟ୍‍ ଅନୁମୋଦନ କରିଛନ୍ତି। 

 

8.ମହାବିଦ୍ୟାଳୟଙ୍କୁ ଷ୍ଟାଫ୍‍: ସରକାରୀ ମହାବିଦ୍ୟାଳୟରେ ଅମଲା ସେବା ନିୟମାବଳୀ-୨୦୨୩କୁ କ୍ୟାବିନେଟ୍‍ ଅନୁମୋଦନ କରିଛନ୍ତି। ଏହାଦ୍ବାରା ଖାଲିପଡ଼ିଥିବା କନିଷ୍ଠ ସହାୟକ ପଦୀପୂରଣ, ସେମାନଙ୍କ ପେଦାନ୍ନତି ପ୍ରଭୃତି ପ୍ରକ୍ରିୟା କାର୍ଯ୍ୟକାରୀ ହେବ। ଏହି ନିଯୁକ୍ତି ଷ୍ଟାଫ୍‍ ସିଲେକ୍ସନ ବୋର୍ଡ ଦ୍ବାରା ପରିଚାଳନା କରାଯିବ।

 

9.ସାର ପାଇଁ ୧୫୦ କୋଟି:  ସମନ୍ୱିତ ସାର ପରିଚାଳନାକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ୨୦୨୪-୨୫ ଆର୍ଥିକ ବର୍ଷରୁ ଅଧିକ ସାର କିଣି ଗଚ୍ଛିତ କରିବେ। ଏହିକ୍ରମରେ ଓଡ଼଼ିଶା ରାଜ୍ୟ ବିପଣନ ସମବାୟ ସଂଘ ଓଡ଼ିଶା କୃଷି ନିଗମକୁ ଅଧିକ କର୍ପସ୍‍ ପାଣ୍ଠି ସୃଷ୍ଟି ଲାଗି ସହାୟତା ଦିଆଯିବ। ଏହି ରାଶି ୯୦ କୋଟି ଟଙ୍କାରୁ ୧୫୦ କୋଟି ଟଙ୍କାକୁ ବୃଦ୍ଧି କରିବା ଲାଗି ସରକାର ପଦକ୍ଷେପ ନେଇଛନ୍ତି। ୫ ବର୍ଷରେ ୭୦୦ କୋଟି ଟଙ୍କା ବ୍ୟୟ ବୃଦ୍ଧିକୁ କ୍ୟାବିନେଟ୍‍ ଅନୁମୋଦନ କରିଛନ୍ତି। 

 

10.ବ୍ଲକ୍‍ ରେ ବସ୍‍ଷ୍ଟାଣ୍ଡ: ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ରାଜ୍ୟ ସରକାର ପ୍ରତି ବ୍ଲକ୍ ରେ ବସ୍‍ଷ୍ଟାଣ୍ଡ ନିର୍ମାଣକୁ ଗୁରୁତ୍ୱ ଦେଇଛନ୍ତି। ଏହିକ୍ରମରେ ୫୫ଟି ସ୍ଥାନରେ ବସ୍‍ଷ୍ଟାଣ୍ଡ ନିର୍ମାଣ ଲାଗି ରାଜ୍ୟ କ୍ୟାବିନେଟ୍‍ ଅନୁମୋଦନ କରିଛନ୍ତି। ୪ ବର୍ଷରେ ଏହି ପ୍ରକଳ୍ପ ଶେଷ କରାଯିବ। ଏଥିରେ ୩୭୩ କୋଟି ୧୩ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।