Top 10 News Today | 1 April | Evening    


COMMERCIAL BREAK
SCROLL TO CONTINUE READING

1. Odia Singer Santilata Barik Passed Away: ବିଶିଷ୍ଟ ଭଜନ ଗାୟିକା ତଥା କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କ ସୋମବାର (ଅପ୍ରେଲ ୧) ପରଲୋକ ହୋଇଛି। ଦୀର୍ଘଦିନ ହେବ ଅସୁସ୍ଥତା କାରଣରୁ ସେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲ ଠାରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧିନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସ୍ବାମୀ ବସନ୍ତ ଛୋଟରାୟ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଆସନ୍ତାକାଲି ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ତାଙ୍କ ବିୟୋଗରେ ସମଗ୍ର ଓଡ଼ିଆ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି ।


2. Arvind Kejriwal Sent to Tihar Jail: ଅପ୍ରେଲ ୧ ତାରିଖ ସୋମବାର ଶେଷ ହୋଇଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ହାଜତ ମିଆଦି। ଇଡ଼ି ହାଜତ ମିଆଦି ଶେଷ ହେବା ପରେ ଦିଲ୍ଲୀ ମଦ ନୀତି ମାମଲାରେ ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ କାରାଗାରରେ ରହିବେ ଅରବିନ୍ଦ କେଜ୍ରିୱାଲ। ସୋମବାର ସକାଳେ ସକାଳେ ସ୍ଥାନୀୟ କୋର୍ଟ ତାଙ୍କୁ ଅପ୍ରେଲ ୧୫ ତାରିଖ ପର୍ଯ୍ୟନ୍ତ ଜେଲ ପଠାଇ ଦେଇଥିଲେ। ଯଦିଓ ତାଙ୍କ ହାଜତ ମିଆଦୀ ବୃଦ୍ଧି କରିବା ପାଇଁ ଇଡ଼ି ପକ୍ଷରୁ ଅଦାଲତରେ କୌଣସି ଆବେଦନ ହୋଇନଥିଲା।  


3. ED reached at Apple for Unlock iPhone: ଆଇଫୋନ ଅନ ଲକ୍ କରିବାକୁ ଏହାର ନିର୍ମାତା ଆପଲ୍ ପାଖରେ ପହଞ୍ଚିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି)। ଇଣ୍ଡିଆନ ଏକ୍ସପ୍ରେସ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆଇଫୋନ ଅୱଲକ୍ କରିବା ପାଇଁ ଇଡି ଅନୁସନ୍ଧାନକାରୀ ଆପଲ ସହିତ ଯୋଗାଯୋଗ କରିଛନ୍ତି। ଆପଣଙ୍କୁ କହିରଖୁଛୁ ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ କମ୍ପ୍ୟୁଟର କିମ୍ବା ଡେସ୍କଟପ ଆକାରରେ ତାଙ୍କ ବିରୋଧରେ କୌଣସି ବୈଦ୍ୟୁତିକ ପ୍ରମାଣ ଜବତ କରିନାହିଁ। ହେଲେ ତାଙ୍କ ଚାରୋଟି ମୋବାଇଲ୍ ଜବତ କରାଯାଇଛି।


4. Arunachal Pradesh Assembly Election 2024: ୨୦୨୪ ଲୋକସଭା ନିର୍ବାଚନକୁ ନେଇ ସରଗରମ ହୋଇଉଠିଛି ସମଗ୍ର ଦେଶରେ ରାଜନୀତି। ଚଳିତ ବର୍ଷ ଲୋକସଭା ସହ କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛନ୍ତି। ଏହି ନିର୍ବାଚନରେ ବିଜେପି ପାଇଁ ଆଗୁଆ ଆସିଯାଇଛି ଏକ ଖୁସି ଖବର। ଅରୁଣାଚଳ ପ୍ରଦେଶରେ ଅନୁଷ୍ଠିତ ହେଉଥିବା ବିଧାନସଭା ନିର୍ବାଚନ ୨୦୨୪ ଲାଗି ମତଦାନ ହେବା ପୂର୍ବରୁ ଶାସକ ବିଜେପି ୧୦ ଆସନ ଜିତିନେଇଛି। ଏହି ୧୦ ଆସନରେ ଲଢୁଥିବା ବିଜେପି ପ୍ରାର୍ଥୀଙ୍କ ବିରୋଧରେ କେହି ପ୍ରତିଦ୍ୱନ୍ଦ୍ୱିତା କରୁନଥିଲେ। ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ କହିଛନ୍ତି ଯେ ତାଙ୍କ ଦଳ (ବିଜେପି) ରାଜ୍ୟର ୧୦ ବିଧାନସଭା ଆସନରେ ବିଜୟୀ ହୋଇଛି। ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୪ ଗତ ଶନିବାର (ମାର୍ଚ୍ଚ ୩୦) ଥିଲା ନାମାଙ୍କନ ପ୍ରତ୍ୟାହାର କରିବାର ଶେଷ ଦିନ। ଏହା ପରେ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ, ତାଙ୍କ ସହଯୋଗୀ ଉପମୁଖ୍ୟମନ୍ତ୍ରୀ ଚୌନା ମିନ୍ ଏବଂ ଅନ୍ୟ ୮ ଜଣ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।


5. China Water Supply to Maldives: ଗୁରୁତର ଜଳ ସଂକଟର ସାମ୍ନା କରୁଥିବା ମାଳଦ୍ୱୀପ ଲାଗି ପାଣି ଯୋଗାଇ ଦେଇଛି ଚୀନ। ତିବ୍ଦତ ଅଞ୍ଚଳରୁ ପାଣି ଚୋରାଇ ମାଳଦ୍ୱୀପ ପଠାଇଛି ଚୀନ। ଏପରି ଘଟଣା ଘଟିବା ପଛରେ ଭାରତ ସହ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୋଇଜୁ କରିଥିବା ଶତ୍ରୁତା ମଧ୍ୟ ଅନ୍ୟ ଏକ ମୁଖ୍ୟ କାରଣ ବୋଲି କୁହାଯାଉଛି। ରାଷ୍ଟ୍ରପତି ମୋଇଜୁ ତାଙ୍କ ସ୍ୱପ୍ନରେ କେବେ କଳ୍ପନା କରିନଥିବେ ଯେ ଭାରତ ସହିତ ଶତ୍ରୁତା କରିବା ମାଳଦ୍ୱୀପ ପାଇଁ ମହଙ୍ଗା ସାବ୍ୟସ୍ତ ହେବ। ପରିସ୍ଥିତି ଏପରି ହୋଇଛି ଚାରିପଟୁ ସମୁଦ୍ର ଦ୍ୱାରା ଘେରି ରହିବା ସତ୍ତ୍ୱେ ମାଲଦ୍ୱୀପ ପାନୀୟ ଜଳ ପାଇଁ ସଂଘର୍ଷ କରୁଛି। ଭାରତ ସହ ଶତ୍ରୁତା କରି ସମ୍ପର୍କ ନଷ୍ଟ କରିଥିବା ମୋଇଜୁ ଦେଶରେ ପାନୀୟ ଜଳ ସଙ୍କଟ ଦୂର କରିବା ପାଇଁ କୌଣସି ଉପାୟ ଖୋଜି ପାରିନଥିଲେ। ଏହାର ମୁକାବିଲା କରିବାକୁ ଚୀନ୍‌ ପାଖରୁ ସହୟତା ଲୋଡ଼ିଥିଲେ। ଚୀନ ମାଳଦ୍ୱୀପ ଉଦ୍ଦେଶ୍ୟରେ ପ୍ରାୟ ୧୫୦୦ ଟନ୍ ପାନୀୟ ଜଳ ଯୋଗାଇ ଦେଇଥିଲା।


6.  Octopus Theme Park:  ସମୁଦ୍ର ପରେ ଏବେ ସ୍ଥଳଭାଗରେ ଅକ୍ଟୋପସ ଦେଖିବେ ରାଜଧାନୀ ବାସିନ୍ଦା। ଆଜ୍ଞା ହଁ ଏପରି ବ୍ୟବସ୍ଥା କରିବାକୁ ଯାଉଛି ଦିଲ୍ଲୀ ନଗର ନିଗମ (ଏମସଡ଼ି)। ଛୋଟ ପିଲାଙ୍କୁ ସାମୁଦ୍ରିକ ଜୀବନ ବିଷୟରେ ଶିକ୍ଷା ଦେବା ପାଇଁ ଏପରି ପଦକ୍ଷେପ ନେଇଛି ଏମସିଡ଼ି। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସ୍ଥିତ ରୋହିଣୀ ଅଞ୍ଚଳରେ ଏକ "ଅକ୍ଟୋପସ୍ ଥିମ୍ ପାର୍କ" ନିର୍ମାଣ କରିବାକୁ ଏମସଡ଼ି ଯୋଜନା କରୁଛି। ଅକ୍ଟୋପସ୍ ଥିମ୍ ପାର୍କ ପାଇଁ ଦିଲ୍ଲୀ ନଗର ନିଗମ ପାଇଁ ଟେଣ୍ଡର ମଧ୍ୟ ଜାରି ହୋଇଛି। ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ପ୍ରାୟ ୨.୫ କୋଟି ଟଙ୍କା ମୂଲ୍ୟ "ଅକ୍ଟୋପସ୍ ଥିମ୍ ପାର୍କ" ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ଏମସଡ଼ି ଲକ୍ଷ୍ୟ ରହିଛି। ଏହି ଥିମ୍ ପାର୍କ ଠାରେ ଏକ ବଡ଼ ଅକ୍ଟୋପସ୍ ମଧ୍ୟ ନିର୍ମାଣ କରାଯିବ।


7. Weather Update Today: ଟାଣ ଖରାରେ ସିଝିଲାଣି ଓଡ଼ିଶାର ଅନେକ ସ୍ଥାନ। ସୋମବାର ରାଜ୍ୟର ପ୍ରମୁଖ ୮ ସହରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି। ୨୪ ଘଣ୍ଟାର ପରେ ରାଜ୍ୟରେ ତାପମାତ୍ରା ପୁଣି ବଢ଼ିଥିବାବେଳେ ଝାରସୁଗୁଡା ଏବଂ ବାରିପଦା ଠାରେ ସର୍ବାଧିକ ୪୦.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି. ବଲାଙ୍ଗୀର ଠାରେ ୪୦.୩ ଡ଼ିଗ୍ରୀ ରେକର୍ଡ ହୋଇଥିବାବେଳେ ବୌଦ୍ଧ, ନୟାଗଡ, ଭବାନୀପାଟଣା, ତାଳଚେର ଏବଂ ଟିଟଲାଗଡ ଠାରେ ୪୦ଡ଼ିଗ୍ରୀ ଛୁଇଁଛି ତାପମାତ୍ରା। ଭୁବନେଶ୍ୱର ଏବଂ କଟକ ଠାରେ ପାରଦ ୩୯.୪ ଡିଗ୍ରୀ ଛୁଇଁଛି। ସମ୍ୱଲପୁର ଠାରେ ୩୮.୮, ହୀରାକୁଦ ଠାରେ ୩୮.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ରାଉରକେଲା ଠାରେ ୩୮.୩ ଡିଗ୍ରୀ ଏବଂ କେନ୍ଦୁଝରରେ ୩୮ ଡିଗ୍ରୀ ସେଲସିୟସ ରହିଥିଲା ତାପମାତ୍ରା। ସେହିପରି ପୁରୀ ଠାରେ ତାପମାତ୍ରା ୩୩.୫ ଡିଗ୍ରୀ ରେକର୍ଡ ହୋଇଛି।


8. Vabnde Bharat Train Accident: ଗୁଜୁରାଟ ଜାମନଗର ରେଳ ଷ୍ଟେସନ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଭାରତୀୟ ରେଳବାଇ ଦ୍ୱାରା ପରିଚାଳିତ ସେମି ହାଇସ୍ପୀଡ ଟ୍ରେନ ବନ୍ଦେ ଭାରତ। ହେଲେ ଏହି ଦୁର୍ଘଟଣାରେ ସେପରି କୌଣସି ବିଶେଷ କ୍ଷୟକ୍ଷତି ହୋଇନାହିଁ। ହେଲେ ଟ୍ରେନ୍ ଇଞ୍ଜିନ ଆଶିଂକ ଅଂଶ ନଷ୍ଟ ହୋଇଯାଇଛି। ବନ୍ଦେ ଭାରତ ଏକ୍ସପ୍ରେସ ସହିତ ଏକ ମଇଁଷି ମୁହାଁମୁହିଁ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଥିଲା। ରବିବାର ରାତିରେ ଜାମନଗର ନିକଟସ୍ଥ ଧରଣନଗର ନିକଟରେ ଏହି ଘଟଣା ସାମ୍ନାକୁ ଆସିଛି। ଯାତ୍ରୀଙ୍କୁ ନେଇ ଜାମନଗର ଠାରୁ ଓକା ଯିବା ସମୟରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି।


9. BJP Leader Kharabela Swain:  ୨୦୨୪ ନିର୍ବାଚନ ଲଢିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ତଥା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ। ଏନେଇ ସେ ଆଗରୁ କହିଥିଲେ ଯେ ସେ କନ୍ଧମାଳରୁ ଲଢ଼ିବାକୁ ଚାହୁଁ ନାହାନ୍ତି। ପୁଣି ବାଲେଶ୍ୱର ଲୋକସଭା ଆସନରୁ ଟିକଟ ନ ମିଳିବାରୁ ସ୍ୱାଧିନ ଭାବେ ଲଢ଼ିବେ ବୋଲି ଗଣମାଧ୍ୟମକୁ କହିଥିଲେ। ହେଲେ ଏବେ ନିଜର ମତ ପରିବର୍ତ୍ତନ କରିଛନ୍ତି। ଖାରବେଳ ସ୍ୱାଇଁ ନୀଳଗିରି ବିଧାନସଭା ଆସନରୁ  ବିଧାୟକ ଭାବେ ଲଢ଼ିବାକୁ ଆଶା ପୋଷଣ କରିଛନ୍ତି। ଏନେଇ ସେ ରାଜ୍ୟ ବିଜେପି ନେତୃବୃନ୍ଦଙ୍କୁ ପ୍ରସ୍ତାବ ଦେଇଥିବା ଗଣମାଧ୍ୟମକୁ କହିଛନ୍ତି।


10. Leopard Attack in North Delhi: ଆଜି ସକାଳେ ଉତ୍ତର ଦିଲ୍ଲୀ ସ୍ଥିତ ୱାଜିରାବାଦ ନିକଟସ୍ଥ ଅଞ୍ଚଳରେ ଆତଙ୍କ ଖେଳାଇଥିଲା ଗୋଟିଏ ଚିତାବାଘ। ଛାତ ଉପରୁ ତଳକୁ ଡେଉଁଥିବାର ଏକ ଭିଡିଓ ବର୍ତ୍ତମାନ ଭାଇରାଲ୍ ହୋଇଛି। ବାଘ ଆକ୍ରମଣରେ ୩ ଜଣ ଆହତ ହୋଇଥିବା ଜଣାପଡିଛି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାଘ ଆକ୍ରମଣରେ ଆହତ ହୋଇଥିବା ବ୍ୟକ୍ତି ସ୍ଥାନୀୟ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି।