Top 10 News: ମହାରାଷ୍ଟ୍ରରେ ପୁଣି ଥରେ ବିଜେପି ମେଣ୍ଟ! ପଢ଼ନ୍ତୁ ଆଉ ୧୦ ଗୁରୁତ୍ୱପୂର୍ଣ୍ଣ ଖବର
Top 10 News: ମହାରାଷ୍ଟ୍ରରେ ପୁଣି ଥରେ ବିଜେପି ମେଣ୍ଟ! ପଢ଼ନ୍ତୁ ଆଉ ୧୦ ଗୁରୁତ୍ୱପୂର୍ଣ୍ଣ ଖବର
1.125th Birth Anniversary of Mahtab: ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ବାର୍ଷିକୀକୁ ଉତ୍ସବ ସହକାରେ ପାଳନ କରିବା ପାଇଁ ଭାରତ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଏହି କମିଟିରେ ଗୃହ ଓ ସମବାୟ ବ୍ୟାପାର ମନ୍ତ୍ରୀ ଅମିତ୍ ଶାହ ଅଧ୍ୟକ୍ଷ ଭାବରେ ରହିଛନ୍ତି। କମିଟିର ଅନ୍ୟ ପ୍ରମୁଖ ସଦସ୍ୟମାନଙ୍କ ଭିତରେ ରହିଛନ୍ତି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ୍, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସାଂସଦ ଭର୍ତ୍ତୃହରି ମହତାବ। ଚଳିତ ବର୍ଷ ଏହି ଜୟନ୍ତୀଙ୍କୁ ଦେଶ ବ୍ୟାପୀ ପାଳନ କରାଯିବ। ମହତାବଙ୍କ ଭାରତ ପ୍ରତି ଅବଦାନକୁ ସ୍ମରଣ କରିବା ପାଇଁ ଏହା ଏକ ବଳିଷ୍ଠ ମାଧ୍ୟମ ହେବ।
2.Bobby Vs Himansu: ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଗାଡ଼ି ଉପରକୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ କରୁଛି। ବିଧାୟକଙ୍କ ଗାଡ଼ି ଯାଜପୁର ଜିଲ୍ଲା ବୁଢ଼ା ଘାଟ ନିକଟରେ ଥିବା ବେଳେ ଏହା ଉପରକୁ କିଛି ଯୁବକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଦୁର୍ବୃତ୍ତମାନେ ବିଧାୟକଙ୍କ ଚେନ୍ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣ ପଛରେ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ହାତ ଥିବା ନେଇ ହିମାଂଶୁଙ୍କ ସମର୍ଥକମାନେ କହିଛନ୍ତି।
3.Maharastra Exit Poll: ମହାରାଷ୍ଟ୍ରରେ ପୁଣିଥରେ ବିଜେପି ମେଣ୍ଟ ସରକାରକୁ ଆସିପାରେ। ଏନେଇ ଏକ୍ଜିଟ ପୋଲ ମତ ପ୍ରକାଶ କରାଯାଇଛି। ଏହି ମେଣ୍ଟ ପୂର୍ଣ୍ଣ ବହୁମତ ମିଳିବା ନେଇ ମଧ୍ୟ ସମ୍ଭାବନା ବ୍ୟକ୍ତ କରାଯାଇଛି। ୨୮୮ ଆସନ ବିଶିଷ୍ଟ ଏହି ବିଧାନସଭାରେ ୧୪୫ ହେଉଛି ମ୍ୟାଜିକ୍ ନମ୍ବର। ଆଜି ଏହି ସମସ୍ତ ଆସନ ଲାଗିେଗାଟିଏ ଦିନରେ ଭୋଟିଂ ଅନୁଷ୍ଠିତ ହୋଇଛି।
4.Jharkhand Exit Poll: ଝାଡ଼ଖଣ୍ଡରେ ମଧ୍ୟ ବିଧାନସଭା ଲାଗି ଭୋଟ ଗ୍ରହଣ ଶେଷ ହୋଇଛି। ଏଠାରେ ଏନ୍ଡିଏ ମେଣ୍ଟକୁ ଧକ୍କା ମିଳିପାରେ ବୋଲି ଆଶଙ୍କା ବ୍ୟକ୍ତ କରାଯାଇଛି। ୮୧ ବିଧାନସଭା ଆସନ ବିଶିଷ୍ଟ ଝାଡ଼ଖଣ୍ଡରେ ୪୧ ହେଉଛି ମ୍ୟାଜିକ୍ ନମ୍ବର। ଇଣ୍ଡି ମେଣ୍ଟ ଏଠାରେ ସରକାର ଗଢ଼ିବାର ସମ୍ଭାବନା ରହିଛି। ଅର୍ଥାତ୍ ପୁଣିଥରେ ହେମନ୍ତ ସୋରେନ୍ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି।
5.Central Team to estimate Damage: ବାତ୍ୟା ଦାନା ଏବଂ ଏହା ପରବର୍ତ୍ତୀ ବନ୍ୟା ପରିସ୍ଥିତିର ଅନୁଧ୍ୟାନ ପାଇଁ ଆସନ୍ତା ୨୪ ତାରିଖରେ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଗସ୍ତରେ ଆସିବେ। ଏଥିନେଇ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି ଟିମ୍ କେନ୍ଦ୍ର ଗୃହ ବିଭାଗର ଜଣେ ଯୁଗ୍ମ ସଚିବଙ୍କ ନେତୃତ୍ୱ ରାଜ୍ୟକୁ ଆସିବ। ୨୫ ତାରିଖରେ ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦ୍ରପଡ଼ା ଜିଲ୍ଲା ଗସ୍ତରେ ଆସି କ୍ଷୟକ୍ଷତି ଅନୁଧ୍ୟାନ କରିବା ପରେ ୨୬ ତାରିଖରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ଅଧିକାରୀଙ୍କ ସହ ଆଲୋଚନା କରିବେ। ଏହାପରେ ସମ୍ପୃକ୍ତ ଟିମ୍ ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ୨୭ ତାରିଖରେ କେନ୍ଦ୍ରକୁ ଫେରିବା କାର୍ଯ୍ୟକ୍ରମ ରହିଛି। ।
6.Odisha to seek Permanent solution: ବାରମ୍ବାର ବନ୍ୟା ବାତ୍ୟା ଯୋଗୁ ରାଜ୍ୟର ଭିତ୍ତିଭୂମି ଅନେକ ପ୍ରଭାବିତ ହେଉଛି। ଏହାସହ ଲୋକଙ୍କ ଚାଳ ଘର ବାରମ୍ବାର କ୍ଷତି ହେଉଛି। ଏହାକୁ ସଜାଡ଼ିବା ଲାଗି ସାଧାରଣ ଲୋକଟିଏ ସରକାରଙ୍କ ଉପରେ ନିର୍ଭର କରିବାକୁ ପଡ଼ୁଛି। ବାରମ୍ବାର ଏହି କ୍ଷତିକୁ ରୋକିବା ଲାଗି ସରକାର ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ତାହା ପୁଣି ଏକ ବିପର୍ଯ୍ୟୟ ଆସିଲେ ପୂର୍ବ ଭଳି ହେଉଛି। ଏଣୁ ସରକାର ସ୍ଥାୟୀ ସମାଧାନ ପାଇଁ ଖର୍ଚ୍ଚର ଆକଳନ କରିବାକୁ ଯାଉଛନ୍ତି। ଏଥିଲାଗି କେନ୍ଦ୍ରୀୟ ସହାୟତା ବାବଦରେ ଦାବି ଉପସ୍ଥାପନ କରିବେ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ।
7.Now Govt will reform according to FeedBack: ପ୍ରଥମଥର ପାଇଁ ସରକାରୀ କାର୍ଯ୍ୟାଳୟକୁ ଲୋକଙ୍କ ଆବଶ୍ୟକତା ଅନୁସାରେ ସଜାଡ଼ିବା ଲାଗି ରାଜ୍ୟ ସରକାର ଉଦ୍ୟମ କରିଛନ୍ତି। ଏହି ଉଦ୍ୟମ ଆରମ୍ଭ ହୋଇଛି ରାଜ୍ୟରେ ଥିବା ୩୧୩ଟି ସବ୍ରେଜିଷ୍ଟ୍ରାର୍ ଅଫିସରୁ। ଏସବୁ ଅଫିସରେ ଜମିଜମା ପଞ୍ଜିକରଣ ହୋଇଥାଏ। ଏସବୁ କାର୍ଯ୍ୟାଳୟକୁ ସିସିଟିଭି ନିରୀକ୍ଷଣରେ ରଖାଯିବା ଅବସରରେ ଲୋକଙ୍କ ଠାରୁ ତାଙ୍କ ମତାମତ, ପରାମର୍ଶ ଓ ଅଭିଜ୍ଞତା ହାସଲ ପାଇଁ ସରକାର ସ୍ୱତନ୍ତ୍ର ଫିଡ୍ବ୍ୟାକ୍ ଫର୍ମ ବ୍ୟବସ୍ଥା କରିଛନ୍ତି। ଏହାଛଡ଼ା ଏସ୍ଏମ୍ଏସ୍ ମାଧ୍ୟମରେ ମତାମତ ପଠାଇବା ଲାଗି ମଧ୍ୟ ବ୍ୟବସ୍ଥା ଗ୍ରହଣ କରାଯାଇଛି।
8.Minor raped in Cuttack: କଟକ ଜିଲ୍ଲାର ବାରଙ୍ଗ ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ବଳାତ୍କାର ହୋଇଥିବା ନେଇ ମାମଲା ରୁଜୁ ହୋଇଛି। ତ୍ରିଶୁଳିଆରେ ଥିବା ଏକ ଇଟା ଭାଟିରେ କାମ କରୁଥିବା ଜଣେ ଝରଡ଼ଖଣ୍ଡ ଯୁବକ ତାଙ୍କୁ ଦୁଷ୍କର୍ମ କରିବା ହେତୁ ସେ ଆହତ ହୋଇ ଚିକିତ୍ସାଧୀନ ରହିଛନ୍ତି। ସେହି ଇଟାଭାଟିରେ ପୀଡ଼ିତାଙ୍କ ବାପା ମା’ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଅଭିଯୋଗ ପାଇଁ ବାରଙ୍ଗଥାନା ପୁଲିସ ତିନୋଟି ସ୍ୱତନ୍ତ୍ର ଟିମ୍ ଗଠନ କରି ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛନ୍ତି।
9.Paddy Procurement Started: ସୋହେଲାରୁ ଆରମ୍ଭ ହୋଇଛି ଧାନ କିଣା । ଏଥର ପ୍ରଥମଥର ପାଇଁ ଧାନ କିଣାକୁ ସୁରୁଖୁର କରିବା ଲାଗି ଅନେକ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବାହାର ବ୍ୟବସାୟୀ ତଥା ଚାଷୀଙ୍କୁ ଭର୍ତ୍ତି କରାଇ ନଦେବାକୁ ସୀମା ବନ୍ଦ କରାଯାଇଛି। ସୁରକ୍ଷା କର୍ମୀଙ୍କ ଉପସ୍ଥିତିରେ ଧାନ କିଣା ଆରମ୍ଭ ହୋଇଛି। ପ୍ରଥମଦିନ ସୋହେଲାର ତିନି ମଣ୍ଡିରେ ଧାନ କିଣାକୁ ଉଦ୍ଘାଟନ କରାଯାଇଛି। ଏହାପରେ ସାରା ରାଜ୍ୟରେ ଏ ବ୍ୟବସ୍ଥା ଲାଗୁ ହେବ। ମଣ୍ତିରେ ଛାଇ ବ୍ୟବସ୍ଥା କରାଯାଇଛି। ଚାଷୀଙ୍କ ଧାନର ମାନ ପରୀକ୍ଷଣ ଲାଗି ବୈଜ୍ଞାନିକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଚାଷୀଙ୍କୁ ଧାନ ବିକ୍ରିର ୪୮ ଘଣ୍ଟା ଭିତରେ ଅର୍ଥ ପ୍ରଦାନ ଲାଗି ବ୍ୟବସ୍ଥା କରାଯାଇଛି। ପ୍ରଥମ ଥର ଲାଗି ସରକାର ୩୧୦୦ ଟଙ୍କାରେ କ୍ୱିଣ୍ଟା ପିଛା ଧାନ କିଣିବାକୁ ଯାଉଛନ୍ତି।
10.Another Low Pressure: ଆସନ୍ତା ୨୩ ତାରିଖରେ ଆଉ ଏକ ଲଘୁଚାପ ବଙ୍ଗୋପ ସାଗରରେ ସୃଷ୍ଟି ହେବାକୁ ଯାଉଛି। ଏହାର ପ୍ରଭାବରେ ରାଜ୍ୟରେ ହାଲୁକା ବର୍ଷା ଅନୁଭୂତ ହେବା ସମ୍ଭାବନା ରହିଛି। ଏହାସହ ଆକାଶ ମେଘୁଆ ରହିବା ଦ୍ୱାରା ଦିନବେଳେ ତାପମାତ୍ରା କମିବା ସମ୍ଭାବନା ରହିଛି।