ଆଜି ସମ୍ବିଧାନ ଦିବସ
ଆଜି ସାରା ଦେଶ ପାଇଁ ଏକ ବିଶେଷ ଦିନ। ଆଜିର ଦିନକୁ ସମଗ୍ର ଦେଶ ସମ୍ବିଧାନ ଦିବସ ଭାବେ ପାଳନ କରୁଛି। ୭୫ ବର୍ଷ ପୂର୍ବେ ୧୯୪୯ ମସିହା ଆଜିର ଦିନରେ ଭାରତ ନିଜ ପାଇଁ ଏକ ସ୍ୱତନ୍ତ୍ର, ସାର୍ବଭୌମ, ଗଣତନ୍ତ୍ର ଭାବେ ନିଜକୁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଏକ ନିର୍ଦ୍ଧାରିତ ନୀତି ଗ୍ରନ୍ଥ ପ୍ରସ୍ତୁତ କରି ଦେଶବାସୀଙ୍କୁ ଉତ୍ସର୍ଗ କରିଥିଲା। ଏହି ଗ୍ରନ୍ଥକୁ ଦେଶର ସର୍ବୋଚ୍ଚ ଗ୍ରନ୍ଥ ଭାବେ ଗ୍ରହଣ କରାଯାଏ। ଯାହାବଳରେ ଆଜି ଆମେ ବିଶ୍ୱର ସବୁଠାରୁ ବଡ଼ ଗଣତନ୍ତ୍ରର ପରିଚୟ ହାସଲ କରିପାରିଛୁ, ନିଜକୁ ଭାରତୀୟ କହି ଗର୍ବ କରୁଛୁ; ଆଇନ ଆଖିରେ ସମସ୍ତ ଭାରତୀୟ ସମାନ ବୋଲି କହୁଛୁ, ସମସ୍ତଙ୍କୁ ମର୍ଯ୍ୟାଦାର ସହ ବଞ୍ଚିବାର ଅଧିକାର ଗ୍ୟାରେଣ୍ଟି ଦେଇଛୁ।


COMMERCIAL BREAK
SCROLL TO CONTINUE READING

ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ
ଆଜିଠାରୁ ଆରମ୍ଭ ହୋଇଥିଲା ବିଧାନସଭାର ଶୀତ ଅଧିବେଶନ। ପୂର୍ବାହ୍ନ ସମୟରେ ପ୍ରଥମେ ଦିବଙ୍ଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଏହାପରେ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହୋଇଥିଲା। ହେଲେ ବିରୋଧୀ ଦଳ ଆମ୍ବଟାକୁଆ ପ୍ରସଙ୍ଗ ଉଠାଇଥିଲେ। ଯାହାକୁ ନେଇ ଗୃହରେ ହୋହାଲ୍ଲା ଏବଂ ହଟ୍ଟଗୋଳ ହୋଇଥିଲା। ଏପିରିକି ପ୍ରଥମେ ଗୃହକୁ ୧୨ଟା ୨୫ ମିନିଟ୍‌ ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା। ମୁଲତବୀ ସମୟ ପରେ ପୁଣି ଆରମ୍ଭ ହୋଇଥିଲା ଗୃହ କାର୍ଯ୍ୟ। ହେଲେ ୨ୟ ଥର ଗୃହ ଆରମ୍ଭ ହେବା ମାତ୍ରେ ସମ୍ବିଧାନରେ ନିରପେକ୍ଷ ଓ ସମାଜବାଦ ଶବ୍ଦ ନରହିବା ନେଇ ପ୍ରଶ୍ନ ଉଠାଇଥିଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ସମ୍ବିଧାନ ମୁଖବନ୍ଧରୁ ଧର୍ମ ନିରପେକ୍ଷ ଓ ସମାଜବାଦ ଶବ୍ଦ ନରହିବାରୁ ହଟ୍ଟଗୋଳ ହୋଇଥିଲା। ଫଳରେ ଅପରାହ୍ଣ ୪ଟା ଯାଏ ଗୃହକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ। 


୨୦ରେ ରାଜ୍ୟସଭା ଉପନିର୍ବାଚନ, ଓଡ଼ିଶାରୁ ଗୋଟିଏ ଆସନ
ଓଡ଼ିଶା ସମେତ ଚାରି ରାଜ୍ୟରେ ଖାଲିପଡ଼ିଥିବା ୬ ରାଜ୍ୟସଭା ସାଂସଦ ପଦ ଲାଗି ଉପ ନିର୍ବାଚନ ଅନୁଷ୍ଠିତ ହେବ। ଏଥିଲାଗି ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତର ମୁଖ୍ୟ ନିର୍ବଚନ ଆୟୁକ୍ତ। ବିଜ୍ଞପ୍ତି ଅନୁସାରେ ଡିସେମ୍ବର ୨୦ ତାରିଖ ହେଉଛି ଭୋଟିଂ ଦିନ। ଅର୍ଥାତ୍‍ ଏହିଦିନ ସମ୍ପୃକ୍ତ ରାଜ୍ୟର ନିର୍ବାଚିତ ବିଧାୟକମାନେ ଭୋଟ ଦେଇ ସେମାନଙ୍କ ପ୍ରତିନିଧିଙ୍କୁ ରାଜ୍ୟସଭାକୁ ପଠାଇବେ। ବିଭିନ୍ନ ସମୟରେ ଏହି ଆସନଗୁଡ଼ିକରୁ ସାଂସଦମାନେ ଇସ୍ତଫା ଦେଇଥିବାରୁ ଏହି ଉପନିର୍ବାଚନ ଅନୁଷ୍ଠିତ ହେଉଛି। ଏଣୁ ଉପ ନିର୍ବାଚନରେ ବିଜେତାମାନେ ରାଜ୍ୟସଭାରେ ପୂର୍ଣ୍ଣକାଳ ଅଥବା ୬ ବର୍ଷ କାର୍ଯ୍ୟକାଳ ଭୋଗ କରିବେ ନାହିଁ। ଯେଉଁ ପୂର୍ବତନ ସଦସ୍ୟଙ୍କ ବିପକ୍ଷରେ ଏହି ନିର୍ବାଚନ ହେଉଛି ସେମାନଙ୍କ ଅବଶିଷ୍ଟ କାର୍ଯ୍ୟକାଳ ହିଁ ତାଙ୍କର କାର୍ଯ୍ୟକାଳ  ହେବ। 


ଖଣି କମ୍ପାନୀ ଉପରେ ଆୟକର ଚଢ଼ଉ, ଟିକସ ଫାଙ୍କି ଅଭିଯୋଗ
ରାଜ୍ୟର ପ୍ରମୁଖ ଖଣି ପଟ୍ଟାଧାରୀ କମ୍ପାନୀ ମେସର୍ସ ଏମଜିଏମ୍‍ ଷ୍ଟିଲ୍ସର ବିଭିନ୍ନ ପ୍ରତିଷ୍ଠାନ ଉପରେ ଆୟକର ବିଭାଗର ଏକକାଳୀନ ଚଢ଼ଉ ହୋଇଥିବା ସୂଚନା ମିଳିଛି। ଟିକସ ଫାଙ୍କି ଅଭିଯୋଗରେ ଏହି ଚଢ଼ଉ ହୋଇଥିବା ଜଣାପଡ଼ିଛି। ଯେତିକି ଆୟ ହେଉଛି ତାହାକୁ ଲୁଚାଇବା ପାଇଁ ବିଭିନ୍ନ ଆଳରେ ଉଦ୍ୟମ ହେଉଥିବା ନେଇ ଆଲୋଚନା ହେଉଛି। ହେଲେ ଏଯାଏ ଆୟକର ବିଭାଗ ପକ୍ଷରୁ କୌଣସି ସୂଚନା ମିଳି ନାହିଁ। ଆଜି ସକାଳେ ଆୟକର ବିଭାଗର ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଭୁବନେଶ୍ୱର ଏବଂ ରାଉରକେଲାର ୨୫ଟି ସ୍ଥାନରେ ଚଢ଼ଉ କରିଥିବା ସୂଚନା ମିଳିଛି। ଭୁବନେଶ୍ୱରର ଫରେଷ୍ଟପାର୍କରେ ଥିବା ମେସର୍ସ ଏମ୍‍ଜିଏମ୍‍ ଷ୍ଟିଲ୍ସର ଜଣେ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଚଢ଼ଉ ହୋଇଛି। ଚଢ଼ଉ ସମୟରେ ବିଭିନ୍ନ କାଗଜପତ୍ରକୁ ଯାଞ୍ଚ କରୁଛନ୍ତି ଆୟକର ଅଧିକାରୀ। 


ସମ୍ବିଧାନ ଦିବସରେ ଜେଲରୁ ମୁକୁଳିଲେ ୧୪ କଏଦୀ 
ସମ୍ବିଧାନ ଦିବସରେ ଜେଲରୁ ମୁକୁଳିଲେ ୧୪ଜଣ କଏଦୀ । ବିଭିନ୍ନ ଜେଲରେ ଆଜୀବନ ସଜା କାଟୁଥିବା ଏହି କଏଦୀଙ୍କୁ ଜେଲରୁ ମୁକ୍ତି ମିଳିଛି । ହତ୍ୟା, ଦୁଷ୍କର୍ମ, ଡକାୟତି ଭଳି ସଂଗୀନ ଅଭିଯୋଗରେ ଆଜୀବନ ସଜ୍ଜା କାଟୁଥିଲେ ଏହି କଏଦୀ । ରାଉଲକେଲାରୁ ୨ଜଣ, ଜାମୁଝରି ଜେଲରୁ ୩, କୋରାପୁଟ ଜେଲରୁ ୪ ଜଣ, ସମ୍ବଲପୁର, ଭୁବନେଶ୍ୱର ଓ ଫୁଲବାଣୀ, ବଣାଇଗଡ଼ ଓ ଦେବଗଡ଼ରୁ ଜଣେ ଲେଖାଏଁ ଆଜୀବନ ସଜ୍ଜା କାଟୁଥିବା କଏଦୀ ଜେଲରୁ ମୁକୁଳିଛନ୍ତି । ଜେଲରେ କଏଦୀଙ୍କ ଆଚରଣ ଓ ବ୍ୟବହାର ଦେଖି ମୁକୁଳାଇବା ପାଇଁ ଜେଲ ବିଭାଗ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡକୁ ସୁପାରିସ କରିଥିଲା । ଆଉ ରାଜ୍ୟ ସରକାରଙ୍କ ଠାରୁ ଅନୁମୋଦନ ମିଳିବା ପରେ ଏହି କଏଦୀ ମାନଙ୍କୁ ଜେଲରୁ ମୁକ୍ତି ମିଳିଛି । 


ଆସିଲା ସୁଭଦ୍ରା ଯୋଜନା ଆବେଦନର ଶେଷ ତାରିଖ
ରାଜ୍ୟରେ ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ ଖବର । ସୁଭଦ୍ରା ଯୋଜନା ସଂକ୍ରାନ୍ତରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଆସନ୍ତା ମାର୍ଚ୍ଚ ୭ ତାରିଖରେ ସୁଭଦ୍ରା ପ୍ରଥମ କିସ୍ତିରେ ଶେଷ ପର୍ଯ୍ୟାୟ ଟଙ୍କା ଲୋକଙ୍କ ଆକାଉଣ୍ଟକୁ ଆସିବ । ଅର୍ଥାତ୍ ୨୦୨୫ ମାର୍ଚ୍ଚ ୭ ହେଉଛି ପ୍ରଥମ କିସ୍ତି ଆବେଦନର ଡେଡଲାଇନ ବା ଶେଷ ତାରିଖ। ଆଉ ମାର୍ଚ୍ଚ ୮ ତାରିଖରୁ ଦ୍ୱିତୀୟ କିସ୍ତି ଟଙ୍କା ମିଳିଯିବ। ତେବେ ୨ ଲକ୍ଷ ୬୭ ହଜାର ଅଯୋଗ୍ୟଙ୍କ ଭିତରୁ ଯେଉଁମାନଙ୍କର ଭୁଲ୍ ହୋଇଥିଲା, ସେମାନଙ୍କର ରିଭ୍ୟୁ ଚାଲିଛି । ୨୨ ପ୍ରତିଶତ କାମ ସମାଧାନ ହୋଇସାରିଛି , ଏବେ କେବଳ ଭେରିଫିକେସନ୍ ପରେ ସେମାନେ ଟଙ୍କା ପାଇବେ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି ।


ବନକଲାଗି ନୀତି ଲାଗି ସାଧାରଣ ଦର୍ଶନ ବନ୍ଦ
ବୁଧବାର ନଭେମ୍ବର ୨୭ ତାରିଖରେ ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ  ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପନ୍ନ କରିବେ।  ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଆଦି ପ୍ରାକୃତିକ  ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ । ।  ଏହା ଏକ ଗୁପ୍ତ ସେବା ଓ ଏକ ସ୍ୱତନ୍ତ୍ର ନୀତି ହୋଇଥିବାରୁ ଆସନ୍ତାକାଲି ଅପରାହ୍ନ ୫ ଟା ରୁ ରାତ୍ର ୧୦ ଟା ପର୍ଯ୍ୟନ୍ତ ପ୍ରାୟ ପାଞ୍ଚ ଘଣ୍ଟା ଧରି ଏହି ନୀତି ଚାଲିବାକୁ ଥିବାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ବନକଲାଗି ନୀତି ପରେ  ମହାପ୍ରଭୁଙ୍କୁ ମହାସ୍ନାନ କରାଯିବ । ଏହାପରେ ପୁନର୍ବାର ଦର୍ଶନ ଆରମ୍ଭ ହେବ ।


ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଅସୁସ୍ଥ
ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଗଭର୍ଣ୍ଣର ଶଶିକାନ୍ତ ଦାସ ଅସୁସ୍ଥ ଥିବା ଖବର ମିଳିଛି। ଶ୍ରୀ ଦାସଙ୍କୁ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏସିଡିଟି ସମସ୍ୟା ଯୋଗୁ ତାଙ୍କୁ ହସ୍ପିଟାଲରେ ଆଡମିଟ୍ କରାଯାଇଥିବା ସୂଚନା ମିଳିଛି। ଆସନ୍ତା ୨-୩ ଘଣ୍ଟା ମଧ୍ୟରେ ତାଙ୍କୁ ଡିସଚାର୍ଜ କରାଯିବ ବୋଲି ଖବର ରହିଛି। ତେବେ ସେ ଏବେ ସୁସ୍ଥ ଥିବା ଆରବିଆଇର ସ୍ପୋକ୍ସପର୍ସନ ସୂଚନା ଦେଇଛନ୍ତି। 


ଇମ୍ରାନଙ୍କ ସମର୍ଥକଙ୍କ ବିରୋଧ ପ୍ରଦର୍ଶନ, ଇସଲାମାବାଦରେ ସେନା ନିୟୋଜିତ
ପାକିସ୍ତାନରେ ଏକ ବଡ଼ ଧରଣର ଅଶାନ୍ତି ଦେଖାଦେଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମୁକ୍ତି ପାଇଁ ତାଙ୍କ ସମର୍ଥକମାନେ ପ୍ରଦର୍ଶନ ଜାରି ରଖିଛନ୍ତି। ଏହି ପ୍ରଦର୍ଶନ ସମୟରେ ବିକ୍ଷୋଭକାରୀ ଏବଂ ପୋଲିସ ମଧ୍ୟରେ ସଂଘର୍ଷ ହୋଇଥିବା ଦେଖିବାକୁ ମିଳିଛି। ଏହି ସଂଘର୍ଷ ମଧ୍ୟରେ ଜଣେ ପୋଲିସ କର୍ମଚାରୀଙ୍କୁ ହତ୍ୟା କରାଯାଇଥିବା ନେଇ ସୂଚନା ରହିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବର୍ତ୍ତମାନ ଇସଲାମାବାଦରେ ସେନା ମୁତୟନ କରାଯାଇଛି। ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଅନୁଯାୟୀ, ଇସଲାମାବାଦରେ ପାକିସ୍ତାନୀ ସେନା ନିୟୋଜନ ସମ୍ବିଧାନର ଧାରା ୨୪୫ ଅନୁଯାୟୀ ଘୋଷଣା କରାଯାଇଛି। ଏହି କାରଣରୁ ଇମ୍ରାନଙ୍କ ଦଳ ଏବଂ ସେନା ମୁହାଁମୁହିଁ ହୋଇଛନ୍ତି।


ଆଜି ସଂଧ୍ୟାରେ ବସିବ ଛତିଶା ନିଯୋଗ ବୈଠକ
ଆଜି ସଂଧ୍ୟାରେ ବସିବ ଛତିଶା ନିଯୋଗ ବୈଠକ। ବୈଠକରେ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହେବ। ଏଥିରେ ବିଶେଷ କରି ରତ୍ନଭଣ୍ଡାର ମରାମତି ସଂପର୍କରେ ବିସ୍ତୃତ ଆଲୋଚନା ହେବା ସହ ପୁରୀ ଗସ୍ତରେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଆଲୋଚନା ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ସମୟରେ ମହାପ୍ରଭୁଙ୍କ ନୀତି କାନ୍ତି କିଭଳି ଶୃଙ୍ଖଳିତ କରାଯିବ ସେନେଇ ମଧ୍ୟ ଛତିଶା ନିଯୋଗ ବୈଠକରେ ଆଲୋଚନା ହେବ।