H1. ୩୧ ଯାଏଁ ବଡ଼ ବର୍ଷା
ଆଜି ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର। ପୂର୍ବ କେନ୍ଦ୍ରୀୟ ଓ ସନ୍ନିକଟ ଉତ୍ତର ବଙ୍ଗୋପ ସାଗରରେ ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଆଗାମୀ ୨ ଦିନରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ମୁହାଇଁ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଦେଇ ଗତି କରିବ । ଏହାର ପ୍ରଭାବରେ ଆସନ୍ତା ୩୧ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ୪ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହି ଜିଲ୍ଲାଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ା । ସେହିପରି ପ୍ରବଳ ବର୍ଷା ସମ୍ଭାବନା ଥିବା ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ନୂଆପଡ଼ା, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।


COMMERCIAL BREAK
SCROLL TO CONTINUE READING

H2. ୧ରୁ ଆନନ୍ଦ ବଜାର ପାଇଁ ସ୍ୱତନ୍ତ୍ର ସୁରକ୍ଷାକର୍ମୀ
ପୁଣି ଶ୍ରୀ ଜଗନ୍ନାଥ ମନ୍ଦିରର ଆନନ୍ଦ ବଜାର ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ଲାଗି ସ୍ୱତନ୍ତ୍ର  ସୁରକ୍ଷା କର୍ମୀ ନିଯୁକ୍ତ ହେବେ। ଏଥିନେଇ ଏକ ଘରୋଇ ସଂସ୍ଥା ଦ୍ୱାରା ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ଅବସରପ୍ରାପ୍ତ ସୈନିକଙ୍କୁ ଏହି ସୁରକ୍ଷା କର୍ମୀ ଭାବେ ନିଯୁକ୍ତ ଦିଆଯିବ। ଏ ନେଇ  ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକଙ୍କ ନିକଟରେ ଇଚ୍ଛୁକ ପ୍ରାର୍ଥୀମାନେ ସାକ୍ଷାତକାର ଦାଇଛନ୍ତି। ସମୁଦାୟ ୨୦ ଜଣଙ୍କୁ ତୃତୀୟ ପକ୍ଷ ଏଜେନ୍ସୀ ସହାୟତାରେ ନିଯୁକ୍ତି ଦିଆଯିବାକୁ ଶ୍ରୀମନ୍ଦିର ପ୍ରଶାସକ ସ୍ଥିର କରିଛି। 


H3. ଆଜି ଶ୍ରୀମନ୍ଦିରର ନୀତି ଉପସମିତି ବୈଠକ
ଆଜି ପୁରୀ ଶଅୀମନ୍ଦିର ପରିଚାଳନା କମିଟିର ନୀତି ଉପ ସମିତି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏଠାରେ ନୀତି ପରିଚାଳନା ଓ ଆବଶ୍ୟକତା ସମ୍ପର୍କରେ ସମୀକ୍ଷା ସହ ଏବର୍ଷ ଶ୍ରୀମନ୍ଦିର ବଜେଟ୍‍ ସମ୍ପର୍କରେ ଆଲୋଚନା ହେବ। ଅପରାହ୍ଣରେ ଏହି ବୈଠକ ଅନୁଷ୍ଠିତ ହେବ। ବୈଠକର ଅନୁଧ୍ୟାନ ଓ ରିପୋର୍ଟକୁ ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଥିବା ପରିଚାଳନା କମିଟିରେ ଉପସ୍ଥାପନ କରାଯିବା କାର୍ଯ୍ୟକ୍ରମ ରହିଛି। 


H4.ମହିଳା ପୁଲିସଙ୍କୁ ଅସଦାଚାରଣ: ଆଇପିଏସ୍ ରାଜେଶ ପଣ୍ଡିତଙ୍କୁ ଜବାବ୍ ତଲବ 
ଜଣେ ମହିଳା ପୁଲିସ ଇନ୍ସପେକ୍ଟରଙ୍କ ଘରେ ପଶି ତାଙ୍କୁ ପ୍ରେମ ନିବେଦନ କରିବା, ବାହା ହେବା ଲାଗି ଅନୁରୋଧ କରିବା ଏବଂ  ଗଣ୍ଡଗୋଳ କରିବା ଅଭିଯୋଗରେ ନିଲମ୍ବିତ ହୋଇଥିବା ଆଇପିଏସ୍ ଅଧିକାରୀ ରାଜେଶ ପଣ୍ଡିତଙ୍କ ନାଁରେ ତଦନ୍ତ ହେବ। ଗୃହ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ଏକ ବିଜ୍ଞପ୍ତି ମାଧ୍ୟମରେ ଜଣାଇ ଦିଆଯାଇଛି।  ଏଥିଲାଗି ତାଙ୍କୁ ନିୟମ ମୁତାବକ ଜବାବ ମଗାଯାଇଛି। ଆସନ୍ତା ୩୦ ଦିନ ମଧ୍ୟରେ ସେ ଏହି ଅଭିଯୋଗ ବିଷୟରେ ନିଜର ଜବାବ ରଖିବେ। 


H5. ସାତକୋଶିଆ ଆସିବେ ମହାବଳ
ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ପୁଣି ଆସିବେ ମହାବଳ ବାଘ। ବାଘଙ୍କ ଗର୍ଜନରେ ପୁଣି କମ୍ପିବ ଅନୁଗୋଳ ଜଙ୍ଗଲ। କେନ୍ଦ୍ରୀୟ ଭାରତ ଲ୍ୟାଣ୍ଡସ୍କେପ ଅର୍ଥାତ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ଜଙ୍ଗଲରୁ ବାଘ, ବାଘୁଣୀ ଆଣି ସାତକୋଶିଆରେ ଛାଡିବାକୁ ବନ ବିଭାଗ ଯୋଜନା ପ୍ରସ୍ତୁତ କରିଛି। ଏନେଇ ବନବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ଅନୁମୋଦନ କରିଛନ୍ତି। ତେବେ ଅନୁମତି ଦେବା ସହ ୧୫ଟି ସର୍ତ୍ତ ମଧ୍ୟ ରଖିଛନ୍ତି। ଯେଉଁଥିରେ ବାଘଙ୍କ ସୁରକ୍ଷା, ଅଭୟାରଣ୍ୟ ଭିତରୁ ଜନବସତି, ହଟାଇବା, ଜଙ୍ଗଲକୁ ଶିକାରୀମୁକ୍ତ କରିବା, ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଲ୍ୟାଣ୍ଡସ୍କେପ ସୃଷ୍ଟି କରିବା ଆଦି ପ୍ରସଙ୍ଗ ଉପରେ ଗୁରୁତ୍ତ୍ୱ ଦିଆଯାଇଛି। 


H6. ରାଜଧାନୀରେ ୪ ବର୍ଷର କୁନି ଝିଅକୁ ଦୁଷ୍କର୍ମ ଅଭିଯୋଗ
ରାଜଧାନୀ ଭୁବନେଶ୍ବରରେରେ ଲଜ୍ଜା ୪ ବର୍ଷର ଛୁଆକୁ ମଧ୍ଯ ଛାଡିଲେ ନାହିଁ ପିଶାଚ। ରାଜଧାନୀରେ ୪ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ପଡ଼ୋଶୀ ଘରର ୩୦ ବର୍ଷ ବୟସ୍କ ଯୁବକ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏୟାରପୋର୍ଟ ଥାନା ଅଞ୍ଚଳର ଏକ ବସ୍ତିରେ ଘଟିଛି ଏହି କଳଙ୍କିତ ଘଟଣା। ଅଭିଯୋଗ ପାଇବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ନାବାଳିକାକୁ ଡାକ୍ତରୀମାଇନା ପାଇଁ ପଠାଇବା ସହ ଅଭିଯୁକ୍ତକୁ ଥାନାରେ ଅଟକ ରଖ୍ ପଚରାଉଚରା କରୁଛି।


H7. କୋଲକାତା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି
କୋଲକାତାର ଜଣେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ବୁଧବାର ଦିନ ସେ କହିଛନ୍ତି ଯେ ଭଉଣୀ ଓ ଝିଅଙ୍କ ପ୍ରତି ଏପରି ଅତ୍ୟାଚାରକୁ କୌଣସି ସଭ୍ୟ ସମାଜରେ ଅନୁମତି ଦିଆଯାଇପାରିବ ନାହିଁ। ସେ କହିଛନ୍ତି ଯେ କୋଲକାତାରେ ଛାତ୍ରଛାତ୍ରୀ, ଡାକ୍ତର ଏବଂ ନାଗରିକମାନେ ବିରୋଧ କରୁଛନ୍ତି। ଯୌନ ଉତ୍ପୀଡ଼ନ ଏବଂ ମହିଳାଙ୍କ ପ୍ରତି ହେଉଥିବା ହିଂସା ଘଟଣାରେ ଦୁଃଖ ପ୍ରକାଶ କରି ସେ କହିଛନ୍ତି ଯେ ସବୁକିଛିର ସୀମା ଅଛି।


H8. ମାହାଙ୍ଗା ଡବଲ ମର୍ଡର ମାମଲାରେ ୯ ଜଣଙ୍କୁ ଆଜୀବନ
ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ୯ ଜଣଙ୍କୁ ଆଜୀବନ କାରାଦଣ୍ଡ। ୯ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ପ୍ରମାଣ ଅଭାବରୁ ଜଣେ ନିଘୋଷରେ ଖଲାସ ହୋଇଛନ୍ତି । ସାଲେପୁର ଅତିରିକ୍ତ ଦୌରାଜଜ ଏନେଇ ରାୟ ଶୁଣାଇଛନ୍ତି । ପ୍ରତାପ ଜେନାଙ୍କ ମାମଲା ହାଇକୋର୍ଟରେ ବିଚାରାଧନ ରହିଛି । ୨୦୨୧ରେ ଘଟିଥିଲା ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡ। କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ହୋଇଥିଲା ମୃତ୍ୟୁ।


H9. ସାଲିଆସାହିରେ ବୁଲିଲା ବୁଲଡୋଜର
ପୁଣି ସାଲିଆ ସାହିରେ ବୁଲିଲା ବୁଲଡୋଜର। ଚୋରା ଦେଶୀ ମଦ ବ୍ୟବସାୟୀଙ୍କ ଘର ଭାଙ୍ଗୁଛି ପ୍ରଶାସନ। ଇଡକୋ ଓ ନୀଳଚକ୍ରନଗରରେ ଅବକାରୀ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଘଟଣାସ୍ଥଳରେ ଅବକାରୀ ବିଭାଗ ପହଞ୍ଚି ବିପୁଳ ପରିମାଣର ପୋଚ ଜବତ କରିବା ସହ ନଷ୍ଟ କରିଛି। ତେବେ ଗତ ୨୬ ତାରିଖରେ ମୁଣ୍ଡା ସାହିରେ ଅବକାରୀ ବିଭାଗ ଚୋରା ମଦ ଭାଟି ଠାବ କରିବା ସହ ବ୍ୟାପକ ପରିମାଣର ପୋଚ ଓ ମଦ ନଷ୍ଟ କରିଥିଲା । ଅବକାରୀ କମିଶନର ନରସିଂହ ଭୋଳଙ୍କ ନିର୍ଦ୍ଦେଶକ୍ରମେ ଚଢାଉକୁ ବ୍ୟାପକ କରାଯାଇଥିଲା। ଘର ଭିତରେ ସୁଡଙ୍ଗ କରି ତିଆରି ହେଉଥିଲା ମଦ। ଏହାପୂର୍ବରୁ ମଧ୍ୟ ସାଲିଆ ସାହିରେ ଚଢାଉ କରି ତିନୋଟି ବେଆଇନ ମଦ ଭାଟିକୁ ନଷ୍ଟ କରିଥିଲା ପୁଲିସ। ଚଢାଉ ବେଳେ ମଧ୍ୟ ହଜାର ହଜାର ଲିଟର ଦେଶୀ ମଦ ଜବତ କରାଯାଇଥିଲା।


H10. ଇସ୍ତଫା ଦେଲେ ଚମ୍ପାଇ
ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶକ୍ତିଶାଳୀ ନେତା ଚମ୍ପାଇ ସୋରେନ୍ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ପ୍ରାଥମିକ ସଦସ୍ୟତା ସହିତ ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ସେ X ରେ ଏକ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି- ଝାଡ଼ଖଣ୍ଡର ଆଦିବାସୀ, ମୂଳବାସୀ, ଦଳିତ, ପଛୁଆ ଲୋକ ଓ ସାଧାରଣ ଲୋକଙ୍କ ପ୍ରସଙ୍ଗରେ ଆମର ସଂଗ୍ରାମ ଜାରି ରହିବ।