Top 10 News Today:କଟକରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ବଢିଲା ଟ୍ୱିଟର ସିଇଓଙ୍କ ସମ୍ଫତ୍ତି ଏବଂ ସକାଳର ଅନ୍ୟ ମୁଖ୍ୟ ଖବର
Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର
ନବୀନ ସରକାରକୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁଣିଥରେ ପୂର୍ବର ନବୀନ ପଟ୍ଟନାୟକ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିବା ସହ ଅପରାଧୀଙ୍କୁ ମଧ୍ୟ ସୁଧୁରିଯିବାକୁ ଚେତାବନୀ ଦେଇଛନ୍ତି । ରାଜ୍ୟରେ ଥିବା ପୂର୍ବ ସରକାର ପ୍ରତ୍ୟେକଦିନ ମହିଳା ସଶକ୍ତିକରଣ କଥା କହୁଥିଲେ କିନ୍ତୁ ମହିଳାଙ୍କ ଉପରେ ହିଂସା ନିୟମିତ ବଢ଼ି ଚାଲିଥିଲା । ଆଉ ଦଣ୍ଡବିଧାନ ହାର ଅତ୍ୟନ୍ତ ଲଜ୍ଜାଜନକ ଥିଲା ବୋଲି ଶ୍ରୀ ମାଝୀ କହିଛନ୍ତି ।
ଜାନୁଆରି ପ୍ରଥମ ସପ୍ତାହରେ ହିତାଧିକାରୀଙ୍କୁ ମିଳିବ ଗହମ: ଖାଦ୍ୟ ଯୋଗାଣ ମନ୍ତ୍ରୀ
ରାଜ୍ୟରେ ଜାନୁଆରି ପ୍ରଥମ ସପ୍ତାହରେ ହିତାଧିକାରୀଙ୍କୁ ଗହମ ମିଳିବ। ଏନେଇ ବିଭାଗ ତରଫରୁ ପ୍ରସ୍ତୁତି ଜାରି ରହିଛି। କେଉଁ ଜିଲ୍ଲା ପାଇଁ କେତେ ଗହମ ଆବଶ୍ୟକ ତାହାର ହିସାବ ଜିଲ୍ଲା ଅଧିକାରୀ ଦେବେ । ଲୋକଙ୍କ ଚାହିଦା ହିସାବରେ ଗହମ ଦିଆଯିବ। ଏସମ୍ପର୍କରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ପ୍ରଦାନ କରିଛନ୍ତି। ଇ-କେୱାଇସି ପ୍ରକ୍ରିୟା ଅନ୍ତିମ ପର୍ଯାୟରେ ପହଞ୍ଚିଛି। ପାଖାପାଖି ୮୫ ପ୍ରତିଶତ ଲୋକଙ୍କ ଇ-କେୱାଇସି ପ୍ରକ୍ରିୟା ସରିଲାଣି।
ଆଜି ଛଟ୍ ପୂଜା; ନଦୀପଠାରେ ଜମିଛି ବ୍ରତଧାରୀଙ୍କ ଭିଡ଼
ଆଜି ହେଉଛି ପବିତ୍ର ଛଟ ପୂଜାର ଅନ୍ତିମ ଦିନ । ଚାରି ଦିନ ଧରି ଅନୁଷ୍ଠିତ ହେଉଥିବା ପୂଜା ଆଜି ସମାପନ ହେଉଛି। ଏହି ଅବସରରେ ଛଟ୍ ବ୍ରତଧାରୀ ବହୁ ଆସ୍ଥା ଓ ନିଷ୍ଠାର ସହ ମାତା ଛଟିଙ୍କ ପୂଜା କରିଥାନ୍ତି।ପ୍ରକୃତି ରୁ ମିଳୁଥିବା ସମସ୍ତ ଫଳ ମୂଳ ଦେଇ ମାତା ଛଟିଙ୍କ ପୂଜା କରାଯାଇଥାଏ । ଆଜି ଅନ୍ତିମ ଦିନରେ ଉଦୟଗାମୀ ସୂର୍ଯ୍ୟଙ୍କୁ ଅର୍ଘୀୟ ଦେଇ ପୂଜା ସମ୍ପନ୍ନ କରୁଛନ୍ତି ବ୍ରତଧାରୀ । ତେବେ ବିଶ୍ୱାସ ରହିଛି ମାତା ଛଟିଙ୍କୁ ଯାହା ମାଗିଲେ ତାହା ପୂର୍ଣ୍ଣ ହୋଇଥାଏ ।
ପାଞ୍ଜି ଦ୍ୱନ୍ଦ୍ୱ; ଅସନ୍ତୋଷ ଝାଡ଼ିଲେ ଶଙ୍କରାଚାର୍ଯ୍ୟ
ଜ୍ୟୋତିଷ ଏକ ବିଜ୍ଞାନ। ଜ୍ୟୋତିଷମାନେ ଯେତିକି ପରିଶ୍ରମ କରିବା କଥା ସେତିକି କରୁନାହାନ୍ତି। ଆମେରିକା- ବ୍ରିଟେନ ତଥ୍ୟରେ ତିଆରି କରୁଛନ୍ତି ପାଞ୍ଜି। ଯେଉଁଥିପାଇଁ ପାଞ୍ଜିରେ ଦେଖା ଦେଉଛି ବ୍ୟତିକ୍ରମ। ମେଳଖାଉନି ତିଥି ଓ ନକ୍ଷତ୍ର। ଭୁଲଭାଲ୍ ଆସୁଛି ପର୍ବପର୍ବାଣୀ ତାରିଖ। ପର୍ବପର୍ବାଣୀକୁ ନେଇ ଦେଖାଦେଉଥିବା ଦ୍ୱନ୍ଦ୍ୱକୁ ନେଇ ଆଜି ଏମିତି କହିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ଜଗଦଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ।
ରେକର୍ଡ ଭାଙ୍ଗୁଛି ତାତି: ୨୦୨୪ ସବୁଠୁ ଉତ୍ତପ୍ତ ବର୍ଷ
ଉତ୍ତପ୍ତ ହେଉଛି ପୃଥିବୀ, ରେକର୍ଡ ଭାଙ୍ଗୁଛି ତାତି । ଚିନ୍ତା ବଢ଼ାଇଲା ଚଳିତ ବର୍ଷର ବିଶ୍ବ ତାପମାତ୍ରା । ୨୦୨୩କୁ ଟପି ସର୍ବକାଳୀନ ରେକର୍ଡ ଭାଙ୍ଗିବ ୨୦୨୪ର ତାତି । ତେବେ ୨୦୨୪ ବିଶ୍ୱର ସବୁଠୁ ଉତ୍ତପ୍ତ ବର୍ଷ ହେବାର କାରଣ ହେବ ‘ଏଲ୍ ନିନୋ’ । ସେପଟେ ବିଶ୍ୱ ତାପମାତ୍ରାରେ ଆଗାମୀ ବର୍ଷ ୧.୫ ଡିଗ୍ରୀ ସେଲସିୟସ ବୃଦ୍ଧି ଘଟିପାରେ। ଏପରି ହେବାଦ୍ୱାରା ବିଶ୍ୱ ତାପମାତ୍ରାରେ ଭୟଙ୍କର ପରିବର୍ତ୍ତନ ଦେଖିବାକୁ ମିଳିବ ବୋଲି କହିଛି ଆମେରିକା ଏଜେନ୍ସି । ଅନ୍ୟପଟେ ବିଶ୍ବ ପାଣିପାଗ ସଂଗଠନର ରିପୋର୍ଟ ପରେ ଜାତିସଂଘ ଉଦବେଗ ପ୍ରକାଶ କରିଛି। ଉଦବେଗ ପ୍ରକାଶ କଲେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟାରେସ୍ । ମାନବଜାତି ପୃଥିବିରେ ନିଆଁ ଲଗାଉଛି ଓ ନିଜେ ଫଳ ଭୋଗୁଛି ବୋଲି କହିଛନ୍ତି ଗୁଟାରେସ୍ । ୨୦୨୩କୁ ଟପି ସର୍ବକାଳୀନ ରେକର୍ଡ ଭାଙ୍ଗିବ ୨୦୨୪ ତାତି ।
ଇଡକୋର ଜୁନିୟର ମ୍ୟାନେଜର ଗିରଫ
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ କୋଟିପତି ଇଡକୋ ଜୁନିୟର ମ୍ୟାନେଜର ବିଜୟ କୁମାର ଉଦୟସିଂହ। ଭୁବନେଶ୍ୱରରେ ବିଜୟ କୁମାର ଉଦୟସିଂହଙ୍କର ରହିଛି ୩ କୋଟି ୨୨ ଲକ୍ଷ ଟଙ୍କାର ଚାରି ମହଲା ଘର। ବିଜୟ କୁମାର ଉଦୟସିଂଙ୍କ ଘର ଭିତର ଡିଜାଇନ୍ ଦେଖି ତାଜୁବ୍ ହୋଇଯାଇଥିଲା ଭିଜିଲାନ୍ସ। ପୁରୀ ବାଲୁଖଣ୍ଡ ମୌଜାରେ ରହିଛି ଫ୍ଲାଟ। ଭୁବନେଶ୍ୱରର ପ୍ରାଇମ ଲୋକେସନରେ ରହିଛି ଦୁଇଟି ପ୍ଲଟ। ଖୋର୍ଦ୍ଧାରେ ରହିଛି ଗୋଟିଏ ପ୍ଲଟ। ୫୫ ଲକ୍ଷ ୫୦ ହଜାର ଟଙ୍କାର ବ୍ୟାଙ୍କ ଜମା ରହିଛି।
ଝାରମୁଣ୍ଡାରୁ ବୌଦ୍ଧକୁ ଗଡ଼ିବ ଟ୍ରେନ୍
ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳଲାଇନ୍ ପ୍ରକଳ୍ପ ଆଉ ପାଦେ ଆଗେଇଛି। ଝାରମୁଣ୍ଡାଠାରୁ ବୌଦ୍ଧ ଷ୍ଟେସନ ମଧ୍ୟରେ ୧୬.୨୭୦ କିଲୋମିଟର ଦୈର୍ଘ୍ୟ ନୂତନ ଭାବେ ନିର୍ମିତ ଟ୍ରେନ୍ ଲାଇନ୍ରେ ଇଞ୍ଜିନ୍ ଗଡ଼ିବା ସହ ରେଳ ନିରାପତ୍ତା ଆୟୁକ୍ତଙ୍କ ନିରୀକ୍ଷଣ ସଫଳତାର ସହିତ ଶେଷ ହୋଇଛି। ଏହାବ୍ୟତୀତ ନୂତନ ଭାବେ ନିର୍ମିତ ବୌଦ୍ଧ-ଚମ୍ପାପୁର ୧୩.୭୦୧ କିମି ରେଳ ସେକ୍ସନ ଓ ଚମ୍ପାପୁର-ପୁରୁଣାକଟକ ୧୩.୪୩୭ କିମି ରେଳ ସେକ୍ସନର ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲୁଛି। ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ କରିବା ଲକ୍ଷ୍ୟରେ ଉଭୟ ପ୍ରାନ୍ତରୁ ଏକକାଳୀନ ନିର୍ମାଣ କାର୍ଯ୍ୟ ଚାଲୁରହିଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।
କଟକରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ
କଟକରେ ଲଜ୍ଜା। ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିବା ନେଇ ଆସିଛି ସାଂଘାତିକ ଅଭିଯୋଗ। ଛାତ୍ରୀଙ୍କ ବୟଫ୍ରେଣ୍ଡ୍ ଓ ତା’ସାଙ୍ଗ ମାନେ ମିଶି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଛାତ୍ରୀଙ୍କ ଆପତ୍ତିଜନକ ଭିଡିଓ ଉଠାଇ ବ୍ଲାକମେଲ କରିବା ସହ ବାରମ୍ବାର ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତ ଦଶହରାବେଳେ କଟକ ପୁରୀଘାଟ ଥାନା ଅଞ୍ଚଳର ଏକ କାଫେରେ ଛାତ୍ରୀ ଜଣକ ତାଙ୍କ ବୟଫ୍ରେଣ୍ଡ୍ ସହ ଜନ୍ମଦିନ ପାଳନ କରିଥିଲେ। ସେଠାରେ ଛାତ୍ରୀଙ୍କ ଅଜାଣତରେ ଆପତ୍ତିଜନକ ଭିଡ଼ିଓ ଉତ୍ତୋଳନ କରିଥିଲା ଅଭିଯୁକ୍ତ ବୟଫ୍ରେଣ୍ଡ୍। ଏଥିରେ ସହଯୋଗ କରିଥିଲେ କାଫେ ଚଳାଉଥିବା ଭରତପୁର ଅଞ୍ଚଳର ଯୁବକ। ଏହି ଭିଡିଓ ରଖି କାଫେ ମାଲିକ ଓ ବୟଫ୍ରେଣ୍ଡ୍ର ତାଙ୍କୁ ବାରଙ୍ଗ ଅଞ୍ଚଳର ଏକ ଘରକୁ ଡାକିଥିଲେ। ଛାତ୍ରୀ ଜଣକ ସେଠାରେ ପହଞ୍ଚିବା ପରେ ତାଙ୍କୁ ଗଣଦୁଷ୍କର୍ମ କରିଥିବା ନେଇ ବାଦାମବାଡ଼ି ଥାନାରେ ଅଭିଯୋଗ ହୋଇଛି।
ବଢିଲା ଟ୍ୱିଟର ସିଇଓଙ୍କ ସମ୍ଫତ୍ତି
ଟ୍ରମ୍ପ୍ଙ୍କ ବିଜୟ ପ୍ରଭାବ । ଦିନକରେ ମସ୍କଙ୍କ ସମ୍ପତ୍ତି ୨ ଲକ୍ଷ ୧୯ ହଜାର ୧୮୬ କୋଟି ବଢ଼ିଗଲା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ବିଜୟ ଯଦି ଦୁନିଆର କୌଣସି ବ୍ୟକ୍ତିଙ୍କୁ ସର୍ବାଧିକ ଫାଇଦା ଦେଇଥାଏ ତେବେ ସେ ହେଉଛନ୍ତି ଟେସ୍ଲାର ମୁଖ୍ୟ ଏଲନ୍ ମସ୍କ। ନିର୍ବାଚନ ପ୍ରଚାର ବେଳେ ଟ୍ରମ୍ପ୍ଙ୍କୁ ଖୋଲା ସମର୍ଥନ ଦେଇଥିବା ଓ ତାଙ୍କ ଲାଗି ସମର୍ଥନ ଯୋଗାଡ଼ କରିବାକୁ ଭରପୁର ପ୍ରୟାସ କରିଥିବା ମସ୍କଙ୍କ ସମ୍ପତ୍ତିରେ ଗୋଟିଏ ଦିନରେ ୨୬ ବିଲିୟନ୍ ଡଲାରର ବୃଦ୍ଧି ହୋଇଛି ।
ଶାନ୍ତି ମିଶ୍ର ହତ୍ୟା ମାମଲା: ୧୧ଜଣଙ୍କୁ ଆଜୀବନ କାରାଦଣ୍ଡ
ବ୍ରହ୍ମପୁର ଗୋଷାଣୀନୂଆ ଗାଁର ବହୁ ଚର୍ଚ୍ଚିତ ଶାନ୍ତି ମିଶ୍ର ହତ୍ୟା ମାମଲାରେ ୧୧ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ। ମାମଲାରେ ଅନ୍ୟତମ ଅଭିଯୁକ୍ତ ମଉଜ ମିଶ୍ର ଏ ଯାଏଁ ଫେରାର ରହିଛି। ଶାନ୍ତି ପ୍ରସାଦ ମିଶ୍ରଙ୍କ ନାମରେ ଏକାଧିକ ଅପରାଧିକ ମାମଲା ରହିଥିଲା। ୨୦୧୩ ଜାନୁଆରୀ ୨୯ ତାରିଖରେ ଶାନ୍ତି ମିଶ୍ରଙ୍କୁ ଦୁର୍ବୃତ୍ତ ଗୋଡାଇ ଗୋଡାଇ ହାଣିଥିଲେ। ସେ ନିଜର ପ୍ରାଣ ବଞ୍ଚାଇବା ପାଇଁ ଶେଷରେ ନିକଟରେ ଥିବା ଏକ ପୋଖରୀ ଭିତରେ ପଶିଯାଇଥିଲେ। ହେଲେ ଦୁର୍ବୃତ୍ତ ସେଠାରେ ଆତଙ୍କରାଜ ଖେଳାଇବା ସହ ସ୍ଥାନୀୟ ଲୋକଙ୍କୁ ଭୟଭୀତ କରିଥିଲେ। ପୋଖରୀ ଭିତରେ ଥିବା ଶାନ୍ତି ମିଶ୍ରଙ୍କୁ ସେମାନେ ଚାରିପଟେ ଘେରିଯାଇ ବୋମା ମାଡ଼ କରି ସଂଘବଦ୍ଧ ଭାବେ ଖଣ୍ଡାରେ ହାଣି ହତ୍ୟା କରିଥିଲେ। ଘଟଣାରେ ୧୫ଜଣ ଅଭିଯୁକ୍ତଙ୍କ ମାମଲା ରୁଜୁ ହୋଇଥିଲା। ଏମାନଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇସାରିଛି ।