H1. ଅତି ବିଶିଷ୍ଟ ସେବା ମେଡାଲ ସମ୍ମାନ ପାଇଲେ ଓଡିଶାର ଶରତ ଚନ୍ଦ୍ର ଦାଶ
ନୟାଗଡ଼ର ଲେଫ୍ଟନାଣ୍ଟ ଜେନେରାଲ ତଥା ପୂର୍ବତନ ସେନା ଡା. ଶରତ ଚନ୍ଦ୍ର ଦାଶ ଅତି ବିଶିଷ୍ଟ ସେବା ମେଡାଲ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ତାଙ୍କୁ ଏହି ସମ୍ମାନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଦାନ କରିଥିଲେ। ଶୁକ୍ରବାର ଦିନ ରାଷ୍ଟ୍ରପତି ଭବନରେ ଆୟୋଜିତ ପ୍ରତିରକ୍ଷା ବିନିଯୋଗ ସମାରୋହର ଦ୍ୱିତୀୟ ପର୍ଯ୍ୟାୟରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ତେବେ ସେ ଏହା ପୂର୍ବରୁ ଯୁବ ସେବା ମେଡାଲ (କାରଗିଲ ଯୁଦ୍ଧ) ଏବଂ ବିଶିଷ୍ଟ ସେବା ମେଡାଲ ମଧ୍ଯ ପାଇଛନ୍ତି। ଏସସିବି ମେଡିକାଲ କଲେଜ ଆଲୁମନସ୍, ଶରତ ନୂଆଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରୁ ୟୁରୋଲୋଜିରେ MCh ସମାପ୍ତ କରିଥିଲେ। ଯୁକ୍ତରାଷ୍ଟ୍ର ଆମେରିକାରୁ ରୋବୋଟିକ୍ ୟୁରୋଲୋଜି ସର୍ଜରୀରେ ସ୍ପେସିଆଲାଇଜେସନ୍ ମଧ୍ଯ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

H2. ରାଜ୍ୟରେ ଲଗାଣ ବର୍ଷାରେ ସ୍ଥିତି ବେହାଲ
ଦୁଇ ଦିନ ହେଲା ଥମିବାର ନାଁ ନେଉନି ବର୍ଷା। କେଉଁଠି ଅବିଶ୍ରାନ୍ତ ବର୍ଷା ତ କେଉଁଠି ରହି ରହି କାଚୁଛି। ଅଧିକ ପ୍ରଭାବିତ ହୋଇଛି ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର। ବ୍ରିଜ୍ ବୁଡିଛି, ସହରରେ ଲୋକଙ୍କ ଘରେ ପାଣି ପଶିଛି। ଅନେକ ସ୍ଥାନରେ ଲୋକେ ଜଳବନ୍ଦୀ। ଏହାରି ଭିତରେ ରାଜ୍ୟରେ ଲଗାଣ ବର୍ଷା ସ୍ଥିତିର ସମୀକ୍ଷା କରିଛନ୍ତି ରାଜସ୍ବ ମନ୍ତ୍ରୀ। ଲଘୁଚାପ ବର୍ଷାରେ ଉବୁଟୁବୁ ପୁରା ମାଲକାନଗିରି। ଦୁଇ ଦିନର ଲଗାଣ ବର୍ଷା ଯୋଗୁଁ ଜିଲ୍ଲାରେ ଉପୁଜିଛି ବନ୍ୟା ସ୍ଥିତି। ୫ଟି ସ୍ଥାନରେ ବୁଡ଼ିଛି ପୋଲ। ଯୋଗାଯୋଗ ଠପ୍ ହୋଇଯାଇଛି। କାଙ୍ଗୁରୁ କଣ୍ଡା ବ୍ରିଜ୍ ଉପରେ ଚାଲିଛି ୭ରୁ ୮ ଫୁଟ୍ ପାଣି। ଫଳରେ ମାଲକାନଗିରି-କାଲିମେଳା ବାଟ ବନ୍ଦ। 


H3. ବିଦ୍ୟାଳୟରେ ପ୍ରାର୍ଥନା ପରେ ୧୦ ମିନିଟ୍ ଯୋଗ କରିବେ ଛାତ୍ରଛାତ୍ରୀ
ଏଣିକି ସ୍କୁଲରେ ଯୋଗ ବା ପ୍ରାଣାୟମ ବାଧ୍ୟତାମୂଳକ ହେବ। ରାଜ୍ୟ ସରକାରଙ୍କ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏହି ନିର୍ଦ୍ଦେଶାନାମା ଜାରି ହୋଇଛି। ଗତ ମେ’ ୬ ତାରିଖରେ କମିସନରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମୀକ୍ଷା ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ଅନୁସାରେ, ବିଦ୍ୟାଳୟରେ ପ୍ରାର୍ଥନା ପରେ ୧୦ ମିନିଟ୍ ଯୋଗ କରିବେ ଛାତ୍ରଛାତ୍ରୀ। ଦଣ୍ଡାୟମାନ ଅବସ୍ଥାରେ ହୋଇପାରୁଥିବା ଯୋଗା ବା ପ୍ରାଣାୟମ କରିବେ। ଏଥିରୁ କିଛି ଛାତ୍ରଛାତ୍ରୀଙ୍କୁ ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ଚିହ୍ନଟ ହେବେ। ଜିଲ୍ଲା ସ୍ତରରେ ଭଲ ପ୍ରଦର୍ଶନ ଆଧାରରେ ସ୍କୁଲକୁ କିଟ୍ସ ପ୍ରଦାନ କରାଯିବ। ସ୍କୁଲ ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ା କ୍ଷେତ୍ରରେ ପ୍ରୋତ୍ସାହନ କରିବା ପାଇଁ ରାଜ୍ୟ ସରକାରଙ୍କୁ ପକ୍ଷରୁ ଏହି ପ୍ରୟାସ କରାଯାଇଛି।


H4. ପ୍ରକାଶ ପାଇଲା ଯୁକ୍ତ ଦୁଇ ପାଇଁ ପ୍ରଥମ କଟ୍ ଅଫ୍ ମାର୍କ, ଆଗରେ ରେଭେନ୍ସା
ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ଆଜି ପ୍ରକାଶ ପାଇଛି। ଚଳିତ ବର୍ଷ କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଶୀର୍ଷରେ ରହିଥିବା ବେଳେ ବାଣିଜ୍ୟରେ ରେଭେନ୍ସା ଓ ରାଉରକେଲା HSS ମିଳିତ ଭାବେ ଶୀର୍ଷରେ ରହିଛନ୍ତି। କଳା ଓ ବାଣିଜ୍ୟରେ ରାଉରକେଲା HSS ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିପରି ବିଜ୍ଞାନରେ ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୨ୟ ସ୍ଥାନରେ ରହିଛି।


H5. ସୋମବାରଠାରୁ ଅଧିବେଶନ
ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି ଅଷ୍ଟାଦଶ ଲୋକସଭାର ଦ୍ୱିତୀୟ ଅଧିବେଶନ। ଏହି ଅଧିବେଶନର ପ୍ରଥମ ଦିନରେ ଅର୍ଥନୀତିକ ସର୍ଭେ ରିପୋରତ୍ଟ ଉପସ୍ଥାପନ ହେବ। ଏହାପରଦିନ ବଜେଟ୍‍ ଉପସ୍ଥାପନ ହେବ। ନିର୍ବାଚନ ପୂର୍ବରୁ ସାମୟିକ ବଜେଟ୍‍ ଉପସ୍ଥାପନ କରାଯାଇଥିଲା। ବଜେଟ୍‍ ସହ କେନ୍ଦ୍ର ସରକାର ଏହି ଅଧିବେଶନରେ ୬ଟି ନୂଆ ବିଲ୍‍ ଆଣିବାକୁ ଯୋଜନା ରଖିଥିବା ସୂଚନା ମିଳିଛି। ବିଶେଷକରି ବିମାନ ଯାନ ନୀତିରେ ପରିବର୍ତ୍ତନ ଆଣିପାରନ୍ତି ବୋଲି ଚର୍ଚ୍ଚା ହେଉଛି। 


H6. ଉତ୍ତରପ୍ରଦେଶର ଅମରୋହାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
ଉତ୍ତରପ୍ରଦେଶର ଅମରୋହାରେ ଏକ ମାଲବାହୀ ଟ୍ରେନର କେତେକ ବଗି ଲାଇନଚ୍ୟୁତ ହୋଇଛି। ମାଲବାହୀ ଟ୍ରେନର ୫ଟି ବଗି ଲାଇନଚ୍ୟୁତ ହେବା ପରେ ଦିଲ୍ଲୀ-ଲକ୍ଷ୍ନୌ ରେଳ ଲାଇନର ଉଭୟ ଲାଇନକୁ ବନ୍ଦ କରି ଦିଆଯାଇଛି । ପୁଣିଥରେ ଦୁର୍ଘଟଣା ଘଟିଥିବାରୁ ଦିଲ୍ଲୀରୁ ଲକ୍ଷ୍ନୌ ପର୍ଯ୍ୟନ୍ତ ରେଳ ଅଧିକାରୀଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଥିବା ବେଳେ ଅମରୋହା ରେଳ ଷ୍ଟେସନର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଲକ୍ଷ୍ନୌରୁ ଦିଲ୍ଲୀ ପର୍ଯ୍ୟନ୍ତ ସମସ୍ତ ଟ୍ରେନର ରୁଟ୍ ପରିବର୍ତ୍ତନ କରିଥିଲେ।


H7. ବାଂଲାଦେଶରୁ ଫେରିଲେ ୯୦୦ ଭାରତୀୟ
ବାଂଲାଦେଶରେ ଏବେ ସଂରକ୍ଷଣ ପାଇଁ ହିଂସା ଲାଗି ରହିଛି। ଫଳରେ ସ୍ବଦେଶ ଫେରୁଛନ୍ତି ଭାରତୀୟ ନାଗରିକ ଓ ଛାତ୍ରଛାତ୍ରୀ । ବର୍ତ୍ତମାନ ସୁଦ୍ଧା ୭୭୮ ଜଣ ଭାରତୀୟ ଛାତ୍ରଛାତ୍ରୀ ସ୍ବଦେଶ ଫେରିଛନ୍ତି । ଭାରତ ପ୍ରତ୍ୟାବର୍ତ୍ତନ ପାଇଁ ତ୍ରିପୁରା ଓ ଅଗରତାଲାର ମାର୍ଗକୁ ବ୍ୟବହାର କରାଯାଉଛି । ସେପଟେ ଭାରତୀୟଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନକୁ ଗୁରୁତ୍ବ ଦେଇଛନ୍ତି କେନ୍ଦ୍ର ସରକାର । ଛାତ୍ରଛାତ୍ରୀ ଫେରୁଥିବା ମାର୍ଗରେ ସୁରକ୍ଷା ସହ ସମସ୍ତ ପ୍ରକାର ସହଯୋଗ କରିବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ସେଠାର ଅଧିକାରୀଙ୍କ ସହ ଲଗାତାର ସମ୍ପର୍କରେ ରହିଛନ୍ତି ଭାରତୀୟ ଉଚ୍ଚ ଆୟୋଗ । ବିଏସଏଫ ଯବାନଙ୍କ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉଛି।


H8. ୟୁପିଏସସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ମନୋଜ ସୋନି
ୟୁପିଏସସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ମନୋଜ ସୋନି । କାର୍ଯ୍ୟକାଳ ସରିବା ପୂର୍ବରୁ ରାଷ୍ଟ୍ରପତିଙ୍କୁ ଇସ୍ତଫାପତ୍ର ଦେଇ ପଦ ଛାଡିଲେ ମନୋଜ । ତେବେ ବ୍ୟକ୍ତିଗତ କାରଣ ଦର୍ଶାଇ ମାସେ ପୂର୍ବରୁ ମନୋଜ ଇସ୍ତଫା ଦେଇଥିବା ସୂଚନା ମିଳିଛି । ତେବେ ତାଙ୍କର କାର୍ଯ୍ୟକାଳ ୨୦୨୯ରେ ଶେଷ ହେବାକୁ ଥିଲା ।


H9. ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ, ଜଣେ ନକ୍ସଲ ମୃତ
ଓଡ଼ିଶା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ପୁଣି ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି। ମାଓବାଦି ମାନେ ତୁମାରଗଟ୍ଟା ଗ୍ରାମ ନିକଟସ୍ଥ ଜଙ୍ଗଲରେ କ୍ୟାମ୍ପ କରି ରହିଥିବା ପୁଲିସକୁ ଖବର ମିଳିବା ପରେ ଡିଆରଜି ଟିମ ଚଢ଼ଉ କରିଥିଲେ। ଆଜି ସକାଳୁ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ଯବାନଙ୍କ ଗୁଳିର ସାମ୍ନା କରିନପାରି ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। ପରେ ସୁରକ୍ଷାକର୍ମୀ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଣେ ମାଓବାଦୀର ଶବ ଉଦ୍ଧାର କରିଥିଲେ। 


H10. ମନଲୋ ମାର୍କେଜ୍ ଭାରତୀୟ ଫୁଟବଲ ଦଳର ନୂଆ କୋଚ୍
ଇଣ୍ଡିଆନ୍ ସୁପର ଲିଗରେ ଏଫସି ଗୋଆର କୋଚ୍ ଦାୟିତ୍ୱରେ ଥିବା ସ୍ପେନର ମାନୋଲୋ ମାର୍କେଜ୍ ଙ୍କୁ ଭାରତୀୟ ପୁରୁଷ ଫୁଟବଲ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଛି। ସେ ବହିଷ୍କୃତ କୋଚ୍ ଇଗୋର ଷ୍ଟିମାକଙ୍କ ସ୍ଥାନ ନେବେ। ବର୍ତ୍ତମାନର ଫୁଟବଲ ମହାସଂଘର କାର୍ଯ୍ୟନିର୍ବାହୀ କମିଟି ବୈଠକରେ ତାଙ୍କୁ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନିଆଯାଇଛି। ତାଙ୍କ ପାଖରେ ପ୍ରଶିକ୍ଷଣ ଅଭିଜ୍ଞତା ଅଛି ଯାହା ଭାରତୀୟ ଫୁଟବଲ ଦଳ ପାଇଁ କାମରେ ଆସିପାରେ ।