Dairy products price hike​: ରାଜ୍ୟବାସୀଙ୍କୁ ଝଟକା । ମେ ପହିଲାରୁ ମହଙ୍ଗା ହେବ ଦୁଗ୍ଧଜାତ ଦ୍ରବ୍ୟ। ଏଣିକି ଆପଣ ଖାଇବାକୁ ପସନ୍ଦ କରୁଥିବା ଛେନା, ପନିର ଓ ଖୁଆର ଦାମ୍ ବଢିବ । ଏନେଇ କଟକ ଜିଲ୍ଲା ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ଓମଫେଡ଼ କ୍ଷୀର ଲିଟର ପିଛା ୪ ଟଙ୍କା ବୃଦ୍ଧି ହେବା ଫଳରେ ଗୋଖାଦ୍ୟ ଓ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ମଧ୍ଯ ଦର ବଢିଛି । ତେବେ ଏହାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛି କଟକ ଜିଲ୍ଲା ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘ । ପନିର କିଲୋପିଛା ୩୦ ଟଙ୍କା ବଢି ୨୫୫ ଟଙ୍କା ହେବ । ସେହିପରି କଞ୍ଚା ଖୁଆ କିଲୋ ପିଛା ୬୦ ଟଙ୍କା ବଢି ୩୨୦ ଟଙ୍କା ହେବ । ଛେନା କେଜି ପୂର୍ବରୁ ୧୭୫ ଟଙ୍କା ରହିଥିବା ବେଳେ ବର୍ଦ୍ଧିତ ଦାମ୍ ଅନୁସାରେ ଛେନାର ପାଇକାରୀ ଦର କିଲୋ ପିଛା ୨୦ ଟଙ୍କା ବଢିବ ଅର୍ଥାତ୍ ଏହାର ଦର ବଢି ୧୯୫ ଟଙ୍କା ହେବ, ତେବେ ଏନେଇ ସଂଘର ସମ୍ପାଦକ ପ୍ରଦୀପ କୁମାର ବେହେରା ସୂଚନା ଦେଇଛନ୍ତି । କଟକରୁ ସମ୍ବଲପୁର ରେଢାଖୋଲ, ଅନୁଗୁଳ, ଢେଙ୍କାନାଳ ଓ ରାଜ୍ୟର ବିଭିନ୍ନ ସ୍ଥାନକୁ ରପ୍ତାନୀ କରାଯାଉଥିବା ସ୍ଥାନରେ ଏହି ଅନୁପାତରେ ଦର ବଢବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।


COMMERCIAL BREAK
SCROLL TO CONTINUE READING

କାହିଁକି ବଢି ଚାଲିଛି କ୍ଷୀର ଦର?


ଯଦି ଆମେ କ୍ଷୀରର ମୂଲ୍ୟ ବିଷୟରେ ଆଲୋଚନା କରିବା, ତେବେ ସବୁଠାରୁ ବଡ ଅଂଶ ଏଥିରେ ଆସେ, ପଶୁ ଜାତୀୟ ଖାଦ୍ୟ ଯାହା ସମୁଦାୟ ମୂଲ୍ୟର ପ୍ରାୟ ୭୫ ପ୍ରତିଶତ ଓ ଅନ୍ୟ ସମସ୍ତ ଖର୍ଚ୍ଚ ବାକି ୨୫ ପ୍ରତିଶତରେ ଆସିଥାଏ । ଆଶ୍ଚର୍ଯ୍ୟଜନକ କଥା ହେଉଛି ଗତ ୧୨ ମାସ ମଧ୍ୟରେ ପଶୁ ଖାଦ୍ୟର ମୂଲ୍ୟରେ ୨୮ ରୁ ୩୧ ପ୍ରତିଶତ ବୃଦ୍ଧି ପାଇଛି, ଯାହା କ୍ଷୀରର ମୂଲ୍ୟ ବୃଦ୍ଧି ହେବାର ସବୁଠାରୁ ବଡ଼ ଓ ମୁଖ୍ୟ କାରଣ ବୋଲି କୁହାଯାଉଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଦେଶକୁ ଚଳିତ ବର୍ଷ ଘିଅ ଓ ଲହୁଣୀକୁ ଆମଦାନୀ କରିବାକୁ ପଡି଼ପାରେ। ଏହା ପଛର ସବୁଠାରୁ ବଡ଼ କାରଣ ହେଉଛି ଗତବର୍ଷ ସାରା ଦେଶରେ ପଶୁମାନଙ୍କ ମଧ୍ୟରେ ବ୍ୟାପିଥିବା ଚର୍ମ ରୋଗ। ୨୦୨୧-୨୨ ବର୍ଷରେ ୨୨୧ ନିୟୁତ ଟନ୍ ଦୁଗ୍ଧ ଉତ୍ପାଦିତ ହୋଇଥିଲା, ଯାହା ଗତ ବର୍ଷ ତୁଳନାରେ ୬.୨୫ ପ୍ରତିଶତ ଅର୍ଥାତ୍ ୨୦୮ ନିୟୁତ ଟନ୍ ଥିଲା । କିନ୍ତୁ ଗତ ବର୍ଷ ପଶୁମାନଙ୍କ ରୋଗ ହେତୁ ଏହି ସଂଖ୍ୟା ହ୍ରାସ ପାଇଛି। ଏଥି ସହିତ ଚଳିତ ବର୍ଷ ଘରୋଇ ଚାହିଦା 8-10 ପ୍ରତିଶତରୁ ଅଧିକ ଅଟେ । ଏହି କାରଣରୁ ଭାରତକୁ ଚଳିତ ବର୍ଷ ଘିଅ ଓ ଲହୁଣୀ ଆମଦାନୀ କରିବାକୁ ପଡି଼ପାରେ।


୨୦୨୦ ମସିହାରେ କୋଭିଡ଼ ସମୟରେ ଲକଡାଉନ ଆରମ୍ଭ ହୋଇଯାଇଥିଲା। ଏହି ସମୟରେ ରାସ୍ତାଘାଟ ସମେତ ଦୋକାନ ବଜାର ସବୁ ବନ୍ଦ ହୋଇଯାଇଥିଲା। ଏହି ସମୟରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ହୋଟେଲ ଇଣ୍ଡଷ୍ଟ୍ରି। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ବିବାହ, ବ୍ରତଘର ସହ ଅନ୍ୟାନ୍ୟ ସାର୍ବଜନୀନ କାର୍ଯ୍ୟ ଗୁଡି଼କ ଉପରେ ରୋକ ଲଗାଯାଇଥିଲା। ଏହି ସମୟରେ ହୋଟେଲ, ରେଷ୍ଟୁରାଣ୍ଟ, ମିଠା ଦୋକାନ ଓ କ୍ୟାଣ୍ଟିନ ଗୁଡି଼କ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ ଲୋକେ। ଏହା ଫଳରେ ଦୁଗ୍ଧ ଓ ବିଭିନ୍ନ ଦୁଗ୍ଧ ଜାତୀୟ ପଦାର୍ଥ ଗୁଡିକର ଚାହିଦା କମିବାରେ ଲାଗିଥିଲା। ଏହା ଫଳରେ ୨୦୨୦ ମସିହା ଏପ୍ରିଲ ମାସରୁ ଜୁଲାଇ ମାସ ମଧ୍ୟରେ ଦୁଗ୍ଧ କମ୍ପାନୀ ମାନେ କ୍ଷୀର କ୍ରୟ ମୂଲ୍ୟ ହ୍ରାସ କରିଥିଲେ। ଏହି ସମୟରେ ଗାଈ କ୍ଷୀରର କ୍ରୟ ମୂଲ୍ୟ ଉପରେ ୧୮ରୁ ୨୦ ଟଙ୍କା ଓ ମଇଁଷି କ୍ଷୀରର କ୍ରୟ ମୂଲ୍ୟ ଉପରେ ୩୦ରୁ ୩୨ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରାଯାଇଥିଲା। ଏହା ସହିତ ସ୍କିମ୍‌ ମିଲ୍କ ପ୍ରାଇସ୍‌ (MSP) ୧୪୦ରୁ ୧୫୦ ଟଙ୍କା , ବଟର ୨୦୦ରୁ ୨୨୫ ଟଙ୍କା ଓ ଘିଅ ୮୦ ରୁ ୨୯୦ ଟଙ୍କା ପର୍ଯ୍ୟନ୍ତ କିଲୋଗ୍ରାମ ପ୍ରତି ହ୍ରାସ ହୋଇଥିଲା। ଦୁଗ୍ଧର କ୍ରୟ ମୂଲ୍ୟରେ ହ୍ରାସ ହେବା ଯୋଗୁଁ ଚାଷୀମାନଙ୍କୁ ତାଙ୍କର ଉଚିତ୍ ମୂଲ୍ୟ ମିଳିପାରିନଥିଲା। ଏପରିକି ଏହି ମୂଲ୍ୟ ଗାଈ ଓ ମଇଁଷିଙ୍କର ଖାଦ୍ୟ ଓ ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ନିଅଣ୍ଟ ଥିଲା। ଉପଯୁକ୍ତ ଖାଦ୍ୟାଭାବରୁ ଦୁଗ୍ଧ ଉତ୍ପାଦନ ମଧ୍ୟ ହ୍ରାସ ପାଇବାରେ ଲାଗିଲା। ଅପରପକ୍ଷେ ଗୋଖାଦ୍ୟର ହାରାହାରି ମୂଲ୍ୟ ୨୦୨୦-୨୧ ମସିହାରେ କିଲୋଗ୍ରାମ ପିଛା ୧୬-୧୭ ଓ ୨୦୨୨ ମସିହା ମଧ୍ୟ ଭାଗରେ ୨୨-୨୩ ଟଙ୍କାକୁ ବୃଦ୍ଧି ପାଇଥିଲା । କପା ବିହନ, ମକା ମଞ୍ଜି ଓ ବାଦାମ ଚୋପାର ମୂଲ୍ୟ ବୃଦ୍ଧି ହେବା ସହ ସୋୟାବିନ୍, ଧାନ ଚୋପା ଗୁଡିକର ମଧ୍ୟ ଆହେତୁକ ମୂଲ୍ୟ ବୃଦ୍ଧି ଘଟିଥିଲା।


୨୦୨୧ ଓ ୨୦୨୨ ମସିହାରେ ଖରାପ ଅମଳ ଯୋଗୁଁ ନଡା଼ ଗୁଡିକ ସଠିକ୍ ଭାବରେ ବୃଦ୍ଧି ପାଇ ନଥିଲା। ସେହିପରି ଅକ୍ଟୋବର ମାସରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ଦକ୍ଷିଣାଞ୍ଚଳରେ ପ୍ରବଳ ବର୍ଷା ହେବାରୁ ଗୋଖାଦ୍ୟର (Cattle Feed) ଅଭାବ ଦେଖା ଦେଇଥିଲା। ଏହି ସମୟରେ ଗୋ ଖାଦ୍ୟର ଦର ଆକାଶ ଛୁଆଁ ହୋଇଥିଲା। ତେଣୁ ଗୋରୁ ପାଳକ ମାନେ ଅନେକ ଅସୁବିଧାର ସମ୍ମୁଖିନ ହୋଇଥିଲେ। ଏହା ଭିତରେ ୨୦୨୨ ଜୁଲାଇରୁ ସେପ୍ଟେମ୍ବର ମାସରେ ସାରା ଦେଶରେ ଗୋରୁ ମାନଙ୍କଠାରେ ଲମ୍ପି ଭାଇରସ (Lumpy virus) ଯୋଗୁଁ ମହାମାରୀ ରୂପ ନେଇଥିଲା। ଏଥି ଯୋଗୁଁ ମଧ୍ୟ ଭାରତୀୟ ଦୁଗ୍ଧ ବଜାରରେ ଘୋର ପ୍ରଭାବ ପଡ଼ିଥିଲା।