Supreme Court on Ballot Paper: ନିର୍ବାଚନରେ ​​ଇଭିଏମ୍ ବଦଳରେ ବାଲାଟ ପେପର ବ୍ୟବହାର କରିବାକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ମତ ରଖିଛନ୍ତି ସୁପ୍ରିମ କୋର୍ଟ। ମଙ୍ଗଳବାର (ଅପ୍ରେଲ ୧୬) ଏ ସମ୍ପର୍କରେ ମତ ରଖି ସୁପ୍ରିମକୋର୍ଟ କହିଛନ୍ତି ଯେ ନିର୍ବାଚନରେ ବାଲାଟ ପେପର ବ୍ୟବହାର କରିବା ଦ୍ୱାରା ଅନେକ ଅସୁବିଧା ହୋଇପାରେ।


COMMERCIAL BREAK
SCROLL TO CONTINUE READING

ଏ ସମ୍ପର୍କିତ ମାମଲାର ଶୁଣାଣି କରିବା ବେଳେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଓକିଲ ପ୍ରଶାନ୍ତ ଭୂଷଣଙ୍କୁ ପଚାରିଥିଲେ ଆପଣ ବର୍ତ୍ତମାନ କଣ ଚାହୁଁଛନ୍ତି? ପ୍ରଶାନ୍ତ ଭୂଷଣ ଇଭିଏମ୍ ହଟାଇବାକୁ ଦାଖଲ ହୋଇଥିବା ଆବେଦନ ସପକ୍ଷରେ ନିଜର ମତାମତ ଉପସ୍ଥାପନ କରୁଛନ୍ତି। ଏହି ପ୍ରଶ୍ନର ଉତ୍ତର ଦେଇ ପ୍ରଶାନ୍ତ ଭୂଷଣ କହିଛନ୍ତି ଯେ ପ୍ରଥମେ ବାଲାଟ ପେପର ପାଖକୁ ଫେରିଯାନ୍ତୁ। ଦ୍ୱିତୀୟରେ ବର୍ତ୍ତମାନ ଶତ ପ୍ରତିଶତ ଇଭିଏମ-ଭିଭିପାଟ (EVM-VVPAT) ମେଳ ହେବା ଆବଶ୍ୟକ। ଏହାର ଜବାବରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଦେଶରେ ୯୮ କୋଟି ଭୋଟର ଅଛନ୍ତି। ଆପଣ ଚାହୁଁଛନ୍ତି ୬୦ କୋଟି ଭୋଟ୍ ଗଣନା କରାଯାଉ। ପ୍ରଶାନ୍ତ ଭୂଷଣ କହିଛନ୍ତି ଯେ ଭୋଟ୍ ଦେବାର ଅଧିକାର ବାଲାଟ୍ ମାଧ୍ୟମରେ ଦିଆଯାଇପାରେ କିମ୍ବା ଇଭିଏମ-ଭିଭିପାଟ ମଧ୍ୟରେ ରହିଥିବା ସ୍ଲିପ୍ ମତଦାତାଙ୍କୁ ଦିଆଯିବା ଆବଶ୍ୟକ।


ଜଷ୍ଟିସ ସଞ୍ଜୀବ ଖାନ୍ନା କହିଛନ୍ତି ଯେ ସାଧାରଣତଃ ମାନବୀୟ ହସ୍ତକ୍ଷେପ କାରଣରୁ ସମସ୍ୟା ଉପୁଜେ। ଯେତେବେଳେ ମାନବୀୟ ହସ୍ତକ୍ଷେପ ହୋଇଥାଏ କିମ୍ବା ଯେତେବେଳେ ସେମାନେ ସଫ୍ଟୱେର୍ କିମ୍ବା ମେସିନ ମଧ୍ୟରେ ଅନଧିକୃତ ପରିବର୍ତ୍ତନ କରିଥାନ୍ତି ସେତେବେଳେ ସମସ୍ୟା ଉପୁଜିଥାଏ। ଏହାକୁ ବନ୍ଦ କରିବା ପାଇଁ ଯଦି ଆପଣଙ୍କ ପାଖରେ କୌଣସି ପରାମର୍ଶ ରହିଛି, ତାହେଲେ ଆପଣ ଆମକୁ ଦେଇପାରିବେ।


ପ୍ରଶାନ୍ତ ଭୂଷଣ କ'ଣ କହିଥିଲେ?
ମତଦାତାଙ୍କୁ ଇଭିଏମ-ଭିଭିପାଟ ସ୍ଲିପ୍ ଦେବାକୁ ଓକିଲ ପ୍ରଶାନ୍ତ ଭୂଷଣ ଦାବି କରିଛନ୍ତି। ମତଦାତା ଏହାକୁ ଏକ ବାଲାଟ୍ ବକ୍ସ ମଧ୍ୟରେ ରଖିବା ଆବଶ୍ୟକ ବୋଲି କହିଛନ୍ତି। ବର୍ତ୍ତମାନ ଭିଭିପାଟ ବକ୍ସ ସ୍ୱଚ୍ଛ ନୁହେଁ। ସ୍ଲିପ୍ କେବଳ ମତାଦାତାଙ୍କୁ ୭ ସେକେଣ୍ଡ ପାଇଁ ଦୃଶ୍ୟମାନ ହୋଇଥାଏ। 


ଭିଭିପାଟ ସ୍ଲିପ୍ ଗଣିବାକୁ ଲାଗିଯିବ ୧୨ ଦିନ ସମୟ 
ଇଭିଏମ୍ ମାଧ୍ୟମରେ ହେଉଊଥିବା ମତଦାନ ଭିଭିପାଟ ସ୍ଲିପ୍ ସହିତ ମେଳ ଖାଇବା ଆବଶ୍ୟକ ବୋଲି ଓକିଲ ସଞ୍ଜୟ ହେଗଡେ ଦାବି କରିଛନ୍ତି। ଅନ୍ୟପକ୍ଷରେ ଜଷ୍ଟିସ୍ ଖାନ୍ନା ପ୍ରଶ୍ନ କରିଥିଲେ ୬୦ କୋଟି ଭିଭିପାଟ ସ୍ଲିପ୍ ଗଣାଯିବା ଆବଶ୍ୟକ କି? ଓକିଲ ଗୋପାଳ ଶଙ୍କର ନାରାୟଣ କହିଛନ୍ତି ଯେ ସମସ୍ତ ଭିଭିପାଟ ସ୍ଲିପ୍ ଗଣିବାକୁ  ୧୨ ଦିନ ସମୟ ଲାଗିବ ବୋଲି ନିର୍ବାଚନ ଆୟୋଗ କହିଛନ୍ତି। ମତଦାନ ପାଇଁ ବାରକୋଜ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଜଣେ ଓକିଲ ପରାମର୍ଶ ଦେଇଥିଲେ। ଜଷ୍ଟିସ୍ ଖାନ୍ନା କହିଛନ୍ତି ଯେ ଯଦି ଆପଣ ଏକ ଦୋକାନକୁ ଯାଆନ୍ତି ତାହେଲେ ସେଠାରେ ବାରକୋଡ୍ ରହିଥାଏ। ପ୍ରତ୍ୟେକ ପ୍ରାର୍ଥୀ କିମ୍ବା ଦଳକୁ ବାରକୋଡ୍ ନଦେଲେ ଭୋଟ ଗଣନ କରିବାରେ ଅସୁବିଧା ଉପୁଜିପାରେ। ଯାହା ମଧ୍ୟ ଏକ ବଡ଼ ସମସ୍ୟା ହେବ।


ଜଷ୍ଟିସ୍ ଦୀପାଙ୍କର ଦତ୍ତା ଓକିଲ ପ୍ରଶାନ୍ତ ଭୂଷଣଙ୍କୁ ପଚାରିଥିଲେ ଯେ ଆପଣ କହୁଛନ୍ତି ଯେ ଅଧିକାଂଶ ଭୋଟର ଇଭିଏମ୍ ଉପରେ ବିଶ୍ୱାସ କରନ୍ତି ନାହିଁ? ଆପଣ ଏହି ତଥ୍ୟ କିପରି ପାଇଲେ? ଏହାର ଉତ୍ତର ଦେଇ ପ୍ରଶାନ୍ତ ଭୂଷଣ କହିଥିଲେ ଯେ ଏନେଇ ଏକ ସର୍ଭେ କରାଯାଇଥିଲା। ଏହାର ଜବାବରେ ଜଷ୍ଟିସ୍ ଦତ୍ତା କହିଥିଲେ ଯେ ଆମେ ବ୍ୟକ୍ତିଗତ ସର୍ବେକ୍ଷଣରେ ବିଶ୍ୱାସ କରୁନାହୁଁ।


ସୁପ୍ରିମକୋର୍ଟ କହିଛନ୍ତି ଯେ ଇଭିଏମ୍ ସଠିକ୍ ଭାବରେ କାମ କରୁଛି କି ନାହିଁ ତାହା ଜାଣିବା ପାଇଁ ଆମକୁ ତଥ୍ୟ ଆବଶ୍ୟକ। ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଆହୁରି କହିଛନ୍ତି ଯେ ଆମେ ନିର୍ବାଚନ ଆୟୋଗ ପାଖରୁ ଏହାର ତଥ୍ୟ ମାଗିଛୁ। ମାନବୀୟ ତ୍ରୁଟି ହେତୁ କିଛି ମେଳ ଖାଉ ନାହିଁ।


ଜର୍ମାନୀ ଉଦାହରଣ ଦିଅ ନାହିଁ: ଜଷ୍ଟିସ୍ ଦୀପାଙ୍କର ଦତ୍ତା
ଯେତେବେଳେ ଆବେଦନକାରୀଙ୍କ ଓକିଲ ଜର୍ମାନୀ ଠାରେ କାର୍ଯ୍ୟକାରୀ ହେଉଥିବା ବ୍ୟବସ୍ଥାର ଉଦାହରଣ ଦେଇଥିଲେ, ସେତେବେଳେ ଜଷ୍ଟିସ୍ ଦୀପାଙ୍କର ଦତ୍ତା କହିଥିଲେ ଯେ ମୋ ଗୃହ ରାଜ୍ୟ ପଶ୍ଚିମବଙ୍ଗର ଜନସଂଖ୍ୟା ଜର୍ମାନୀ ଅପେକ୍ଷା ଅଧିକ। ଆମକୁ କାହା ଉପରେ ବିଶ୍ୱାସ ଏବଂ ଆତ୍ମବିଶ୍ୱାସ ଦେଖାଇବାକୁ ପଡିବ। ଏହି ଉପାୟରେ ବ୍ୟବସ୍ଥାକୁ କ୍ଷତି କରିବାକୁ ଚେଷ୍ଟା କରନ୍ତୁ ନାହିଁ। ଏପରି ଉଦାହରଣ ଦିଅନ୍ତୁ ନାହିଁ। ଏହା ଏକ ବହୁତ ବଡ଼ କାର୍ଯ୍ୟ। ୟୁରୋପୀୟ ଦେଶର ଉଦାହରଣ ଏଠାରେ କାମ କରେ ନାହିଁ।


ଇଭିଏମ୍ ଉପରେ ଶୁଣାଣି ଅପ୍ରେଲ୍ ୧୮ ତାରିଖରେ ପୁନର୍ବାର ହେବ। ଅନ୍ୟ ଜଣେ ଓକିଲ ଅଭିଯୋଗ କରିଛନ୍ତି ଯେ ଦେଶର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଦ୍ୱାରା ଇଭିଏମ୍ ଉତ୍ପାଦିତ ହେଉଛି। ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି କୌଣସି ଘରୋଇ କମ୍ପାନୀ ଇଭିଏମ୍ ନିର୍ମାଣ କରେ, ତାହେଲେ କ'ଣ ଯାଇ ଆପଣ ଖୁସି ହେବେ।