Bangladesh General Election 2024: ଜାନୁଆରୀ ୭ ତାରିଖ ରବିବାର ବାଂଲାଦେଶ ସାଧାରଣ ନିର୍ବାଚନ ପାଇଁ ଅନୁଷ୍ଠିତ ହେବ ମତଦାନ। ନିର୍ବାଚନ ଲାଗି ମତଦାନ ହେବାର ଗୋଟିଏ ଦିନ ପୂର୍ବରୁ ଦେଶର ବିଭିନ୍ନ ଅଞ୍ଚଳରେ ହିଂସାକାଣ୍ଡ ହୋଇଥିବାର ଖବର ଆସିଛି। ଏଭଳି ପରିସ୍ଥିତିରେ ବାଂଲାଦେଶ ଠାରେ ହେବାକୁ ଯାଉଥିବା ନିର୍ବାଚନ ଉପରେ ଦେଶର ନାଗରିକଙ୍କ ସହ ବିଶ୍ୱର ଅନ୍ୟ ଦେଶ ମଧ୍ୟ ନଜର ରଖିଛନ୍ତି। ପ୍ରଧାନମନ୍ତ୍ରୀ ଶେଖ ହସିନା କ୍ରମାଗତ ଚତୁର୍ଥ ଥର ଏବଂ ତାଙ୍କ ଆୱାମୀ ଲିଗ୍ ନେତୃତ୍ୱାଧିନ ମେଣ୍ଟ ପଞ୍ଚମ ଥର କ୍ଷମତା ହାସଲ କରିବାକୁ ଚେଷ୍ଟା ଜାରି ରଖିଛି। ଏଭଳି ପରିସ୍ଥିତିରେ ରବିବାର ହେବାକୁ ଯାଉଥିବା ଦ୍ୱାଦଶ ସାଧାରଣ ନିର୍ବାଚନ ପାଇଁ ପ୍ରାୟ ୧୭ କୋଟି ବାଂଲାଦେଶୀ ମତଦାନ କରିବେ। ମତଦାନ ସକାଳ ଆଠଟାରୁ ଆରମ୍ଭ ହୋଇ ଅପରାହ୍ନ ଚାରିଟାରେ ଶେଷ ହେବ। ମତଦାନ ଶେଷ ହେବା ପରେ ତୁରନ୍ତ ଭୋଟ ଗଣତି ଆରମ୍ଭ ହେବ। 


COMMERCIAL BREAK
SCROLL TO CONTINUE READING

ଏଭଳି ପରିସ୍ଥିତିରେ ବାଂଲାଦେଶ ନିର୍ବାଚନ ସମ୍ବନ୍ଧିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବିଷୟରେ ଆପଣଙ୍କୁ କହୁଛୁ। ବାଂଲାଦେଶ ରାଜନୀତିରେ ମୁଖ୍ୟତଃ ୨ ଦଳରେ ପ୍ରଭାବ ଅନୁଭୂତ ହୋଇଥାଏ। ସେହି ୨ ଦଳ ହେଉଛି ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ନେତୃତ୍ୱାଧିନ ବାଂଲାଦେଶ ଆୱାମୀ ଲିଗ୍ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲିଦା ଜିଆଙ୍କ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି। ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବି କରିବା ପରେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ଚଳିତ ବର୍ଷ ଦେଶରେ ଅନୁଷ୍ଠିତ ହେଉଥିବା ସାଧାରଣ ନିର୍ବାଚନକୁ ବର୍ଜନ କରିଛି। ଏନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲିଦା ଜିଆଙ୍କ ଦଳ ପକ୍ଷରୁ କୁହାଯାଇଛି ଯେ ନିର୍ବାଚନ ପରିଚାଳନା କରିବା ପାଇଁ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ଦେଶରେ ଏକ କାର୍ଯ୍ୟବାହକ ସରକାର ଗଠନ ହେବାକୁ ଚାହୁଁଛି। ହେଲେ ଏନେଇ କରାଯାଉଥିବା ଦାବି ପୂରଣ ହୋଇନାହିଁ। 


ମତଦାନ ପୂର୍ବରୁ ଆରମ୍ଭ ହଇଗଲା ହିଂସାକାଣ୍ଡ 
ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ସାଧାରଣ ନିର୍ବାଚନ ପାଇଁ ସରଗରମ ରହିଛି ବାଂଲାଦେଶ ରାଜନୀତି। ଏହି ନିର୍ବାଚନ ଲାଗି ମତଦାନ ହେବା ପୂର୍ବରୁ ଦେଶର ବିଭିନ୍ନ ଭାଗରେ ହିଂସାକାଣ୍ଡ ହୋଇଥିବାର ଖବର ମିଳିଛି। ରାଜଧାନୀ ଢାକା ସ୍ଥିତ ଗୋପୀବାଗ ଅଞ୍ଚଳରେ ଏକ ଟ୍ରେନ୍ ରେ ନିଆଁ ଲାଗାଇ ଦିଆଯାଇଛି। ଯେଉଁଥିରେ ଅତି କମରେ ୫ ଜଣ ଲୋକ ଜଳି ଯିବାରୁ ପ୍ରାଣ ହରାଇଛନ୍ତି। ଏହି ଘଟଣା ପରେ ଚାରୋଟି ମତଦାନ କେନ୍ଦ୍ର ସମେତ ଅତି କମରେ ପାଞ୍ଚଟି ପ୍ରାଥମିକ ବିଦ୍ୟାଳୟରେ ନିଆଁ ଲାଗାଇ ଦିଆଯାଇଛି।


ନିର୍ବାଚନ ଲଢୁଛନ୍ତି ରେକର୍ଡ ସଂଖ୍ୟକ ମହିଳା ପ୍ରାର୍ଥୀ
ନ୍ୟୁଜ୍ ଏଜେନ୍ସି ରଏଟର୍ସ ରିପୋର୍ଟ ଅନୁଯାୟୀ ୨୦୨୪ ସାଧାରଣ ନିର୍ବାଚନରେ ପ୍ରଥମ ଥର ପ୍ରାୟ ୧.୫ କୋଟି ଭୋଟର ମତଦାନ କରିବେ। ପ୍ରତ୍ୟେକ୍ଷ ଭାବେ ନିର୍ବାଚିତ ହେଉଥିବା ୩୦୦ ସଂସଦ ଆସନରେ ପ୍ରାୟ ୨୦୦୦ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ବାଂଲଦେଶ ସଂସଦ ନିର୍ବାଚନରେ ପ୍ରାୟ ୫.୧% ମହିଳା ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏହା ସହିତ ନିର୍ବାଚନ ରଣାଙ୍ଗନରେ ମୋଟ ୪୩୬ ଜଣ ସ୍ୱାଧୀନ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି। ଯାହା ଗତ ୨୦୦୧ ପର ଠାରୁ ସର୍ବାଧିକ। ଏହି ନିର୍ବାଚନରେ ବିଶ୍ୱସନୀୟତା ବଜାୟ ରଖିବା ପାଇଁ ବାଂଲାଦେଶ ଆୱାମୀ ଲିଗ୍ ପକ୍ଷରୁ ବିକଳ୍ପ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି।


ବାଂଲାଦେଶ ସାଧାରଣ ନିର୍ବାଚନ ୨୦୨୪ ଲାଗି ରବିବାର ହେବାକୁ ଯାଉଥିବା ମତଦାନ ମତଦାନ ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଲାଗି ବ୍ୟାପକ ବ୍ୟବସ୍ଥା ହୋଇଛି। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଲାଗି ମୋଟ  ୮ ଲକ୍ଷ ପୋଲିସ କର୍ମଚାରୀ, ସାମରିକ ବାହିନୀ ଏବଂ ପୋଲିସ ସହାୟକ ନିୟୋଜିତ ହୋଇଛନ୍ତି। ସେମାନଙ୍କ ଦେଶର ସ୍ଥଳସେନା, ନୌସେନା ଏବଂ ବାୟୁସେନା ମଧ୍ୟ ନିୟୋଜିତ ହୋଇଛନ୍ତି। ଅନ୍ୟପଟେ ୧୨୭ ବିଦେଶୀ ପର୍ଯ୍ୟବେକ୍ଷକ ନିର୍ବାଚନ ପ୍ରକ୍ରିୟା ସମୟରେ ନଜର ରଖିବେ। ଆପଣଙ୍କୁ କହିରଖୁଛୁ ଯେ ଗତ ୨୦୦୯ ବର୍ଷରୁ ବାଂଲାଦେଶରେ ୭୬ ବର୍ଷିୟ ଶେଖ ହସିନାଙ୍କ ସରକାର କ୍ଷମତାସୀନ ରହିଛି। ଯିଏ ଲଗାତାର ଚତୁର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ଲାଗି ସଂଘର୍ଷ କରୁଛନ୍ତି।