Pink Whatsapp Scam: ଆଜିକାଲି ସ୍ମାର୍ଟ୍ ଫୋନ (Smart Phones) ବ୍ୟବହାର ଏକ ସାଧାରଣ କଥା ହୋଇଥିବା ବେଳେ ଏହା ମାଧ୍ୟରେ ସାଇବର ଅପରାଧ ମଧ୍ଯ ବେଶ ବଢିବାରେ ଲାଗିଛି । ସ୍ମାର୍ଟ୍ ଫୋନ ବ୍ୟବହାରକାରୀମାନେ କେବେ ନା କେବେ ଏହି ସାଇବର ଅପରାଧର (Cyber Crime) ଶିକାର ନିଶ୍ଚୟ ହୋଇଥିବେ । ସଚେତନତା ଅଭାବ ଯୋଗୁଁ ଅନେକ ସମୟରେ ଲୋକେ ଏହି ଠକାମୀର ଶିକାର ହୋଇଥାଆନ୍ତି । ତେବେ ଡ଼ିଜିଟାଲ ଦୁନିଆରେ (Digital World) କେତେକ ଲୋକେ ସର୍ତକତା ଅବଲମ୍ବନ କରୁନଥିବାରୁ ଏହି ଅସୁବିଧାରେ ପଡ଼ିଥାଆନ୍ତି । ତେବେ ବର୍ତ୍ତମାନ ଠକେଇ ନେଇ ନୂଆ ପନ୍ଥା ଆପଣାଇଛନ୍ତି ସାଇବର ଲୁଟେରା । ପିଙ୍କ୍ ହ୍ବାଟସଆପ୍ (Pink Whatsapp) ମାଧ୍ୟମରେ ଆରମ୍ଭ ହୋଇଛି ସାଇବର ଅପରାଧ । ନିକଟରେ ରାଜ୍ୟରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ।


COMMERCIAL BREAK
SCROLL TO CONTINUE READING

ପିଙ୍କ୍ ହ୍ବାଟସଆପରେ କେମିତି ହେଉଛି ଠକେଇ..


ପ୍ରଥମେ ଆପଣଙ୍କ ହ୍ବାଟସଆପକୁ ଏକ ଅଜଣା ନମ୍ବରରୁ ମେସେଜ ଆସିବ । ଏଥିରେ ‘ଅଫିସିଆଲ ହ୍ବାଟ୍ସଆପ୍ ଲଞ୍ଚଡ଼ ପିଙ୍କ ହ୍ବାଟ୍ସଆପ୍ ବିଥ୍ ଏକସଟ୍ରା ନ୍ୟୁ ଫିଚର୍ସ’ ଲେଖାଆସିବ ପରେ ଏହାକୁ ନିଶ୍ଚିତ ଟ୍ରାଏ କରନ୍ତୁ ବୋଲି ଲେଖାଯିବା ସହ ଏକ ଲିଙ୍କ ଦିଆଯାଇଥିବ । ଏହି ଲିଙ୍କରେ କ୍ଲିକ୍ କରିବା ମାତ୍ରେ ଆପଣଙ୍କ ମୋବାଇଲରେ ଥିବା ବ୍ୟାଙ୍କ ଆକାଉଣ୍ଟ ତଥ୍ୟ, ଫଟୋ, ଭିଡିଓ ସାଇବର ଲୁ଼ଟେରା ନିକଟରେ ପହଁଞ୍ଚିଯିବ, ଫଳରେ କିଛି ମିନିଟ୍ ରେ ଆପଣଙ୍କ ବ୍ୟାଙ୍କ ବାଲାନ୍ସ ଖାଲି ହୋଇଯିବ । ଏହା ସହ ଏଥିରେ ଥିବା ବ୍ୟକ୍ତଗତ ଫଟୋ ଓ ଭିଡ଼ିଓ ମଧ୍ଯ ଠକ ହାତରେ ଲାଗିବ । ଯାହା ଦ୍ବାରା ଆପଣ ବ୍ଲାକମେଲିଂର ମଧ୍ଯ ଶିକାର ହୋଇପାରନ୍ତି ।


କେମିତି ବଞ୍ଚବେ ଏହି ଠକାମୀରୁ...


ଏହି ନୂଆ ଧରଣର ଠକାମୀରୁ ବଞ୍ଚିବା ଲାଗି ସାଇବର ବିଶେଷଜ୍ଞ କହିଛନ୍ତି ଯେ, ହ୍ବାଟ୍ସସଆପ ଅନଲାଇନ୍ ସୋ (Whatsapp online), ଷ୍ଟାଟସ୍ (Whatsapp status)  ଆଦି ଲୁଚାଇବା ଲାଗି ଅନେକ ଲୋକେ ଏହି ପିଙ୍କ୍ ହ୍ବାଟ୍ସସଆପ, ଜିବି ହ୍ବାଟ୍ସସଆପ୍ ଏଫଏମ୍ ହ୍ବାଟ୍ସସଆପ ଭଳି ଭାଇରସ ଥିବା ଅନେକ ଏପିକେ ଫାଇଲକୁ ନିଜ ଫୋନରେ ଡ଼ାଇନଲୋଡ଼ କରୁଛନ୍ତି । ଯାହା ଫଳରେ ସେମାନେ ଅନେକ ସମୟରେ ଏହିଭଳି ଠକେଇ ଶିକାର ହେଉଛନ୍ତି । ସାଇବର ବିଶେଷଜ୍ଞ ପ୍ରଶାନ୍ତ ସାହୁ କହିଛନ୍ତି, କିଛି ଦିନ ତଳେ ବୈପାରୀଗୁଡାରେ ଏହି ପିଙ୍କ ହ୍ବାଟସଆପ୍ ଠକେଇ ଘଟଣା ଦେଖିବାକୁ ମିଳିଥିଲା । ଅବଶ୍ୟ ଏହାଦ୍ବାରା କୌଣସି ବ୍ୟକ୍ତି ଆର୍ଥକ କ୍ଷତିର ଶିକାର ହୋଇନାହାନ୍ତି । କାରଣ ପିଙ୍କ ହ୍ବାଟସଆପ୍ (Whatsapp) କେବଳ ତଥ୍ୟ ଚୋରି କରିପାରିବ । ଏହା କୌଣସି ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର କି ପାସୱାର୍ଡ଼ ଜାଣିପାରିବନାହିଁ । ତେଣୁ ଏଥିରେ ଆର୍ଥକ୍ ଠକେଇ ହେବା ଏତେ ସହଜ ନୁହେଁ । ସେ ଏହା ମଧ୍ଯ କହିଛନ୍ତି ଯେ, ଏହାର ଚେର ଚୀନ ଯାଏଁ ଲମ୍ବିଛି । ଭାରତର କୌଣସି ସ୍ଥାନରୁ ଏହି ଠକେଇ ହେଲେ ଧରିବା ସହଜ ହୋଇଥାଆନ୍ତା କିନ୍ତୁ ଏଥିରେ ଚୀନ ଲିଙ୍କ୍ ଥିବାରୁ ଧରିବା ସହଜ ହେବନାହିଁ । ବାହାରୁ କୌଣସି ଆପ ଡ଼ାଉନଲୋଡ଼ ନ କରି ପ୍ଲେ ଷ୍ଟୋର ବା ଆଇଓଏସର ଅଫିସିଆର ଷ୍ଟୋରରୁ ଆପ ଡ଼ାଉନଲୋଡ଼ କରନ୍ତୁ । ଏହାସହ ଅଜଣା ନମ୍ବରୁ ଆସୁଥିବା ଲିଙ୍କରେ ଆଦୌ କ୍ଲିକ୍ ନ କରି ଏଥିରେ ଥିବା ନମ୍ବରରୁ ତୁରନ୍ତ ବ୍ଲକ୍ କରନ୍ତୁ ।


ପ୍ରକାଶ ଥାଉ କି, ୨୦୨୧  ମସିହା ଅର୍ଥାତ୍ କୋଭିଡ଼ ମହାମାରୀ ସମୟରେ ଆରମ୍ଭ ହୋଇଥିବା ଏହ ସ୍କାମ୍ ନେଇ ପ୍ରଥମେ ଆମେରିକାର ୱାଲ୍ ଷ୍ଟ୍ରି ଜର୍ଣ୍ଣାଲ ଖବର ପ୍ରସାରଣ କରିଥିଲା । ଏହାପରେ ବିଶ୍ବର ବିଭିନ୍ନ ସ୍ଥାନରୁ ଏହି ସ୍କାମ୍ ହେଇଥିବା ନେଇ ଖବର ଆସିଥିଲା। ତେବେ ସମ୍ବଲପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପିଙ୍କ୍ ହ୍ବାଟ୍ସସଆପ (Pink Whatsapp Scam) ମାଧ୍ୟମରେ ଠକେଇ ହୋଇଥିବା ନେଇ ମାମଲୈ ସାମ୍ନାକୁ ଆସିଛି। ମହାରାଷ୍ଟ୍ର, ଗୋଆ, କେରଳ, ତେଲେଙ୍ଗାନା ଓ କର୍ଣ୍ଣାଟକ ଆଦି ରାଜ୍ୟରେ ପିଙ୍କ୍ ହ୍ବାଟ୍ସସଆପ ଡ଼ାଇନଲୋଡ଼ ନ କରିବାକୁ ପରାମର୍ଶ ଦିଆଯାଇଥିବା ବେଳେ ଓଡ଼ିଶା ପୋଲିସ ଏନେଇ ଖୁବଶ୍ରୀଘ୍ର ସଚେତନତାବଳୀ ଜାରି କରିବା ନେଇ ସୂଚନା ରହିଛି।


Also Read-Rath Yatra 2023: ଜନ୍ମବେଦୀରେ ତିନି ଠାକୁର, ଆଜିଠୁ ଭକ୍ତଙ୍କୁ ମିଳିବ ଆଡ଼ପ ଅବଢା